ଆଜି ବିଜେଡିର ଜନ୍ମଦିନ, ଅପରାହଣରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ
ଭୁବନେଶ୍ୱର: ବିଜେଡି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ୧୯୯୭ରେ ଗଠିତ ହୋଇଥିଲା ପୂର୍ବ ଭାରତର ଏକ ପ୍ରମୁଖ ରାଜନୀତିକ ଦଳ । ୧୯୯୭ର ବିଜୁ ବାବୁଙ୍କ ଦେହାନ୍ତ ପରେ ଦୀର୍ଘ ୯ ମାସର କସରତ ପରେ ଡିସେମ୍ବର ୨୬ ତାରିଖରେ ଜନ୍ମ ନେଇଥିଲା ବିଜେଡି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ହାସଲ ପାଇଁ ଗଠିତ ହୋଇଥିବା ଦଳ ଆଜି ୨୨ ବର୍ଷ ପୂରଣ କରି ୨୩ ବର୍ଷରେ ପାଦ ଥାପିଛି । ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପଟ୍ଟନାୟକ ପ୍ରଥମରୁ ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ତାଙ୍କର ଦକ୍ଷ ନେତୃତ୍ୱ ଦଳକୁ ଗତ ୨ ଦଶନ୍ଧି ମଧ୍ୟରେ ବହୁ ଆଗକୁ ନେଇଛି । ୨୦୦୦ ମସିହାରୁ ୨୦୧୯ ଯାଏଁ ଲଗାତର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି ବିଜେଡି।
ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ ସ୍ୱପ୍ନକୁ ନେଇ ଗଠିତ ହୋଇଥିବା ବିଜେଡି ଆଜି ବି ସ୍ୱତନ୍ତ୍ରତା ବଜାୟ ରଖିଛି । ରାଜ୍ୟର ସ୍ୱାର୍ଥ ପାଇଁ ଦଳ ଜାତୀୟ ସ୍ତରରେ ସ୍ୱର ଉତ୍ତୋଳନ କରିଛି । ନବୀନଙ୍କ ଶାସନରେ ବଦଳିଛି ଓଡ଼ିଶାର କଳେବର ।
ଆଜି ରାଜ୍ୟ କାର୍ଯ୍ୟାଳୟ ସହିତ ଜିଲ୍ଲା ଓ ବ୍ଲକ ସ୍ତରରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ସୂର୍ଯ୍ୟ ପରାଗ ପାଇଁ କାର୍ଯ୍ୟକ୍ରମ ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ଣରୁ ଆରମ୍ଭ ହେବ ।
ଉଷୁମ ପାଣିରେ ସୁଣ୍ଠି ମିଶାଇ ପିଇଲେ ଦୂର ହେବ ଏହି ସବୁ ସମସ୍ୟା
ଆପଣଙ୍କର ଛାତିରେ କଫ ଜମୁଛି କି ? ଶୀତ ଦିନେ ଆଜମା, କାଶ କାରଣରୁ ଅସୁବିଧା ଭୋଗୁଛନ୍ତି କି ? ଯଦି ଏଭଳି କିଛି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଉଷୁମ ପାଣିରେ ସୁଣ୍ଠି ଗୁଣ୍ଡ ମିଶାଇ ପିଅନ୍ତୁ । ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍ ଭାବେ କାର୍ଯ୍ୟ କରିଥାଏ ।
ଏହାଦ୍ୱାରା ଫୁସ୍ଫୁସ୍ରେ ଜମିଥିବା କଫ ତରଳି ବାହାରି ଯାଇଥାଏ । ଫଳରେ କାଶରୁ ମୁକ୍ତି ମିଳେ । ଆଜ୍ମା ରୋଗୀ ସକାଳୁ ଏପରି ନିୟମିତ କଲେ ଏଥିରୁ ମୁକ୍ତି ମିଳେ । ଉଷୁମ ପାଣି ସକାଳୁ ପିଇଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ଏହାଦ୍ୱାରା ହାର୍ଟ ଆଟାକ୍ର ଆଶଙ୍କା ଦୂର ହୁଏ । ଶୁଣ୍ଠି ବଦହଜମୀ, ଏସିଡିଟିରୁ ଦୂରେଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିୟମିତ ଏପରି କଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ । ସେହିପରି କିଡ୍ନୀ ସମସ୍ୟାରୁ ଏହା ଦୂରେଇ ରଖିଥାଏ ।
ଏୟାରଟେଲ ଆଣିଲା ଭୋ ଓ୍ୱାଇ ଫାଇ ସେବା, ମୋବାଇଲରେ ବାଲାନ୍ସ ନପକାଇ କଥା ହେବେ ଘଣ୍ଟା ଘଣ୍ଟା
ନୂଆଦିଲ୍ଲୀ: ଆପଣଙ୍କ ଫୋନରେ ନେଟଓ୍ୱର୍କ ପ୍ରୋବ୍ଲେମ ଅଛି କି ? କଥା ହେଲା ବେଳେ ଫୋନ ଅଧାରୁ କଟିଯାଉଛି କି ? କିମ୍ବା ବେଳେ କଥା ଛାଡ଼ି ଛାଡ଼ି ଶୁଭୁଛି କି ? ଯଦି ଏଭଳି ହେଉଛି ତେବେ ଜାଣନ୍ତୁ ଆପଣଙ୍କ ଫୋନ ଖରାପ ନେଟ୍ଓ୍ୱର୍କ ଦେଇ ଗତିକରୁଛି । କିନ୍ତୁ, ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏଥର ଫୋନରେ କଥା ହେବା ପାଇଁ ନେଟ୍ଓ୍ୱର୍କ କି ବାଲାନ୍ସର ଆବଶ୍ୟକତା ପଡ଼ିବ ନାହିଁ ।

ଆପଣ ବିନା ଫୋନ ନେଟଓ୍ୱର୍କରେ ବି ଅନ୍ୟ ଜଣଙ୍କ ସହ କଥା ହେଇପାରିବେ । କାରଣ ଟେଲିକମ୍ ଦୁନିଆକୁ ଆସିଛି ଏୟାରଟେଲର ଭୋ ଓ୍ୱାଇ ଫାଇ । ଏହାଦ୍ୱାରା ଗ୍ରାହକ ମାନେ ବିନା ନେଟଓ୍ୱର୍କରେ ଓ୍ୱାଇ ଫାଇ ଦ୍ୱାରା କଥା ହେଇପାରିବେ । ସାରା ଦେଶରେ କଲ ଦରରେ ବୃଦ୍ଧି ନେଇ ଗ୍ରାହକଙ୍କ ନିଦ ହଜିଥିବା ବେଳେ ଏୟାରଟେଲର ଏହି ବ୍ୟବସ୍ଥା ଗ୍ରାହକ ମାନଙ୍କ ମଧ୍ୟରେ ଟିକେ ସାନ୍ତ୍ୱନା ଦେଇଛି ।

ଏୟାରଟେଲ ହେଉଛି ଏକମାତ୍ର ଅପରେଟର ଯିଏ ଏହି ସେବା ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ କରିଛି । ଗ୍ରାହକ ମାନେ ଏଥର ବିନା ସେଲୁଲାର ନେଟଓ୍ୱର୍କରେ କଲ୍, ଏସ୍ଏମ୍ଏସ୍, ଏମ୍ଏମ୍ଏସ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ । କାରଣ ଆପଣ ଏସବୁ ଏୟାରଟେଲର ଭୋ ଓ୍ୱାଇଫାଇ ସେବା ଦ୍ୱାରା କରିପାରିବେ ।

ଏହି ସେବା ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ଓ୍ୱାଇ ଫାଇର ସେବା ମଧ୍ୟରେ ରହିବାକୁ ପଡ଼ିବ । ସବୁଠାରୁ ବଡ଼କଥା ହେଉଛି ଏହି ସୁବିଧା ପାଇଁ ଆପଣଙ୍କ ଫୋନରେ ଓ୍ୱାଇ ଫାଇ କଲିଂର ରହିବା ନିହାତି ଆବଶ୍ୟକ । ଆପଣ ଫୋନରେ କଥା ହେଉଥିବା ସମୟରେ ନେଟଓ୍ୱର୍କ ପ୍ରୋବ୍ଲେମ ରହିଲେ ଏହା ଅଟୋମେଟିକ୍ ଓ୍ୱାଇ ଫାଇ ନେଟଓ୍ୱର୍କକୁ କନଭର୍ଟ ହେଇଯିବ । ଏଥିପାଇଁ ଆପଣଙ୍କୁ ଫୋନରେ ଭୋଲଟି ଏବଂ ଓ୍ୱାଇପାଇ କୁ ଅନ୍ କରି ରଖିବାକୁ ପଡ଼ିବ ।

ଏହି ସେବାକୁ ସେହି ମାନେହିଁ ବ୍ୟବହାର କରିପାରିବେ ଯେଉଁ ମାନଙ୍କ ପାଖରେ ଏୟାରଟେଲ ସିମ କାର୍ଡ ଏବଂ ଏୟାରଟେଲ ଏକ୍ସଟ୍ରିମ ହୋମ ବ୍ରଡବ୍ୟାଣ୍ଡ ଲଗାଇଥିବେ । ଯେଉଁ ଫୋନରେ ଓ୍ୱାଇଫାଇ କଲିଂର ସୁବିଧା ଥିବ ସେହି ମାନେ କେବଳ ଏହି ସେବାକୁ ବ୍ୟବହାର କରିପାରିବେ ।
ମଦ ଦୋକାନରେ ନିଆଁ ଲଗାଇ ଦେଲେ ମହିଳା
ଆସିକା: ମଦ ବିକ୍ରିକୁ ନେଇ ଦୀର୍ଘ ଦିନର ପୂଞ୍ଜିଭୂତ ଅସନ୍ତୋଷ ଆଜି ନିଆଁରେ ପରିଣତ ହୋଇଛି । ସଂସାରକୁ ଛାରଖାର୍ କରି ଦେଉଥିବା ମଦ ଦୋକାନକୁ ଭାଙ୍ଗିବା ସହ ଜାଳି ଦେଇଛନ୍ତି ଶହ ଶହ ମହିଳା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗାଁରେ ଥିବା ବିଦେଶୀ ଦୋକନରେ ମହିଳାମାନେ ପୋଡ଼ି ଦେଇଛନ୍ତି ।
ଗାଁରେ ମଦ ଦୋକାନ ଥିବାରୁ ମହିଳାମାନେ ସବୁବେଳେ ପ୍ରତିବାଦ କରୁଥିଲେ । ଏଥିଯୋଗୁଁ ପ୍ରାୟତଃ ଗାଁରେ ଗଣ୍ଡଗୋଳ ହେଉଥିଲା । ମଦ ଦୋକାନ ଭଙ୍ଗାରୁଜା ପୋଡ଼ାଜଳା ପରେ ଏବେ ଗାଁରେ ସ୍ଥିତି ଗମ୍ଭୀର ରହିଛି ।
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ଜମ୍ମୁ ଓ କଶ୍ମୀରର ପ୍ରତିନିଧି ଦଳ
ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ପାହାଡ଼ି ସଂପ୍ରଦାୟର ଏକ ୧୧ ଜଣିଆ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ମଧ୍ୟ ଭେଟିଥିଲେ । କାଶ୍ମୀରରେ ପାହାଡୀ କଥାବାର୍ତ୍ତା କରୁଥିବା ସଂପ୍ରଦାୟର ଲୋକଙ୍କୁ ଅନୂସୂଚିତ ଜାତିର ମାନ୍ୟତା ଦେବାକୁ ସେମାନେ ଦୀର୍ଘବର୍ଷ ହେବ ଦାବି କରିଆସୁଛନ୍ତି ।
