ଖୁବଶୀଘ୍ର ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇବ ଜାମ୍ମୁ କାଶ୍ମୀର!

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇବ ଜାମ୍ମୁ କାଶ୍ମୀର । ସ୍ଥିତି ଦେଖି ନିଷ୍ପତ୍ତି ନେବେ କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ ମାମଲାର ଶୁଣାଣିରେ କେନ୍ଦ୍ର ରଖିଲା ଉତ୍ତର । କେନ୍ଦ୍ର ଶାସିତ ଅଞ୍ଚଳ ରହିବ ଲଦାଖ । ଆସନ୍ତା ଗୁରୁବାର ବିସ୍ତୁତ ଉତ୍ତର ରଖିବେ କେନ୍ଦ୍ର ସରକାର । ୩୭୦ ଧାରା ଉଚ୍ଛେଦକୁ ନେଇ  ସୁପ୍ରିମକୋର୍ଟରେ ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଗଠିତ ବେଞ୍ଚ । ଜାମ୍ମୁକାଶ୍ମୀରରେ ଗଣତନ୍ତ୍ରର ସ୍ଥାପନା ପାଇଁ କେନ୍ଦ୍ର ସରକାର କେତେ ଗମ୍ଭୀର ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ କୋର୍ଟରେ ଉପସ୍ଥିତ ରହି ଉତ୍ତର ରଖିଥିଲେ । ୩୭୦ ଧାରା ଉଚ୍ଛେଦ ପରେ ୨୦୨୦ରେ ପ୍ରଥମ ଥର ପାଇଁ ସେଠାରେ ଡିଡିସି ବା ଜିଲ୍ଲା ଉନ୍ନୟନ ପରିଷଦର ନିର୍ବାଚନ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ମାନ୍ୟତା ଦେବା ପାଇଁ ଏକ ପ୍ରକାର ପ୍ରୟାସ ଆରମ୍ଭ ହୋଇଛି । ୨୦୧୯ ପରଠାରୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଅନେକ ସମୟରେ ହରତାଳ, ହଟ୍ଟଗୋଳ, ବିବାଦ ଜାରି ରହୁଥିବା ବେଳେ ଜାମ୍ମୁ କାଶ୍ମୀରରେ ଏବେ ସ୍ଥିତି ସାଧାରଣ ହୋଇଛି  । କେନ୍ଦ୍ର ସରକାର ମଧ୍ୟ ଏଥିପ୍ରତି ଅବଗତ ଥିବା ସଲିସିଟର ଜେନେରାଲ କହିଛନ୍ତି । ଗତ ୧୨ ଦିନ ହେଲାଣି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

ଜମ୍ମୁ କାଶ୍ମୀରରେ ବରିଷ୍ଠ ଅଧ୍ୟାପକ ଜହୁର ଅହମଦ ଭଟଙ୍କୁ ନିଲମ୍ବନ କରାଯିବାର କାରଣ ସଂପର୍କରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।  ଜମ୍ମୁ କଶ୍ମୀରର ସ୍କୁଲ ଓ ଶିକ୍ଷା ବିଭାଗରେ ଭଟ୍ଟ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଧାରା ୩୭୦ ଉଚ୍ଛେଦ ମାମଲାରେ ସେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ । ୫ ଜଣିଆ ସମ୍ବିଧାନ ପୀଠ ମାମଲାର ଶୁଣାଣି ଆରମ୍ଭ କରିବାକୁ ଯିବା ସମୟରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଭଟ୍ଟଙ୍କ ବଦଳି ବିଷୟ ଉଠାଇଥିଲେ । ସେ ଅଦାଲତରେ ଉପସ୍ଥିତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏହା ଠିକ୍ ନୁହେଁ । ଗଣତନ୍ତ୍ରରେ ଏଭଳି ହେବା ଉଚିତ ନୁହେଁ ବୋଲି ଶିବଲ କହିଥିଲେ । ଭଟ ଅଗଷ୍ଟ ୨୩ରେ ସୁପ୍ରିମକୋର୍ଟରେ ହାଜର ହୋଇଥିବାବେଳେ ତାଙ୍କୁ ୨୫ ତାରିଖରେ ନିଲମ୍ବିତ କରାଯାଇଛି । ଏହି ପ୍ରସଙ୍ଗ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ସେ ଏ ସଂପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ଆଗକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଜାମ୍ମୁ କାଶ୍ମୀରରେ ପୂର୍ବରୁ ଲାଗୁ ହୋଇଥିବା ୩୫ଏ କୁ ନେଇ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି  । ଧାରା ୩୫ଏ ଉଠିବା ପରେ ଲୋକଙ୍କ ମୌଳିକ ଅଧିକାରୀ କ୍ଷୁର୍ଣ୍ଣ ହୋଇଥିଲା । ଏହି ଧାରା ସ୍ଥାୟୀ ବାସିନ୍ଦା ନିର୍ଧାରଣ କରିବାର ସଜ୍ଞା ବିଧାନସଭାକୁ ପ୍ରଦାନ କରିଥିଲା । ଏଥିନିମନ୍ତେ କଣ ପଦକ୍ଷେପ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଏହି ଧାରା ସ୍ଥାୟୀ ବାସିନ୍ଦାକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ବେଳେ ଅନ୍ୟମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରୁଥିଲା ବୋଲି ସଲିସିଟର ଜେନେରାଲ କେନ୍ଦ୍ର ସମର୍ଥନରେ ଯୁକ୍ତି ବାଢିଥିଲେ  । ୩୫ଏ ଧାରାରେ ମିଳୁଥିବା ସ୍ବତନ୍ତ୍ର ସୁବିଧାକୁ ନ୍ୟାୟିକ ସମୀକ୍ଷା କରାନଯାଇପାରିବାର ମଧ୍ୟ ବ୍ୟବସ୍ଥା ଥିଲା । କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା କିଛି ବର୍ଗର ଲୋକଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିଥିଲା । ଦଶନ୍ଧୀ ଦଶନ୍ଧୀ ଧରି ଏଭଳି ବ୍ୟବସ୍ଥା ଚାଲିଆସୁଥିଲା । ଯାହା ସାମ୍ବିଧାନିକ ଗଣତନ୍ତ୍ରରେ ଚିନ୍ତା ବି କରାଯାଇପାରିବ ନାହିଁ ।