spot_img

Latest Posts

କେଦାରନାଥରେ ପ୍ରବଳ ତୁଷାରପାତ, ମାଇନସ୍ ୮ ଡିଗ୍ରୀକୁ ଖସିଲା ତାପମାତ୍ରା; ନଭେମ୍ବର ୧୧ରେ ବନ୍ଦ ହେବ କବାଟ

ଉତ୍ତରାଖଣ୍ଡ : କେଦାରନାଥ ଧାମରେ ଏବେ ପ୍ରବଳ ତୁଷାରପାତ ଜାରି ରହିଛି। ଗତ ବୁଧବାର ଅପରାହ୍ନରୁ ଲାଗି ରହିଥିବା ଏହି ବରଫପାତ ଯୋଗୁଁ ସୋମବାର ସାରା ଅଞ୍ଚଳରେ ଶୀତର ଲହରୀ ଖେଳିଯାଇଛି। ସେଠାରେ ତାପମାତ୍ରା ହ୍ରାସ ପାଇ ମାଇନସ୍ ୮ ଡିଗ୍ରୀରେ ପହଞ୍ଚିଥିବା ବେଳେ ଅତ୍ୟଧିକ ଥଣ୍ଡା ଯୋଗୁଁ ପାଣି ପାଇପ୍‌ଗୁଡ଼ିକ ମଧ୍ୟ ଜମିଯିବାର ଖବର ମିଳିଛି।

ଅନ୍ୟପକ୍ଷେ, ଉତ୍ତରାଖଣ୍ଡର ପାଣିପାଗ ବିଭାଗ ରାଜ୍ୟର ୪ଟି ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ କେଦାରନାଥ ଅଞ୍ଚଳରେ ତୁଷାରପାତ ଜାରି ରହିବାର ସମ୍ଭାବନା ମଧ୍ୟ ରହିଛି। ଏହି ପାଣିପାଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ଏବଂ ଆବଶ୍ୟକୀୟ ପ୍ରସ୍ତୁତି ସହ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭ ଲକ୍ଷ ୮୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ ଲାଭ କରିସାରିଛନ୍ତି। ଧାମର କବାଟ ବନ୍ଦ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବାରୁ ଚଳିତ ବର୍ଷର ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ନଭେମ୍ବର ୧୧ ତାରିଖରେ ଶୀତଋତୁ ପାଇଁ ବାବା କେଦାରଙ୍କ କବାଟ ବନ୍ଦ ହେବ। ଏଣୁ ଯାତ୍ରୀମାନେ ବାହାରିବା ପୂର୍ବରୁ ପାଣିପାଗର ଅପଡେଟ୍ ନେବା ସହ ପ୍ରଶାସନର ଗାଇଡଲାଇନ୍ କଡ଼ାକଡ଼ି ଭାବେ ମାନିବାକୁ ଅନୁରୋଧ କରାଯାଇଛି।

ଜିଲ୍ଲାପାଳ ବିଶାଳ ମିଶ୍ରଙ୍କ ସୂଚନା ମୁତାବକ, ଗତ ଗୋଟିଏ ସପ୍ତାହ ହେବ ପାଗ ଅନୁକୂଳ ରହିଥିବାରୁ ସମସ୍ତ ଯାତ୍ରା ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ଏପରିକି ହେଲିକପ୍ଟର ସେବା ମଧ୍ୟ ସ୍ୱାଭାବିକ ରହିଛି। ଯାତ୍ରାର ବାକିଥିବା ଦିନଗୁଡ଼ିକରେ ଭକ୍ତମାନଙ୍କୁ ସମସ୍ତ ଉନ୍ନତ ସୁବିଧା ଯୋଗାଇଦେବା ଏବଂ ସେମାନଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ତଥା ସୁଗମ କରିବା ଦିଗରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି।

Latest Posts

Don't Miss