ଚୀନ୍ ମୋବାଇଲ୍ କଂପାନିଙ୍କ କାରସାଦି: ଭାରତକୁ ହାଜାର ହଜାର କୋଟି ଟଙ୍କା ଠକିଛନ୍ତି ଭିଭୋ, ଓପୋ

ନୂଆଦିଲ୍ଲୀ: ଚୀନର ସ୍ମାର୍ଟଫୋନ୍ କଂପାନିଗୁଡ଼ିକର ଗୋଟିଏ ପରେ ଗୋଟିଏ ବେଆଇନ କାର୍ଯ୍ୟ ସାମ୍ନାକୁ ଆସୁଛି । ଭିଭୋ ପରେ ଏବେ ଧରାପଡ଼ିଛି ଓପୋ । ଓପୋ ଉପରେ ଭାରତରେ ଟାକ୍ସ ଚୋରି ଅଭିଯୋଗ ହୋଇଛି । ଏହି ସଂସ୍ଥା ୪,୩୮୯ କୋଟି ଟଙ୍କାର ସୀମା ଶୁଳ୍କ ଫାଙ୍କିଥିବା ଧରିଛି ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ।

ଓପୋ ଇଣ୍ଡିଆ ଭାରତରେ ଓପୋ, ୱାନ ପ୍ଲସ୍ ଓ ରିଅଲମି ଭଳି କିଛି ଜଣାଶୁଣା ବ୍ରାଣ୍ଡ୍ ନାମରେ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ଆକ୍ସେସୋରିଜ୍ ବିକ୍ରି କରୁଛି । ଏହା ଏଠାରେ ଉତ୍ପାଦନଠାରୁ ଆରମ୍ଭ କରି ଆସେମ୍ବଲିଂ, ହୋଲସେଲ୍ ଟ୍ରେଡିଂ, ମୋବାଇଲ୍ ହାଣ୍ଡ୍ସେଟ୍ ଓ ଆକ୍ସେସୋରି ବିତରଣ କରୁଛି ।

କ’ଣ ରହିଛି ଅଭିଯୋଗ:

ଡିଆରଆଇ ପକ୍ଷରୁ ଓପୋ ଇଣ୍ଡିଆର କାର୍ଯ୍ୟାଳୟ ଓ କଂପାନିର ପ୍ରମୁଖ ପଦପଦବୀରେ କାମ କରୁଥିବା ଅଧିକାରୀମାନଙ୍କ ଠିକଣାରେ ଚଢ଼ାଉ କରାଯାଇଥିଲା । ସେହି ସମୟରେ ଏଭଳି କିଛି ଦସ୍ତାବିଜ ଜବତ ହୋଇଛି ଯାହା ଏହା ଇଙ୍ଗିତ କରୁଛି ଯେ ଟିକସ ଫାଙ୍କିବା ଲାଗି କଂପାନି ଜାଣିଶୁଣି ଆମଦାନି ସମ୍ପର୍କରେ ଭୁଲ ତଥ୍ୟ ଦେଉଥିଲା । ମୋବାଇଲ୍ ଫୋନ୍ ତିଆରି କରିବା ଲାଗି ଓପୋ ଯେଉଁ ସବୁ ସାମଗ୍ରୀ ଆମଦାନି କରୁଥିଲା ତାହାର ସଠିକ୍ ତଥ୍ୟ ଜାରି କରୁନଥିଲା ।

କ’ଣ ମିଳୁଥିଲା ଲାଭ:

