ମହାକାଳପଡ଼ା: ଟଙ୍କା ଧାର ଦେଇଥିଲେ, ମାଗିବାରୁ ବିଧବା ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ। ଏଭଳି ଅମାନବୀୟ ଆଉ ହୃଦୟ ବିଦାରକ ଘଟଣା ଘଟିଛି ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତ ଧନିଆପଡ଼ା ଗାଁରେ ।
ଧନିଆପଡ଼ା ଗାଁର ସୁଭଦ୍ରା ବେହେରାଙ୍କ ଠାରୁ ୫୦ ହଜାର ଟଙ୍କା ଧାର ନେଇଥିଲେ ସେହି ଗାଁର ବିଶ୍ୱଜିତ୍ ସ୍ୱାଇଁ । ଟଙ୍କା ଧାର ନେବା ପରେ ଏକ ମାସ ହେଲା ଯୁବକ ଜଣଙ୍କ ଗାଁରେ ରହୁ ନଥିଲେ । ସେ ଗାଁକୁ ଆସିଥିବା ଜାଣିବା ପରେ ରାତିରେ ସୁଭଦ୍ରା ତାଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ । ସ୍ୱାମୀଙ୍କୁ ହରାଇବା ପରେ ସୁଭଦ୍ରା ବହୁ କଷ୍ଟରେ ସେ ଯାହା କିଛି ଉପାର୍ଜନ କରିଥିଲେ ତାକୁ ବିଶ୍ୱଜିତ୍ ତାଙ୍କ ପାଖରୁ କୌଶଳକ୍ରମେ ନେଇଯାଇଥିଲେ ।
କଷ୍ଟ ଉପାର୍ଜିତ ଧନକୁ ଫେରାଇ ଦେବାକୁ ସୁଭଦ୍ରା ବିଶ୍ୱଜିତ୍ଙ୍କୁ କହିଥିଲେ । ହେଲେ, ଧାର ଫେରସ୍ତ କରିବା ପରିବର୍ତ୍ତେ ହିଂସ୍ର ହୋଇ ଉଠିଥିଲେ ବିଶ୍ୱଜିତ ଆଉ ତାଙ୍କ ପରିବାର । ସୁଭଦ୍ରାଙ୍କୁ ଗାଁ ଦାଣ୍ଡରେ କିରାସିନି ଢାଳି ଜିଅନ୍ତା ଜାଳି ଦେଇଥିଲେ । ମରିଗଲି… ମରିଗଲି… ଚିତ୍କାର କରିଥିଲେ ସୁଭଦ୍ରା । ଚିତ୍କାର ଶୁଣି ଗାଁ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୁଭଦ୍ରାଙ୍କର ୧୨ ବର୍ଷର ପୁଅଟିଏ ଅଛି । ମା’କୁ ହରାଇବା ପରେ ସେ ଅନାଥ ହୋଇଯାଇଛି ।
ଘଟଣା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ସୁଭଦ୍ରାଙ୍କ ଭାଇ କିଶୋର ବେହେରା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ବିଶ୍ୱଜିତ୍ ଫେରାର୍ ହୋଇଯାଇଛି ।



ନାସା ମୁତାବିକ ଲାଣ୍ଡର ‘ବିକ୍ରମ’ର ଫଟୋ ଚନ୍ଦ୍ରପୃଷ୍ଠର ୧ କିମି ଉପରୁ ନିଆଯାଇଛି । ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ ଖସି ପଡ଼ିଥିବା ମାଟି କ୍ଷତି ହୋଇଥିବା ଫଟୋରେ ଦେଖାଯାଉଛି । ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ, ନାସା ସହ ସମ୍ପର୍କ କରି ଇମ୍ପାକ୍ଟ ସାଇଟ୍ ବାବଦରେ ତଥ୍ୟ ମାଗିଛି । ମିଳିଥିବା ସୂଚନା ଅନୁଯାୟୀ ନାସା, ଇସ୍ରୋକୁ ‘ବିକ୍ରମ’ ବାବଦରେ ଏକ ରିପୋର୍ଟ ପ୍ରଦାନ କରିବ । ଯେଉଁଥିରୁ ଲାଣ୍ଡର ‘ବିକ୍ରମ’ ବାବଦରେ ଅଧିକ ତଥ୍ୟ ମିଳିପାରିବ।
ଏହା ପୂର୍ବରୁ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ‘ବିକ୍ରମ’ ସମ୍ପର୍କରେ ଖବର ପାଇବା ପାଇ ଆଶା ଦେଖାଇଥିଲା । କାରଣ ନାସାର ଲୁନାର ରିକନେସେସ୍ ଅର୍ବିଟର (ଏଲଆରଓ) ‘ବିକ୍ରମ’ ଖସି ପଡ଼ିଥିବା ସ୍ଥାନ ଉପରେ ପରିକ୍ରମା କରିବାର ଥିଲା।
୨୨ ଜୁଲାଇରେ ପ୍ରାୟ ୯୭୮ କୋଟି ଟଙ୍କା ଖର୍ଚ୍ଚରେ ଭାରତ ଚନ୍ଦ୍ରଯାନ-୨କୁ ପଠାଇଥିଲା। ସବୁକିଛି ଠିକଠାକ୍ ଥିଲେ ହେଁ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଲାଣ୍ଡର ‘ବିକ୍ରମ’ ସଫ୍ଟ ଲାଣ୍ଡିଂ ବଦଳରେ ହାର୍ଡ ଲାଣ୍ଡିଂ କରିଥିଲା। ଫଳରେ ଚନ୍ଦ୍ରଯାନ-୨ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହୋଇପାରି ନଥିଲା।



୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ଏସବୁ ସମ୍ଭବ ହୋଇଥିବା ନବୀନ କହିଛନ୍ତି ।
ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ । କାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ୱଳ ଅଧ୍ୟାୟ ହୋଇରହିବ ।