୨୦୩୦ ସୁଦ୍ଧା ଓଡ଼ିଶାରେ ନିୟନ୍ତ୍ରଣକୁ ଆସିବ କାର୍ବନ

1 min read

ଭୁବନେଶ୍ବର: ୨୦୩୦ ସୁଦ୍ଧା ଓଡ଼ିଶାରେ କାର୍ବନ ନିୟନ୍ତ୍ରଣକୁ ଆସିବ । ରାଜ୍ୟ ସରକାରଙ୍କ ଅକ୍ଷୟ ଶକ୍ତି ଓ ଇଭି ନୀତି ଏ ଦିଗରେ ବିଶେଷ ସହାୟକ ହୋଇଛି । ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ରାଜ୍ୟର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଶୋଭାଯାତ୍ରା କରି ଶକ୍ତି ଅପଚୟ ରୋକିବାକୁ ନେଇଛନ୍ତି ସଂକଳ୍ପ । କପ୍-୨୬ ଓ କପ୍-୨୮ରେ କେନ୍ଦ୍ର ସରକାର ଭାରତକୁ କାର୍ବନ ମୁକ୍ତ କରିବାକୁ ବିଶ୍ବ ସମୁଦାୟକୁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ କାର୍ବନ ନିୟନ୍ତ୍ରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ଆଗେଇ ଚାଲିଛନ୍ତି  । ଆଗାମୀ ଦିନରେ ଓଡ଼ିଶା ଏଥିରେ ରେକର୍ଡ କରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।

ବିଶ୍ବ ପାଇଁ ବିପଦ କାର୍ବନ ନିର୍ଗମନ । ୨୦୭୦ ସୁଦ୍ଧା ଦେଶ ହେବ କାର୍ବନ ମୁକ୍ତ । କପ୍-୨୬ରେ ବିଶ୍ବକୁ ପ୍ରତିଶ୍ରୁତି ଦେଇଛି ଭାରତ । କିନ୍ତୁ ଓଡ଼ିଶାର ଟାର୍ଗେଟ ୨୦୩୦ ସୁଦ୍ଧା ୫୦ ପ୍ରତିଶତ ଅଙ୍ଗାର ପ୍ରଦୂଷଣରେ ନିୟନ୍ତ୍ରଣ । ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଆଣିବ ଏହି ସଫଳତା  । ଓଡ଼ିଶା ସରକାରଙ୍କ ଅକ୍ଷୟଶକ୍ତି ଓ ଇଭି ନୀତି ଏ ଦିଗରେ ବଡ଼ ସହାୟକ ହୋଇଛି । ଗୋଟିଏ ୟୁନିଟ୍ ତାପଜ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ବାୟୁମଣ୍ଡଳକୁ ୭୨୦ ମିଲିଗ୍ରାମ୍ କାର୍ବନ୍ ଛାଡ଼ିବାକୁ ପଡୁଛି । ସେହିପରି ଜୈବ ଇନ୍ଧନ ଦ୍ବାରା କାର୍ବନ୍ ମନୋକ୍ସାଇଡ୍ ଓ ଲିଡ୍ ପରି ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳରେ ମିଶି ଏହାକୁ ପ୍ରଭାବିତ କରୁଛି ।

ରାଜ୍ୟ ସରକାର ଏବେ ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ, ରୁଫ୍ଟପ୍ ସୌରଶକ୍ତି, ପବନଚାଳିତ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବା ପାଇଁ ପଦକ୍ଷେପ ନେଇଛନ୍ତି   । ଯେଉଁଥିପାଇଁ ୨୦୩୦ ସୁଦ୍ଧା ରାଜ୍ୟରେ କାର୍ବନ ନିର୍ଗମନ ୫୦ ପ୍ରତିଶତ ହ୍ରାସ ପାଇବ  । ସେପଟେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ଏ ଦିଗରେ ସଚେତନ ହୋଇଛନ୍ତି ଛାତ୍ରଛାତ୍ରୀ  । ସଚେତନ ବାର୍ତ୍ତା  ବାଣ୍ଟିବା ପାଇଁ କଳିଙ୍ଗ ଷ୍ଟାଡିୟମ୍ରୁ ଲୋକସେବା ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତି  । ଚଳିତବର୍ଷର ସ୍ଲୋଗାନ୍ ଜିରୋ କାର୍ବନ୍ ଏମିସନ୍ ।

ଘରେ ବିଦ୍ୟୁତ ଶକ୍ତି ଅପଚୟ ରୋକାଯାଇପାରିଲେ ବାୟୁମଣ୍ଡଳ ପ୍ରଦୂଷଣ ଅନେକାଂଶରେ ରୋକାଯାଇପାରିବ । ଏ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରମୁଖ ମୁଖ୍ୟ ବିଦ୍ୟୁତ ନିରୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ସଚେତନ କରାଯାଇଛି । ଶକ୍ତି ଅପଚୟ କରିବାରେ ବଡ଼ମାନେ ବେଶୀ ଦାୟୀ । ଏବେ ବଡ଼ମାନଙ୍କୁ ସୁଧାରିବେ ସାନ । ଛାତ୍ରଛାତ୍ରୀମାନେ ସଚେତନ ହେଲେ ସେମାନଙ୍କ ଘରେ ବଡ଼ଙ୍କ ଭୁଲକୁ ସୁଧାରିପାରିବେ । ଶକ୍ତି ସଂରକ୍ଷଣ ନେଇ ଲୋକସେବା ଭବନରେ ଇଭି ଗାଡ଼ି ପ୍ରଦର୍ଶନୀ ସହିତ  ଛାତ୍ରଛାତ୍ରୀଙ୍କ ଦ୍ବାରା ଅକ୍ଷୟଶକ୍ତି ଉତ୍ପାଦନ ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ ହୋଇଛି ।