ନକଲି ଶିକ୍ଷକ ସାବଧାନ: ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ପଢ଼ାଉଛନ୍ତି ମାଳମାଳ ନକଲି ଶିକ୍ଷକ । ସେମାନଙ୍କୁ ପୁଣି ଥରେ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ନକଲି ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ବର୍ଷ ତମାମ ଚାଲିଛି ନକଲି ଶିକ୍ଷକ ଧରପଗଡ଼ ଅଭିଯାନ । କାମକୁ ସରଳ କରିବା ପାଇଁ ଡିଜିଟାଇଜେସନ୍ ହେଉଛି ଶିକ୍ଷକଙ୍କ ସମସ୍ତ ଦସ୍ତାବିଜ ।

କିଏ ଜାଲ ଶିକ୍ଷାଗତ ଯୋଗ୍ୟତା ତ କିଏ ମିଛ ଜାତିଗତ ପ୍ରମାଣପତ୍ର ଦେଇ ହାତେଇଛନ୍ତି ଶିକ୍ଷକ ପଦ । ପୁଣି କିଏ ନକଲି ବା କଳା ତାଲିକା ଭୁକ୍ତ ବିଶ୍ବବିଦ୍ୟାଳୟରୁ ଆଣିଛନ୍ତି ବିଏଡ୍ ସାର୍ଟିଫିକେଟ୍ । ଜାଲ୍ ପ୍ରମାଣପତ୍ର ଦେଖାଇ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କଠାରୁ ଦରମା ବି ନେଉଛନ୍ତି । ସେମାନଙ୍କର ଏହି ଚଞ୍ଚକତା ଉପରେ ଲାଗିବ ଲଗାମ୍ । ଘନ ଘନ ଯାଞ୍ଚ ଚଲାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ୨୬ ଜିଲ୍ଲାର ୧୩୦ ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ । ଆବଶ୍ୟକ ପଡ଼ିଲେ ଜେଲ୍ ଯିବେ ନକଲି ଶିକ୍ଷକ । ପୂର୍ବରୁ ମଧ୍ୟ ରାଜ୍ୟର ୨୩ଟି ଜିଲ୍ଲାରେ ଏପରି ୮୯ ଜଣ ଜାଲ୍ ଶିକ୍ଷକଙ୍କ ତଥ୍ୟ ଦେଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ଜଣେ ଗିରଫ ହୋଇଥିବା ବେଳେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୧୧ ଜଣ ଜାଲ୍ ଶିକ୍ଷକ ବହିଷ୍କାର ହୋଇଛନ୍ତି । ସେ ସମୟରେ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ଦିନକୁ ଦିନ ବଢ଼ିବାରେ ଲାଗିଛି ନକଲି ଶିକ୍ଷକଙ୍କ ସଂଖ୍ୟା । ସେମାନେ ଅସାଧୁ ଉପାୟରେ ଚାକିରି ପାଉଥିବାରୁ ଯୋଗ୍ୟ ଶିକ୍ଷକ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ନକଲି ଶିକ୍ଷକ ନିଜେ ପ୍ରଶିକ୍ଷିତ ହୋଇନଥିବାରୁ ଠିକ୍ ଭାବେ ଶିକ୍ଷାଦାନ କରି ପାରୁନାହାନ୍ତି । ଯାହା ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ବାତାବରଣଠାରୁ ଦୂରେଇ ରଖିବା ସହ ପଢିବା ଆଗ୍ରହ କମାଉଛି ।

ଶିକ୍ଷକଙ୍କ ସାର୍ଟିଫିକେଟ୍ ଓ ପ୍ରମାଣପତ୍ରର ଯାଞ୍ଚ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବିଶ୍ବବିଦ୍ୟାଳୟ, ସଂପୃକ୍ତ ଶିକ୍ଷା ଅନୁଷ୍ଠାନ ସହ ଯୋଗାଯୋଗ କରାଯାଉଛି । ଗତବର୍ଷ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଇଓ, ଡିଇଓ ଓ ଡିପିସିଙ୍କ ଅବହେଳା ନେଇ କ୍ଷୁବ୍ଧ ହୋଇ କାର୍ଯ୍ୟାନୁଷ୍ଠାନର ଷ୍ଟାଟସ୍ ରିପୋର୍ଟ ମାଗିଥିଲେ ହାଇକୋର୍ଟ ।