ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ ହଜାର କୋଟିର ବଜେଟ୍

1 min read

ନନ୍ଦିଘୋଷ ବ୍ୟୁରୋ: ଧାନ ସଂଗ୍ରହ ପାଇଁ ୨ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ରିର୍ଭଲ ବିଙ୍ଗ ପାଣ୍ଠି  । ରାଜ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର  । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜାନକୁ କାର୍ଯ୍ୟକାରୀ କରିବେ ସରକାର  । ଏହିଭଳି ଭଳିକି ଭଳି ୨୦ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବେ ସରକାର  । ରାଜ୍ୟରେ ବିକାଶର ଗାଡି ଆଗକୁ ଗଡ଼ିବ । ମୁଣ୍ଡପିଛା ଆୟ ବଢିବ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିରୁ ଆରମ୍ଭ କରି ମହିଳା ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ପ୍ରତ୍ସୋହନ ଓ ସହାୟତା  ।  ୨୦୨୩-୨୪ ଅର୍ଥିକ ବର୍ଷର ବଜେଟ ଆଗତ କରି ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ   ।

ବିଧାନସଭାରେ ଶୁକ୍ରବାର ୨୦୨୩-୨୪ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ରାଜ୍ୟରେ ସାମଗ୍ରିକ ବିକାଶ ସହ ଜନ କଲ୍ୟାଣ ପାଇଁ ସରକାର ବହୁ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବେ  । ଏଥିପାଇଁ ବଜେଟରେ ପାଣ୍ଠି ବରାଦ କରାଯାଇଛି  । ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି  । ସେଥିରୁ ୯୪ ହଜାର କୋଟି ପ୍ରଶାସନିକ ବ୍ୟୟ ପାଇଁ ବରାଦ ହୋଇଥିଲାବେଳେ କାର୍ଯ୍ୟକ୍ରମ ବ୍ୟୟ ବରାଦକୁ ୧ ଲକ୍ଷ ୨୫ ହଜାର କୋଟିକୁ ବୃଦ୍ଧି ହୋଇଛି  । ବଜେଟରେ ଗରୀବ, ଅବହେଳିତ, ଯୁବକ, ମହିଳା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟଲଘୁ ଓ ପଛୁଆ ବର୍ଗର ବିକାଶକୁ ଧ୍ୟାନରେ ରଖି ପାଣ୍ଠି ବରାଦ ହୋଇଛି  । ସରକାରଙ୍କ ବଜେଟରେ ସ୍ୱାସ୍ଥ୍ୟକୁ କରାଯାଇଛି ସର୍ବାଧିକ ଫୋକସ  ।

ସ୍ୱାସ୍ଥ୍ୟ ବିଭାଗକୁ ୧୬ ହଜାର ୪୮ କୋଟି

କଟକ ବଡ଼ ମେଡିକାଲକୁ ଏମସ ପ୍ଲସ ହସ୍ପିଟାଲରେ ରୂପାନ୍ତରିତ କରିବା ସହ ଶିଶୁ ମାତୃହାର ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି  । BSKYରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ସଂକଳ୍ପ ନେଇଛନ୍ତି  । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି  । ଯାହା ଗତବର୍ଷ ଠାରୁ ୨୭ ପ୍ରତିଶତ  ଅଧିକ  ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଆମ ହସ୍ପିଟାଲ ନାମରେ ନୂଆ ଯୋଜନା ଆରମ୍ଭ କରିବେ  । ଏଥିପାଇଁ ଚଳିତ ବଜେଟରେ ୭୫୦ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି  । ଏଥିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ରୋଗୀଙ୍କ ମୈଳିକ ସୁବିଧା ସୁଯୋଗ, ସେବା ପ୍ରଦାନ ଯୋଜନାରେ ଉନ୍ନତି କରାଯିବ  । BSKY ଯୋଜନା ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ  । ଏଥିରେ ଏଯାଏଁ ୧୦ ଲକ୍ଷରୁ ଅଧିକ ପରିବାର ପ୍ରମୁଖ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇଛନ୍ତି  ।

ସେହିଭଳି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଗତ ୬ ବର୍ଷରେ ବାଲେଶ୍ୱର, ବାରିପଦା, ବଲାହ୍ଗୀର, କୋରାପୁଟ, ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି  । ଆସନ୍ତାବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ପରେ ତାଳଚେର, ଫୁଲବାଣୀ ଓ ଯାଜପୁର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବ  ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ  । ଏହି ମନ୍ତ୍ରରେ ବିଶ୍ୱାସ ରଖି ସରକାର ଆମ୍ବୁଲାନ୍ସ ସେବାକୁ ଅଧିକ ବ୍ୟାପକ କରିବା ସହ ଜନସାଧାରଣଙ୍କୁ କ୍ୟାନ୍ସର ରୋଗର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି  । ପାଞ୍ଚ ବର୍ଷରେ ପ୍ରାୟ ୪ ହଜାର ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବାବେଳେ ଗତ ୩ ବର୍ଷରେ ୯ ହଜାରରୁ ଅଧିକ ନର୍ସ ଓ ପାରା ମେଡିକାଲ ଅଫିସର ନିଯୁକ୍ତ ପାଇଛନ୍ତି  ।

ଗଣଶିକ୍ଷା ବିଭାଗକୁ ୨୨ ହଜାର ୫୨୮ କୋଟି

ଜୀବନ ଧାରଣ ମାନରେ ସମୃଦ୍ଧି ଆଣିବାକୁ ଶିକ୍ଷା ହିଁ ହେଉଛି ପ୍ରମୁଖ ମାନଦଣ୍ଡ  । 5T ନୀତିରେ ହାଇସ୍କୁଲର ରୂପାନ୍ତରୀକରଣ କରାଯାଇଛି  । ଏହାଦ୍ୱାରା ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଅତ୍ୟାଧୁନିକ ଇ ଲାଇବ୍ରେରୀ ଓ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ମିଳିପାରୁଛି  । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ହଜାର ୭୫ ଟି ହାଇସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୪୬୧ଟି ହାଇସ୍କୁଲକୁ ରୂପାନ୍ତରୀକରଣ କରାଯାଇଛି  । ମୋ ସ୍କୁଲ ଅଭିଯାନରେ ୩୦ଲକ୍ଷରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟ ଯୋଗ ଦେଇଛନ୍ତି  । ଆସନ୍ତା ଆର୍ଥିକ ବର୍ଷରେ ଏଥିରେ ୮ଶହ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ  ।

ଆସନ୍ତା ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକାରୀ ହେବ  । ଏଥିରେ ବିଦ୍ୟାଳୟର ଉତ୍କର୍ଷକୁ ସ୍ୱୀକୃତି ମିଳିପାରିବ  । ଅଧିକ ଶିକ୍ଷକ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯାଉଛି  । ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଗୁଣାତତ୍ମକ ଶିକ୍ଷା ପ୍ରଦାନ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଶ ଆଖି ଦୃଶିଆ ପଦକ୍ଷେପ ନେଉଛି  । ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ସହ ପଛୁଆବର୍ଗ ଏବଂ ସଂଖ୍ୟଲଘୁ ସଂପ୍ରଦାୟର ପିଲାଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରାଇବାକୁ ପ୍ରାକ୍ ମାଟ୍ରିକ ବୃତ୍ତି, ମାଟ୍ରିକ ପରବତ୍ତୀ ବୃତ୍ତି ସହ ଅନ୍ୱେଷା ଓ ଆଂକାକ୍ଷା ଭଳି ଯୋଜନା ହାତକୁ ନିଆଯାଇଛି  ।

ଉଚ୍ଚଶିକ୍ଷାକୁ ୩ ହଜାର ୧୭୩

ଗଣଶିକ୍ଷା ଭଳି ସରକାରଙ୍କ ଫୋକସରେ  ରହିଛି ଉଚ୍ଚଶିକ୍ଷା  । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୮କୁ ବଢିଛି  । ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଓ ସିକ୍ଷାଗତ ସଂସ୍କାର ପାଇଁ ଅଧ୍କ ପାଣ୍ଠି ବରାଦ ହୋଇଛି  । ୨ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ IAS କୋଚିଂ ପାଇଁ ମାଗଣାରେ ସମସ୍ତ ସୁବିଧା ମିଳିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାରେ ଓଡ଼ିଆ ପିଲାଙ୍କୁ ଯୋଡିବାକୁ ସରକାର ଦୀର୍ଘ ମିୟାଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ସିଇଟି ଏବେ OUTR ହୋଇଛି  । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଏହା ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବ  ।  ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାକୁ ୯ଶହ ୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି  ।

ହକି ବିଶ୍ୱକପ ଆୟୋଜନ କରି ସମଗ୍ର ବିଶ୍ୱରେ ଓଡ଼ିଶା  ପ୍ରଶଂସା ସାଉଁଟିଥିବାବେଳେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସର୍ବ ବୃହତ ହକି ଷ୍ଟାଡିୟମ ମାନ୍ୟତା ପାଇବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା  । କ୍ରୀଡା ଭିତ୍ତିଭୂମିର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଗୃହକୁ କହିଥିଲେ  । ବଜେଟ ଅଭିଭାଷଣରେ ମହିଳା ବିକାଶ ଓ ଆର୍ଥିକ ସ୍ୱାଧିନତା ପାଇଁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି  । ଆସନ୍ତା ପାଞ୍ଚ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ  । ଏସଏଚଜିଙ୍କ ପାଇଁ କ୍ଷୁଦ୍ର ଶିଳ୍ପ ପାର୍କ ନିର୍ମାଣ ହେବ  । କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା ଆରମ୍ଭ ହୋଇଛି  । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ଟଙ୍କାର ପାଣ୍ଠି ବରାଦ ହୋଇଛି  ।

ଦିବ୍ୟାଙ୍ଗ, ବୃଦ୍ଧ , ନିରାଶ୍ରୟ ଓ କିନ୍ନର ମାନଙ୍କ ସାମାଜିକ ନିରାପତ୍ତା ଶସକ୍ତିକରଣ ପାଇଁ ସରକାର ସଂକଳ୍ପବଦ୍ଧ  । ଆସନ୍ତା ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବୀକା ମିଶନ ନାମରେ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବ  । ଗରିବ ପରିବାର ମୁଣ୍ଡରେ ଛାତ ରଖିବାକୁ ସରକାର ସମସ୍ତ ଯୋଗ୍ୟ ପରିବାରକୁ  ପକ୍କା ଘର ଯୋଗାଇବା ପାଇଁ ସରକାର ସଂକଳ୍ପବଦ୍ଧ  । ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି  । ସଡକ , ରେଳପଥ ଓ ପରିବହନର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ସରକାର ନେଉଛନ୍ତି  । ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ  । ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପକୁ ବିଶ୍ୱ ସ୍ତରୀୟ ପାଇଲଟ ଟ୍ରେନିଂ ସେଣ୍ଟର କରାଯିବ  ।

ବିଜୁ ଏକ୍ସପ୍ରେସ ୱେର ଦ୍ୱିତାୟ ପର୍ଯ୍ୟାୟରେ ୬ ହଜାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବ୍ରହ୍ମପୁରରୁ ଜୟପୁର ୪ ଲାଇନ ରାସ୍ତା ନିର୍ମାଣ ହେବ  । ବିଜୁ ସେତୁ ଯୋଜନାରେ ଆମ ସରକାର ଆଗାମୀ ପାଞ୍ଚ ବର୍ଷରେ ୬ ହଜାର କୋଟିରୁ ଅଧିକ ନିବେଶ କରିବେ  । ଶିଳ୍ପ ଓ MSME ସରକାରଙ୍କ ଅଗ୍ରାଧିକାର ତାଲିକାରେ ରହିଛି  । MSME ପାର୍କ, ଆଇଟି ଟାୱାର ନିର୍ମାଣକୁ ଯେତିକି ଗୁରୁତ୍ୱ ଦିଆଯାଉଛି  । ଷ୍ଟାଟଅପକୁ ସେତିକି ପ୍ରତ୍ସାହିତ କରୁଛନ୍ତି ସରକାର  । ମେକ ଇନ୍ ଓଡ଼ିଶା କଲକ୍ଲେଭ ସଫଳ ହୋଇଥିବାବେଳେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଆଇଟି କମ୍ପାନୀ ଓଡ଼ିଶା ମୁହାଁ ହୋଇଛନ୍ତି  ।

ସହରାଞ୍ଚଳର ବିକାଶ ଓ ବସ୍ତିବାସୀନ୍ଦାକୁ ଜାଗା ମିଶନରେ ଜମି ଅଧିକାରରରେ ଆମେ ଜାତିସଂଘର ପ୍ରଶଂସା ପାଇଛୁ  । ସହରାଞ୍ଚଳର ରୂପାନ୍ତରୀକରଣକୁ ଦୃଷ୍ଟିରେ ରଖି ବଜେଟରେ ଅଧିକ ପାଣ୍ଠି ବରାଦ କରାଯାଇଛି  । ଐତିହ୍ୟ ଓ ଧାର୍ମିକ ସ୍ଥଳ ଗୁଡିକର ନବକଳେବର କରାଯାଉଛି  । ଏଥିପାଇଁ ୩ ଶହ ୭୪ କୋଟି ଟଙ୍କା ବରାଦ ହୋଇଛି  । ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ମେଡେଲ ଭାବେ ଉଭା ହୋଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ବଜେଟ ଅଭିଭାଷଣରେ ଅବଗତ କରାଇଛନ୍ତି  ।