ସହଜ ଓ ସୁବିଧା ଋଣ ପାଇଁ ‘ସଫଳ’ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଏଣିକି ଋଣ ପାଇଁ ବ୍ୟାଙ୍କକୁ ଧାଇଁବେନି ଚାଷୀ । ଆଙ୍ଗୁଠି ଟିପରେ ମିଳିବ ସୁବିଧା । ସହଜରେ ଋଣ ଆବେଦନ କରିବାକୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  WWW.safal.odisha.gov.in ରେ ଚାଷୀ ଋଣ ପାଇଁ ଆବେଦନ କରିପାରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ‘ସଫଳ’ ଆପ ସମସ୍ତ କୃଷି ସମସ୍ୟାର ଏକକ ସମାଧାନ । ଏହାଦ୍ବାରା ଚାଷୀ, କୃଷି ଉଦ୍ୟୋଗୀଙ୍କୁ ସୁବିଧାରେ ଘରୋଇ, ଆଞ୍ଚଳିକ, ସମବାୟ ସମିତି, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ । କୃଷକ ଓଡ଼ିଶା ଡାଟାବେଶ ସହ ପୋର୍ଟାଲ ସଂଯୁକ୍ତ ହୋଇଛି । ଏଥିରେ ୪୦ରୁ ଅଧିକ ବ୍ୟାଙ୍କ ଯୋଡ଼ି ହୋଇଛନ୍ତି । ପୋର୍ଟାଲରେ ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଆବେଦନ ସୁବିଧା ରହିଛି । ଏଥିରେ ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା, ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ ଆମ କୃଷି ହେଲପ ଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ ।