spot_img
Home Blog Page 6795

ସୁଧୁରିବ ଦେଶର ଅର୍ଥନୀତି, ମଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ଆର୍‌ବିଆଇ

ନୂଆଦିଲ୍ଲୀ: ଲକଡାଉନ୍‌ ସମୟରେ ମାନ୍ଦବସ୍ଥା ଦେଇ ଗତି କରୁଥିବା ଅର୍ଥନୀତିକୁ ପୁଣି ପୂର୍ବାବସ୍ଥାକୁ ଫେରାଇବାକୁ ଅଣ୍ଟା ଭିଡିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କରୋନା ଲକଡାଉନ ପାଇଁ ଦେଶରେ ଲାଗୁ ହୋଇଥିବା ଋଣ ପରିଶୋଧ କୋହଳ ନୀତି ଆସନ୍ତା ୩୧ ତାରିଖରେ ସରିବାକୁ ଯାଉଛି । ତା’ପୂର୍ବରୁ ଆଉ ଏକ ଯୋଜନା ପ୍ରସ୍ତୁତ କରିଛି ଆରବିଆଇ । ବ୍ୟାଙ୍କ ଓ ବିଭିନ୍ନ କମ୍ପାନୀ ଯେଭଳି କ୍ଷତିରେ ନ ପଡିବେ ସେ ନେଇ RBI ପ୍ରସ୍ତୁତ କରିଛି ମାଷ୍ଟରପ୍ଲାନ ।

କରୋନା ଲକଡାଉନ ପାଇଁ ଦେଶରେ ଲାଗୁ ହୋଇଥିବା ଋଣ ପରିଶୋଧ କୋହଳ ନୀତି ଆସନ୍ତା ୩୧ ତାରିଖରେ ସରିବାକୁ ଯାଉଛି । ତା ପୂର୍ବରୁ ଆଉ ଏକ ଯୋଜନା ପ୍ରସ୍ତୁତ କରିଛି ଆରବିଆଇ । ଋଣ ପରିଶୋଧକୁ ନେଇ ଆରବିଆଇ ନେଇଥିବା ନିଷ୍ପତ୍ତି କେବେ ବି ସ୍ଥାୟୀ ସମାଧାନ ନୁହେଁ । ଏଥିପାଇଁ ଦୃଢ ପଦକ୍ଷେପ ନେବାର ସମୟ ଆସିଛି ବୋଲି ଆରବିଆଇ କହିଛି । ଏଥିପାଇଁ ଋଣ ନେଣ ଦେଣ ପାଇଁ ନୂଆ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଲକଡାଉନ୍‌ ସମୟରେ ଦେବାଳିଆ ହୋଇଥିବା ବିଭିନ୍ନ କମ୍ପାନୀ ମାନେ ଅନେକ ସୁବିଧା ପାଇବେ, ଘରୋଇ କମ୍ପାନୀ ମାନେ ଆର୍ଥିକ ଚାପରୁ ମୁକ୍ତି ପାଇବେ ବୋଲି ଆରବିଆଇ କହିଛି ।

ଆରବିଆଇର ଏହି ଯୋଜନାରେ ବ୍ୟାଙ୍କ ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସେମାନେ ଋଣ ଦେଇ କିପରି ଦୂର୍ବଳ ନ ହେବେ ସେଥିପ୍ରତି ଧ୍ୟାନ ଦେଇଛି ଆରବିଆଇ । ଲକଡାଉନ ପାଇଁ ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି । ଏହି ସମଯରେ ଦେଶର ଅଭିବୃଦ୍ଧି ହାରକୁ ସାହାରା ଦେବା ପାଇଁ ଆରବିଆଇ ବିଭିନ୍ନ ଯୋଜନା କରୁଛି । ବ୍ୟାଙ୍କ ଗୁଡିକ ମାଧ୍ୟମରେ ବଜାରକୁ ଅର୍ଥ ପ୍ରବାହ ଅଧିକ କରିବା ପାଇଁ ଆରବିଆଇ ବିଭିନ୍ନ ନୀତି ଆପଣେଇବାକୁ ଯାଉଛି । ଗତ ୪ ଦଶନ୍ଧି ଭିତରେ ଦେଶର ଅଭିବୃଦ୍ଧି ହାର ଅତି ନିମ୍ନସ୍ତରରେ ରହିଛି । ଯେଉଥିପାଇଁ ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ ବୋଲି ଅର୍ଥନୀତି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।

