ଏହି ମାଟିର ୩୦ରୁ ଅଧିକ ସନ୍ତାନ ଦେଶର ରହିଛନ୍ତି ଯବାନ୍

ଯାଜପୁର : ବୀର ଯବାନ ବା ସୈନିକଙ୍କ ଗାଁ ହେଉଛି ସିଙ୍ଗାପୁର । ଗାଁର ୩୦ରୁ ଅଧିକ ଯବାନ ଏବେବି ସେନାବାହିନୀର ବିଭିନ୍ନ ବିଭାଗରେ ନିୟୋଜିତ ଅଛନ୍ତି । ତିନିଜଣ ଯବାନ୍ ଦେଶମାତୃକା ପାଇଁ ସହିଦ ହୋଇଛନ୍ତି । ସ୍ବାଧିନତା ସଂଗ୍ରାମ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦେଶସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ଗାଁର ଅନେକ ମହତ୍ବପୂର୍ଣ୍ଣ ଅବଦାନ ରହିଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରେ ରହିଛି ସିଙ୍ଗାପୁର ପୁର ଗାଁ । ନଦୀକୂଳିଆ ଚାଷବାସର ମାଟି ହେଉଛି ସିଙ୍ଗାପୁର ମାଟି । ହେଲେ ଏହି ଗାଁକୁ ଲୋକେ କହନ୍ତି ସୈନିକଙ୍କ ଗାଁ । କାରଣ ଜଣେ ଦୁଇଜଣ ନୁହଁନ୍ତି ଏହି ଗାଁର ୩୦ରୁ ଅଧିକ ଯବାନ୍ ଆଜି ବି ସେନାବାହିନୀରେ କାର୍ଯ୍ୟରତ ଅଛନ୍ତି । ତିନିଜଣ ଯବାନ ଦେଶମାତୃକା ପାଇଁ ସହିଦ୍ ହୋଇଛନ୍ତି । ମାତ୍ର ୨୩ବର୍ଷ ବୟସରେ ୨୦୦୫ ମସିହା ଅକ୍ଟୋବର ୮ ତାରିଖ ନାଗାଲାଣ୍ଡରେ ସହିଦ ହୋଇଗଲେ ବୀର ଯବାନ ଅନିରୁଦ୍ଧ ବରାଳ ।

ସେହିପରି ୧୭ ଏପ୍ରିଲ ୨୦୧୬ରେ ଦାର୍ଜିଲିଂ ପାହାଡରୁ ସେନା ଗାଡି ହଜାର ଫୁଟ୍ ତଳକୁ ଖସିପଡି ସହିଦ୍ ହୋଇଯାଇଥିଲେ ବୀର ଯବାନ ନାରାୟଣ ଚନ୍ଦ୍ର ପ୍ରଧାନ । ଗାଁର ଦେବେନ୍ଦ୍ର ମଲ୍ଲିକ ନାମକ ଆଉଜଣେ ବୀର ମଧ୍ୟ ସହୀଦ୍ ହୋଇ ଅମର ହୋଇ ରହିଛନ୍ତି । ଆଜି ସେହି ସହିଦଙ୍କୁ ଝୁରୁଛି ସିଂହାପୁର ମାଟି । ଗାଁ ପାଇଁ ଗର୍ବ ଅନୁଭବ କରନ୍ତି ଅଞ୍ଚଳବାସୀ । ପରାଧିନ ଭାରତବର୍ଷର ସଂଗ୍ରାମ ଇତିହାସରେ ଏହି ଗାଁର ସ୍ବାଧିନତା ସଂଗ୍ରାମୀ ଭଗବାନ ରଥଙ୍କ ନେତୃତ୍ବରେ ଶତାଧିକ ଲୋକ ସ୍ବାଧନତା ଆନ୍ଦୋଳନରେ ଝାସ ଦେଇଥିଲେ । ଭଗବାନ୍ ଯିଏ କି ସ୍ବାଧିନତା ସଂଗ୍ରାମୀ ଭତ୍ତାକୁ ଦାନ ବଦଳରେ ପ୍ରତିଦାନ କହି ପ୍ରତ୍ୟାଖାନ କରିଥିଲେ । ଗାଁର କମ୍ ବୟସର ଯୁବକ ମାନେ ମଧ୍ୟ ସେନାବାହିନୀରେ ସାମିଲ୍ ହେବାକୁ ଇଚ୍ଛା ପ୍ରକଟ କରିଥାନ୍ତି । ଯାହାର ପ୍ରମାଣ ହେଉଛନ୍ତି ଏହି ଗାଁର ୩୦ ଯବାନ୍ ଓ ୩ ସହୀଦ୍ ବୀର । ଅନିରୁଦ୍ଧଙ୍କ ସ୍ମୃତିରେ ଗାଁର ଏକ ପ୍ରମୁଖ ରାସ୍ତାକୁ ଗାଁ ଲୋକେ ସହୀଦ୍ ଅନିରୁଦ୍ଧ ମାର୍ଗ ନାମରେ ନାମିତ କରିଛନ୍ତି । ଗାଁ ମୁଣ୍ଡରେ ଗଢିଛନ୍ତି ତାଙ୍କର ଏକ ସହୀଦ୍ ସ୍ମୃତି ସ୍ତମ୍ଭ ।  ସେହିପରି ନାରାୟଣ ପ୍ରଧାନ୍ ଓ ଦେବେନ୍ଦ୍ର ମଲିକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେମାନଙ୍କର ପ୍ରତିମୂର୍ତ୍ତୀ ମଧ୍ୟ ରହିଛି ।