୧୯୮୯ ମସିହାରୁ ଜମ୍ମୁ ଓ କଶ୍ମୀରର କିଛି ସଂପ୍ରଦାୟକୁ ଏସଟି ମାନ୍ୟତା ଦେବାକୁ ସୁପାରିସ୍ ହୋଇଥିବା ବେଳେ କେନ୍ଦ୍ର ସରକାର ସେ ଦିଗରେ କିଛି ପଦକ୍ଷେପ ନେଉନଥିବା ପ୍ରତିନିଧି ଦଳ କହିଛନ୍ତି ।
ଆସିକା: କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗାଁରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ମେଳି ବାନ୍ଧି ବିଦେଶୀ ମଦ ଦୋକାନ ଭାଙ୍ଗିବା ସହ ନିଆଁ ଲଗାଇ ଦେଲେ ଶହ ଶହ ମହିଳା ।
ଆସିକା: କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗାଁରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ମେଳି ବାନ୍ଧି ବିଦେଶୀ ମଦ ଦୋକାନ ଭାଙ୍ଗିବା ସହ ନିଆଁ ଲଗାଇ ଦେଲେ ଶହ ଶହ ମହିଳା ।
କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇବାକୁ ଏସ୍ପି ସାରା ଶର୍ମାଙ୍କ ଉନ୍ନତ ପଦକ୍ଷେପ
ଗଜପତି: ଗଜପତି ଏସ୍ପିଙ୍କ ପୁଣି ଏକ ଜନହିତକର ପଦକ୍ଷେପ । କିନ୍ନରଙ୍କୁ ସ୍ୱାବଲମ୍ବୀ କରିବାକୁ ମୁଖ୍ୟ ଚିକତ୍ସାଳୟ ଆଗରେ ସୁରଭି ଓମଫେଡ୍ ପାର୍ଲର ଖୋଲିଛନ୍ତି ଏସ୍ପି ସାରା ଶର୍ମା । ଏସ୍ପିଙ୍କ ଅନୁରୋଧ କ୍ରମେ କିଛି ବଦାନ୍ୟ ବ୍ୟକ୍ତି ପାର୍ଲର ପାଇଁ ଅର୍ଥ ପ୍ରଦାନ କରିଥିଲେ ।

ଏହି ଅର୍ଥରେ ନିର୍ମାଣ ହୋଇଛି ସୁରଭି ଓମଫେଡ୍ ପାର୍ଲର । ଆଠ ଜଣ କିନ୍ନର ଏହି ପାର୍ଲରରେ ୨୪ ଘଣ୍ଟା ଓମଫେଡ୍ ବିକ୍ରି କରିବା ସହ ରୋଗୀଙ୍କୁ ଗରମ ପାଣି ଓ ଚିକିତ୍ସାରେ ସାହାଯ୍ୟ ଯୋଗାଇବେ । ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ କାର୍ଯ୍ୟକ୍ରମରେ ଯୋଗଦେଇ ଓମଫେଡ୍ ପାର୍ଲରକୁ ଉଦଘାଟନ କରିଛନ୍ତି ।

ବିଧାୟକ ପାଣ୍ଠିରୁ ୩ ଲକ୍ଷ ଏବଂ ସାଂସଦଙ୍କ ପାଣ୍ଠିରୁ ୨ ଲକ୍ଷ ସହାୟତା ରାଶି ଏହି ପାର୍ଲର ପାଇଁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ସେପଟେ କିନ୍ନରଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନର ସହ ବଞ୍ଚିବାକୁ ସହଯୋଗ କରିଥିବାରୁ ଏସ୍ପିଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ କିନ୍ନର ।


