ବ୍ରିଟେନ୍‌ରେ ଆରମ୍ଭ ହେଲା କରୋନା ଟିକାର ତୃତୀୟ ଡୋଜ୍‌ ଟ୍ରାଏଲ: ଜାଣନ୍ତୁ ଭାରତରେ କେବେ?

ନୂଆଦିଲ୍ଲୀ: ସମ୍ପ୍ରତି ଦେଶର କରୋନା ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକାକରଣ ନେଇ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉ ଛନ୍ତି ସରକାର ଓ ପ୍ରଶାସନ । ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶରେ ସମସ୍ତଙ୍କୁ ଟିକା ଦିଆଯିବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏଭଳି ସମୟରେ କରୋନା ଭୂତାଣୁର ନୂଆ ନୂଆ ଭ୍ୟାରିଆଣ୍ଟ ଭ୍ୟାକ୍ସି୍‌ନ୍ ପ୍ରଭାବ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି । ଏଣୁ କରୋନା ଟିକାର ତୃତୀୟ ଡୋଜର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ବ୍ରିଟେନ୍‌ରେ ଏ ନେଇ ଟ୍ରାଏଲ୍ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ଆସନ୍ତୁ ଜାଣିବା କେମିତି ଚାଲିଛି  ଟ୍ରାଏଲ ଓ କେବେ ଭାରତରେ ଆରମ୍ଭ ହେବ ତୃତୀୟ ଡୋଜ୍ ଟିକାକରଣ ।

ପୁଣି ବ୍ରିଟେନ୍ରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ୯ହଜାରରେ ପହଞ୍ଚିଛି ଦୈନିକ ସଂକ୍ରମିତ ସଂଖ୍ୟା । ଯାହା ଗତ ଫେବ୍ରୁଆରୀ ମାସରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟାଠୁ ଅଧିକ । ଏଭଳି କି ମେଡିକାଲରେ ଭର୍ତ୍ତି ହୋଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ତେବେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୯୦ ପ୍ରତିଶତ ଡେଲ୍ଟା ଭ୍ୟାରିଆଣ୍ଟର । ଏଣୁ ଏହା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହାର ମୁକାବିଲା ଲାଗି କରୋନା କଟକଣାକୁ ଆଉ ୪ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି ବ୍ରିଟେନ୍ ସରକାର । ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ଯୁବକ ରହିଥିବା ବେଳେ ସେମାନେ ପ୍ରଥମ ଡୋଜ୍ ନେଇ ସାରିଛନ୍ତି ଅବା ଆଦୈ ଟିକା ନେଇନାହାନ୍ତି । ଏଣୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟାକ୍ତିଙ୍କୁ ପ୍ରଥମ ଡୋଜ୍ ଟିକାକରଣ ନେଇ ଏକ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଅପରପକ୍ଷରେ ଆମେରିକାରେ ମଧ୍ୟ ଏହି ଡେଲ୍ଟା ଭ୍ୟାରିଆଣ୍ଟ ମାମଲା ଦେଖିବାକୁ ମିଳିଛି । ପ୍ରାୟ ୧୦ ପ୍ରତିଶତ ସଂକ୍ରମିତଙ୍କ ଠାରେ ଏହି ଭୟଙ୍କର ଭ୍ୟାରିଆଣ୍ଟ ଦେଖିବାକୁ ମିଳିଛି । ଏଭଳି ନୂଆ ନୂଆ ଭ୍ୟାରିଆଣ୍ଟର ମୁକାବିଲା ନେଇ ତୃତୀୟ ଡୋଜ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ବିଶେଷଜ୍ଞ । ବ୍ରିଟେନ ସରକାର ଏ ନେଇ ଟ୍ରାଏଲ ମଧ୍ୟ ଆରମ୍ଭ କରିବା ସହ ଏଥିଲାଗି ୨୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଛନ୍ତି । ବ୍ରିଟେନରେ ଚାଲିଥିବା ଏହି ଟ୍ରାଏଲରେ ବର୍ତ୍ତମାନ ୩ଟି ଭ୍ୟାକ୍ସିନକୁ ସାମିଲ କରାଯାଇଛି । ଯେଉଁମାନେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇସାରିଥିବେ ସେମାନଙ୍କୁ ଏହି ଟ୍ରାଏଲରେ ସାମିଲ କରାଯାଇଛି । ଏବଂ ତୃତୀୟ ଡୋଜ୍ ଦିଆଯିବାର ୪ ସପ୍ତାହ ପରେ ସେମାନଙ୍କ ଆଣ୍ଟିବଡ଼ି ଟେଷ୍ଟ କରାଯିବ । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଟ୍ରାଏଲ ହୋଇଥିବା ବେଳେ ଏହାର ରେଜଲ୍ଟ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଏବଂ ଏହାର ନିଷ୍କର୍ଷକୁ ଅନ୍ୟ ଦେଶମାନଙ୍କୁ ମଧ୍ୟ ଅବଗତ କରାଯିବ । ତେବେ ଭାରତରେ ଏ ନେଇ କୌଣସି ଟ୍ରାଏଲ ଆରମ୍ଭ ହୋଇନଥିଲେ ମଧ୍ୟ ବ୍ରିଟେନ୍ ଟ୍ରାଏଲର ଫଳାଫଳ ଆଧାରରେ ଖୁବଶୀଘ୍ର ଭାରତରେ ମଧ୍ୟ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

Leave a Reply