ଆରବିଆଇର ଯୋଜନା ଅନୁସାରେ ପ୍ରକୃତରେ କଣ ମିଳିବ ଫାଇଦା ? ଆରବିଆଇ ଗଭର୍ଣ୍ଣରଙ୍କ କହିବା କଥା ଯେଉଁ କମ୍ପାନୀ ମାନେ ବ୍ୟାଙ୍କଠୁ ଋଣ ନେଇଛନ୍ତି । ସେମାନଙ୍କଠୁ ଆଦାୟ ବେଳେ କିଛିଟା କୋହଳ ନୀତି ଆପଣେଇବେ ବ୍ୟାଙ୍କ । ଏହାଦ୍ୱାରା ସେମାନେ ଦେବାଳିଆ ନହେବା ସହ କର୍ମଚାରୀ ମାନେ ମଧ୍ୟ ଚାକିରି ହରେଇବେ ନାହିଁ ଏହାଦ୍ୱାରା ଦେଶର ଅର୍ଥନୀତି ଧିରେ ଧିରେ ସୁଧୁରିବ ।

ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମୀଣ ଅର୍ଥନୀତି

ଭୁବନେଶ୍ୱର:(ଚିନ୍ମୟ ମହାପାତ୍ର) ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରକାର । କରୋନା ମହାମାରୀରେ ଭୁଶୁଡ଼ି ପଡିଛି ରାଜ୍ୟର ଅର୍ଥନୀତି । ଏହାକୁ ସଜାଡ଼ିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି । ପଂଚାୟତରାଜ ବିଭାଗର ବିଭିନ୍ନି ଯୋଜନାକୁ ମିଶାଇ କୋଭିଡ ୧୯ ସହାୟକ ପ୍ୟାକେଜ ପ୍ରସ୍ତୁତ କରାଯାଇଛି। ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ଏହା ରୋଜଗାର ଦେବ ବୋଲି ଆଶା କରାଯାଉଛି ।

ରାଜ୍ୟ ସରକାରଙ୍କ ଫୋକ୍ସରେ ଗାଁର ବିଗିଡ଼ା ଅର୍ଥନୀତି । ବିଭିନ୍ନ ଫ୍ଳାଗସିପ୍ ପ୍ରୋଗ୍ରାମକୁ ପଂଚାୟତରାଜ ବିଭାଗ ଆଣିଛି କୋଭିଡ ୧୯ ସହାୟକ ପ୍ୟାକେଜ। ଟାର୍ଗେଟରେ କାମଧନ୍ଦା ହରାଇ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆ । ଏହି ପ୍ୟାକେଜକୁ ୪ ଭାଗରେ ବିଭକ୍ତ କରାଯାଇଛି । ମିଶନ୍ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଜିଲ୍ଲା ଖଣିଜ ପାଣ୍ଠି ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା । ପ୍ରଥମ ପ୍ୟାକେଜରେ ଦର୍ଜି , ଚା’ ଦୋକାନୀ, ଛୋଟଛୋଟ ଫାର୍ମ, ପରିବା ବ୍ୟବସାୟୀ ଓ ମୋବାଇଲ ମରାମତି ଦୋକାନୀ ।

ପ୍ୟାକେଜର ଗାଇଡଲାଇନ୍ ଅନୁସାରେ ଏମାନଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥକ ସହାୟତା ଯୋଗାଇ ଦିଆଯିବ । ସେହିପରି ଦ୍ୱିତୀୟ ପ୍ୟାକେଜରେ ଆର୍ଥକ ସହାୟତା ଦେଢ ଲକ୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଛୋଟଛୋଟ ସଂସ୍ଥା, ପ୍ରଡକ୍ସନ ଗ୍ରୁପ୍ ଏହି କ୍ୟାଟେଗୋରୀରେ ଆସିବେ । ତୃତୀୟ ପ୍ୟାକେଜରେ ବିଭିନ୍ନ ଶିଳ୍ପସଂସ୍ଥା, ଛେଳି ଓ କୁକୁଡ଼ା ଫାର୍ମ, ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗିଙ୍କୁ ସହାୟତା ଯୋଗାଇ ଦିଆଯିବ । ସେହିପରି କୁଶଳୀ ଓ ଅର୍ଦ୍ଧ କୁଶଳୀ ପ୍ରବାସୀମାନଙ୍କୁ ୧ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି ।

ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ସହାୟତା ଯୋଗାଇ ଦେବାକୁ ବ୍ଲକ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଗାଁର ଯୁବକ ଗାଁରେ ରହିବେ । ରୋଜଗାର ପାଇଁ ଆଉ ବାହାର ରାଜ୍ୟକୁ ଯିବେନି । ଫଳରେ ଗୋଟିଏ ଗୁଳିରେ ହେବ ଦୁଇଟି ଶୀକାର । ଗାଁ ଯୁବକ କାମ ପାଇବେ ଓ ଟ୍ରାକ୍କୁ ଫେରିବ ଗ୍ରାମୀଣ ଅର୍ଥନୀତି ।

ବିଜୁ ଯୁବ ଛାତ୍ର ଜନତା ଦଳର ଭର୍ଚୁଆଲ୍‌ ମିଟିଂରେ ୪ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ‌ମିଟିଂ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲା ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ସମସ୍ତ ଯୁବ ଓ ଛାତ୍ରନେତା ଯୋଗ ଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ନିଜ ରମତ ପ୍ରଦାନ କରିଥିଲେ । ଏବଂ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଭର୍ଚୁଆଲ୍ ‌ମିଟିଂର ଆୟୋଜନ କରାଯିବ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ‌ମିଟିଂ‌ରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସଙ୍ଗଠ ନସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଯୁବ ଛାତ୍ର ନେତୃତ୍ୱକୁ ପ୍ରେରଣାତ୍ମକ ସାଙ୍ଗଠନିକ ମନ୍ତ୍ର ପ୍ରଦାନ କରିଥିଲେ ।

ଓଡ଼ିଆ ଜାତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ନିଜର ଭାଗ୍ୟ ନିଜେ ଗଢିବ, ଓଡ଼ିଆ ଜାତିର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା ବିଶ୍ୱରେ ଆହୁରି ଆଗକୁ ବଢିବଏବଂ ଯୁବ ଛାତ୍ର ନେତାମାନେ ସେବାବ୍ରତୀ ହୋଇ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟଏବଂ ପରମ୍ପରାର ବିକାଶ ଦିଗରେ ଅହରହ କାର୍ଯ୍ୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜଭୁତ୍ ‌କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରଣବ ଦାସ ଜୟ ଜଗନ୍ନାଥ ଜୟ ନବୀନର ସ୍ଲୋଗାନ ଦେଇ ସମସ୍ତ ଯୁବ ଛାତ୍ର ନେତାଙ୍କୁ ଉତ୍ସାହିତ କରିଥିଲେ । ଏହି ଭର୍ଚୁଆଲ୍ ‌ମିଟିଂ‌ରେ ୪ଜିଲ୍ଲାରୁ ୨୯ ନିର୍ବାଚନ ମଣ୍ଡଳୀ, ୫୬ ବ୍ଲକ୍‌, ୧୩ଟି ଏନ୍‌ଏସି ଏବଂ ସମସ୍ତ ପଞ୍ଚାୟତର ଯୁବ ଛାତ୍ର ନେତାମାନେ ସାମିଲ୍ ‌ହୋଇଥିଲେ ।

ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ‌ମିଟିଂ‌କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

ସ୍ପାରେ ଏବେ ବି ଚାଲିଛି ଦେହ ବେପାର, ଧରିବାକୁ ଡରୁଛି ପୋଲିସ..

