୨୦ଟି ଗେଟରୁ ହୀରାକୁଦରେ ନିଷ୍କାସନ ହେଉଛି ବନ୍ୟାଜଳ, ରାଜ୍ୟର ସବୁ ନଦୀରେ ବିପଦସଙ୍କେତ ତଳେ ଜଳସ୍ତର

ସମ୍ବଲପୁର: ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ରାଜ୍ୟର ସବୁ ନଦୀରେ ଏବେ ବିପଦସଙ୍କେତ ତଳେ ଜଳ ପ୍ରବାହିତ ହେଉଛି । ବାମପଟୁ ୧୩ ଦକ୍ଷିଣ ପଟୁ ୭ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୮୮ ହଜାର ୯୩୧ ଘନଫୁଟ ଜଳ ଓ ୩ ଲକ୍ଷ ୫୫ ହଜାର ୭୯୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଲଭଣ୍ଡାରର ଜଳସ୍ତର ଓ ମହାନଦୀ ନିମ୍ନ ଅବବାହିକାର ସ୍ଥିତିକୁ ହିସାବ କରି ଗେଟ ଖୋଲିବା ନିଷ୍ପତ୍ତି ନିଆଯାଇଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇଥିବାରୁ ସେତେଟା ବିପଦ ହୋଇନି । ଉପକୂଳରେ ଦୟାନଦୀ ଓ ରାଜୁଆ ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗୁଛି । ବନ୍ୟାସ୍ଥିତି ନେଇ ବରିଷ୍ଠ ଅଧିକାରୀମାନେ ମନିଟରିଂ କରୁଛନ୍ତି ।

ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କଣାସ ବ୍ଲକ, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ, ଜଗତସିଂହପୁରର ଏରସମା ଓ ମାଛଗାଁ ପ୍ରଭାବିତ ହେବାର ଆଶଂକା ରହିଥିବାରୁ ପ୍ରଶାସନ ସଜାଗ ରହିଛି । ମହାନଦୀର ବନ୍ୟା ଜଳରେ କଟକ ଜିଲ୍ଲା ବାଙ୍କୀର କୁଶପଙ୍ଗି, ପାଥପୁର, ଓସ୍ତିଆ, ଭଗିପୁର, ବନ୍ଦାଳ, ଶିମିଳିପୁର, ବିଲିପଡ଼ା ପଞ୍ଚାୟତ ପାଣି ଘେରକୁ ଆସିଯାଇଛି । ବନ୍ୟା ଜଳ କମୁଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ପ୍ରଭାବିତ ହୋଇଛି । କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ଓ ସାଇଲୋ ପଞ୍ଚାୟତରେ ପାଣି ପଶିଛି । ସାଇଲୋ ପଞ୍ଚାୟତର ତେରମାଣପୁରରେ ଘାଇ ସୃଷ୍ଟି ହେବା ସହ ଜିଲ୍ଲାନାସୀ ପଞ୍ଚାୟତର ନେନ୍ତୁଳିଆଖମାର ପଞ୍ଚାୟତ ସ୍କୁଲ ନିକଟରେ ସୃଷ୍ଟି ହୋଇଛି ଦୁଇଟି ଘାଇ। ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଇ ଗୁଡିକର ତ୍ବରିତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୬୧ ଗୋଟି ପଞ୍ଚାୟତର ଏକ ଲକ୍ଷ ୮୧ ହଜାର ୬୬୭ ଲୋକ ପ୍ରଭାବିତ ହୋଇଛନ୍ତି ।