ଦ୍ୱିତୀୟ ଲହର ଭଳି ଭୟଙ୍କର ହେବ ନାହିଁ ତୃତୀୟ ଲହର : ICMR ଅଧ୍ୟୟନ

1 min read

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଥମିବାର କିଛି ସମୟ ପରେ ଏବେ ତୃତୀୟ ଲହରକୁ ନେଇ ଆଶଙ୍କା କରଯାଉଛି । ନିକଟରେ ପ୍ରକାଶିତ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ତୃତୀୟ ଲହର ଆସେ ତେବେ ଏହାର ମୁଖ୍ୟକାରକ ଭାବେ ଡେଲଟା ପ୍ଲସ୍ ଭାରିଆଣ୍ଟ କାର୍ଯ୍ୟ କରିପାରେ । ଏଭଳି ପରିସ୍ଥିତିରେ, ICMR ଭାରତରେ COVID-19 ର ତୃତୀୟ ଲହରର ସମ୍ଭାବନା ଉପରେ ଏକ ଅଧ୍ୟୟନ ପ୍ରକାଶ କରିଛି ।

ଅଧ୍ୟୟନରେ କୁହାଯାଇଛି ଯେ, ଯଦି କରୋନାର ତୃତୀୟ ଲହର ଦେଶକୁ ଆସେ, ତେବେ ଏହା ଦ୍ୱିତୀୟ ଲହର ଭଳି ଭୟଙ୍କର ହେବ ନାହିଁ। ତଥାପି, ଟୀକାକରଣର ଦ୍ରୁତ ବୃଦ୍ଧି କେବଳ କରୋନା ନୁହେଁ ଭବିଷ୍ୟତରେ ଅନ୍ୟ ଲହରକୁ ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅଧ୍ୟୟନରେ ତୃତୀୟ ଲହରର ସମ୍ଭାବନା ବିଷୟରେ ଆଲୋଚନା କରି କୁହାଯାଇଛି ଯେ ଏହି ତୃତୀୟ ଲହର ସମୟରେ ରୋଗ ପ୍ରତିରୋଧକ ଶକ୍ତି ସମୟ ସହିତ ହ୍ରାସ ହୋଇପାରେ। ଏପରି ପରିସ୍ଥିତିରେ, ଯେଉଁମାନେ ସଂକ୍ରମିତ ହୋଇସାରିଛନ୍ତି, ସେମାନେ ହିଁ ପୁଣି ଥରେ ସଂକ୍ରମିତ ହୋଇପାରନ୍ତି ।

ଏହାସହ, ଆଇସିଏମଆର ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ କୋଭିଡ -19 ଦ୍ୱିତୀୟ ଲହର ସମୟରେ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହୋଇଥିଲେ। ଚଳିତ ବର୍ଷ ମୃତ୍ୟୁ ହାର ଏବଂ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଆଇସିଏମଆରର ମହାନିର୍ଦ୍ଦେଶକ (ଡିଜି) ଡକ୍ଟର ବଳରାମ ଭାର୍ଗବ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇପାରିବ। ତେଣୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଟୀକାକରଣ ଉପଯୋଗୀ ଏବଂ ଏହାକୁ ଦିଆଯିବା ଉଚିତ୍ |

ସୂଚନା ଯୋଗ୍ୟ ଯେ, ଏପ୍ରିଲ-ମେ ମାସରେ, କରୋନାର ଦ୍ୱିତୀୟ ଲହର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହି ସମୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ଯଦିଓ ବର୍ତ୍ତମାନ ଦୈନନ୍ଦିନ ମାମଲା ହ୍ରାସ ପାଇବା ପରେ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାର ଯଥାଶୀଘ୍ର ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ କରିବାକୁ ଚେଷ୍ଟା କରୁଛନ୍ତି।

 

Leave a Reply