spot_img
Home Blog Page 6796

ଲୋକଙ୍କ ଚିନ୍ତା ଗାଁ ଭାସିଯିବ ! ନଦୀରେ ନାହିଁ ବନ୍ଧ…

ଯାଜପୁର: ଲୋକଙ୍କ ଚିନ୍ତା ବଢାଇଛି ଖରସ୍ରୋତା ନଦୀ । ବନ୍ୟା ଜଳରେ ନଦୀ ଗର୍ଭକୁ ଭାସିଯିବ ପୁରା ଗାଁ । କାରଣ ଗାଁ କୁ ସୁରକ୍ଷା ଦେବାକୁ ନାହିଁ ନଦୀ ବନ୍ଧ । ଫଳରେ ଆତଡା ଖାଇବା ସହ ଧିରେ ଧିରେ ନଦୀ ଗର୍ଭକୁ ଚାଲିଗଲାଣି ପୁରା ଗାଁ । ଯାହାକୁ ନେଇ ଏବେ ଆତଙ୍କରେ ଯାଜପୁର କୋରାଇ ବ୍ଳକ ବଡ଼ତ୍ରିଲୋଚନପୁର ଗାଁ ଲୋକେ ।

ନଦୀର ସ୍ରୋତ ଦେଖି ଛାନିଆ ଲୋକେ । ନଦୀବନ୍ଧ ନଥିବାରୁ ବଢୁଛି ବିପଦ । ପ୍ରତିବର୍ଷ ବର୍ଷାଦିନ ଆସିଲେ ଯାଜପୁର ଜିଲ୍ଲା କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତ ବଡତ୍ରିଲୋଚନପୁର ଗାଁ ଲୋକଙ୍କ ଚିନ୍ତା ବଢିଯାଏ । ଅନେକ ସମୟରେ ଖରସ୍ରୋତାର ପ୍ରଖର ସ୍ରୋତରେ କ୍ଷତିଗ୍ରସ୍ତ ହୋଇଥାନ୍ତି ଏଠାକାର ବାସିନ୍ଦା । ଗାଁକୁ ସୁରକ୍ଷା ଦେବାକୁ ବନ୍ଧ ନଥିବାରୁ ପ୍ରତିବର୍ଷ ଅତଡା ଖାଇ ଗାଁ ପ୍ରତି ବିପଦ ସୃଷ୍ଟି କରୁଛି । ଧନଜୀବନ ସହ ଫସଲ ଉଜାଡ଼ି ଦେଉଛି ନଦୀ । ତେଣୁ ତୁରନ୍ତ ଏଠାରେ ପଥର ପ୍ୟାକିଂ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଖରସ୍ରୋତାର ଏହି ଶାଖା ନଦୀ କୂଳରେ ବସବାସ କରନ୍ତି ପ୍ରାୟ ୨୦୦ରୁ ଉର୍ଦ୍ଧ ପରିବାର । ଏଭଳି ସମସ୍ୟା ପାଇଁ ପୂର୍ବରୁ ଅନେକ ପରିବାର ଗାଁ ଛାଡି ଚାଲି ଗଲେଣି । ସେପଟେ ଏନେଇ ଜଳ ସଂପଦ ବିଭାଗକୁ ଅବଗତ କରାଯାଇଛି, ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ।

(ବିକ୍ରମ କେଶରୀ ସାହୁ)

ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ଭ୍ରମିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ପକ୍କାଘର ନିର୍ମାଣ ପାଇଁ ବିଜେପି ଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ଓଡ଼ିଶାକୁ ପୁରସ୍କୃତ କରୁଛି । ଅନ୍ୟପଟେ ଓଡ଼ିଶା ବିଜେପି କିନ୍ତୁ ନିୟମିତ ଭାବେ ଏ ସଂକ୍ରାନ୍ତରେ ମିଥ୍ୟା ସୂଚନା ଦେବା ସହିତ ଓଡ଼ିଶାବାସୀଙ୍କୁ ଭ୍ରମରେ ପକାଇବାକୁ ଅପଚେଷ୍ଟା ଚଳାଇଛି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ)ରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟରେ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି ।

ଏଥିରୁ ଜଣାପଡୁଛି ଯେ, ଓଡ଼ିଶାର ବିଜେପି ନେତାମାନେ ବିଜେଡି ସରକାରଙ୍କ ସଫଳ କାର୍ଯ୍ୟ ସମେତ ଦିଲ୍ଲୀରେ ଥିବା ବିଜେପି ନେତୃତ୍ୱାଧିନ ସରକାରଙ୍କ କାର୍ଯ୍ୟକୁ ବି ପାଶୋରୀ ଦେଉଛନ୍ତି । ଓଡ଼ିଶା ବିଜେପି ନେତାମାନେ ଦିଲ୍ଲୀ ଶାସନରେ ଥିବା ସେମାନଙ୍କ ଦଳୀୟ ସରକାର ଠାରୁ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ସଂଗ୍ରହ କରିବା ସହିତ ରାଜ୍ୟବାସୀଙ୍କୁ ପୁଣିଥରେ ଭ୍ରମିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ଡକ୍ଟର ପାତ୍ର ଆଶା କରିଛନ୍ତି ।

ଡକ୍ଟର ପାତ୍ର କହିଛନ୍ତି ଯେ ଯଦି ଓଡ଼ିଶା ବିଜେପି ନିକଟରେ ଅଭିଯୋଗର କୌଣସି ଠୋସ୍‍ ପ୍ରମାଣ ରହିଛି ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ତାହାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିପାରିବେ । ଯଦି ଏ ସଂକ୍ରାନ୍ତରେ କୌଣସି ପ୍ରମାଣ ନାହିଁ ତେବେ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରିବା ଉଚିତ୍‍ ନୁହେଁ । ଏଭଳି ଦାୟିତ୍ୱହୀନ ଓ ଦୁର୍ଭାଗ୍ୟଜନକ ମନ୍ତବ୍ୟ ଯୋଗୁଁ ଓଡ଼ିଶାବାସୀଙ୍କ ନିକଟରେ ବିଜେପି ତାହାର ବିଶ୍ୱାସ ହରାଉଛି ଓ ଲୋକେ ବାରମ୍ବାର ଏହି ଦଳକୁ ପ୍ରତ୍ୟାଖାନ କରୁଛନ୍ତି । ଏଭଳି ଆଚରଣ ଜାରି ରହିଲେ ଭବିଷ୍ୟତରେ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖାନ କରିବେ ବୋଲି ଡକ୍ଟର ପାତ୍ର ଚେତାଇ ଦେଇଛନ୍ତି ।

୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ JSW

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଉ ଏକ ଭଲ ଖବର । ଆଗାମୀ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ JSW । ଜଗତସିଂହପୁରରେ ପ୍ରତିଷ୍ଠା ହେବ ଇସ୍ପାତ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଏସ୍‌ଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ମଧ୍ୟରେ ଆଲୋଚନା ସମୟରେ କଂପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ, ବିଶେଷ କରି ଜଗତସିଂହପୁର ପ୍ରକଳ୍ପକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା ବେଳେ ଜଏସ୍‌ଡବ୍ଳୁ ଅଧ୍ୟକ୍ଷଙ୍କୁ କହିଛନ୍ତି । ଏଥିସହ ରାଜସ୍ୱ ଆଦାୟ ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜେଏସ୍‌ଡବ୍ଳୁ ଓଡ଼ିଶାରେ ଏକ ଲକ୍ଷ କୋଟି ପୁଞ୍ଜିନିବେଶ ସହ ଆଇଆଇଏମ୍‌ ସମ୍ବଲପୁରରେ ଜେଏସଡବ୍ଳୁ ସେଣ୍ଟର ଫର୍ ଡେଭଲେପମେଣ୍ଟ ଷ୍ଟଡିଜ୍ ପ୍ରତିଷ୍ଠା କରିବ ବୋଲି ସୂଚନା ମିଳିଛି ।

ଜଗତସିଂହପୁରର ଜଟାଧାରୀ ମୁହାଁରେ ବାର୍ଷିକ ୧୩.୨ ନିୟୁତ ଟନ୍ କ୍ଷମତା ସଂପନ୍ନ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ଏହିସବୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେବା ସହ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ସୁନ୍ଦରଗଡ଼ର କୋଇଡ଼ାରେ ଶହେ ଶଯ୍ୟା ବିଶିଷ୍ଟ ହସପିଟାଲ୍ ଓ ଏକ ସ୍କୁଲ୍, କଂପାନୀ ପକ୍ଷରୁ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, 5T ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ ।

 

ରାଜ୍ୟରେ ଆଉ ୨୫୧୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୨୫୧୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୨୫୧୯ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୫୬ ହଜାର ୯୨୪ ଜଣ ସୁସ୍ଥ ହୋଇସାରିଛନ୍ତି ।

ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ୨୭୬, ଗଞ୍ଜାମ ୨୩୭, କଟକ ୧୫୨, ରାୟଗଡ଼ା ୧୪୪, ଭଦ୍ରକ ୧୪୦, ସୁନ୍ଦରଗଡ଼ ୧୩୮, କୋରାପୁଟ ୯୮, ପୁରୀ ୯୭, ନୟାଗଡ଼ ୯୬, ବଲାଙ୍ଗିର ୮୫, ଢ଼େଙ୍କାନାଳ ୬୧, କନ୍ଧମାଳ ୬୦, ସମ୍ବଲପୁର ୫୯, ଯାଜପୁର ୫୮, ମୟୂରଭଞ୍ଜ ୫୪, ବରଗଡ଼ ୫୩, ଜଗତସିଂହପୁର ୫୩, ମାଲକାନଗିରି ୫୨, ଯାଜପୁର ୪୨, ନବରଙ୍ଗପୁର ୩୧, କଳାହାଣ୍ଡି ୨୩, କେନ୍ଦ୍ରାପଡ଼ା ୨୨, ଦେଓଗଡ଼ ୧୯, କେନ୍ଦୁଘର ୧୯, ଝାରସୁଗୁଡ଼ା ୧୮, ଅନୁଗୁଳ ୩, ବୌଦ୍ଧରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

https://twitter.com/HFWOdisha/status/1297898805178667008

https://twitter.com/HFWOdisha/status/1297898808911646720

 

କଂଗ୍ରେସରେ ନୂଆ ନୁହେଁ କନ୍ଦଳ, ଏମିତି ବିଦ୍ରୋହ ଉପରେ କାବୁ ପାଇଛନ୍ତି ଗାନ୍ଧି ପରିବାର

ନୂଆଦିଲ୍ଲୀ: ବିଗତ ବର୍ଷରେ ଦେଶର ସବୁଠୁ ବଡ଼ ଦଳ କୁହାଯାଉଥିବା କଂଗ୍ରେସରେ ନେତୃତ୍ୱକୁ ନେଇ ଏବେ ଲାଗି ରହିଛି ସଂକଟ । ଦଳର ୨୩ ବରିଷ୍ଠ ନେତା ଯେଉଁଥିରେ ସାଂସଦ, ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ୍ ଅଛନ୍ତି । ସେମାନେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ନେତୃତ୍ୱ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛନ୍ତି । ଏସବୁକୁ ଦେଖି ସୋନିଆ ପଦ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବଳେ କିଛି କଂଗ୍ରେସ ନେତା ତାଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି । ଏହାକୁ ନେଇ ସୋମବାର କଂଗ୍ରେସ ୱାର୍କିଂ କମିଟି (CWC) ବୈଠକ ମଧ୍ୟ ବସିଛି । ଯେଉଁଥିରେ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଆଗାମୀ ଏକ ବର୍ଷ ରହିବାକୁ ନିଷ୍ପତ୍ତି ନିଆଯାଇଛି ।

CONGRESS

ତେବେ, କଂଗ୍ରେସ ଦଳରେ ଏଭଳି କଥା କିଛି ନୂଆ ନୁହେଁ । ଦଳରେ ପୂର୍ବରୁ ମଧ୍ୟ ଏଭଳି ଶୀତଳ ଯୁଦ୍ଧ ହେଉଥିଲା । ୧୩୪ ବର୍ଷର ପୁରୁଣା ଦଳ କଂଗ୍ରେସରେ ଏମିତି ଅନେକଥର ହୋଇଛି । ଯେତେବେଳେ ବି ଦଳୀୟ ଅସନ୍ତୋଷ ଦେଖାଦେଇଛି । ତାକୁ କଳେବଳେ କୌଶଳ କ୍ରମେ କାବୁ କରାଯାଇଛି । ତେବେ, ଚଳିତଥର କଂଗ୍ରସ ଦଳ ତା ଇତିହାସରେ ସବୁଠୁ ଖରାପ ସମୟ ଦେଇ ଗତି କରୁଥିବା ବେଳେ ନେତୃତ୍ୱକୁ ନେଇ ଦଳରେ ନାନା ମତ ପ୍ରକାଶ ପାଇଛି । ନେହରୁ-ଗାନ୍ଧି ପରିବାରର ନେତୃତ୍ୱ ସଂକଟ ଓ ପ୍ରଶ୍ନ ଘେରରେ ରହିଛି ।

ତେବେ, ଆସନ୍ତୁ ଜାଣିବା କଂଗ୍ରେସ ଦଳରେ ନେତୃତ୍ୱକୁ ନେଇ ଏମିତି କେବେ କେବେ କେମିତି ସୃଷ୍ଟି ହୋଇଥିଲା । ଏବଂ ଦଳୀୟ ଅସନ୍ତୋଷକୁ କଂଗ୍ରେସ କେମିତି ସମ୍ଭାଳିଥିଲା ।

ଜାନୁଆରୀ ୧୯୬୬: ଇନ୍ଧିରା ପ୍ରଧାନମନ୍ତ୍ରୀ ହେବା ପରେ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ମୃତ୍ୟୁ ପରେ ଲାଲ୍ ବହାଦୂର ଶାସ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ପଦରେ ରହିବାର ପାଖାପାଖି ୨ ବର୍ଷ ପରେ ତାଙ୍କ ମୃତ୍ୟୁ ହୋଇଥିଲା । ସେତେବେଳ ଦଳର ଶୀର୍ଷ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପ୍ରଧାନମନ୍ତ୍ରୀ ପଦ ପାଇଁ ଶାସ୍ତ୍ରୀଙ୍କ ପରେ ମୋରାର୍ଜୀ ଦେଶାଇଙ୍କ ନାମ ଆଗରେ ଥିଲା । କିନ୍ତୁ, ସେତେବେଳେ ଦଳର ବରିଷ୍ଠ ନେତା ନେହରୁଙ୍କ ଝିଅ ଇନ୍ଦିରା ଗାନ୍ଧିଙ୍କ ନାଁ ସୁପାରିସ୍ କରିଥିଲେ । ସେବେଠାରୁ କଂଗ୍ରେସରେ ଆରମ୍ଭ ହୋଇଥିଲା ଗାନ୍ଧି ପରିବାରର ପରମ୍ପରା । ଇନ୍ଧିରା ପ୍ରଧାନମନ୍ତ୍ରୀ ହେବା ପାଇଁ ସମର୍ଥନ ହାସଲରେ କାମରାଜଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ଥିଲା । କଂଗ୍ରେସ ଭିତରେ ଦେଶାଇଙ୍କଠାରୁ ଇନ୍ଦିରା ୧୮୦ ଖଣ୍ଡ ଭୋଟରେ ବିଜୟୀ ହେବା ସହ କିଛିଦିନ ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ନଭେମ୍ବର ୧୯୬୯: ରାଜନୀତିରେ ବଢ଼ିଲା ନ୍ଦିରାଙ୍କ ଦଖଲ

୧୯୬୭ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଝଟକା ଲାଗିଥିଲା । ପରେ ଅଧିକାଂଶ ରାଜ୍ୟରେ ମଧ୍ୟ ସମାନ ଫଳ ମିଳିଥିଲା । ଏହାକୁ ନେଇ ଦଳ ଭିତରେ ପାଖାପାଖି ୪ ମାସ ଧରି ଲାଗି ରହିଥିଲା ଅନ୍ତଃ କନ୍ଦଳ । ସେତେବେଳେ କଂଗ୍ରେସ ମୁଖ୍ୟ ଥିବା ନିଜାଲିଙ୍ଗପ୍ପା ୧୯୬୯ ନମ୍ବେମ୍ବରେ ଇନ୍ଧିରା ଗାନ୍ଧିଙ୍କୁ ‘ଗୁଙ୍ଗି ଇଣ୍ଡିଆ’ କହି ଦଳରୁ ବାହାର କରିଥିଲେ । ସେତେବେଳେ ଦଳର ନେତା ୨ ଭାଗ ହୋଇଥିବା ବେଳେ ଗୋଟିଏ ପକ୍ଷ ଇନ୍ଦିରାଙ୍କ ସପକ୍ଷରେ ଥିଲେ ।

ଏହାର କିଛିଦିନ ପୂର୍ବରୁ ବିବି ଗିରିଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚନ କରି ଇନ୍ଦିରା ସମର୍ଥନ ହାସଲ କରି ସାରିଥିଲେ । ଦଳରୁ ବିତାଡ଼ିତ ହେବା ପରେ ମଧ୍ୟ ଦଳର ସଂସଦୀୟ ବୈଠକରେ ଇନ୍ଦିରାଙ୍କୁ ମିଳିଥିଲା ଭରପୂର ସମର୍ଥନ । ଫଳରେ ଦୁଇ ଭାଗରେ କଂଗ୍ରେସ ଦଳ ବିଭକ୍ତ ହୋଇଯିବା ସହ ବାମ ଦଳ ଓ ଡିଏମକେ ସମର୍ଥନରେ ଇନ୍ଦିରା ସରକାର ବଞ୍ଚାଇବାରେ ସଫଳ ହୋଇଥିଲେ । ପରେ ଦଳ ଇନ୍ଦିରାଙ୍କ ନେତୃତ୍ୱରେ ୧୯୭୧ ନିର୍ବାଚନ ଜିତିବାରେ ସଫଳ ହୋଇଥିଲା ।

ମେ ୧୯୮୭: ବିପି ସିଂହଙ୍କ ବିଦ୍ରୋହ

ବୋଫର୍ସ ଦୁର୍ନୀତି ବେଳେ ମଧ୍ୟ କଂଗ୍ରେସ ଦଳ ଭିତରେ ଅନ୍ତରୀଣ କନ୍ଦଳ ଦେଖାଯାଇଥିଲା । ମିନିଷ୍ଟର କ୍ଲିନ୍ କୁହାଯାଉଥିବା ବିପି ସିଂହ ବୋଫର୍ସ ଦୁର୍ନୀତିର ଅଭିଯୁକ୍ତ ଭାବେ ଚର୍ଚ୍ଚିତ ହୋଇଥିଲେ । ପରେ ୧୯୮୭ ମେରେ କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳରୁ ବାହାର କରାଯିବା ପରେ ବିପି ସିଂହ ଜନତା ଦଳ ଗଠନ କରି ରାଜୀବ ଗାନ୍ଧିଙ୍କ ସରକାରକୁ ଚ୍ୟାଲେଞ୍ଜ କରିଥିଲେ ।

ଅନ୍ୟପଟେ ଶାହ ବାନୋ କେସ୍ ପାଇଁ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଆରିଫ୍ ମହମ୍ମଦ ଖାନ୍ ସମେତ ଓଡ଼ିଶାର ବିଜୁ ପଟ୍ଟନାୟକ, କର୍ଣ୍ଣାଟକର ରାମକୃଷ୍ଣ ହେଗଡ଼େ ଭଳି ରାଜ୍ୟର ବଡ଼ ନେତା ମଧ୍ୟ ଜନତା ଦଳରେ ସାମିଲ୍ ହୋଇଥିଲେ । ୧୯୮୯ ନିର୍ବାଚନରେ ରାଜୀବ ଗାନ୍ଧି ପରାଜୟର ସମ୍ମୁଖୀନ ହେବା ସହ ବିଜେପି, ନ୍ୟାସନାଲ ଫ୍ରଣ୍ଟ ସହଯୋଗରେ ସରକରା ଗଢ଼ିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ହୋଇଥିଲେ ବିପି ସିଂହ ।

ମାର୍ଚ୍ଚ ୧୯୯୮: କେସରୀଙ୍କ ବିଦାୟ, ସୋନିଆଙ୍କ ଆଗମନ

ରାଜୀବନ ଗାନ୍ଧିଙ୍କ ହତ୍ୟା ପରେ ସୋନିଆ ଗାନ୍ଧି ରାଜନୀତିରେ ପଡ଼ୁଥିବା ଚାପକୁ ଜାଣି ପାରିଥିଲେ । କିନ୍ତୁ ୧୯୯୮ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ୧୯୯୭ର ଅନ୍ତିମ ଘୋଷଣାରେ କୁହାଯାଇଥିଲା ସେ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବେ । ସତେବେଳେ କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେସରୀ ସୋନିଆଙ୍କୁ କଂଗ୍ରେସ ପାଇଁ ‘ତ୍ରାଣକର୍ତ୍ତା’ କହିବା ସହ ଦଳକୁ ସ୍ୱାଗତ କରିଥିଲେ । ଆଉ ଯେତେବେଳେ ସୋନିଆଙ୍କୁ ଦଳର ଅଧ୍ୟକ୍ଷ କରିବା ନେଇ ଦାବି ହେଲା ତ କେସରୀ ଅସହମତି ପ୍ରକାଶ କରିଥିଲେ ।

୧୯୯୮ ମାର୍ଚ୍ଚ ୧୪ରେ କଂଗ୍ରେସ ୱାର୍କିଂ କମିଟି ଏକ ରିଜ୍ୟୁଲେସନ୍ ପାସ୍ କରିବା ସହ ଦଳର ଅଧ୍ୟକ୍ଷ ପଦରୁ କେସରୀଙ୍କୁ ବିଦା କରାଯାଇଥିଲା । କୁହାଯାଇଥିଲା- ସୋନିଆ ଗାନ୍ଧିଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦେବାରେ କୌଣସି ଅସୁବିଧା ନହେବା ଉଚିଚ୍ । ଏଥିପାଇଁ କେସରୀଙ୍କୁ କଂଗ୍ରେସ ମୁଖ୍ୟାଳୟ, ୨୪ ଅକବର ରୋଡରେ ବନ୍ଦ କରି ରଖାଯାଇଥିଲା । ତେବେ, ପ୍ରଣବ ମୁଖାର୍ଜୀ ଦଳର ନିଷ୍ପତ୍ତି ଶୁଣାଇ ସେବା ପାଇଁ କେସରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଦଳର ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧିଙ୍କୁ ନିଯୁକ୍ତ କରିଥିଲେ ।

ନିମ୍ବ ରୋକିବ କରୋନା ସଂକ୍ରମଣ! ଯାଞ୍ଚ କରୁଛନ୍ତି ଭାରତୀୟ ଡାକ୍ତର

ହରିୟାଣା: ନିମ୍ବ ବହୁ ପୁରୁଣା ଏକ ଆୟୁର୍ବେଦିକ ଔଷଧ । ତ୍ୱଚାର ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାରୁ ମୁକ୍ତି ଦିଏ । ସାଧାରଣ ଫ୍ଲୁ’ରୁ ମଧ୍ୟ ରକ୍ଷା କରେ । କିନ୍ତୁ କରୋନା ଉପରେ ଏହା କେତେ ପ୍ରଭାବ ପକାଏ, କିଭଳି ଏହାର ପ୍ରଭାବ ବଢାଯାଇ ପାରିବ, କେଉଁଭଳି ରୋଗୀଙ୍କ ପାଇଁ ଏହା ଲାଭଦାୟକ ହେବ ଭଳି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଭାରତୀୟ ଡାକ୍ତର । ଏଥିପାଇଁ ଏକ ଭାରତୀୟ କମ୍ପାନୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ ସହିତ ମିଶି କାମ କରୁଛନ୍ତି । ଏହି ଟିମ କରୋନା ଉପରେ ନିମ୍ବର ଔଷଧୀୟ ଗୁଣକୁ ନେଇ ପରୀକ୍ଷା କରିବେ । ସୂଚନା ଅନୁସାରେ ଡାକ୍ତର ଏବଂ ବୈଜ୍ଞାନିକଙ୍କ ଏକ ଟିମ୍‌ ହରିୟାଣାରେ ଫରିଦାବାଦ ସ୍ଥିତ ଇଏସଆଇସି ହସ୍ପିଟାଲରେ କରୋନା ଉପରେ ନିମ୍ବର ପ୍ରଭାବର ହ୍ୟୁମାନ ଟ୍ରାଏଲ କରିବେ ।

ନିମ୍ବର ଯଥେଷ୍ଟ ମହତ୍ତ୍ୱ ରହିଛି । ଆୟୁର୍ବେଦିକ ଉପାୟରେ ଉପଚାର କରି ରକ୍ତ, ପାଚନ ଏବଂ ତ୍ୱଚାର କେତେକ ବୃହତ୍‌ ସମସ୍ୟାକୁ ଠିକ କରାଯାଇପାରେ । ଏହା ସହିତ ସାଧାରଣ ଜ୍ୱର ଠାରୁ ଆରମ୍ଭ କରି ଫଙ୍ଗଲ ଇନଫେକ୍ସନକୁ ଠିକ କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣଙ୍କ ତ୍ୱଚାରେ କୌଣସି ପ୍ରକାରର ସଂକ୍ରମଣ ହୋଇଥାଏ, ତେବେ ତୁରନ୍ତ କିଛି ନିମ୍ବ ପତ୍ରକୁ ବାଟି ସେହି ସ୍ଥାନରେ ଲଗାଇ ପାରିବେ । କିଛି ଦିନ ମଧ୍ୟରେ ଏହାର ପ୍ରଭାବ ଦେଖା ଯାଇଥାଏ । ଯଦି କିଛି ପ୍ରଭେଦ ଦେଖା ନଯାଏ ତେବେ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ ।
ଯେଉଁମାନେ ନିମ୍ବ ଦାନ୍ତକାଠି ବ୍ୟବହାର କରନ୍ତି ସେମାନଙ୍କ ନିକଟରେ କେବେ ମଧ୍ୟ ଦାନ୍ତ ଜନିତ ସମସ୍ୟା ଦେଖା ଦେଇନଥାଏ । ଯେଉଁ ବ୍ୟକ୍ତି ଗାଧୋଇବା ସମୟରେ ପାଣିରେ ନିମ୍ବ ପତ୍ର ପକାଇ ଗାଧାନ୍ତି ସେମାନଙ୍କ ନିକଟରେ ତ୍ୱଚା ସମ୍ବଦ୍ଧୀୟ ସମସ୍ୟା ଦେଖାଯାଏ ନାହିଁ । ଯେଉଁ ମାନଙ୍କ ତ୍ୱଚାରେ ସମ୍ବେଦନଶୀଳ ହୋଇଥାଏ ଏବଂ ସାମାନ୍ୟ ସମସ୍ୟାରେ ତ୍ୱଚା ସଂକ୍ରମିତ ହୋଇଥାଏ,ସେମାନେ ଗାଧୋଇବା ପୂର୍ବରୁ ନିମ୍ବ ପତ୍ର ବାଟି ତ୍ୱଚାରେ ଲଗାଇ ରଖିବାର କିଛି ସମୟ ପରେ ଗାଧୋଇବା ଦ୍ୱାରା ସେହି ସମସ୍ୟା ଧୀରେ ଧୀରେ ଦୂର ହୋଇଥାଏ ।

ବଢ଼ୁଛି ସଂକ୍ରମଣ ଚିନ୍ତାରେ ରାଜଧାନୀବାସୀ ! ପୁଣି ୨୬୭ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ସଂକ୍ରମଣ । ଚିନ୍ତାରେ ରାଜଧାନୀବାସୀ । ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଭୁବନେଶ୍ୱରରେ ସ୍ଥିତି । ପ୍ରତିଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୬୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ରାଜଧାନୀବାସୀ ଚିନ୍ତାରେ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସେମାନଙ୍କୁ ଆସ୍ୱସ୍ତି ଦେଇଛି । ରାଜଧାନୀରେ ଆଜି ଗୋଟିଏ ଦିନରେ ୧୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୭ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୫୬୩ ଜଣ ସୁସ୍ଥ ହୋଇଛନ୍ତି ଓ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ୨ ହଜାର ୯୯୪ଟି ମାମଲା ସକ୍ରିୟ ରହିଛି ।

୧୦୪ ଯାତ୍ରୀଙ୍କ ସହ ସୁଡଙ୍ଗ ଭିତରେ ଗାଏବ ହୋଇଗଲା ଟ୍ରେନ୍ !

ଟ୍ରେନ୍ ଓ ରହସ୍ୟମୟୀ ପ୍ଲାଟଫର୍ମ ବାବଦରେ ଅନେକ କଥା ଶୁଣିବାକୁ ମିଳେ । କିନ୍ତୁ ଇଟାଲିର ଗୋଟିଏ ଟ୍ରେନ୍ ଯେଉଁଭଳି ରହସ୍ୟଜନକ ଭାବେ ଏକ ସୁଡଙ୍ଗ ଭିତରୁ ଗାଏବ ହୋଇଯାଇଥିଲା ସେଭଳି ଘଟଣା ବିଶ୍ୱରେ ଆଉ କେଉଁଠି ଘଟିନାହିଁ । ସେହି ଘଟଣାକୁ ୧୦୯ ବର୍ଷ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଜଣା ପଡିନି ଯେ, ଟ୍ରେନ୍ ଓ ଏହାର ଯାତ୍ରୀ କୁଆଡେ ଗଲେ ?

୧୦୪ ଯାତ୍ରୀ,ଗୋଟିଏ ଟ୍ରେନ୍ ଓ ୧୦୯ ବର୍ଷର ରହସ୍ୟ

୧୯୧୧ ମସିହାରେ ଏହି ରହସ୍ୟମୟ ଘଟଣା ଘଟିଥିଲା । ଇଟାଲିର ଜେନେଟି ନାମକ ଗୋଟିଏ କମ୍ପାନୀର ଟ୍ରେନ୍ ତା’ର ଗନ୍ତବ୍ୟସ୍ଥଳରେ ପହଂଚିବା ପୂର୍ବରୁ ଏକ ସୁଡଙ୍ଗ ମଧ୍ୟରେ ରହସ୍ୟଜନକ ଭାବେ ଗାଏବ ହୋଇଯାଇଥିଲା ।  ଟ୍ରେନ୍ ଗାଏବ ହେବା ବେଳେ ସେଥିରେ ସର୍ବମୋଟ ୧୦୬ ଜଣ ଥିଲେ । କୁହାଯାଏ ଯେ,ଏହି ଟ୍ରେନ କୌଣସି ପରଲୌକିକ ଶକ୍ତି ସାହାଯ୍ୟରେ ଟାଇମ୍ ଟ୍ରାଭେଲ କରିଛି ।

ପୁରା ଘଟଣା କ’ଣ ଥିଲା ?

ଜୁନ୍ ୧୯୧୧ । ଇଟାଲି ରେଳ କଂପାନୀ ଜେନେଟି ତାର ନୂଆ ମଡେଲର ଟ୍ରେନରେ ଯାତ୍ରୀଙ୍କୁ ମାଗଣା ବୁଲାଇବା ଅଫର ଦେଇଥିଲା ।  ଟ୍ରେନରେ ୧୦୦ ଜଣ ଯାତ୍ରୀଙ୍କ ସହ ୬ ଜଣ କର୍ମଚାରୀ ପ୍ରଥମ ଯାତ୍ରାରେ ବାହାରିଥିଲେ । ଟ୍ରେନ୍ ଭିତରେ ଖାଦ୍ୟ ପଦାର୍ଥର ଭଲ ବ୍ୟବସ୍ଥା ଥିଲା ।  ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳରେ ପହଂଚିବାକୁ ଅପେକ୍ଷା କରିଥିଲେ । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଂଚିବା ପୂର୍ବରୁ ଏକ ସୁଡଙ୍ଗ ଭିତରେ ଟ୍ରେନ୍ ଅଚାନକ ଗାଏବ ହୋଇଯାଇଥିଲା । ଟ୍ରେନକୁ ଖୋଜା ଯାଇଥିଲା କିନ୍ତୁ ଟ୍ରେନ ମିଳି ନଥିଲା । ଟ୍ରେନ୍ ଓ ଯାତ୍ରୀ କୁଆଡେ ଗଲେ କେହି ମଧ୍ୟ ଜାଣି ପାରିନଥିଲେ ।

zaneti train

୧୦୬ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ମିଳିଥିଲେ

ପୁରା ଟ୍ରେନ୍ ଗାଏବ ହୋଇଥିଲା । କିନ୍ତୁ ମିଳିଥିଲେ ମାତ୍ର ୨ ଜଣ ଯାତ୍ରୀ । ସେହି ଦୁଇ ଯାତ୍ରୀ ମଧ୍ୟ ମାନସିକ ଭାବେ ବିକ୍ଷିପ୍ତ ଥିଲେ । ସେମାନେ କେମିତି ଟ୍ରେନରୁ ବାହାରିଲେ,ଟ୍ରେନରେ କ’ଣ ହୋଇଥିଲା କିଛି ମଧ୍ୟ କହି ପାରିନଥିଲେ । ଅନେକ ବର୍ଷ ଚିକିତ୍ସିତ ହେବା ପରେ ଉଭୟ ଠିକ୍ ହୋଇଥିଲା । ଆଉ କେବଳ ଏତିକି ମନେ ପକାଇ ପାରିଥିଲେ ଯେ, ସୁଡଙ୍ଗ ଭିତରେ ଟ୍ରେନ୍ ଥିବା ବେଳେ ଧଳା ରଙ୍ଗର ଧୁଆଁ ବଗି ଭିତରେ ଭର୍ତ୍ତି ହୋଇଯାଇଥିଲା । ଯାତ୍ରୀ ଭୟଭୀତ ହୋଇପଡିଥିଲେ । କୌଣସି ମତେ ଏହି ଦୁଇ ଜଣ ଟ୍ରେନ୍ ଭିତରୁ ବାହାରକୁ ଆସିଥିଲେ କିନ୍ତୁ ସେମାନେ କେମିତି ବାହାରକୁ ଆସିଲେ ସେ ବାବଦରେ ଉଭୟଙ୍କର କିଛି ମଧ୍ୟ ମନେ ନଥିଲା ।

ଟାଇମ୍ ଟ୍ରାଭେଲ ?

ଏହି ଘଟଣା ପରେ ଉକ୍ତ ସୁଡଙ୍ଗକୁ ବନ୍ଦ କରି ଦିଆଯାଇଥିଲା ।  ଅନେକ ଦାବି କରିଥିଲେ ଯେ, ଟ୍ରେନ ଟାଇମ୍ ଟ୍ରାଭେଲର ଚାଲିଯାଇଛି । ୧୯୧୧ ମସିହାରୁ ଏହି ଟ୍ରେନ୍ ୧୮୪୦ ମସିହାର ବ୍ରାଜିଲକୁ ପଛୁଆ ଫେରିଥିବା ମଧ୍ୟ କିଛି କହିଥିଲେ । କିନ୍ତୁ ସତ କ’ଣ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି । ଟ୍ରେନ୍ ଗାଏବ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ୟୁରୋପର ବିଭିନ୍ନ ଦେଶରେ ଏହି ରହସ୍ୟମୟୀ ଟ୍ରେନକୁ ଦେଖାଯାଇଥିବା ଦାବି କରାଯାଇଥିଲା । ଏପରିକି କେଇ ଦଶକ ପରେ ବ୍ରାଜିଲର ଜଣେ ଡାକ୍ତର ଦାବି କରିଥିଲେ ଯେ,ସେ ଯେଉଁ ଡାକ୍ତରଖାନାରେ କାମ କରୁଥିଲେ ସେଠାରେ ୧୦୪ ଜଣ ଇଟାଲୀ ନାଗରିକ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମାନସିକ ଅବସ୍ଥା ଠିକ ନଥିଲା ଓ ସମସ୍ତେ କୌଣସି ଟ୍ରେନ୍ ବାବଦରେ କହୁଥିଲେ ।

 

ଅନଲକ ୪: ଆରମ୍ଭ ହୋଇପାରେ ମେଟ୍ରୋ, ପୂର୍ବଭଳି ବନ୍ଦ ରହିପାରେ ଶିକ୍ଷାନୁଷ୍ଠାନ

0

ନୂଆଦିଲ୍ଲୀ: ଲକଡାଉନ ଏବଂ ଅନଲକର ପର୍ୟ୍ୟାୟ ଉପରେ ସମସ୍ତଙ୍କ ନଜର ରହୁଛି । ସୂଚନା ମୁତାବକ ଅନଲକ ୪ରେ ସ୍କୁଲ ଏବଂ କଲେଜ ପୂର୍ବଭଳି ବନ୍ଦ ରହିପାରେ । ଅନଲକ ୪ର ଆରମ୍ଭ ସେପ୍ଟେମ୍ବରରୁ ହୋଇପାରେ । ପ୍ରଥମେ ଅନୁମାନ କରାଯାଉଥିଲା କି ସ୍କୁଲ କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଆଦି ଖୋଲାଯାଇପାରେ । କିନ୍ତୁ ମିଳିଥିବା ସୂଚନା ମୁତାବକ ଅନଲକ ୪ ପର୍ଯ୍ୟାୟରେ ସରକାର ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇ ନାହାଁନ୍ତି । ଏହା ସହିତ କଣ୍ଟେନମେଣ୍ଟ ଜୋନ ଉପରେ ମଧ୍ୟ କଟକଣା ଜାରି ରହିବ । ତେବେ ଏହି ପର୍ଯ୍ୟାୟରେ ମେଟ୍ରୋ ସେବା ପୁଣିଥରେ ଆରମ୍ଭ ହୋଇପାରେ । ଗୃହ ମନ୍ତ୍ରାଳୟ ଅନଲକ ୪ କୁ ନେଇ ହୋଇଥିବା ଗାଇଡ ଲାଇନର ସମସ୍ତ ସୂଚନା ଖୁବଶୀଘ୍ର ଜାରି କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ୫ ଅଗଷ୍ଟକୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଅନଲକରେ ଜିମ ଏବଂ ଯୋଗ ସଂସ୍ଥାନ ଖୋଲିବାକୁ ଅନୁମତି ମିଳିଥିଲା । ଏହା ସହିତ କଣ୍ଟେନମେଣ୍ଟ ଜୋନରେ ୩୧ ଅଗଷ୍ଟ ପର୍ୟ୍ୟନ୍ତ ଲକଡାଉନ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିରେ ରାତି କର୍ଫ୍ୟୁ ଉପରୁ କଟକଣା ଉଠାଇ ଦିଆଯାଇଥିଲା । କିନ୍ତୁ ସିନେମା ହଲ ଖୋଲିବାକୁ ଅନୁମତି ଦେଇ ନଥିଲେ ସରକାର । ଏହି ପର୍ଯ୍ୟାୟରେ ମଧ୍ୟ ସିନେମା ହଲ ଖୋଲି ନପାରେ ବୋଲି କୁହାଯାଉଛି । ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ ଏବଂ ନିୟମିତ ରେଳ ସେବା ଆରମ୍ଭ ହେବାକୁ ନେଇ ମଧ୍ୟ ସେନ୍ଦେହ ଜାରି ରହିଛି ।

ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକଡାଉନ ପରଠାରୁ ସିନେମା ହଲ,ସ୍ୱିମିଙ୍ଗପୁଲ,ପାର୍କ,ଥିଏଟର ଏବଂ ବାର ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଯାଇଛି । କିନ୍ତୁ କିଛି ନୀତି ନିୟମ ସହିତ ଗତ ଅନଲକ ପର୍ଯ୍ୟାୟରେ ମଲ ଖୋଲିବାକୁ ଅନୁମତି ଦେଇଥିଲେ ସରକାର । ଏହା ବ୍ୟତୀତ ସାମାଜିକ, ରାଜନୈତିକ,ଖେଳ,ମନୋରଞ୍ଜନ,ଶିକ୍ଷାନୁଷ୍ଠାନ,ସାଂସ୍କୃତିକ ଅନୁଷ୍ଠାନ,ଧାର୍ମିକ ଆୟୋଜନ ଏବଂ ବଡ଼ ସମାରୋହ ଉପରେ ରୋକ ଲଗାଯାଇଛି । ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ବର୍ଦ୍ଧିତ ଖାଦ୍ୟ ଚାହିଦା ପୂରଣ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଆବଶ୍ୟକ

ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦାକୁ ପୂରଣ କରିବା ଦିଗରେ କୃଷି କ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ । ସୀମିତ ଚାଷ ଜମିରୁ ଅଧିକ ଖାଦ୍ୟ ପଦାର୍ଥ ଉତ୍ପାଦନର ଜ୍ଞାନ କୌଶଳ ପ୍ରୟୋଗ ଏବଂ ଓଡ଼ିଶା ପରି ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ପରିବେଶ ଅନୁକୂଳ ଚାଷ କାର୍ଯ୍ୟ ନିମନ୍ତେ ଅଧିକ ଗବେଷଣା ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି । ସୋମବାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡଃ. ସାହୁ କହିଛନ୍ତି ପ୍ରତି ମୁହୂର୍ତ୍ତରେ ଯେତେବେଳେ ମଣିଷର ଜ୍ଞାନର ଭଣ୍ଡାରର ପରିସୀମା ବୃଦ୍ଧି ପାଉଛି, ଠିକ୍‌ ସେତିକିବେଳେ ମାନବ ସମାଜ ନୂତନ ଆହ୍ୱାନର ମଧ୍ୟ ସମ୍ମୁଖୀନ ହେଉଛି । ସଂପ୍ରତି ମଣିଷ ସମାଜ କୋଭିଡ୍‌-୧୯ ପରି ଏକ ଜଟିଳ ପରିସ୍ଥିତି ନେଇ ଗତି କରୁଥିବା ବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଜନସାଧାରଣଙ୍କ ମୌଳିକ ଚାହିଦା ମେଣ୍ଟାଇବା ସହିତ ସେମାନଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଥିଲା ।

ରାଜ୍ୟର ଦ୍ରୁତ ବିକାଶ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡିତ ୭୦ ପ୍ରତିଶତରୁ ଅଧିକ ଲୋକଙ୍କର ଆୟ ବୃଦ୍ଧି କରିବା ଆବଶ୍ୟକ । କୃଷକମାନଙ୍କର ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ଆଧୁନିକ ଜ୍ଞାନ କୌଶଳ ଉଦ୍ଭାବନ ଓ ଏହାକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନିଷ୍ଠା ଓ ଆନ୍ତରିକତାର ସହିତ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥିସହିତ କୃଷି କ୍ଷେତ୍ରରେ କୋଭିଡ୍‌-୧୯ ପୂର୍ବର ସ୍ଥିତି ଓ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ କୃଷି ବିଶ୍ୱବିଦ୍ୟାଳୟ ଗବେଷଣା କରି ନିର୍ଯାସ ବାହାର କରିପାରିଲେ ଏହା ଭବିଷ୍ୟତରେ ନୀତି ନିର୍ଦ୍ଧାରଣ ନିମନ୍ତେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ. ସାହୁ କହିଥିଲେ ।

ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡଃ. ପବନ କୁମାର ଅଗ୍ରୱାଲ ପୌରହିତ୍ୟ କରିବା ଅବସରରେ କୃଷି ଓ ଆନୁଷଙ୍ଗିକ ଶିକ୍ଷା କ୍ଷେତ୍ରରେ ମାନବୃଦ୍ଧି ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଥିଲେ । ସାଂପ୍ରତିକ ସ୍ଥିତିର ଚାହିଦା ଅନୁଯାୟୀ ପାଠ୍ୟ ଖସଡା ଓ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତ୍ତନ କରାଯାଇଛି । ଏଥିସହିତ ଛାତଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରୟୋଗାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଡଃ. ଅଗ୍ରୱାଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ନେବ୍‌ରାସ୍କା ଲିଙ୍କନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ପି.ଷ୍ଟିଫେନ ବେନଜିଗର ଏବଂ ପ୍ରଫେସର ଚିତ୍ତରଞ୍ଜନ ରାୟ ପ୍ରମୁଖ ଯୋଗଦେଇ ବିଶ୍ୱର ଖାଦ୍ୟ ସୁରକ୍ଷା ପୂରଣ ଦିଗରେ କୃଷିର ଭୂମିକା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏ ଦିଗରେ ହାଇବ୍ରିଡ୍‌ ଗହମ ଉତ୍ପାଦନ ଓ ଜଳସେଚନର ଉପଯୋଗିତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ।