ମହଙ୍ଗା ରାକ୍ଷସ କବଳରେ ଖାଉଟି, ବେଲଗାମ୍ ମୁଦ୍ରାସ୍ଫୀତି

1 min read

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଯୋଗାଣ ଶୃଙ୍ଖଳର ଫାଇଦା ଉଠାଉଛନ୍ତି କର୍ପୋରେଟ୍ ଜଗତ । କୃତ୍ରିମ ଅଭାବ ସୃଷ୍ଟି କରି ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ମନଇଚ୍ଛା ଖାଦ୍ୟ ସାମଗ୍ରୀ ଦର ବଢାଇ ଚାଲିଛନ୍ତି । ଏହାସହିତ ଦେଢ଼ବର୍ଷରୁ ଅଧିକ ଦିନ ହେଲାଣି ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ ଯୋଗୁ ଜିନିଷପତ୍ର ଦାମ୍ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି । ଯେଉଁଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷର ନଭେମ୍ବର ମାସରେ ରେକର୍ଡ ଭାଙ୍ଗିଛି ମୁଦ୍ରାସ୍ଫୀତି । ଗତ ୮ ମାସରେ ପାଇକରୀ ମୁଦ୍ରାସ୍ଫୀତି ୮.୧୮ ପ୍ରତିଶତ ଛୁଇଁଥିବାବେଳେ ଏହା ସର୍ବାକାଳୀନ ରେକର୍ଡ ଭାବେ ଗଣା ହୋଇଛି । ଆଗକୁ ମୁଦ୍ରାସ୍ଫୀତି ଆହୁରି ବଢିବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ମହଙ୍ଗା ରାକ୍ଷସ କବଳରେ ଖାଉଟି । ବେଫିକର କେନ୍ଦ୍ର ସରକାର । ବେଲଗାମ୍ ମୁଦ୍ରାସ୍ଫୀତି । ଆଗକୁ ଆହୁରି ବଢିବ କହିଲେ ବିଶେଷଜ୍ଞ । ଚଳିତ ଆର୍ଥିକ ବର୍ଷର ୮ ମାସର ରେକର୍ଡ ଭାଙ୍ଗିଛି ପାଇକରୀ ମୁଦ୍ରାସ୍ଫୀତି । ଗତ ନଭେମ୍ବରରେ ପାଇକରୀ ମୁଦ୍ରାସ୍ଫୀତି ୮.୧୮ ପ୍ରତିଶତରେ ପହଞ୍ଚିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତିକୁ ଦାୟୀ କରାଯାଉଛି  । ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ହାତକୁ ଟେକି ଦେଇଛନ୍ତି କେନ୍ଦ୍ର ସରକାର । ଫଳରେ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଖାଉଟିଙ୍କୁ ଶୋଷିଚାଲିଛନ୍ତି ।

କେତେବଳେ ଜିରା ଦାମ୍ ହଜାରେ, ଟମାଟୋ ୧୦୦ ଟଙ୍କାରେ ପହଞ୍ଚୁଛି । ଦେଶର ସ୍ଥୁଳ ଅର୍ଥନୀତି ବି ବିପର୍ଯ୍ୟସ୍ତ ହୋଇଚାଲିଛି । ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସଂଶୋଧନ କରି ରେପୋ ରେଟ୍କୁ ଯେତେ ଏପଟ ସେପଟ କଲେ ବି ଖାଉଟିଙ୍କୁ ମହଙ୍ଗାମାଡ଼ରୁ ନିସ୍ତାର ମିଳୁନି । ହେଲେ କେନ୍ଦ୍ର ସରକାର ଏହି ବାସ୍ତବତା ଅର୍ଥହୀନ ଭଳି ଲାଗୁଛି । ଖାଉଟି ମଲେ ମରୁ ପଛକେ କର୍ପୋରେଟ୍ ସଂସ୍ଥା ଲାଭରେ ରୁହନ୍ତୁ । ଆର୍ଥିକ ବର୍ଷ ସରିବାକୁ ଆଉ ୪ ମାସ ଭିତରେ ଏହି ମୁଦ୍ରାସ୍ଫୀତି ୯ରୁ ୧୦ ପ୍ରତିଶତରେ ପହଞ୍ଚିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଯାଇ କେନ୍ଦ୍ର ସରକାର ଭୁଲ ପରେ ଭୁଲ କରିଚାଲିଛନ୍ତି । ଯେଉଁଥିପାଇଁ ଦେଶର ଋଣଭାର ୧୭୨ ଲକ୍ଷ କୋଟିରେ ପହଞ୍ଚିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଲେ ବି ପେଟ୍ରୋଲ ଓ ଡିଜେଲ ଦର କମୁନି । ଯେତେ ପ୍ରକାର ଖାଉଟିଙ୍କୁ ଶୋଷିହେବ ସେ ନେଇ କେନ୍ଦ୍ର ସରକାର ଏକପ୍ରକାର ସଂକଳ୍ପ ନେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି । ଗରିବଙ୍କୁ ଗୋଟିଏ ପଟେ ମାଗଣା ରାସନ୍ ଦେଇ ଅନ୍ୟପଟେ ଅନ୍ୟସବୁ ସାମଗ୍ରୀର ଦର ବଢାଇଚାଲିଛନ୍ତି । ଏପରି ଲଗାତାର ଦରବୃଦ୍ଧି ଦେଶରେ ଅନ୍ୟ କୌଣସି ସରକାର ସମୟରେ ଦେଖିବାକୁ ମିଳିନଥିଲା । ପାଇକରୀ ମୁଦ୍ରାସ୍ଫୀତି ଯଦି ୮ ପ୍ରତିଶତ ପାର୍ କଲାଣି ତାହେଲେ ଖୁଚୁରୁ ମୁଦ୍ରାସ୍ଫୀତି ଦୁଇ ଅଙ୍କ ଛୁଇଁବ । ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ ।

ମହଙ୍ଗା ମାଡ଼ରେ ଲଗାତାର ଘାଣ୍ଟି ହେଉଛନ୍ତି ଖାଉଟି । ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟି ଲଗାତାର ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛନ୍ତି । ହେଲେ କେନ୍ଦ୍ର ସରକାର ଶିଥିଳତା ପ୍ରମାଣିତ କରୁଛି ଦରଦାମ ନିୟନ୍ତ୍ରଣ କରିବା ଯେପରି ସରକାରଙ୍କ ଦାୟିତ୍ବ ନୁହଁ । ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଏବେ ଲୋକେ କହିଲେଣି ।