‘ଧର୍ମେନ୍ଦ୍ରଙ୍କ ଶୋଭାଯାତ୍ରାରେ ପ୍ରାଣ ହରାଇଲେ କଳାକାର, ଅନାଇଲେ ନାହିଁ ଅବିବେକୀ ଧର୍ମେନ୍ଦ୍ର କି ବିଜେପି’

ଭୁବନେଶ୍ୱର : ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ରାଲିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲା ବିଜେଡି। ସମ୍ବଲପୁର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମକ୍ରମେ ମୃତକଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛି ବିଜେଡି। ସମ୍ବଲପୁରବାସୀଙ୍କ ହଳିଆ ହେବି ବୋଲି କହୁଥିବା ଧର୍ମେନ୍ଦ୍ର ପ୍ରଧାନ କେବଳ ନିଜର ସ୍ୱାର୍ଥ ପାଇଁ ନିର୍ବାଚନ ଲଢୁଛନ୍ତି ବୋଲି ଏକଥା ସ୍ପଷ୍ଟ ହୋଇଛି । କ୍ଷମତା ଲାଳସାରେ ଧର୍ମେନ୍ଦ୍ର ଏଭଳି ଭାବରେ ବୁଡ଼ି ରହିଛନ୍ତି ଯେ, ଭୋଟରଙ୍କ ଭଲମନ୍ଦ ବୁଝିବାକୁ ତାଙ୍କ ପାଖରେ ସମୟ ନାହିଁ । ସମ୍ବଲପୁରବାସୀଙ୍କ ଶବର ପାହାଚ ଚଢ଼ି କ୍ଷମତା ଗାଦିରେ ବସିବା ଧର୍ମେନ୍ଦ୍ରଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରେସମିଟ କରି ବର୍ଷିଛି ବିଜେଡି।

ଦିନରାତି ପ୍ରଚାରରେ ମାତିଛନ୍ତି କେନ୍ଦ୍ରମନ୍ତ୍ରୀ। ତାଙ୍କ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇ ଜଣେ ଗରିବ ପରିବାରର ରୋଜଗାରିଆଙ୍କ ଜୀବନ ଗଲା। ହେଲେ ଏକଥା କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାନାହିଁ । କିମ୍ବା ଜାଣିଶୁଣି ଚୁପ ରହିଛନ୍ତି । ନିର୍ବାଚନ ତ ଆସିବ ଯିବ । କିନ୍ତୁ ନେତାଙ୍କ ପାଇଁ ଜନତା ନୁହେଁ, ଜନତାଙ୍କ ପାଇଁ ନେତା ଏ ବିଚାର ଧର୍ମେନ୍ଦ୍ର ପ୍ରଧାନଙ୍କ ମନରେ ଆସିବା ଦରକାର ବୋଲି କଡ଼ା ସମାଲୋଚନା କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ଗତ ବୁଧବାର ଦିନ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବାକୁ ଯିବା ସମୟରେ ଏକ ରାଲିର ଆୟୋଜନ କରିଥିଲେ । ଲୋକଭିଡ଼ ଦେଖାଇବା ପାଇଁ ଦୂର ଦୂରାନ୍ତରରୁ ଲୋକଙ୍କୁ ଡକାଇଥିଲେ । ଏପରିକି ୪୦ଟି ସାଂସ୍କୃତିକ ଦଳକୁ ମଧ୍ୟ ଡାକିଥିଲେ । ଶୋଭାଯାତ୍ରାରେ ସାମିଲ ହେବାକୁ ଆସିଥିଲେ ବାମରା ବ୍ଲକ ଅର୍ନ୍ତଗତ ପିଣ୍ଡାପଥର ଗ୍ରାମର ବାଘପଡ଼ା ନିବାସୀ କୁମର ମାଝୀ ।

୪୩ ଡିଗ୍ରୀ ଖରାରେ ସହର ସାରା ବୁଲିବୁଲି ବାଜା ବଜାଇଲେ । କିନ୍ତୁ ଶୋଭଯାତ୍ରାରେ ସାମିଲ ହୋଇଥିବା କଳାକାର କିମ୍ବା ଜନତାଙ୍କୁ ପାଣି ଟିକିଏ ଦେବାକୁ ଉଚିତ ମଣିଲାନି ବିଜେପି । ଫଳସ୍ୱରୂପ କୁମର ମାଝୀ ଅଂଶୁଘାତର ଶିକାର ହୋଇ ପ୍ରାଣ ହରାଇଥିଲେ ବୋଲି ଚର୍ଚ୍ଚା ହେଉଛି । ପ୍ରାଣ ହରାଇଥିବା କୁମର ଏକା ନୁହନ୍ତି, ସେହିଦିନ ଧର୍ମେନ୍ଦ୍ରଙ୍କ ଶୋଭଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଜନତା ଭୋକଶୋଷରେ ଛଟପଟ ହୋଇଛନ୍ତି । କୁମର ମାଝୀଙ୍କ ମୃତ୍ୟୁକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ବର୍ତ୍ତମାନ ସୁଦ୍ଧା ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ଦଳର କୌଣସି ନେତା ପରିବାର ପରିଜନଙ୍କୁ ଭେଟି ସମବେଦନା ଟିକିଏ ଜଣାଇନାହାନ୍ତି ।

ଅପରପକ୍ଷେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମକ୍ରମେ ମୃତକଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛି ବିଜୁ ଜନତା ଦଳ । ବିଜେଡିର କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କ ନେତୃତ୍ୱରେ ଏକ ନେତୃମଣ୍ଡଳୀ କୁମରଙ୍କ ଘରେ ପହଞ୍ଚିଥିଲେ । କୁମରଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ଘରର ଆର୍ଥିକ ଅବସ୍ଥାରେ ସର୍ମ୍ପକରେ ପଚାରି ବୁଝିଥିଲେ । ଏହାସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛି ବିଜେଡି।