ଇ-କମର୍ସ ଅପରେଟରଙ୍କ ଉପରେ ଅଙ୍କୁଶ ନା ଖାଉଟିଙ୍କୁ ମାଡ଼ ?

1 min read

ଭୁବନେଶ୍ବର: ଅନଲାଇନ୍ ଜିନିଷପତ୍ର କିଣିଲେ ଏଣିକି ଗଣିବାକୁ ପଡ଼ିବ ୧ ପ୍ରତିଶତ ଆୟକର । ଇ-କମର୍ସ ବ୍ୟବସାୟ କରୁଥିବା କମ୍ପାନୀ ସେମାନଙ୍କ ମୋଟ ବିକ୍ରି ବିଲ୍ ଓ ବିକ୍ରି ହେବାକୁ ଥିବା ବିଲ୍ ଉପରେ ଆୟକର ପ୍ରଦାନ କରିବେ । ଗୋଟିଏ ପଟେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ପ୍ରୋତ୍ସାହିତ କରୁଛନ୍ତି । ପ୍ରତ୍ୟକ୍ଷ କର ଲାଗିଲେ ଅଧିକ ବିଲ୍ ହେବାର ସମ୍ଭାବନା ରହିଛି । ଏହା ଲୋକଙ୍କୁ ଅନଲାଇନ୍ କିଣାକୁ ନିରୁତ୍ସାହିତ କରିବ । ଏପରି କରି କେନ୍ଦ୍ର ସରକାର ଖାଉଟିଙ୍କ ସମସ୍ତ ଡାଟାବେସ୍ ସଂଗ୍ରହ କରିପାରିବେ ବୋଲି ଅଭିଯୋଗ ହୋଇଛି ।

ଇ-କମର୍ସ ଅପରେଟରଙ୍କ ଉପରେ ଅଙ୍କୁଶ ନା ଖାଉଟିଙ୍କୁ ମାଡ଼ । ପ୍ରତ୍ୟକ୍ଷ କର ବୋର୍ଡର ସର୍କୁଲାର୍ ଜାରି । ଏଣିକି ଅନଲାଇନ ପ୍ଲାଟଫର୍ମରୁ ଜିନିଷ କିଣିଲେ ଖାଉଟି ଗଣିବେ ଜିଏସଟି ଛଡ଼ା ୧ ପ୍ରତିଶତ ଆୟକର । ମୋଟ ବିଲ୍ ଉପରେ ଟିଡିଏସ୍ ଆକାରରେ ଆୟକର ପ୍ରଦାନ କରିବେ ଇ-କମର୍ସ ଅପରେଟର । ଏଥିରେ ବିକ୍ରି ହେବାକୁ ଥିବା ଜିନିଷ ଉପରେ ଆୟକର ଦେବାକୁ ପଡ଼ିବ । ଯଦି ଜଣେ ଗ୍ରାହକ ୧୦୦ ଟଙ୍କାର ଜନିଷ କିଣୁଛି ତାକୁ ପ୍ୟାକିଂ, ସପିଂ, ସିପିଂ ଫି’ ଓ ପରିବହନ ଖର୍ଚ୍ଚ ଉପରେ ଆୟକର ମିଶି ୧୧୮ ଟଙ୍କା ଦେବାକୁ ପଡ଼ିବ । ଏହାସହିତ ଜିଏସଟି ଗ୍ରାହକ ଗଣିବେ । କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଅର୍ଥନୀତି ସମୀକ୍ଷକ ଓ ବିରୋଧୀ । ଗୋଟିଏ ପଟେ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେଉଛନ୍ତି । ଅନ୍ୟପଟେ ଇ-କମର୍ସ ଉପରେ ଅଙ୍କୁଶ ଓ ଆୟକର ପରିସୀମା ବୃଦ୍ଧି ପାଇଁ ବିକ୍ରି ବିଲ୍ ଉପରେ ଆୟକର ଲଗାଇଛନ୍ତି । ଏହାଦ୍ବାରା ବିଲ୍ ଦେୟ ଅଧିକ ହେଲେ ଲୋକେ ଅନଲାଇନ୍ କିଣାରୁ ମୁହଁ ଫେରାଇବେ । ଏହାସହିତ ଗ୍ରାହକଙ୍କ ବିଲର ସବୁ ଡାଟା ରହୁଥିବାରୁ ଏହା ମଧ୍ୟ କେନ୍ଦ୍ର ସରକାରଙ୍କ ପାଇଁ ଡାଟାବେସ୍ ଭଳି କାମ କରିବ ।

ଅନଲାଇନ ପ୍ଲାଟଫର୍ମଗୁଡିକ ବହୁ ଦିନରୁ ନୀତିହୀନ ପ୍ରତିଯୋଗିତା କରିଆସୁଥିଲେ । ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସର୍ବଭାରତୀୟ ବ୍ୟବସାୟୀ ସଂଘ କେନ୍ଦ୍ର ସରକାରଙ୍କୁ ଦାବି କରିଆସୁଛି । ଏବେ ସମାନ ଦରରେ ଇ-କମର୍ସ ଅପରେଟର୍ ବିକ୍ରି କରିବେ । ଅଫଲାଇନ ଓ ଅନଲାଇନ ବ୍ୟବସାୟୀଙ୍କ ସୁସ୍ଥ ପ୍ରତିଯୋଗିତା ପାଇଁ ଏପରି ଅଙ୍କୁଶର ଆବଶ୍ୟକ ଥିଲା ବୋଲି ବ୍ୟବସାୟୀ ମହାସଂଘ କହିଛି ।

ଅନଲାଇନ ପ୍ଲାଟଫର୍ମରେ ଶସ୍ତାରେ ଜିନିଷ କିଣିବା ପାଇଁ ଲୋକଙ୍କୁ ଏକରୁ ଦୁଇଦିନ ଅପେକ୍ଷା କରିବାକୁ ପଡ଼ୁଛି । ଏବେ ଟିଡିଏସ୍ ବ୍ୟବସ୍ଥା ଦ୍ବାରା ଯଦି ସମାନ ଜିନିଷ ପାଇଁ ଅଫଲାଇନ୍ ଓ ଅନଲାଇନରେ ସମାନ ଦର ରହେ ତା’ହେଲେ ଲୋକେ ନିକଟସ୍ଥ ବଜାରରୁ ନିଜ ମନ ମୁତାବକ ଜିନିଷପତ୍ର କିଣିବାକୁ ଅଧିକ ପସନ୍ଦ କରିବେ ।