ସୂଚନା ମୁତାବକ ଆମଦାନିର ଏହି ଭୁଲ ତଥ୍ୟ ଦେଇଥିବାରୁ କମ୍ପାନୀକୁ ୨,୯୮୧ କୋଟି ଟଙ୍କାର ଶୁଳ୍କ ପଇଠ କରିବାକୁ ପଡ଼ିନଥିଲା । ଡିଆରଆଇ ପକ୍ଷରୁ ଓପୋର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଜେରା କରାଯାଇଥିଲା । ଆମଦାନି ସମୟରେ ସୀମା ଶୁଳ୍କ କର୍ତ୍ତୃପକ୍ଷଙ୍କୁ ଭୁଲ ତଥ୍ୟ ଦିଆଯାଉଥିଲା ବୋଲି ସେମାନେ ସ୍ୱୀକାର ମଧ୍ୟ କରିଛନ୍ତି ।

୧,୪୦୮ କୋଟି ଟଙ୍କାର ଠକେଇ:

ତଦନ୍ତରୁ ଜଣାପଡ଼ିଛି ଯେ ଓପୋ ଇଣ୍ଡିଆ ବିଭିନ୍ନ ବହୁଦେଶୀୟ କଂପାନିକୁ ରୟାଲ୍ଟି ଓ ଲାଇସେନ୍ସ ଫି’ ଦେଉଛି । ସେଥିରୁ କିଛି ସଂସ୍ଥା ହେଉଛନ୍ତି ଚୀନର । ସେହି ପେମେଣ୍ଟକୁ କିନ୍ତୁ କଂପାନି ପକ୍ଷରୁ ଆମଦାନି କରାଯାଉଥିବା ସାମଗ୍ରୀର ହିସାବରେ ଯୋଡ଼ାଯାଉନଥିଲା । ଏହା ସୀମା ଶୁଳ୍କ ନିୟମ ୧୯୬୨ର ଧାରା ୧୪ ଉଲ୍ଲଂଘନ କରୁଛି । କଂପାନି ଏହା ଜରିଆରେ ୧,୪୦୮ କୋଟି ଟଙ୍କାର ଟିକସ ଫାଙ୍କିଥିଲା ବୋଲି ଜଣାପଡ଼ିଛି ।

ଦେବାକୁ ପଡ଼ିବ ୪,୩୮୯ କୋଟି ଟଙ୍କା:

ତଦନ୍ତ ଶେଷ ହେବା ପରେ ଓପୋକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୪,୩୮୯ କୋଟି ଟଙ୍କା ଜମା କରିବାକୁ କୁହାଯାଇଛି । କଷ୍ଟମ୍ସ ଆକ୍ଟ, ୧୯୬୨ର ନିୟମ ଅନୁଯାୟୀ କଂପାନି, ଏହାର କର୍ମଚାରୀ ଓ ଓପୋ ଚୀନ୍ ଉପରେ ମଧ୍ୟ ଲଗାଯିବାକୁ ଥିବା ଜରିମାନା ସମ୍ପର୍କରେ ମଧ୍ୟ ନୋଟିସରେ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଚୀନର ଅନ୍ୟତମ ସ୍ମାର୍ଟଫୋନ୍ କଂପାନି ଭିଭୋର କାରସାଦି ସାମ୍ନାକୁ ଆସିଥିଲା । ଏହି ସଂସ୍ଥା ନିଜ କାରବାରର ଅଧା ଟଙ୍କା ଚୀନ୍ ପଠାଇ ଦେଉଥିଲା ବୋଲି ଜଣାପଡ଼ିଛି । ସୂଚନା ମୁତାବକ ଭିଭୋ ଟ୍ୟାକ୍ସରୁ ବଞ୍ଚିବା ପାଇଁ ନିଜ ଆୟର ୫୦ ପ୍ରତିଶତ ତଥା ୬୨ ହଜାର ୪୭୬ କୋଟି ଟଙ୍କା ଚୀନକୁ ପଠେଇଦେଇଛି । କଂପାନିର ୪୮ଟି ଠିକଣାରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯିବା ପରେ କଂପାନିର ବ୍ୟାଙ୍କ ଖାତାକୁ ନିସ୍କ୍ରିୟ କରାଯାଇଛି । ଏବଂ କଂପାନି ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି ।