ଦୁଆର ଦୁଆର ବୁଲୁଛନ୍ତି ଦେବାଶିଷ ନାୟକ, ପଦ୍ମ କ୍ୟାମ୍ପ ଛାଡ଼ି ଶେଷରେ କଂଗ୍ରେସରେ ପଶିଲେ ଶରଣ

ନନ୍ଦିଘୋଷ ବ୍ୟୁରୋ : ଦୁଆର ଦୁଆର ବୁଲୁଛନ୍ତି ଦେବାଶିଷ ନାୟକ। ଟିକେଟ୍ ଆଶାରେ ଦୁଇମାସ ତଳେ ବିଜେପିରେ ଯୋଗ ଦେଇଥିବା ବରିର ପୂର୍ବତନ ବିଧାୟକ ଆଜି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଭୋଟ୍ ଦୁଆର ମୁହଁରେ ପହଞ୍ଚିଥିବା ବେଳେ କେଉଁ ଦୁଆରେ ଦେବାଶିଷ ଛିଡା ହୋଇ ନିଜ ରାଜନୈତିକ ସ୍ବାର୍ଥ ହାସଲ କରିବେ ସେନେଇ ନିଷ୍ପତି ନେଇ ପାରୁନାହାଁନ୍ତି। ଦେବାଶିଷ ପୂର୍ବରୁ ବିଜେଡିରେ ଥିଲେ। ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ବିଧାୟକ ହୋଇ ମନ୍ତ୍ରୀ ବି ହୋଇଥିଲେ। ହେଲେ ଯୌନ ଉତ୍ପୀଡ଼ନ ମାମଲାରେ ଫସିବାରୁ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ। ତାପରେ ତାଙ୍କୁ ନିଲମ୍ବିତ କରିଥିଲେ ମୁଖ୍ଯମନ୍ତ୍ରୀ।

ନିଲମ୍ବନ ହଟିବା ପରେ ୨୦୦୯ ଓ ୨୦୧୪ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ରେ କିନ୍ତୁ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ତାପରଠାରୁ ଦେବାଶିଷଙ୍କ ଏକପ୍ରକାର ପଲିଟିକାଲ୍ ଡେଥ ହୋଇ ଯାଇଛି। ଦୀର୍ଘବର୍ଷ ବାଉଳିଚାଉଳି ହେବା ପରେ ଟିକେଟ୍ ଆଶାରେ କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ। ହେଲେ ବିଜେପି କିନ୍ତୁ ଏହି ଧୋକ୍କାବାଜ୍ ନେତାଙ୍କୁ ଧୋକ୍କା ଦେଇଥିଲା। ଟିକେଟ୍ ପ୍ରତିଶୃତି ଦେଇ ଟିକେଟ୍ ଦେଇନଥିଲା ବିଜେପି। ଏହାପରେ ଦେବାଶିଷଙ୍କ ଅକଲଗୁଡୁମ୍ ହୋଇ ଯାଇଥିଲା। ଆଜି ବାଧ୍ଯ ହୋଇ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

ରୋଚକ କଥା ହେଲା ଦଳ ବଦଳ କରୁ କରୁ ସେ  ରାଜୀବ ଗାନ୍ଧୀଙ୍କ ତ୍ଯାଗ କଥାକୁ ମନେ ପକାଇଛନ୍ତି ଆଉ ବିଜେପିର ସଂସ୍କାରକୁ ସମାଲୋଚନା କରିଛନ୍ତି। କେବଳ ସେତିକି ନୁହେଁ ବିଜେପି ହାରୁ ନେତାଙ୍କୁ ଟିକେଟ୍ ଦିଏ ବୋଲି କଟାକ୍ଷ କରିଛନ୍ତି। ବିଜେପିରୁ ଧୋକ୍କା ଖାଇବା ପରେ ଆଜି ଦେବାଶିଷଙ୍କ ସ୍ବର ପରିବର୍ତ୍ତନ ହୋଇଛି। ଟିକେଟ ଆଶାରେ ନୁହେଁ  ଲୋକଙ୍କ ସେବା କରିବାକୁ ସେ ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି। ଶୁଣନ୍ତୁ ବିଜେପିରେ ଯୋଗ ଦେବା ଦିନ କଣ କହିଥିଲେ ଦେବାଶିଷ ଓ ଆଜି କେମିତି ବଦଳି ଯାଇଛି ତାଙ୍କ ଉଚ୍ଚାରଣ।