ଆର୍ଥିକ ପରିଚାଳନାରେ ପୁଣି ଓଡ଼ିଶାକୁ ସାର୍ଟିଫିକେଟ୍

1 min read

ଭୁବନେଶ୍ବର: ଆର୍ଥିକ ପରିଚାଳନାରେ ପୁଣି ଓଡ଼ିଶାକୁ ସାର୍ଟିଫିକେଟ୍ । ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁସାରେ, ଓଡ଼ିଶାର ଋଣଭାର ଲଗାତାର ଭାବେ ହ୍ରାସ ପାଉଛି । କମୁଛି ଆର୍ଥିକ ବୋଝ । ଖୋଲା ବଜାରରୁ ଓଡ଼ିଶା ଋଣ ନଉଠାଇ ବିକାଶମୂଳକ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛି । କ୍ରମାଗତ ଭାବେ ଓଡ଼ିଶା ପାଉଛି ରାଜସ୍ବ ବଳକା ରାଜ୍ୟର ମାନ୍ୟତା । ଭଲ ଆର୍ଥିକ ପରିଚାଳନା ଫଳରେ ଓଡ଼ିଶା ନିଜସ୍ବ ସମ୍ବଳରୁ ବହୁ ଯୋଜନା କରୁଛି । ଯାହା କି ବଡ଼ ସଫଳତା ।

ନିଅଣ୍ଟିଆରୁ ରାଜସ୍ବ ବଳକା। କମୁଛି ଋଣଭାର, ବଢୁଛି ମୁଣ୍ଡପିଛା ଆୟ । ସୁଦୃଢ଼ ହେଉଛି ଆର୍ଥିକ ପରିଚାଳନା । ସିଏଜିଙ୍କ ସାର୍ଟିଫିକେଟ୍ । ନବୀନଙ୍କ ନେତୃତ୍ବ ଦେଶକୁ ଦେଖାଉଛି ବାଟ । ଆର୍ଥିକ ପରିଚାଳନାରେ ଓଡ଼ିଶା  ବଡ଼ବଡ଼ ରାଜ୍ୟଙ୍କୁ ପଛରେ ପକାଇ ଦେଇଛି । ଲଗାତାର ଭାବେ କମୁଛି ଋଣଭାର।  ବଢ଼ି ଚାଲିଛି ମୁଣ୍ଡପିଛା ଆୟ । ମହାଲେଖାଗାରଙ୍କ ତଥ୍ୟ ଅନୁସାରେ, ୨୦୨୨-୨୩ ଆର୍ଥିକବର୍ଷରେ ରାଜ୍ୟ ସରକାରଙ୍କ ମୋଟ୍ ଆର୍ଥିକ ବୋଝ ୧ ଲକ୍ଷ ୧୧ ହଜାର ୯୫୨ ଟଙ୍କା ଥିଲା । ଯାହା ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପିର ୧୫ ପ୍ରତିଶତ  । ୨୦୨୧ -୨୨ରେ ତୁଳନାତରେ ୨୦୨୨-୨୩ରେ ରାଜ୍ୟର ଆର୍ଥିକ ବୋଝ ୮୧୮୭ କୋଟି ଟଙ୍କାକୁ ହ୍ରାସ ପାଇଥିଲା  । ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧-୨୨ରେ ରାଜ୍ୟର ମୋଟ୍ ଆର୍ଥିକ ବୋଝ  ଜିଏସଡିପିସିର ୧୯ ପ୍ରତିଶତ ଥିଲା । ୨୦୨୨-୨୩ରେ ଏହା ୧୫ ପ୍ରତିଶତକୁ ଖସିଛି । ସେହିପରି ସରକାରୀ ଋଣ ୨୦୨୧-୨୨ରେ ୧୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଜିଏସଡିପିର ୮ ପ୍ରତିଶତକୁ କମିଛି । ଓଡ଼ିଶାକୁ କ୍ରମାଗତ ଭାବେ ଏପରି ସଫଳତା ମିଳିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି।

ଗୋଟିଏ ପଟେ ରାଜ୍ୟର ଆର୍ଥିକ ବୋଝ କମୁଛି।  ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାଗୁଡ଼ିକର ସଫଳ ରୂପାୟନ ଯୋଗୁ  ଅର୍ଥନୈତିକ ବିକାଶ ହେଉଛି। ଯାହା ସମୃଦ୍ଧ ଓ ରୂପାନ୍ତରିତ ଓଡ଼ିଶା ଗଠନରେ ବେଶ୍ ସହାୟକ ହେଉଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି । ମହାବାତ୍ୟା ବିଭୀଷିକାକୁ ପଛରେ ପକାଇ  ବିତ୍ତୀୟ ପରିଚାଳନାରେ ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା। ନିୟମ ଅନୁସାରେ ରାଜ୍ଯ ଜିଏସଡିପିର ୨୫ ପ୍ରତିଶତ ଋଣ କରିପାରିବ। କିନ୍ତୁ ରାଜ୍ୟ ସରକାର ଜିଏସଡିପିର ୧୦ ଦଶମିକ ୭୮ ପ୍ରତିଶତ ଋଣ କରିଛନ୍ତି। ଦେଶର ଅନ୍ୟ ବିକଶିତ ରାଜ୍ୟକୁ ଢେର୍ ପଛରେ ପକାଇଦେଇଛି ଓଡ଼ିଶା।