ମହାନଦୀକୁ ନେଇ ସମ୍ବଲପୁରରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି: ବିଜେଡି

ଭୁବନେଶ୍ୱର: ମହାନଦୀକୁ ନେଇ ସମ୍ବଲପୁରରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଦୀର୍ଘ ପାଞ୍ଚ ବର୍ଷ ଏଠି ସାଂସଦ ଓ ବିଧାୟକ ଲୁଚି ଲୁଚି ବୁଲିଲେ। ମହାନଦୀକୁ ନେଇ ବିଜେପି ଯେଉଁ ହୀନ ରାଜନୀତି କରିଛି, ତା’ର ପର୍ଦ୍ଦାଫାସ୍ ହେବା ଜରୁରୀ ବୋଲି କଡା ଜବାବ ରଖିଛି ବିଜେଡି। ମହାନଦୀକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀର କଡ଼ା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ।

ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ କହିଛନ୍ତି, ମହାନଦୀ ଆମର ମାଆ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଆ ମାଟି ବିରୋଧରେ ଯାଇ ଛତିଶଗଡ଼ର ସ୍ୱାର୍ଥ ପାଇଁ ଉଦ୍ୟମ କରିଛନ୍ତି। ମହାନଦୀକୁ ମାରିବା ପାଇଁ ଧର୍ମେନ୍ଦ୍ର ଯେଉଁ ପ୍ରୟାସ କରିଥିଲେ, ତାହା ଜନସାଧାରଣ ଜାଣିଛନ୍ତି । ସମ୍ବଲପୁରବାସୀ ଏହା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ଟ୍ରିବ୍ଯୁନାଲକୁ ମଧ୍ଯ ଧର୍ମେନ୍ଦ୍ର ରୋକିବାକୁ ଚେଷ୍ଟା କରିଥିଲେ ।

ଛତିଶଗଡ଼ରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ତାଙ୍କର ଉଦ୍ଦେଶ୍ୟ ଥିଲା। କିନ୍ତୁ ତାଙ୍କର ଭାଗ୍ୟଡୋରୀ ଆଜି ସମ୍ବଲପୁରବାସୀଙ୍କ ହାତରେ ବୋଲି ସଞ୍ଜୟ ବାବୁ କହିଛନ୍ତି।