ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବେ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶ ଆଭିମୁଖ୍ୟ। ଏଥିରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ମହାସମାବେଶ ଅନୁଷ୍ଠିତ ହୋଇଛି । ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟଜିତ  କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ l ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଏସଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି।

୧୩ଟି ଆଦିମ ଜନଜାତି ବା ପିଭିଟିଜି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଆମେ ଏସଡିସିମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଛୁ।  ଓଡ଼ିଶାର ସାମଗ୍ରିକ ସଂସ୍କୃତିକୁ ଜନଜାତି କଳା ଓ ସଂସ୍କୃତି ସମୃଦ୍ଧ କରିଛି। ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ୧୧ ହଜାରରୁ ଅଧିକ ପବିତ୍ର ପୁଜସ୍ଥଳିର ସଂରକ୍ଷଣ କରାଯାଇଛି। ୨୧ଟି ଦ୍ଵିଭାଷିକ ଶବ୍ଦକୋଷ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ। ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଅବଦାନ ପାଇଁ କେନ୍ଦୁଝର ଦେବହୁଡ଼ିର “ହୋ ସମାଜ ସାଗନ ଅକଳାକୁ” ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ୭ଟି ‘ଜାହିରା’କୁ ସାମୂହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଥିଲେ।

ଏହାବ୍ୟତୀତ ମାଲକାନଗିରିର କୋୟା ଆଦିବାସୀ ଦଳ, କନ୍ଧମାଳର କୁଟିଆ କନ୍ଧ ଆଦିବାସୀ ଦଳର ସଦସ୍ୟମାନଙ୍କୁ ବାଦ୍ୟଯନ୍ତ୍ର ଓ ନବରଙ୍ଗପୁରର ଗଣ୍ଡ ଆଦିବାସୀ ଗୋଷ୍ଠୀକୁ ନୃତ୍ୟ ପୋଷାକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ‘ମୋ ପରିକଳ୍ପନା’ ରିପୋର୍ଟ ବି ଉନ୍ମୋଚନ କରିଥିଲେ।ଓଡ଼ିଆରେ ଅନୁବାଦିତ ୨୫ ଟି ସଉରା ଭାଷା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଆର୍ଥିକ କ୍ଷେତ୍ରରେ ୯ଟି ପୁରୁଣା ଏସଡିସିଙ୍କୁ ଏହାର ପ୍ରତିଷ୍ଠା ତାରିଖଠାରୁ ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ୩୯୭ କୋଟି ଟଙ୍କା ଆବଣ୍ଟନ କରିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ସମସ୍ତ ୨୩ଟି ଏସଡିସି ଜିଲ୍ଲା ପାଇଁ ମୋଟ ୪୦୧.୨୫ କୋଟି ଆବଣ୍ଟନ କରାଯାଇଛି । ରାଜ୍ୟ ସରକାର ଏହାର ପ୍ରତିଷ୍ଠା ଦିନରୁ ଏପର୍ଯ୍ୟନ୍ତ ଏସଡିସିମାନଙ୍କୁ ମୋଟ ୭୯୮.୨୫ କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି ।