ବିଶ୍ୱକୁ ଘାରିଛି ଭାଇରସ୍ ଭୟ । ୨୪ଘଣ୍ଟାରେ ଗଲାଣି ୩ଶହରୁ ଅଧିକ ଜୀବନ । କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ମଧ୍ୟ ଆକ୍ରାନ୍ତ ହୋଇଥିବା ସୂଚନା । ସେପଟେ ଭାଇରସ ଭୟରେ ବିଶ୍ୱ ନେତା ଆପଣାଇଲେ ‘ନମସ୍ତେ’ ।
କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ
ରାୟଗଡ଼ା: ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରସାରଣ କରି ଯୁବକ ଗିରଫ । ସମ୍ପୃକ୍ତ ଯୁବକ ହେଲେ ସତ୍ୟନାରାୟଣ ସାମଲ । ଯୁବକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ ଗିରଫ କରିଛି । ସତ୍ୟନାରାୟଣ ଗତକାଲି ସୋସିଆଲ ମଡିଆରେ ଏଭଳି କଛି ଲେଖିଥିଲେ ।

ରାୟଗଡ଼ାରେ ପହଞ୍ଚିଲା କରୋନା ଭାଇରସ । କାଶୀପୁରରେ ଜଣେ କରୋନା ରୋଗରେ ଆକ୍ରାନ୍ତ । କେରଳରୁ ଫେରିଥିଲା ଦାଦନ ଶ୍ରମିକ । ରାୟଗଡା ମୁଖ୍ୟ ଚିକିତ୍ସାଲୟରେ ଭର୍ତି । ଏଭଳି ମିଛ ସୂଚନା ସୋସିଆଲ ମିଡ଼ିଆରେ ଭାଇରାଲ କରି ଲୋକଙ୍କୁ ଭୟଭୀତ କରୁଥିଲା ଯୁବକ । ଏନେଇ ଯୁବକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ସୂଚନା ଦେଇଛନ୍ତି ।

ନେଗେଟିଭ୍ ଆସିଲା ଓଡ଼ିଶାରେ କରୋନା ଭାଇରସ୍ ରକ୍ତ ନମୂନା
ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟରେ ବଞ୍ଚୁଛି । କାହା ସାଙ୍ଗରେ ହାତ ମିସାଇବା ପୂର୍ବରୁ ଶହେଥର ଭାବିବାକୁ ପଡ଼ୁଛି । ଲୋକେ ଘର ବାହାରକୁ ଯିବାପାଇଁ ମଧ୍ୟ ଭୟ କରୁଛନ୍ତି । ଏଭଳି ସମୟରେ ସାରା ବଶ୍ୱ କରୋନାରୁ ବଞ୍ଚିବା ପାଇଁ ବିଭିନ୍ନ ପଦକ୍ଷେ ଆପଣଉଛି ।
ଓଡିଶା ବି ଗ୍ରହଣ କରିଛି ସତର୍କତା ମୂଳକ ପଦକ୍ଷେପ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଆଉ ୟାରି ଭିତରେ ପରୀକ୍ଷା କରାଯାଇଥିବା ସବୁ ନମୁନା ନେଗେଟିଭ ଆସିଛି । ଯାହାଫଳରେ ଓଡ଼ିଶାକୁ ଏହି କରୋନା ଭୟରୁ ମୁକ୍ତି ମିଳିଛି ।
କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇ ଥିବା ନମୂନା ସବୁ ନେଗେଟିଭ ଆସିଛି । ୨୧ ନମୂନା ମଧ୍ୟରୁ ସମସ୍ତ ନମୂନା ନେଗେଟିଭ ଆସିଛି । ସେପଟେ ଓଡ଼ିଶାରେ ମୋଟ ୧୪୧ ଜଣ ନିରୀକ୍ଷଣରେ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏସିଆ ବୁକ ଅଫ ରେକର୍ଡ ପାଇଁ ଯୋଗ୍ୟ ବିବେଚିତ ହେଲେ ୪ବର୍ଷର କୁନି ଝିଅ
ଝାରସୁଗୁଡା: ସରବାହାଲର ବିସ୍ମୟ ବାଳିକା ଗୁରୁସିନ କୈାର ଚାୱଲା । ବୟସ ମାତ୍ର ଚାରି ବର୍ଷ , ହେଲେ ନିଜର ବିସ୍ମୟ ପ୍ରତିଭା ଯୋଗୁ ବେଶ ପରିଚିତ । ଆମେ କହୁଛୁ ଝାରସୁଗୁଡାର ଚାରି ବର୍ଷର କୁନି ଝିଅ ଗୁରୁସିନ କୈାର ଚାବଲାଙ୍କ ବିସୟରେ ଯିଏ କି କର୍ଷିଭ ରାଇଟିଂରେ ଏସିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି ନିଜ ନାମରେ ।

ବୟସ ମାତ୍ର ଚାରି ବର୍ଷ । ହେଲେ ଭିତରେ ରହିଛି ଅନନ୍ୟ ପ୍ରତିଭା । କର୍ଷିଭ ରାଇଟିଂରେ ଏସିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି ଝାରସୁଗୁଡାର ଏହି କୁନି ଝିଅ ଗୁରୁସିନ କୈାର ଚାୱଲା । ସରବାହାଲ ଅଞ୍ଚଳର ଗୁରପ୍ରୀତ ସିଂ ଚାୱଲାଙ୍କ ଝିଅ ଗୁରୁସିନ । ଦିନକୁ ଘଣ୍ଟାଟିଏ ସମୟ ବାହାର କରି ସୁନ୍ଦର ଭାବେରେ କର୍ଷିଭ ରାଇଟିଂ ଲେଖି ସେ ସମସ୍ତଙ୍କୁ ଚକିତ କରିଛନ୍ତି । ପିଲାଦିନରୁ ଝିଅର ଏଭଳି କଳା ଦେଖି ପରିବାର ଲୋକେ ଝିଅକୁ ଆଗକୁ ଯିବା ପାଇଁ ଶିକ୍ଷାଦାନ ମଧ୍ୟ ଦେଇ ଆସୁଛନ୍ତି । ଝିଅର ଏଭଳି ଦକ୍ଷତା ପାଇଁ ବାପା ମା’ ବେଶ ଖୁସି ଥିବା ବେଳେ ଆଗକୁ କିଭଳି ନା କରିବ ସେ ନେଇ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।

ଗୁରୁସିନ୍ ଙ୍କ ଦକ୍ଷତା ଦେଖିବା ପରେ ପ୍ରଥମେ ଇଣ୍ଡିଆ ବୁକ ଅଫ ରେକର୍ଡରେ ଅନଲାଇନ ପଞ୍ଜିକତ କରାଇଥିଲେ ମା’ । ପରିବର୍ତ୍ତି ସମୟରେ ଡିସେମ୍ବର ମାସରେ ଏସିଆ ବୁକ ଅଫ ରେକର୍ଡ ହାସଲ ନିମନ୍ତେ ଆବେଦନ କରିଥିଲେ । ଏହାପରେ ଅନଲାଇନ ମାଧ୍ୟରେ ଗୁରୁସିନଙ୍କର ଟେଷ୍ଟ ନିଆଯାଇଥିଲା । ତା ପରେ ପରେ ଏହି ରେକର୍ଡ ହାସଲ କରିଥିଲେ ଗୁରୁସିନ ।
ଏହି ଚାରି ବର୍ଷର ବିସ୍ମୟୀ ବାଳିକା ଗୁରୁସିନ କୈାର ଚାୱଲା ନିଜ ପ୍ରତିଭା ଯୋଗୁ ଏସିଆ ବୁକ ଅଫ ରେକର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଗକୁ ମଧ୍ୟ ନିଜର ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି ପରିବାର ଲୋକେ ।
ବାଇକ୍ ଚୋର ମାଡ଼କୁ ଭୟ କରି ବ୍ରିଜରୁ ନଦୀକୁ ଡ଼େଇଁପଡ଼ିଲା
ସମ୍ବଲପୁର: ଜୀବନ ବିକଳରେ ବ୍ରିଜ୍ ତଳକୁ ଡ଼େଇଁଲା ବାଇକ୍ ଚୋର । ଲୋକଙ୍କ ଠାରୁ ମାଡ଼ ଭୟରେ ଡ଼େଇଁପଡ଼ିଲା ଚୋର । ଏଭଳି ଏକ ଘଟଣା ଦେଖିବକୁ ମିଳିଛି ସମ୍ବଲପୁର କଚେରି ଛକ ନିକଟରେ । ଗୁରୁତର ଅବସ୍ଥାରେ ପୋଲିସ ପହଂଚି ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ଡାକ୍ତରଖାନା ରେ ଭତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶି ଙ୍କ କହିବା ଅନୁସାରେ ଆଜି ସଂଧ୍ୟାରେ ମାନେଶ୍ୱର ସର୍ଗିପାଲି ର ସୁରେଶ ଭୋଇ ନାମକ ଜଣେ ଯୁବକ ଏକ ପଲସର ୨୨୦ ବାଇକ ଚୋରି କରିବା ପାଇଁ ଆସିଥିଲା । ଚୋରି କରିବା ସମୟରେ ଲୋକମାନେ ଏହା ଜାଣି ପାଣି ତାକୁ ଧରିବା ପାଇଁ ଗୋଡ଼ାଇଥିଲା ।

ଲୋକଙ୍କ ପାଖରେ ଧରାପଡ଼ି ମାଡ଼ ଖାଇବା ଭୟରେ ବ୍ରିଜ ଉପରୁ ନଦୀକୁ ଡ଼େଇଁ ପଡ଼ିଥିଲା । ଏହି ଘଟଣା ପରେ ସମ୍ବଲପୁର ମହାନଦୀ ଦ୍ୱିତୀୟ ସେତୁ ଚାଉଁରପୁର ବ୍ରିଜ ନିକଟରେ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଲିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଓ ପୋଲିସ ପହଞ୍ଚି ତାକୁ ଆହତ ବାଇକ ଚୋର କୁ ଉଦ୍ଧାର କରିଛନ୍ତି । ଅନ୍ୟ ପଟେ ବ୍ରିଜ ଉପରୁ ଡେଇବା ପରେ ବାଇକ ଚୋର ଯୁବକ ଗୁରୁତର ଥିବା ବେଳେ ତାକୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନା ରେ ଭତ୍ତି କରାଯାଇଛି ।

ଏବେ ବି କୁନି ପାଦରେ ଅଳତା ଆଉ ମଥାରେ ସିନ୍ଦୁର ପିନ୍ଧିବାକୁ ବାଧ୍ୟ ହେଉଛନ୍ତି
ନବରଙ୍ଗପୁର: ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ଏକ ବ୍ୟାଧିରେ ପରିଣତ ହୋଇଛି । ସମସ୍ତ ସରକାରୀ ସଚେତନତା ଓ କଟକଣା ଫେଲ ମାରୁଛି । ପ୍ରାପ୍ତ ବୟସ ପୂର୍ବରୁ ନାବାଳିକା ଓ ନାବାଳିକାଙ୍କୁ ବିବାହ କରାଯାଉଛି । ସାମାଜିକ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଏହି କୁସଂସ୍କାରକୁ ରୋକିବାକୁ ପ୍ରୟାସ କରାଯାଉଛି ।

ନବରଙ୍ଗପୁର ଜିଲ୍ଲାରେ ବେଲଗାମ ଭାବେ ବଢି ଚାଲିଛି ବାଲ୍ୟ ବିବାହ ପ୍ରଥା । କାଗଜ କଲମରେ ଅଟକିଯାଇଛି ସରକାରୀ ନିୟମ ଓ ସଚେତନତା । ଏହି କୁସଂସ୍କାରକୁ ରୋକିବା ପାଇଁ ସରକାରୀ ସ୍ତରରେ ବହୁ ପ୍ରୟାସ କରାଯାଉଛି । କିନ୍ତୁ ଆଦିବାସୀ ସଂପ୍ରଦାୟର ଜିଦ୍ ଆଗରେ ହାର ମାନୁଛି ସଚେତନତା ।
ବିଭିନ୍ନ ସମୟରେ ଏଭଳି ଘଟଣା ସାମନାକୁ ଆସୁଛି । ପୋଲିସ ଓ ସିଡବ୍ଲୁସି ସହାୟତାରେ ଏହି କୁପ୍ରଥା ରୋକିବାକୁ ପ୍ରୟାସ କରାଯାଉଛି । ଗତ ତିନି ବର୍ଷରେ ଜିଲ୍ଲାରେ ୬୩ଜଣ ନାବାଳାକ ଓ ନାବାଳିକାଙ୍କ ବିବାହ ରୋକାଯାଇଛି । କୁସଂସ୍କାରକୁ ରୋକିବାପାଇଁ ସରକାରୀ ନିୟମକୁ କଡ଼ାକଡ଼ି କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି । କେବଳ ସଚେତନତା ମାଧ୍ୟମରେ ହିଁ ବାଲ୍ୟ ବିବାହକୁ ରୋକାଯାଇପାରିବ ।
ଓଡିଆ ଝିଅ, ହରିୟାଣା ବୋହୂ: ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କ ହାତ ଧରିଲେ ହରିଆଣା ଯୁବକ
ବରଗଡ଼: ବରଗଡରେ ଅନାଥ ଯୁବତୀଙ୍କୁ ମିଳିଲା ଆଶ୍ରା । ଦିବ୍ୟାଙ୍ଗ ଓ ଅସହାୟ ଯ଼ୁବତୀଙ୍କ ହାତ ଧରିଲେ ହରିଆଣା ଯ଼ୁବକ। ବୈଦିକ ରୀତିନିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସାତ ଜନ୍ମର ସାଥୀ ହେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବରଗଡ଼ରୁ ଆସିଛି ଏଭଳି ଏକ ଭଲ ଖବର ।

ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କୁ ଜୀବନ ସାଥୀ ରୂପେ ବାଛିନେଇଛନ୍ତି ହରିଆଣାର ଜଣେ ଯୁବକ । ବୈଦିକ ରୀତିନିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏମାନେ । ନା ବାଜିଛି ବାଜା, ନା ଫୁଟିଥିଲା ବାଣ । କିନ୍ତୁ ମନ୍ତ୍ରପାଠ ପରେ ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇ ସାତ ଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବରଗଡ଼ରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି । ସ୍ଥାନୀୟ ଅନାଥ ଆଶ୍ରମର ଜଣେ ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କୁ ଜୀବନ ସାଥୀ ରୂପେ ବାଛିନେଇଛନ୍ତି ହରିଆଣାର ଜଣେ ଯୁବକ ।
ବରଗଡ଼ ଶିଶୁ କଲ୍ୟାଣ ସମିତି ଓ ସମାଜସେବୀଙ୍କ ସହାୟତାରେ ବିବାହ ସଂପନ୍ନ ହୋଇଛି । ଅନାଥ, ଅସହାୟ ଓ ଦିବ୍ୟାଙ୍ଗ ଯୁବତୀଙ୍କୁ ଜୀବନ ସାଥୀ ଭାବେ ବାଛି ନେଇଥିବା ଧନବୀରଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । କନ୍ୟା ସସ୍ମିତାଙ୍କ ସୁନ୍ଦର ଜୀବନର କାମନା କରିଛନ୍ତି ସମସ୍ତେ ।
ମୋଦିଙ୍କ କର୍ମଚାରୀଙ୍କୁ ଉପହାର
ନୂଆଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ ଭୟ ଲାଗି ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଖୁସିର ଖବର । କେନ୍ଦ୍ର ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଛନ୍ତି । ପିଛିଲା ଭାବେ ଏହା ଜାନୁଆରୀରୁ ଲାଗୁ ହୋଇଛି । ମାର୍ଚ୍ଚ ମାସର ଦରମା ସହ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବା ବର୍ଦ୍ଧିତ ଭତ୍ତା । ସରକାରଙ୍କ ଏହି ନିଷ୍ପତି ପରେ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ୬୫ ଲକ୍ଷ ପେନସନ୍ଧାରୀ ଉପକୃତ ହୋଇଛନ୍ତି । ଆଜି ବସିଥିବା କ୍ୟାବିନେଟ ମିଟିଂରେ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବରେ ସରକାର ମୋହର ମାରିଛନ୍ତି । ଏଥିପାଇଁ ସରକାରଙ୍କ ଉପରେ ୧୪ ହଜାର ୫୯୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିଲା । ଏନେଇ ସଂସଦରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଜବାବ ରଖିଥିଲେ ।
ଚୁଟି ଲମ୍ବା ଥିବାରୁ ସ୍କୁଲ୍ରେ ଆଣ୍ଠେଇ ଦେଲେ ପ୍ରଧାନଶିକ୍ଷୟତ୍ରୀ
ବାରିପଦା: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ଚୁଟି ଲମ୍ବା ଓ ପାଚି ଯାଇଥିବାରୁ ସ୍କୁଲ୍ର ପ୍ରାର୍ଥନା ସଭାରେ ଛାତ୍ରଙ୍କୁ ଆଣ୍ଠେଇଲେ ପ୍ରଧାନଶିକ୍ଷୟତ୍ରୀ । ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲରୁ ଆସିଛି ଏହି ଅଭିଯୋଗ । ଘଟଣାକୁ ନେଇ ଟାଉନ୍ ଥାନାରେ ମାମଲା ରୁଜୁ କରିଛନ୍ତି ଛାତ୍ରଙ୍କ ମା’ । ନ୍ୟାୟ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଛନ୍ତି ମହିଳା ।
ଚୁଟି ଲମ୍ବା ଓ ଧଳା ହୋଇଯାଇଥିବାରୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ଏବଂ ଶିକ୍ଷକ ଗୋବିନ୍ଦ ରାଉତ ନବମ ଶ୍ରେଶୀର ଜଣେ ଛାତ୍ରଙ୍କୁ ସବୁ ପିଲାଙ୍କ ସାମ୍ନାରେ ଆଣ୍ଠେଇବା ପାଇଁ କହିଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଘଟଣାକୁ ନେଇ ଛାତ୍ରଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ବେଳେ ସେ ଗତକାଲି ଇଂରାଜୀ ପରୀକ୍ଷାରେ କିଛି ଲେଖିପାରିନଥିବା ଅଭିଯୋଗ କରିଛନ୍ତି ଛାତ୍ରଙ୍କ ମା’ । ସେପଟେ ବ୍ୟକ୍ତିଗତ ଭାବେ ଘଟଣାର ତଦନ୍ତ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।
ଭୁବନେଶ୍ୱର: କରୋନା ପାଇଁ ମାର୍ଚ୍ଚା ୩୧ ଯାଏଁ ବନ୍ଦ ରହିବ ପ୍ଲାନେଟୋରିୟମ୍ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ ସହ ବୁର୍ଲା ଡକ୍ଟର ଏପିଜେ କଲାମ ପ୍ଲାନେଟୋରିୟମ ବନ୍ଦ ରହିବ । ସୂଚନା ଦେଲେ ପଠାଣି ସାମନ୍ତ ପ୍ଲାନେଟୋରିୟମ ନିର୍ଦ୍ଦେଶକ ।
ଭୁବନେଶ୍ୱର: କରୋନା ପାଇଁ ମାର୍ଚ୍ଚା ୩୧ ଯାଏଁ ବନ୍ଦ ରହିବ ପ୍ଲାନେଟୋରିୟମ୍ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ ସହ ବୁର୍ଲା ଡକ୍ଟର ଏପିଜେ କଲାମ ପ୍ଲାନେଟୋରିୟମ ବନ୍ଦ ରହିବ । ସୂଚନା ଦେଲେ ପଠାଣି ସାମନ୍ତ ପ୍ଲାନେଟୋରିୟମ ନିର୍ଦ୍ଦେଶକ ।

