ତାତିରୁ ମିଳିବନି ନିସ୍ତାର,୧ ତାରିଖ ପର୍ଯ୍ୟନ୍ତ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର : ରାଜଧାନୀରେ ରାଜ କରୁଛି ତାତି। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ। ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା। ୪୧ ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ତାତି। ୪୧.୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୨ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡାରେ ୩୯.୫ ଡିଗ୍ରୀ, ସମ୍ବଲପୁର ଓ ରାଉରକେଲରେ ୩୯.୪ ଡିଗ୍ରୀ ରହିଛି ତାପମାତ୍ରା । ସେହିପରି ହୀରାକୁଦରେ ୩୭.୮ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ, ଗୋପାଳପୁରରେ ୩୩.୫ ଡିଗ୍ରୀ ଓ ପାରାଦୀପରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆସନ୍ତା ୪ ଦିନ ଯାଏ ତାପମାତ୍ରା ବୃଦ୍ଧି ହୋଇ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ରାଜ୍ୟର ଅନେକ ଅଞ୍ଚଳରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ କେତେକ ଅଞ୍ଚଳରେ ୪୫ ଡିଗ୍ରୀ ତାପମାତ୍ରା ହୋଇପାରେ। ମେ ୧ ତାରିଖ ଯାଏ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସାମୁଦ୍ରିକ ବାୟୁର ପ୍ରଭାବରେ ୨, ୩ ଓ ୪ ତାରିଖରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇପାରେ । ଆଭ୍ୟନ୍ତରୀଣ ଓଡିଶାରେ ୪୦ରୁ ୪୨ ଡିଗ୍ରୀ ତାପମାତ୍ରା ରହିବ। ହିଟ ଓ୍ବେଭ ଅବସ୍ଥା ନ ହୋଇପାରେ କିନ୍ତୁ ଉପକୂଳ ଓଡିଶାରେ ହିଟ ଓ୍ବେଭ ରହିପାରେ ବୋଲି ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।