ଭୁବନେଶ୍ୱର: ବିୟୁଟି ପାର୍ଲର, ସ୍ପା, ମସାଜ ପାର୍ଲର ନାଁରେ ଚାଲୁଛି ଦେହ ବ୍ୟବସାୟ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଧନ୍ଦା ବନ୍ଦ କରିବା ଲାଗି ସମ୍ପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା କରିବା ପାଇଁ ପୋଲିସ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି ।

କରୋନା ସମୟରେ ମଧ୍ୟ ଏହି ଧନ୍ଦା ଚାଲୁଥିବା ବେଳେ କମିଶନରେଟ୍ ପୋଲିସ ସବୁଜାଣି ଅଜଣା ପାଲଟିଥିବା ଅଭିଯୋଗ ହୋଇଛି । କିଙ୍ଗ୍‌ପିନ୍‌ ପାଖରେ ପହଁଚିବା ତ ଦୂରର କଥା ସେକ୍ସ ରାକେଟ୍‌ ଚାଲୁଥିବା ଘରକୁ ବେଶ୍ୟାଳୟ ଘୋଷଣା କରିବାରେ ବିଫଳ ହୋଇଛି ପୋଲିସ । ନିଜେ ନିୟମ କରି ନିୟମକୁ ପୋଲିସ ଭୁଲିଯାଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱରରେ ଗତ ଦୁଇ ବର୍ଷ ମଧ୍ୟରେ ୩୦ରୁ ଅଧିକ ମସାଜ ପାର୍ଲର ଓ ସ୍ପା ସେଣ୍ଟରରେ ସେକ୍ସ ରାକେଟ ଚାଲିବା ନେଇ ଖବର ମିଳିବା ପରେ ପୋଲିସ ଚଢ଼ାଉ କରିଛି ସତ, ହେଲେ ଧନ୍ଦା ଚାଲିଥିବା ଘରକୁ ଏଯାଏଁ ବେଶ୍ୟାଳୟ ଘୋଷଣା କରିନାହିଁ । ୨୦୧୭ ମସିହାରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା Heaven thai spa ଓ ୨୦୧୮ ମେ’ ୨ ତାରିଖରେ ବାପୁଜୀନଗରରେ ଥିବା H20 spaରେ ଛାପା ମାରି ପୋଲିସ କିଛି ଥାଇଲାଣ୍ଡ ଯୁବତୀଙ୍କୁ ଧରିବା ସହ ସମ୍ପୃକ୍ତ ଯୁବତୀଙ୍କ ଭିସାକୁ କଳା ତାଲିକାଭୁକ୍ତ କରିବା ପାଇଁ ଗୃହ ବିଭାଗକୁ ଚିଠି ଲେଖିଥିଲା । କିନ୍ତୁ ଘର ମାଲିକ ଅଧିକାଂଶ କ୍ଷେତ୍ରରେ ଶିଳ୍ପପତି, ପ୍ରତିପତ୍ତିଶାଳୀ ଓ ରାଜନେତା ହୋଇଥିବାରୁ ପୋଲିସ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ପୋଲିସର ଅପାରଗତା ବାରି ହୋଇପଡୁଥିବା ନେଇ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି ।

୨୦୧୪ ମସିହାରୁ ୨୦୧୬ ମଧ୍ୟରେ କମିସନରେଟ୍‌ ପୋଲିସ ଜାଲରେ ପଡ଼ିଥିବା ୭ଟି ସେକ୍ସ ର‍୍ୟାକେଟ୍‌ର ରୂପଜୀବୀଙ୍କୁ ବେଶ୍ୟା ବୋଲି ଦର୍ଶାଇଥିବା ବେଳେ ସେହି ଘରକୁ ବେଶ୍ୟାଳୟ ଘୋଷଣା କରିଥିଲା। କ୍ୟାପିଟାଲ ଥାନା ଅଧୀନ ହୋଟେଲ ନିର୍ମଳ ପ୍ୟାଲେସ, ଜନ୍ନତ ପ୍ୟାଲେସ, ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀ ଗେଷ୍ଟ ହାଉସ, ଲକ୍ଷ୍ମୀସାଗର ଥାନା ଅଧୀନ ଖୁସ୍‌ବୁ ବିୟୁଟି ପାର୍ଲର୍‌, ଓ୍ଵାନଷ୍ଟାର୍‌ ବିୟୁଟି ପାର୍ଲର ଓ ଭିଏସ୍‌ଏସ୍‌ନଗର ବୃନ୍ଦାବନ ଏନକ୍ଲେଭରେ ଦେହ ବ୍ୟବସାୟ ଧରାପଡ଼ିଥିଲା । ଏହାପରେ ଧରାପଡିଥିବା ସେକ୍ସ ରାକେଟକୁ ମିଶାଇ ମୋଟ ୧୨ଟି ଘରକୁ ବେଶ୍ୟାଳୟ ଘୋଷଣା କରିଥିଲେ ତତ୍କାଳୀନ ପୋଲିସ କମିଶନର ୱାଇ. ବି. ଖୁରାନିଆ । ସ୍ଥାନୀୟ ଲୋକଙ୍କୁ ସେହି ଘର ବେଶ୍ୟାଳୟ ବୋଲି ଅବଗତ କରାଯିବା ସହ ୧ ବର୍ଷ ପାଇଁ ସିଲ କରାଯାଇଥିଲା । କିନ୍ତୁ ସେତିକିରେ ସବୁକିଛି ସାରିଯାଇଛି । ସେହିଦିନଠାରୁ ଆଜି ଯାଏଁ ପୋଲିସ ଆଉ ଗୋଟିଏ ବି ଘରକୁ ବେଶ୍ୟାଳୟ ଘୋଷଣା କରିନାହିଁ । ରାଜଧାନୀର ଅଧିକାଂଶ ସପିଙ୍ଗ୍‌ ମଲରେ ଏହି ଧନ୍ଦା ଚାଲୁଥିଲେ ମଧ୍ୟ ପୋଲିସ ସବୁ ଜାଣି ଅଜଣା ପାଲଟିଥିବା ଅଭଯୋଗ ହୋଇଛି ।

ଘରେ ପଶି ୪୦ ବର୍ଷୀୟ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ସୋମବାର ରାତିରେ ଜଣେ ଟିଭି ସାମ୍ବାଦିକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଗଣମାଧ୍ୟମର ସ୍ୱର ଚାପିବାକୁ ଏଭଳି ହତ୍ୟାକାଣ୍ଡ ହୋଇଛି ଉତ୍ତରପ୍ରଦେଶରେ । ବାଲିୟା ଜିଲ୍ଲାରେ କାର୍ଯ୍ୟରତ ଏକ ଘରୋଇ ଟିଭି ଚ୍ୟାନେଲ୍ ସାମ୍ବାଦିକ ରତନ ସିଂହଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ରତନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

୪୦ ବର୍ଷୀୟ ରତନ ସିଂହ ସାହାରା ସମୟ ନ୍ୟୁଜ୍ ଚ୍ୟାନେଲ ପାଇଁ କାମ କରୁଥିଲେ । ଏହି ହତ୍ୟାକାଣ୍ଡ ସୋମବାର ରାତି ପ୍ରାୟ ୯ଟା ବେଳେ ବାଲିୟା ଜିଲ୍ଲାର ଫେଫନା ଥାନା ଅଞ୍ଚଳରେ ଘଟିଛି । ସାମ୍ବାଦିକଙ୍କୁ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗଣମାଧ୍ୟମର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ।

ତେବେ, ସାମ୍ବାଦିକ ଜଣଙ୍କୁ ଘରେ ପଶି କିଏ ଓ କାହିଁକି ହତ୍ୟା କଲା ଜଣାପଡ଼ିନାହିଁ । ସୂଚନାରୁ ଜଣାପଡ଼ିଛି ରତନ ଘରକୁ ଫେରୁଥିବା ବେଲେ କିଛି ବନ୍ଧୁକଧାରୀ ତାଙ୍କ ପିଛା କରିଥିଲେ । ସେ ଦୁର୍ବୃତ୍ତଙ୍କ କବଳରୁ ଖସିବା ପାଇଁ ତୁରନ୍ତ ଘରେ ପଶି ଯାଇଥିଲେ । ସେଠାରେ ଦୁର୍ବୃତ୍ତଙ୍କ ତାଙ୍କୁ ଗୁଳି କରିଥିବା ଘଟଣାସ୍ଥଳରେ ହିଁ ରତନଙ୍କ ମୃତ୍ୟୁ ହୋଇଛି ।

ପରିବାରର ରକ୍ଷା କବଚ ନାରୀ, ସ୍ୱାମୀଙ୍କ ପକ୍ଷାଘାତ ପରେ ପତ୍ନୀ ସମ୍ଭାଳିଲେ ଭାର…

ଯାଜପୁର: ନାରୀ ଚାହିଁଲେ ସବୁକିଛି କରିପାରେ । ନିଜ ପରିବାର ପାଇଁ ପାଲଟିଯାଏ ରକ୍ଷା କବଚ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର ଜିଲ୍ଲା ମହେଶ୍ୱରପୁର ଗାଁର ସଂଯୁକ୍ତା ଦାସ । ସ୍ୱାମୀ ପ୍ରମୋଦ ପକ୍ଷାଘାତରେ ପୀଡିତ ହେବା ପରେ ଦିଗହରା ହୋଇଯାଇଥିଲା ସଂଯୁକ୍ତାଙ୍କ ପୂରା ପରିବାର । ହେଲେ ବାଧାବିଘ୍ନକୁ ପଛରେ ପକାଇ ପରିବାର ପ୍ରତିପୋଷଣ ପାଇଁ ଆରମ୍ଭ କରିଥିଲେ ବଡ଼ି ବ୍ୟବସାୟ । ଆଜି ସେହି ବ୍ୟବସାୟ ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଅଞ୍ଚଳରେ ଜଣେ ସଫଳ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ସ୍ୱାମୀ ପ୍ରମୋଦ ଥିଲେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ହେଲେ ହଠାତ୍‌ ତାଙ୍କୁ ପକ୍ଷାଘାତ ଶିକାର କଲା । ଫଳରେ ପରିବାରର ରୋଜଗାର ହଠାତ୍ ଠପ୍ ହେଇଗଲା । ଅର୍ଥାଭାବରୁ ଦିନକୁ ଦିନ ଦିଗହରା ହେବାକୁ ଲାଗିଲା ପରିବାର । ହେଲେ ବାଧାବିଘ୍ନକୁ ପଛରେ ପକାଇ ପରିବାର ପ୍ରତିପୋଷଣ ପାଇଁ ଆରମ୍ଭ କରିଥିଲେ ବଡ଼ି ବ୍ୟବସାୟ । ଆଜି ସେହି ବ୍ୟବସାୟ ତାଙ୍କୁ ସ୍ବାବଲମ୍ବୀ କରିବା ସହ ଅଞ୍ଚଳରେ ଜଣେ ସଫଳ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ସଂଯୁକ୍ତା କେବଳ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହା ନୁହେଁ, ବରଂ ଆଉ କିଛି ମହିଳାଙ୍କୁ ଏଥିରେ ନିୟୋଜିତ କରି ରୋଜଗାରକ୍ଷମ କରାଇ ପାରିଛନ୍ତି । ଖୁବ୍ ଅଳ୍ପଦିନ ମଧ୍ୟରେ ଯାଜପୁର ସହ କେଉଁଝର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗସିଂହପୁର ଆଦି ଜିଲ୍ଲାରେ ମଧ୍ୟ ତାଙ୍କ ବ୍ୟବସାୟର ବିସ୍ତାର କରିପାରିଛନ୍ତି । ଏଥିରେ ତାଙ୍କୁ ସହଯୋଗର ହାତ ବଢାଇଛି ଭାରତୀୟ ଯୁବାଶକ୍ତି ଟ୍ରଷ୍ଟ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ।

ସଂଗଠନ ସହାୟତାରେ ସେ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟରେ ଲଗାଇଛନ୍ତି । ସଂଯୁକ୍ତା ଏବେ ମାସିକ ହାରାହାରି ୧୦ କୁଇଣ୍ଟାଲ ବିରିରୁ ବଡ଼ି ପ୍ରସ୍ତୁତ କରିପାରୁଛନ୍ତି ।

(ବିକ୍ରମ କେଶରୀ ସାହୁ)

ବାଚସ୍ପତିଙ୍କ ପରେ କରୋନା ସଂକ୍ରମିତ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାୟରେ ଏବେ ହେଭିୱେଟ୍ ନେତା । ବାଚସ୍ପତିଙ୍କ ପରେ ଏବେ ହାରିୟଣା ମୁଖ୍ୟମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସେ କହିଛନ୍ତି ।

ଏଥିସହ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଅସିଥିବା ସମସ୍ତଙ୍କର ସ୍ୱାବ୍ ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି । ଆସନ୍ତା ୨୬ ତାରିଖରେ ହରିୟଣାରେ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଗୃହର ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଉଥିବା ବେଳେ ଏହି ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖଟ୍ଟର ଆଇସୋଲେସନରେ ରହିଥିଲେ । ଏକ ବୈଠକରେ ଖଟ୍ଟର-ଶେଖାୱତଙ୍କ ସଂସ୍ପର୍ଶରେ ଆସିଥିଲେ । ଗଜେନ୍ଦ୍ରଙ୍କ କରୋନା ରିପୋର୍ଟ ଅଗଷ୍ଟ ୨୦ ତାରିଖରେ ପଜିଟିଭ୍ ଆସିଥିଲା । ଶେଖାୱତଙ୍କ ବ୍ୟତୀତ କୁରୁକ୍ଷେତ୍ର ସାଂସଦ ନାୟବ ସିଂହ ସୈନି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ପୋଲ ନାହିଁ ! ବର୍ଷା ଦିନେ ବାହ୍ୟ ଜଗତରୁ ବିଛିନ୍ନ ପୁରା ଅଞ୍ଚଳ, ମୌଳିକ ସୁବିଧାରୁ ବି ବଞ୍ଚିତ ଲୋକେ

ଗଜପତି: ପୋଲଟିଏ ନଥିବାରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଗମନାଗମନର ସୁବିଧା ନଥିବାରୁ ପହଞ୍ଚି ପାରୁନାହିଁ ସରକାରୀ ଯୋଜନା । ବିକାଶ ଏଠି ପାଲଟିଛି ସାତ ସପନ । ଖରସ୍ରୋତା ନାଳ ଉପରେ ଜୀବନକୁ ପାଣି ଛଡାଇ ଯାତାୟତ କରୁଛନ୍ତି ଲୋକେ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତର ସନ୍ଧିଗାଁରୁ ଆସିଛି ଏମିତି ଚିତ୍ର ।

Jajpur Sindhi gaon

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତର ସନ୍ଧିଗାଁ ସମେତ ଆଖପାଖ ତିନୋଟି ଗ୍ରାମର ଶତାଧିକ ପରିବାରର ରହନ୍ତି ନାଳ ଆରପାରିରେ । ଖରସ୍ରୋତା ନାଳ ପାର ହେବାକୁ ନାହିଁ ସ୍ଥାୟୀ ବ୍ୟବସ୍ଥା । ଗ୍ରାମବାସୀ କାଠରେ ଅସ୍ଥାୟୀ ପୋଲ କରି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ଲୋକେ । ଛାତ୍ରଛାତ୍ରୀ ହୁଅନ୍ତୁ ବା ବୃଦ୍ଧ, କିମ୍ବା ଗର୍ଭବତୀ, ଏହି କାଠ ପୋଲ ହି ଏକମାତ୍ର ଭରସା ।

ବର୍ଷା ଦିନ ଆସିଲେ ଲୋକଙ୍କ ଭୟ ବଢୁଛି । ଅତ୍ୟଧିକ ପାଣି ଆସିଲେ ପୋଲଟି ଭାସି ଯାଉଥିବା କହନ୍ତି ଲୋକେ । ରାସ୍ତା ନଥିବାରୁ ପ୍ରଶାସନିକ ଅଧିକାରୀଙ୍କ କେବେ ଏଠାରେ ପାଦ ପଡିନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି ।

ସ୍ୱାଧୀନତାର ଏତେ ବର୍ଷ ପରେ ବି ବିକାଶର ସ୍ୱାଦ ଚାଖି ନାହାନ୍ତି ଏଠାକାର ଲୋକେ । ତେଣୁ ତୁରନ୍ତ ଲୋକଙ୍କ ସମସ୍ୟା ବିଷୟରେ ଧ୍ୟାନ ଦେଲେ ଲୋକେ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

(ସରୋଜ ବୀରା)

ଅଘଟଣ: ୫ ମହଲା କୋଠା ଭୁଶୁଡ଼ି ୧୭ ଆହତ, ୭୦ ଜଣ ଫସିଥିବା ଆଶଙ୍କା

ମୁମ୍ବାଇ: ବଡ଼ ଖବର । ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଏକ ୫ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଏହି ଘଟଣା ଘଟିଛି ରାୟଗଡ଼ର ମହାଦ ତହସିଲରେ । ସୋମବାର ସନ୍ଧ୍ୟାରେ ୫ ମହଲା କୋଠାଟି ଭୁଶୁଡ଼ି ପଡ଼ିଛି । ସନ୍ଧ୍ୟା ପ୍ରାୟ ୬ଟା ୫୦ ବେଳେ କାଜଲପୁରା ଅଞ୍ଚଳରେ ଏହି ଭୟଙ୍କର ଅଘଟଣ ଘଟିଛି ।

କୋଠାର ଭଗ୍ନାଂଶ ତଳୁ ୧୭ ଜଣଙ୍କୁ ଉଦ୍ଧାର କରାଯାଇ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହୁରି ୭୦ରୁ ଅଧିକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳକୁ ପୁନେରୁ ଏନଡିଆରଏଫ୍ ଟିମ୍ ଯାଉଛନ୍ତି । ସ୍ଥାନୀୟ ଲୋକ ଓ ପ୍ରଶାସନ ଦ୍ୱାରା ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ କ୍ରେନ୍ ସହ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି ।

ଉଦ୍ଧାର ହୋଇଥିବା ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳକୁ ଯାଉଛନ୍ତି, ରାସ୍ତାରେ ଥିବା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଅଦିତି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ନେଇ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଜାତୀୟ ରାଜପଥ ପାଲିଟିଛି ମରଣଯନ୍ତା, ଯେତେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି

କୋରାପୁଟ/ଜୟପୁର: ଜାତୀୟ ରାଜପଥ ପାଲିଟିଛି ମରଣଯନ୍ତା । ଜୟପୁର କୋରାପୁଟ ରାସ୍ତାରେ ଯିବା ଆସିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ଏମିତିକି ଆମ୍ବୁଲାନ୍ସ ବି ଯିବା ଆସିବା ବେଳେ ସମସ୍ୟା ସୃଷ୍ଟି କରୁଛି । ତେବେ ଏଥିପ୍ରତି ଏନ୍‌ଏଚ୍‌ଏଆଇଙ୍କ କୌଣସି ଦୃଷ୍ଟି ନଥିବା ଜଣାପଡୁଛି । ଫଳରେ ଏହାକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ବିଜେଡି ।

ଜୟପୁରରୁ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ । ରାସ୍ତା ପାଲଟିଛି ମରଣଯନ୍ତା । ସୃଷ୍ଟି ହୋଇଛି ବଡ଼ ବଡ଼ ଖାଲ ଖମା । ସୃଷ୍ଟି କରୁଛି କୃତ୍ରିମ ପୋଖରୀର ଭ୍ରମ । ଜାତୀୟ ରାଜପଥ ଘେରାଉ ସହ ସ୍ମାରକପତ୍ର ଦେଲା ବିଜେଡି । ଏହି ରାସ୍ତାରେ ପ୍ରାୟ ପ୍ରତିଦିନ ହଜାର ହଜାର ଗାଡି ଯିବା ଆସିବା କରୁଛି । ଖାଲି ସେତିକି ନୁହେଁ ଆମ୍ବୁଲାନ୍ସ ଯିବା ବେଳେ ବି କଷ୍ଟରେ ଯିବାକୁ ପଡୁଛି । ୨୬ ନମ୍ବର ଜାତୀୟ ରାଜପଥକୁ ନେଇ ବିଭିନ୍ନ ସମୟରେ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ବହୁବାର ସ୍ଥାନୀୟ ଲୋକେ ରାସ୍ତା ମରାମତି କରିବାକୁ ଅଭିଯୋଗ କରିଛନ୍ତି । ହେଲେ ଜାତୀୟ ରାଜପଥ କତ୍ତୃପକ୍ଷ ନିରବ ଦ୍ରଷ୍ଟା ପଲାଟିଯାଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।

ସେପଟେ ଅଭିଯୋଗକୁ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଖୁବ୍‌ ଶୀଘ୍ର ଖାଲ ଗୁଡିକର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ । ଏଦିଗରେ କତ୍ତୃପକ୍ଷ ଧ୍ୟାନ ନଦେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବାର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

(ହୃଷୀକେଶ ମିଶ୍ର)