ଆମ ଓଡ଼ିଶା ନବୀନ ଓଡ଼ିଶା ଅଧୀନରେ ପଞ୍ଚାୟତ ସ୍ତରରେ ହେବ ସଚେତନତା ଶିବିର, ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରର ଆୟୋଜନ କରାଯିବ । ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପୂର୍ବରୁ ଆରମ୍ଭ କରିଥିଲେ । ଏହି ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା, ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବର୍ତ୍ତମାନର ପଦକ୍ଷେପକୁ ଆଧାର କରି ବିକାଶ ତ୍ବରାନ୍ବିତ ଓ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏକାନ୍ତ କାମ୍ୟ । ଏହି କ୍ରମରେ ରାଜ୍ୟ ସରକାର ବର୍ତ୍ତମାନ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧୀନରେ ରାଜ୍ୟର ୬୭୯୪ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ସ୍ତରରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏହି ପ୍ରକଳ୍ପକୁ ସମ୍ପୃକ୍ତ ଗ୍ରାମ ବାସିନ୍ଦା, ନିର୍ବାଚିତ ପଞ୍ଚାୟତିରାଜ ପ୍ରତିଷ୍ଠାନ ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବିଭିନ୍ନ ଗୋଷ୍ଠୀ ସଙ୍ଗଠନର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କଠାରୁ ଗ୍ରହଣ କରାଯାଇ ଗ୍ରାମପଞ୍ଚାୟତ ସହ ପରାମର୍ଶ କରି ଏହାକୁ ସଙ୍କଳନ କରାଯିବ  । ଏହାକୁ ଚୂଢ଼ାନ୍ତ ରୂପ ଦେବା ପାଇଁ ପଞ୍ଚାୟତ ସ୍ତରୀୟ ବୈଠକରେ ଅନୁମୋଦିତ କରାଯିବ ।

ଶ୍ରୀକ୍ଷେତ୍ର ରୂପାନ୍ତରଣରେ ସାମିଲ ହେବେ ଜନସାଧାରଣ । ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ । ଜାନୁଆରୀ ୫ ତାରିଖରୁ ସବୁ ଘରୁ ସଂଗ୍ରହ ହେବ ଗୁଆ ଚାଉଳ ନଡ଼ିଆ । ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିର, ଭଗବତ ପୀଠ, କୋଠ ଘରେ ଏହାକୁ ରଖାଯିବ । ସେଠୁ ବ୍ଲକସ୍ତରକୁ ଅଣାଯିବ । ପ୍ରତି ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମାରୋହ ଲାଇଭ୍ ଷ୍ଚ୍ରିମିଂ କରାଯିବ । ବ୍ଲକସ୍ତରରେ ବି ଏଲଇଡି ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ । ୧୭ ତାରିଖରେ ଲୋକାର୍ପଣ ସମାରୋହରେ ପ୍ରତି ପଞ୍ଚାୟତରୁ ଲୋକ ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ପଞ୍ଚାୟତ ଓ ବ୍ଲକସ୍ତରରେ ବିଭିନ୍ନ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପାଇଁ ୧୩୫ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ୧୭ ତାରିଖ ପରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରି ପଞ୍ଚାୟତସ୍ତରରୁ ବଛା ବଛା ବ୍ୟକ୍ତିଙ୍କୁ ପୁରୀ ଆଣି ପ୍ରକଳ୍ପ ବୁଲାଇ ଦେଖାଇବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅଂଶଗ୍ରହଣ ଆମ ଓଡିଶା ନବୀନ ଓଡ଼ିଶା ପ୍ରୟାସର ଅନ୍ତର୍ଗତ । ଏଥିପାଇଁ ପୂର୍ବ ଅନୁମୋଦିତ ବଜେଟ୍ ୪ ହଜାର କୋଟି ଟଙ୍କାରୁ ୪୨୧୪କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।