ବିହାର ଜାମୁଇରେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ ଘଟଣା। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଇସ୍ତଫା ଦାବି କଲେ ଦିରୋଧୀ। ସେମାନଙ୍କୁ ୬ରୁ ୭ ଜଣ ବ୍ୟକ୍ତି ମାଡ ମାରିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପୋକ୍ସୋ ଧାରାରେ ମାମଲା ରୁଜୁ କରିଛି। ସ୍ବତନ୍ତ୍ର ତଦନ୍ତକାରୀ ଟିମ ଜରିଆରେ ଘଟଣାର ତଦନ୍ତ ଜାରି ରହିଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି। ତା ଗୋଡରେ ଗୁଳି ଲାଗିଛି। ୩ ଅଭିଯୁକ୍ତଙ୍କୁ ଗିରଫ ନେଇ ସୂଚନା ଦେଇଛନ୍ତି ଜାମୁଇ ଏସପି ବିଶ୍ବଜିତ ଦୟାଲ। ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ କିଛି ଲୋକେ ଅଟକାଇ ମାଡ଼ ମାରିବା ସହିତ ଟଣା ଓଟରା କରିଥିଲେ। ସାର୍ଟ ଚିରି ଦେବା ସହିତ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ସାରା ଦେଶ ହୁଲସ୍ତୁଲ ହୋଇଥିଲା। ଗତ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ଏହି ଘଟଣା ଘଟିଥିଲା। ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀ କୋଚିଂ ସାରି ସ୍କୁଟରରେ ଘରକୁ ଫେରୁଥିଲେ। ଜମୁଇ-ଲଖିସରାଇ ରାସ୍ତାରେ କିଛି ଲୋକ ସେମାନଙ୍କୁ ଅଟକାଇଥିଲେ । ଛାତ୍ରକୁ ଟଣାଓଟରା କରିବା ସହିତ ନାବାଳିକାକୁ ଅସଦାଚରଣ କରିଥିଲେ। ଭିଡିଓରେ ନାବାଳିକା ଜଣକ ହାତ ଯୋଡ଼ି ଛାଡ଼ିଦେବାକୁ ନିବେଦନ କରୁଥିବା ଶୁଣିବାକୁ ମିଳୁଛି। ଏହା ସତ୍ତ୍ୱେ ମୁହଁରେ ମାସ୍କ ପିନ୍ଧିଥିବା ବ୍ୟକ୍ତି ତାଙ୍କ ପଛରେ ଗୋଡ଼ାଇ ଥିଲେ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ପ୍ରତିବାଦ ଆନ୍ଦୋଳନ କରାଯାଇଛି।
ରାଜଧାନୀ ଦିଲ୍ଲୀରେ ଲଜ୍ଜା, ପୋଲିସ ବର୍ଦ୍ଦିରେ ଲାଗିଲା କଳଙ୍କ
ରାଜଧାନୀ ଦିଲ୍ଲୀରେ ଲଜ୍ଜା। ପୋଲିସ ବର୍ଦ୍ଦିରେ ଲାଗିଲା କଳଙ୍କ। କାଲକାଜି ମନ୍ଦିର ଇଲାକା ଅନ୍ତର୍ଗତ ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷ ବୟସ୍କା ନାବାଳିକାଙ୍କୁ ଗଣଦୁଷ୍କର୍ମ। ବଡ଼ କଥା ହେଉଛି ପୋଲିସ ବେଶରେ ୩ ଅଭିଯୁକ୍ତ କରିଛନ୍ତି ଗଣଦୁଷ୍କର୍ମ। ନିଜର ପୁରୁଷ ବନ୍ଧୁଙ୍କଠାରୁ ଯୁବତୀଙ୍କୁ ଛଡ଼ାଇ ନେଇ ଅମାନବୀୟ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଏହି ଲୋମହର୍ଷକ ଘଟଣା ସାରା ଦେଶରେ ପୁଣି ଚର୍ଚ୍ଚାର କାରଣ ହୋଇଛି। ଗତକାଲି ରାତି ୭ଟାରେ ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଠାକୁରଙ୍କ ଦର୍ଶନ ଲାଗି କାଲକାଜୀ ମନ୍ଦିର ଯାଇଥଇଲେ। ପରେ ସେମାନେ ଗେଟ ନମ୍ବର ୭ ଦେଇ ଆସ୍ଥା କୁଞ୍ଜକୁ ଯାଇଥିଲେ। ରାତି ସାଢ଼େ ୭ଟାରେ ୩ ଦୁର୍ବୃତ୍ତ ପୋଲିସ ବେଶରେ ଯାଇ ସେମାନଙ୍କୁ ଧମକ ଚମକ ଦେଇଥିଲେ। ଜୋର ଜବରଦସ୍ତ ପୁରୁଷ ବନ୍ଧୁଙ୍କଠାରୁ ସେମାନେ ଯୁବତୀଙ୍କୁ ପୂର୍ବ ନିର୍ଦ୍ଧାରିତ ସ୍ଥାନକୁ ନେଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଆସିଫ ନାମକ ଜଣେ ବ୍ୟକ୍ତି ଏକ ଆଗ୍ନେୟାସ୍ତ୍ର ଓ ଛୁରୀ ଦୁହିଁଙ୍କୁ ଡରାଇଥିଲା। ଅନ୍ୟ ୨ ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି ବର୍ବର କାଣ୍ଡ ପାର୍କରେ ଘଟିଚାଲିଥିବାବେଳେ କେହି ଏହାର ଟେର୍ ପାଇ ନଥିଲେ। ରାତି ୮.୪୫ରେ ଏସମ୍ପର୍କରେ ପିସିଆର ନିକଟରେ ଖବର ପହଞ୍ଚିଥିଲା। ଘଟଣାସ୍ଥଳରେ ଅମର କଲୋନି ପୋଲିସ ପହଞ୍ଚି ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହ ଘଟଣାକୁ ନେଇ ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଧାରା ବି ଲାଗିଛି। ଅସିଫ ନାମକ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରି ଗିରଫ କରିଛି। ତାକୁ ଏସମ ଟ୍ରମା କେୟାରରେ ଭର୍ତ୍ତି କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।
ସାଂସଦ ମାନସ ମଙ୍ଗରାଜଙ୍କ ଦାବି : ବାଦ୍ ପଡ଼ିଥିବା ନାମଗୁଡ଼ିକୁ ଅନଲାଇନରେ ଉପଲବ୍ଧ କର….
ଭୁବନେଶ୍ବର : ଏସଆଇଆର ପ୍ରକ୍ରିୟାରେ ଭୋଟର ତାଲିକାରୁ ୨୦ ଲକ୍ଷ ନାମ କଟିବା ପ୍ରସଙ୍ଗ। ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜଙ୍କ ଦାବି। ଅସାବଧାନତାରୁ କୌଣସି ଭୋଟରଙ୍କ ନାମ କଟିନାହିଁ ତ ? ବାଦ୍ ପଡ଼ିଥିବା ନାମଗୁଡ଼ିକୁ ଅନଲାଇନରେ ଉପଲବ୍ଧ କରଇବାକୁ ଦାବି କରିଛନ୍ତି ମାନସ। ଏହାସହ ନିର୍ବାଚନମଣ୍ଡଳୀ ଅନୁଯାୟୀ ନାମ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି ମାନସ। ଓଡ଼ିଶା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସେ ଦାବି କରିଛନ୍ତି। କେବଳ ଅଯୋଗ୍ୟ ନାମ କଟିଥିବା ECI ନିଶ୍ଚିତ କରାଇବା ସହ ତାଲିକାରେ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ କରିବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ।
ଏସଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ କଟିବା ନେଇ ଆପତ୍ତି ଉଠାଇଛି ବିଜେଡି
ଭୁବନେଶ୍ବର : ଏସଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ କଟିବା ନେଇ ବିଜେଡି ଆପତ୍ତି ଉଠାଇଛି । ବିଜେପି ବିଏଲଓଙ୍କୁ ଲଗାଇ ଭୋଟର ତାଲିକାରୁ ନାମ କାଟିଥିବା ନେଇ ବିଜେଡି ଅଭିଯୋଗ କରିଛି । ବହୁ ସଂଖ୍ୟାରେ ସଂଖ୍ୟାଲଘୁ ଭୋଟ କଟାଯାଇଛି । ଏସଆଇଆରରେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି ଜଣେ ସାଧାରଣ ଭୋଟର ପକ୍ଷେ ବୁଝିବା କଷ୍ଟକର । 2002 ମସିହା ଭୋଟର ତାଲିକା ସହ ଏହାକୁ ସ୍ଥାପନା କରାଯାଇଥିଲା ।୨୦୦୨ରେ ୩କୋଟି ୪୦ଲକ୍ଷ ୭୨ ହଜାର ୭୪୪ ଭୋଟର ଥିଲେ।ମ୍ୟାପିଂ ସମୟରେ ୩କୋଟି ୧୪ ଲକ୍ଷ ଭୋଟର ମ୍ୟାପିଂ କଲେ। ଗ୍ୟାପ ଭୋଟର କୁଆଡେ ଗଲେ ବୋଲି ବିଜେଡି ପ୍ରଶ୍ନ କରିଛି ।୨୦ ଲକ୍ଷ ୧୨ ନୁହେଁ ୨୭ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ବିଜେଡି ଦାବି କରିଛି । ସେହିପରି ସିଇଓ ମଧ୍ୟ ସଠିକ୍ ତଥ୍ୟ ସାର୍ବଜନୀନ କରନ୍ତୁ । ପ୍ରକୁତରେ କେତେ ଭୋଟରଙ୍କ ନା କଟିଛି । କାରଣ ପ୍ରିଣ୍ଟ ଗଣମାଧ୍ୟମରେ ଆଜି ପ୍ରକାଶ ପାଇଥିବା ଏହି ତଥ୍ୟର ତାଳମେଳ ନଥିବା ଅଭିଯୋଗ କରିଛି ବିଜେଡି । କିଏ ୧୭ ଲକ୍ଷ ଭୋଟର କଟିଥିବା ଲେଖିଛି ତ ଆଉ କେଉଁ ପେପର୍ ୨୦ ଲକ୍ଷ ନାଁ କରିଥିବା ଉଲ୍ଲେଖ କରିଛି । ଏଣୁ ସଠିକ୍ ତଥ୍ୟ ଲୋକ ଲୋଚନକୁ ଅଣାଯାଉ । ଯେଉଁ ଭୋଟର ନାଁ କଟିଛି, କେଉଁ କାରଣରୁ କଟିଲା ତାହା ପରି ପ୍ରକାଶ କରନ୍ତୁ ବୋଲି ବିଜେଡି ଅଭିଯୋଗ ଆଣିଛି
ମୌସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ପାଠ୍ୟ ପୁସ୍ତକ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗରେ କମ୍ପିଲା ଗୃହ
ଭୁବନେଶ୍ବର : ପାଠ୍ୟ ପୁସ୍ତକ ତ୍ରୁଟି ଓ ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ହୁଲସ୍ତୁଲ ମୌସୁମୀ ଅଧିବେଶନର ପ୍ରଥମ ଦିନ । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ଗୃହ ମଧ୍ୟଭାଗରେ ନାରାବାଜି କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଜେଡି ବିଧାୟକ। ଛାତ୍ରଛାତ୍ରୀଙ୍କୁ ଭୁଲ ପାଠ୍ୟପୁସ୍ତକ ପଢ଼ିବାକୁ ସରକାର ବାଧ୍ୟ କରୁଥିବାରୁ ଗୃହରେ ପ୍ଲାକାର୍ଡ ଧରି ଶାସକ ଦଳକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ। ସେହିପରି ଏଯାଏ ପିଲାଙ୍କୁ ବହି ଦିଆଯାଇ ନଥିବାରୁ ତୁରନ୍ତ ବହି ଦେବାକୁ ଦାବି କରିଛି ଦଳ। ପ୍ରବଳ ହଟ୍ଟଗୋଳ ଯୋଗୁ ବାଧାପ୍ରାପ୍ତ ହୋଇଛି ମୌସୁମୀ ଅଧିବେଶନର ପ୍ରଥମ ଦିନ।
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ନାରାବାଜି ଦେଇଥିଲେ କଂଗ୍ରେସ ବିଧାୟକ। ଏହି ଆଇନ ଦ୍ବାରା ଓଡ଼ିଶାର ଅଧିକାରକୁ ଛଡାଇ ନେଇଛି କେନ୍ଦ୍ର। ଖଣି ବକେୟା ବାବଦରେ ରାଜ୍ୟ ଦେଢ଼ ଲକ୍ଷ କୋଟି ହରାଇବା ସହ ବର୍ଷକୁ ୧୨ ହଜାର କୋଟିରୁ ଅଧିକ ରାଜସ୍ବ କ୍ଷତି ସହିବ। ଓଡ଼ିଶା ବିରୋଧରେ କେନ୍ଦ୍ର ଷଡ଼ଯନ୍ତ୍ର କରିଥିବା ବେଳେ, ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଯାହାର ଜବାବ ରଖିଛି ଶାସକ ବିଜେପି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଶାସକ ଦଳ।
ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ….
ଭୁବନେଶ୍ବର : ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତୃଟି ବିରୋଧରେ ଆରମ୍ଭ ହେଲା ଜନଆନ୍ଦୋଳନ । ତୃଟିପୂର୍ଣ୍ଣ ପୁସ୍ତକ ପ୍ରିଣ୍ଟିଂ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଶାଣିତ କରି ଆଜି ରାତିର ଡେଡଲାଇନ ଦେଇଛି ବିଜେଡି । ନ ହେଲେ ଦଳୀୟ ବିଧାୟକ, ସାଂସଦଙ୍କୁ ନେଇ ଯୁବ ଓ ଛାତ୍ର ବିଜେଡି ଆସନ୍ତାକାଲି ବିଧାନସଭା ଘେରାଉ କରିବ । କାରଣ ଦିନ ଗଡ଼ି ଚାଲୁଛି । ହେଲେ ସଂଶୋଧିତ ପୁସ୍ତିକା ମିଳିବାରେ ମନ୍ଥର ଗତି ଅବଲମ୍ବନ କରୁଛନ୍ତି ସରକାର । ବିଜେଡିର ଆନ୍ଦୋଳନ ପରେ ଧୀରେ ଧୀରେ କିଛି ଜିଲ୍ଲାକୁ ମିଳୁଛି ସଂଶୋଧିତ ପୁସ୍ତିକା । ହେଲେ ଆଉ କିଛି ଦିନ ପରେ ପିଲାମାନେ ସାରା ଓଡ଼ିଶା ଷାଣ୍ମାସିକ ପରୀକ୍ଷା ଦେବାକୁ ଯିବେ । ତା ପରେ ପୂଜା ଛୁଟି । ଏ ସମୟରେ ପିଲାଙ୍କ ହାତରେ ପ୍ରଶ୍ନପତ୍ର ରହିବା କଥା । ହେଲେ ସମସ୍ତେ ବହି ପାଇଲେ ନାହିଁ । ଏହା ବିରୋଧରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା କ୍ଷଣି ବିଜେଡି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଗୃହ ବାହାରେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ସହ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ଯୁବ ଓ ଛାତ୍ର ବିଜେଡି । ଆଜି ପରି ଆସନ୍ତାକାଲି ବି ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ବି ଏହି ଆନ୍ଦୋଳନରେ ସାମିଲ ହେବେ ।
ବହି ତ୍ରୁଟି ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ମୁହଁ ଖୋଲିଛନ୍ତି । ତାଙ୍କ ନିର୍ଦ୍ଦେଶରେ ପ୍ରତି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡି ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରିଥିଲେ । ସେ ସମୟ ପରି ଏଥର ବି ଆନ୍ଦୋଳନରେ ଅଭିଭାବକ, ପିଲା, ବୁଦ୍ଧିଜୀବି ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ଏହା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ବୋଲି ବିଜେଡି ଅଭିଯୋଗ କରିଛି । ଶିକ୍ଷା ଏକ ସୁସ୍ଥ ସମାଜ ଗଠନ କରେ । ହେଲେ ଶିକ୍ଷାକୁ ପଙ୍ଗୁ କଲେ ପୀଢ଼ି ପରେ ପୀଢ଼ି ଅନ୍ଧାରକୁ ଠେଲି ହୋଇଯିବ ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ପୁସ୍ତକ ତ୍ରୁଟିରେ ମୁଖ୍ୟମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର କଥା କହିଥିଲେ, ହେଲେ ସେହି ଷଡ଼ଯନ୍ତ୍ରକାରୀଙ୍କ ନାଁ ଆଜି ଯାଏଁ ପ୍ରକାଶ କଲେନି. କଣ ସେ ଷଡଯନ୍ତ୍ରକାରୀଙ୍କ ନାଁ ଏହି ବିଧାନସଭାରେ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବେ, ତାହାକୁ ନେଇ ପ୍ରଶ୍ନ ଜୋର ଧରିଛି ।
ଭକ୍ତଙ୍କ ସୁବିଧା ପାଇଁ ପୁଣିଥରେ ଆରମ୍ଭ ହେବ କି ଏସି ଟନେଲ ?
ପୁରୀ : ପୂର୍ବ ସରକାରଙ୍କ ଯୋଜନାକୁ ଅନୁକରଣ କରିବେ କି ସରକାର ? ଭକ୍ତଙ୍କ ସୁବିଧା ପାଇଁ ପୁଣିଥରେ ଆରମ୍ଭ ହେବ କି ଏସି ଟନେଲ ? ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ୬୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ଆଗମନ ହେଉଛି । କାଳିଆ ଦର୍ଶନ ପାଇଁ ଖରା ଓ ଗୁଳୁଗୁଳିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ବ୍ୟାରିକେଡରେ ଠିଆ ହୋଇ ଅନେକ ସମୟରେ ଅସୁସ୍ଥ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବାହାରେ ପୂର୍ବଭଳି ଏସି ଟନେଲ ନିର୍ମାଣ ନେଇ ଚାଲିଛି ବିଚାରବିମର୍ଶ । ନିକଟରେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଶ୍ରୀମନ୍ଦିର ବାହାରେ ଏସି ଟନେଲ ନିର୍ମାଣ ହେଲେ ବରିଷ୍ଠ ନାଗରିକ, ମହିଳା ଓ ଛୋଟପିଲା ମାନେ ବେଶ୍ ଉପକୃତ ହୋଇପାରିବେ । ତେଣୁ ଆଗାମୀ ପରିଚାଳନା କମିଟି ବୈଠକରେ ଏସି ଟନେଲ ଓ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବାକୁ ଯୋଜନା କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୂର୍ବ ସରକାର ସମୟରେ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ବାହାରେ ଏସି ଟନେଲ ନିର୍ମାଣ କରାଯାଇଥିଲା । ତେବେ ବର୍ତ୍ତମାନ ପୁଣି ଥରେ ଏହି ଟନେଲ ନିର୍ମାଣକୁ ନେଇ ସ୍ୱାଗତ କରାଯାଇଛି । ସେହିପରି ଭକ୍ତମାନେ ସୁବିଧାରେ ମହାପ୍ରସାଦ ପାଇବା ନେଇ ଟୋକନ ବ୍ୟବସ୍ଥା ଉପରେ ବିଚାର କରାଯାଉଛି । ପୂର୍ବ ସରକାର ସମୟରେ ଭକ୍ତଙ୍କ ସୁବିଧା ନେଇ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାକୁ ହଠାତ ବନ୍ଦ କରି ଦିଆଯାଇଥିଲା । ଏବେ ଏହାକୁ ନେଇ ପୁଣି ବିଚାରବିମର୍ଶ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏପରି ବ୍ୟବସ୍ଥାର ଆବଶ୍ୟକତା ଥିବାରୁ ଏହାର ରୂପରେଖ ଚୂଡାନ୍ତ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି ।
‘କାରଣ ନଜଣାଇ ଗିରଫ କରିବା ବେଆଇନ, ଦ୍ବିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ’
ଭୁବନେଶ୍ବର :କାରଣ ନଜଣାଇ ଗିରଫ କରିବା ବେଆଇନ । ଦ୍ବିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ କାରଣ ନଜଣାଇ ଗିରଫ କରିବା ବେଆଇନ । ଦ୍ୱିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ । ଆଉ ଚଳିବନି ତଦନ୍ତକାରୀ ସଂସ୍ଥାର ମନମାନି । ପୋଲିସର ଏକଚାଟିଆ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ । କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ବେଳେ ତାଙ୍କୁ ଗିରଫର କାରଣ ଲିଖିତ ଭାବରେ ଜଣାଇବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କରି ଗିରଫ କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁ ଏବଂ ଜଷ୍ଟିସ୍ ଅତୁଲ ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି, ଗିରଫର କାରଣ ସଂପୃକ୍ତ ବ୍ୟକ୍ତି ବୁଝୁଥିବା ଭାଷାରେ ଲିଖିତ ଭାବରେ ଦିଆଯିବ । ଯଥାଶୀଘ୍ର ଏହାର ଏକ ନକଲ ମଧ୍ୟ ତାଙ୍କୁ ପ୍ରଦାନ କରିବାକୁ ହେବ । କେବଳ ମୌଖିକ ଭାବରେ କାରଣ ଜଣାଇଦେବା ଯଥେଷ୍ଟ ନୁହେଁ । ସମ୍ବିଧାନର ଧାରା ୨୨(୧) କୁ ଉଲ୍ଲଂଘନ କରି ହୋଇଥିବା ଗିରଫ ଏବଂ ଏହା ପରର ରିମାଣ୍ଡ ବେଆଇନ ହେବ । ଏଭଳି ବେଆଇନ ଗିରଫ ପରେ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜାମିନରେ ଛଡ଼ାଯାଇଛି ବୋଲି କୁହାଯିବ ନାହିଁ । ବରଂ ତାଙ୍କୁ ବେଆଇନ ଓ ଅସାମ୍ବିଧାନିକ ଅଟକରୁ ମୁକ୍ତ କରାଯାଇଛି ବୋଲି ଧରାଯିବ । ଏଭଳି ନିର୍ଦ୍ଦେଶକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।
ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଣି ଗିରଫ କରିବାକୁ ଚାହିଁଲେ ପ୍ରଥମେ ଲିଖିତ କାରଣ ଦେବାକୁ ପଡ଼ିବ । ଏହା ପରେ ପୂର୍ବରୁ କାହିଁକି କାରଣ ଦିଆଯାଇ ନଥିଲା ଏବଂ ଏବେ କାହିଁକି ତାଙ୍କୁ ହେପାଜତରେ ନେବା ଜରୁରୀ ତାହା ଦର୍ଶାଇ ମ୍ୟାଜିଷ୍ଟ୍ରେଟଙ୍କ ନିକଟରେ ସାନି ଆବେଦନ କରିବାକୁ ପଡ଼ିବ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ମ୍ୟାଜିଷ୍ଟ୍ରେଟ୍ ଯଥାଶୀଘ୍ର ସମ୍ଭବ ହେଲେ ସପ୍ତାହକ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ନେବେ । ପୂର୍ବରୁ ଲିଖିତ କାରଣ ନ ଦେବା ପଛରେ ବାସ୍ତବ ଓ ଯୁକ୍ତିସଙ୍ଗତ କାରଣ ଥିବ । ହେପାଜତ ଏବେ ମଧ୍ୟ ଜରୁରୀ ବୋଲି ସନ୍ତୁଷ୍ଟ ହେଲେ ହିଁ ମ୍ୟାଜିଷ୍ଟ୍ରେଟ୍ ପୁନଃ ଗିରଫ ପାଇଁ ଅନୁମତି ଦେଇପାରିବେ । ପ୍ରଥମେ ବେଆଇନ ଗିରଫ କରିଥିବା ଅଧିକାରୀଙ୍କ ଠାରୁ ତଦନ୍ତ ଦାୟିତ୍ବ ହଟାଇ ଅନ୍ୟ ଜଣେ ଅଧିକାରୀଙ୍କୁ ଦିଆଯିବ । ଏହାସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯିବ । ତଦନ୍ତରେ ଦୋଷ ପ୍ରମାଣିତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସଂପୃକ୍ତ ଅଧିକାରୀଙ୍କର ସର୍ଭିସ ବୁକରେ ମଧ୍ୟ ଏହା ଉଲ୍ଲେଖ କରାଯିବ । ପଞ୍ଜାବର ଯଶ କରଞ୍ଜିତ ସିଂଙ୍କ ଗିରଫ ସମ୍ପର୍କିତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ରାୟର ନକଲ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକଙ୍କୁ ପଠାଇବାକୁ ମଧ୍ୟ କୋର୍ଟ କହିଛନ୍ତି ।
କେବେ ଖୋଲିବ କଟକ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆହାର କେନ୍ଦ୍ର ଓ ମିଶନ ଶକ୍ତି କଫେ ?
କଟକ : ଲୋକଙ୍କୁ ମିଳୁନି ଆହାର । ଦୁଇବର୍ଷ ହେଲା ବନ୍ଦ ରହିଛି କଟକ ଚାଉଳିଆଗଞ୍ଜ ପରିସରରେ ଥିବା ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସୁବିଧାରେ ଖାଦ୍ଯ ଯୋଗାଇ ଦେବାକୁ ପୂର୍ବ ସରକାରଙ୍କ ସମୟରେ ନିର୍ମାଣ ହୋଇଥିଲା ଏହି ଆହାର କେନ୍ଦ୍ର । ୩ ଟଙ୍କାରେ ପେଟପୂରା ଆହାର ପାଉଥିଲେ ଲୋକେ । ପାଖାପାଖି ଦୁଇବର୍ଷ ହେବ ନିର୍ମାଣ ହୋଇ ଉଦଘାଟନ ହୋଇଥିଲେ ସୁଦ୍ଧା ସାଧାରଣ ଲୋକମାନଙ୍କ ପାଇଁ ଏହା ଖୋଲାଯାଇ ପାରୁନାହିଁ । ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ଏହି ଆହାର କେନ୍ଦ୍ରର ଝରକାରେ ଗଛ ଲତା ମାଡ଼ିଥିବା ବେଳେ ମିଶନ ଶକ୍ତି କାଫେରେ ଝୁଲୁଛି ତାଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିଲା ଲୋକେ ଖାଦ୍ୟ ପାଇଁ ବାହାର ହୋଟେଲ ଉପରେ ନିର୍ଭର କରୁଛନ୍ତି ।
ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନାରୀ ନେତ୍ରୀ ଅଂଶୁ ତ୍ରିପାଠୀ । ସରକାରୀ ଡାକ୍ତରଖାନାରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୂର୍ବ ସରକାର ଅଣ୍ଟା ଭିଡ଼ିଥିଲେ । ଏଥିପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଯୋଜନା ସହ ଅନୁଦାନ ପ୍ରଦାନ କରାଯାଇଥିଲା । ଏହି ଯୋଜନାରେ ଚାଉଳିଆଗଞ୍ଜରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାମିଲ କରାଯାଇଥିଲା । ୨୦୨୩ରେ ଆମ ହସ୍ପିଟାଲ ଯୋଜନାରେ ଅନୁଦାନ ମିଳିବା ମିଳିବା ପରେ ୨୦୨୪ ଫେବୃଆରୀ ସୁଦ୍ଧା ନିର୍ମାଣ ଶେଷ ହୋଇଥିଲା । ଏଥିରେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ସାଧାରଣ ଲୋକମାନଙ୍କ ପାଇଁ ଏହି ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ ଖୋଲା ଯାଇଥିଲା । ମାତ୍ର ସରକାରଙ୍କ ଅପାରଗତାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ।ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ ଖୁବଶୀଘ୍ର ଖୋଲିବାକୁ ଦାବି ହୋଇଛି ।
ଶୋଚନୀୟ ହୋଇପଡ଼ିଛି ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ବଜାର ରୋଡ
ଚଣ୍ଡିଖୋଲ : ରାସ୍ତା ସାରା ବଡ଼ ବଡ଼ ଗର୍ତ୍ତ । ତା ଭିତରେ ଜମି ରହିଛି ପାଣି । ବିପଦ ମୁଣ୍ଡେଇ ଯାଆସ କରୁଛନ୍ତି ଲୋକେ । ଏ ହେଉଛି ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସ୍ଥାନ ବାଲିଚନ୍ଦ୍ରପୁର ବଜାର । ବାଲିଚନ୍ଦ୍ରପୁର ବଜାର ଉପରେ ଯାଜପୁର, କଟକ, କେନ୍ଦ୍ରାପଡ଼ା ଭଳି ତିନୋଟି ଜିଲ୍ଲାର ଲୋକେ ନିର୍ଭର କରିଥାନ୍ତି । ହେଲେ ବଜାରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ଯାଆସ କରିବା ମୁସ୍କିଲ ହୋଇ ପଡୁଛି । ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି ।
ଗୋଟିଏ ପଟେ ବାଲିଚନ୍ଦ୍ରପୁର ବଜାରକୁ ଏହି ରାସ୍ତାଟି ସଂଯୋଗ କରୁଥିବା ବେଳେ ଅନ୍ୟପଟେ ଚଣ୍ଡିଖୋଲ – ପାରାଦୀପ ଜାତୀୟ ରାଜପଥକୁ ସଂଯୋଗ କରୁଛି । ହେଲେ ରାସ୍ତାର ଦୁରାବସ୍ଥା ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

