ହାଣ୍ଡିଶାଳ ଉପରେ ଚଢ଼ଉ କରି ଟ୍ରେଜେରି ଭରୁଛି କେନ୍ଦ୍ର !

1 min read

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦରରେ ଲାଗିଛି ନିଆଁ । ମହଙ୍ଗା ମାଡ଼ରେ ଜୀବନ ଛଟପଟ । ସକାଳ ପାହିଲା ବେଳକୁ ତେଲ ଦରର ଗ୍ରାଫ୍‌ ଉପରମୁହାଁ ଧରୁଛି । ପେଟ୍ରୋଲ ଶତକ ମାରିବାରେ ଦଶ ଦିନରେ ପୁଣି ୧୦ ଟଙ୍କା ବଢ଼ିଲାଣି । ଆଜି ରାଜଧାନୀ ଭୁବନେଶ୍ୱର ସହ ସାରା ଓଡ଼ିଶାରେ ପେଟ୍ରୋଲ ଦର ୧୧୦.୭୦ ପଇସା ଛୁଇଁଛି । ଡିଜେଲ ଦର ୧୦୭.୪୦ ପଇସାରେ ପହଞ୍ଚିଛି । ରନ୍ଧନ ଗ୍ୟାସ୍ କଥା ନକହିବା ଭଲ । ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୯୨୬ ଟଙ୍କା ପାର୍ କରିଥିଲା ବେଳେ ବ୍ୟାଙ୍କ ଖାତାକୁ ସବସିଡି ଫେରୁଛି ୧୩.୯୫ ପଇସା । ତେଲର ମହଙ୍ଗାମାଡ଼ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟକୁ ଆଗକୁ ଠେଲିଛି ।ଖାଇବା ତେଲରୁ ଆରମ୍ଭ କରି ପନି ପରିବା ଯାଏ ସବୁ ମହଙ୍ଗା । ବଜାରରେ ଲାଗିଛି ନିଆଁ । ଖାଉଟି ବିଚରା ଛଟପଟ୍ । ‘ଅଛେ ଦିନ’ର ଏହା ପ୍ରତିଫଳନ ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ କଟାକ୍ଷ କଲେଣି ।

ତେଲଦର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ଅତିଷ୍ଠ କଲାଣି । ମାତ୍ର ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାରଙ୍କ ଲଗାମ କାଟୁ କରୁନି । ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ମୂଲ୍ୟ ସାଧାରଣ ଜୀବନକୁ ବେଶ୍ ପ୍ରଭାବିତ କରୁଛି । ପରିବହନ ସେବାରୁ ଆରମ୍ଭ କରି ହାଣ୍ଡିଶାଳ ଉରେ ଚଡ଼କ ପଡ଼ିଛି । କ୍ରମାଗତ ୫ ଦିନ ଧରି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢ଼ିଛି । କ୍ୟାଲେଣ୍ଡରରେ ତାରିଖ ବଢ଼ିଲା ବେଳକୁ ତେଲଦର ମଧ୍ୟ ବଢୁଛି ।  ଅନ୍ତର୍ଜାତୀୟ ବ୍ରୋକରେଜ୍ ହାଉସ୍ ଗୋଲଡମ୍ୟାନ୍ ଅନୁମାନ ଲଗାଇଛି ଡିସେମ୍ବର ସୁଦ୍ଧା ଆଶୋଧିତ ତେଲଦର ବ୍ୟାରେଲ୍ ପିଛା ୧୦୦ ଡଲାର ଛୁଇଁବ । ହିସାବ କହୁଛି ଆସନ୍ତା ଜାନୁଆରୀ ବେଳକୁ ପେଟ୍ରୋଲ ଲିଟର ୧୫୦ ଟଙ୍କା କିଛି ଅସମ୍ଭବ ନୁହେଁ ।

କରୋନାରେ ଜୀବନ ଦହଗଞ୍ଜ ହୋଇ ଆଗକୁ ଗଡ଼ୁଛି । ଏ ସମୟରେ ଲଗାମଶୂନ୍ୟ ତେଲଦର ସାଜିଛି ବୋଝ ଉପରେ ନଳିତା ବିଡ଼ା । କେନ୍ଦ୍ରର ବିଜେପି ସରକାର ତେଲଦର ବୃଦ୍ଧି ପାଇଁ ଆନ୍ତର୍ଜାତିକ ବଜାରର ଚାପକୁ ଦାୟୀ କରୁଛି । ରାଜ୍ୟର ବିଜେଡି ସରକାର କିନ୍ତୁ ଏଥିାଇଁ ବିଜେପି ସରକାରକୁ କାଠଗଡ଼ାରେ ଛିଡ଼ା କରାଇଛି । ରାଜ୍ୟବ୍ୟାପୀ ଦରବୃଦ୍ଧିକୁ ନେଇ ଶାସକ ବିଜେଡି କେନ୍ଦ୍ର ବିରୋଧରେ ପ୍ରତିବାଦ ଆରମ୍ଭ କରିଛି ।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ କିନ୍ତୁ ବେଶ ମୋଟା ଅ୍‌କର ଆୟ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କେନ୍ଦ୍ର ତେଲରୁ ୧ ଲକ୍ଷ ୭୦ ହଜାର କୋଟିର ଟିକସ ଆୟ କରିଛି । ଗତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୬ ମାସ ତୁଳନାରେ ଏହା ୩୩ ପ୍ରତିଶତ ଅଧିକ । କରୋନା ମହାମାରୀ ପୂର୍ବବର୍ଷ ସହ ତୁଳନା କଲେ ଏହା ପ୍ରାୟ ୮୦% ଅଧିକ । କେନ୍ଦ୍ର ସରକାର ତେଲର ଅହେତୁକ ଦରବୃଦ୍ଧି ପାଇଁ ଉା ସରକାରର ତୈଳବଣ୍ଡ ଦାୟୀ ବୋଲି ଯୁକ୍ତି ଦର୍ଶାଉଛନ୍ତି । ମାତ୍ର ୨୦୨୦ କରୋନା ଆରମ୍ଭ ବେଳେ କେନ୍ଦ୍ର ତେଲ ଉପରେ ଡ଼ ଧରଣର ଟିକସ ବୃଦ୍ଧି କରିଥିଲେ ।ଏହା ଦରବୃଦ୍ଧିର ବଡ଼ କାରଣ ବୋଲି ଅର୍ଥନୀତିଜ୍ଞଙ୍କ ଯୁକ୍ତି । ୨୦୨୦ ମାର୍ଚ୍ଚ ବେଳକୁ ଅଶୋଧିତ ତେଲର ମୂଲ୍ୟ ରେକର୍ଡ ନିମ୍ନସ୍ତର ୧୯ ଡଲାରରେ ହଞ୍ଚିଥିଲା । ଏହାର ଲାଭ ଗ୍ରାହକ ପାଇବା ବଦଳରେ କେନ୍ଦ୍ର ଏକାଥରକେ ପେଟ୍ରୋଲ ଟିକସରେ ୧୯.୯୮ ପଇସା ବଢ଼ାଇଥିଲେ । ଡିଜେଲରେ ମଧ୍ୟ ଆଖିବୁଜା ଟିକସ ବଢ଼ାଇଲେ । ଯାହାର ଫଳ ଏବେ ସାଧାରଣ ଲୋକ ଭୋଗୁଛି ।

ଗତ ଦେଢ଼ବର୍ଷ ମଧ୍ୟରେ (୨୦୨୦ ମେ ରୁ ଏଯାଏ) ପେଟ୍ରୋଲ ମୂଲ୍ୟରେ ଟ ୩୭.୩୮ ଏବଂ ଡିଜେଲରେ ଟ ୨୭.୯୮ ପଇସା ବଢ଼ିସାରିଛି । ତେଲ ତାତିରୁ ଆଗକୁ ଆହୁରି ଛଟପଟ ଜୀବନ ଜିଇବାକୁ ହେବ ବୋଲି ଅର୍ଥନୀତି ବିଶାରଦମାନେ ଭବିଷ୍ୟବାଣୀ କରୁଛନ୍ତି ।

Leave a Reply