ଯଶୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଗ୍ ଫାଇଟ୍ 

1 min read

ନନ୍ଦିଘୋଷ ବ୍ୟୁରୋ: ସଭା ସମିତି ଓ ଶୋଭାଯାତ୍ରାରେ କମ୍ପୁଛି ମଇଦାନ।  ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା । କାହାର ହେବ ଯଶୀପୁର ଆସନ ? କାହାକୁ ବାଛିବେ ଜନତା ? ତାହା ଦେଖିବାକୁ ବାକି ରହିଲା ।

ନିର୍ବାଚନ ମହାପର୍ବ ପାଇଁ ସରଗରମ ଯଶୀପୁର ନିର୍ବାଚନ ମଣ୍ଡଳୀ । ଯଶୀପୁର ନିର୍ବାଚନମଣ୍ଡଳୀରେ ଅଛି ୪ଟି ବ୍ଲକ- ଶୁକୃଳି, ରରୁଆଁ, ଯଶୀପୁର ଏବଂ କୁସୁମୀ । ଚାରିଟି ବ୍ଲକରେ ରହିଛି ୫୨ଟି ପଞ୍ଚାୟତ । ଯଶୀପୁରରେ ୨ ଲକ୍ଷ ୧୭ ହଜାର ୯୧ ଭୋଟରଙ୍କ ମଧ୍ଯରେ ପୁରୁଷ ୧ ଲକ୍ଷ ୮ ହଜାର ୬୫, ମହିଳା ୧ ଲକ୍ଷ ୯  ହଜାର ୨୬ ଏବଂ ତୃତୀୟ ଲିଙ୍ଗୀ ୪ ଜଣ ଅଛନ୍ତି । ଏଠାରେ ହେଉଛି ତ୍ରିମୁଖୀ ଲଢ଼େଇ । ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ଚକ୍ରଧର ହେମ୍ବ୍ରମ, ବିଜେପିରୁ ଗଣେଶରାମ ସିଂ ଖୁଣ୍ଟିଆ ଓ କଂଗ୍ରେସରୁ ଶ୍ଵେତା ଚାତାର । ତିନି ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର ।

୨୦୦୦ ମସିହା ନିର୍ବାଚନରେ ଯଶୀପୁରରେ ବିଜେପି ପ୍ରାର୍ଥୀ ଭାନୁ ଚରଣ ନାଏକ ୨୧ ହଜାର ୯୩୮ ଭୋଟ ପାଇ ଜିତିଥିଲେ । ୨୦୦୪ ନିର୍ବାଚନରେ ଏସୟୁସିଆଇର ଶଂଭୁନାଥ ନାଏକ  ୨୨ ହଜାର ୮୯୩ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ମଙ୍ଗଳ ସିଂ ମୁଦିଙ୍କୁ ୧୭ ହଜାର ୫୨୯ ଓ କଂଗ୍ରେସର ରାଉତୁ ହେଂଶାଙ୍କୁ ୧୪ ହଜାର ୮୯୩ ଭୋଟ ମିଳିଥିଲା । ୨୦୦୯ରେ ବିଜେଡିରୁ କମଳାକାନ୍ତ ନାୟକ ୩୫ ହଜାର ୫୬୯ ଭୋଟ ପାଇ ବିଜେତା ହୋଇଥିଲେ।ଏସୟୁସିଆଇ ପ୍ରାର୍ଥୀ ଶଂଭୁନାଥ ନାଏକଙ୍କୁ ୨୨ ହଜାର ୩୭୯ ଓ ବିଜେପିର ସୁଧୀର ନାଏକଙ୍କୁ ୧୬ ହଜାର ୯୭୪ ଭୋଟ ମିଳିଥିଲା ।

୨୦୧୪ରେ ବିଜେଡିରୁ ଟିକେଟ ପାଇ ମଙ୍ଗଲ ସିଂ ମୁଦି ୩୪ ହଜାର ୪୪୦  ଭୋଟ ପାଇ ବିଜେତା ହୋଇଥିଲେ । ଏସୟୁସିଆଇ ପ୍ରାର୍ଥୀ ଶଂଭୁନାଥ ନାଏକ ୩୩ ହଜାର ୬୪୬ ଓ କଂଗ୍ରେସର ମିନତି ନାଏକ ୯ ହଜାର ୫୧୮ ଭୋଟ ପାଇଥିଲେ । ୨୦୧୯ରେ  ବିଜେପିର ଗଣେଶ ରାମ ସିଂ ଖୁଣ୍ଟିଆ ୫୮ ହଜାର ୭୦୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।

ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଯଶୀପୁରରେ ଅନେକ ବିକାଶମୂଳକ କାର୍ଯ୍ଯ ହୋଇଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ଵାସ୍ଥ୍ଯ , ଗମନାଗମନ, କ୍ଷେତ୍ରରେ ହୋଇଛି ରୂପାନ୍ତର । ଏବେ ଦେଖିବାକୁ ବାକି ରହିଲା କାହାର ହେଉଛି ଜିତାପଟ।