ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଠାକାଠିରେ ଛନ୍ଦି ହୋଇଛନ୍ତି ଓଟିଭି କର୍ତ୍ତୃପକ୍ଷ । ଆଜି ଏହି ମାମଲାରେ ଜେରା ହୋଇଛନ୍ତି ଓଟିଭିର ସହକାରୀ ଏଚଆର ମୁଖ୍ୟ । ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଛି ମହିଳା ଥାନା । ପୂର୍ବରୁ ଇନପୁଟ ଓ ଆଉଟପୁଟ ମୁଖ୍ୟଙ୍କୁ ଜେରା କରାଯାଇଥିଲା । ଏହି ଘଟଣାରେ ପୀଡିତାଙ୍କ ମାଙ୍କ ସହ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କ ବାର୍ତ୍ତାଳାପ ମହିଳା କମିଶନଙ୍କ ନିକଟରେ ଦାଖଲ କରାଯାଇଥିଲା । ଓଟିଭି କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ଅନ୍ୟ କିଛି ଅଡିଓ କ୍ଲିପକୁ ନିଜ ଚ୍ୟାନେଲରେ ପ୍ରସାରିତ କରିଥିଲା ସଂପୃକ୍ତ ଗଣମାଧ୍ୟମ । ଏହି ଅଡିଓ କ୍ଲିପକୁ ପୋଲିସକୁ ଦିଆଯାଇନଥିଲା । ପୀଡିତାଙ୍କ ମାଙ୍କ ଅଭିଯୋଗ ପରେ ଚ୍ୟାନେଲ କର୍ତ୍ତୃପକ୍ଷ ପୋଲିସକୁ ଅବଗତ କରିବା ପରିବର୍ତ୍ତେ ଘଟଣାକୁ ଚାପି ଦେବାକୁ ଚକ୍ରାନ୍ତ କରୁଥିଲେ ବୋଲି ଅଭିଯୋଗ ହେଉଛି । ଏହିଦୃଷ୍ଟିରୁ ମହିଳା ଥାନା ଚ୍ୟାନେଲର ଜଣେ ଜଣେ ପରେ ଅଧିକାରୀଙ୍କୁ ଜେରା କରୁଛି ।
ସୁରଙ୍କ ଅବୁଝା ଚିଠି: ବାଚସ୍ପତି କହିଲେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇପାରିବେ
ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଆଗାମୀ ବିଧାନସଭା ଅଧିବେଶନ ବର୍ଜନ କରିବେ । ଏନେଇ ସେ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ତାଙ୍କ କହିବା କଥା, ୬୦ବର୍ଷରୁ ଅଧିକ ବୟସର ବିଧାୟକଙ୍କ ପାଇଁ କଟକଣା ଲାଗୁ ହୋଇଥିବାରୁ ସେ ବର୍ଜନ କରିବେ । ଏପଟେ ବିଧାନସଭା ପାଇଁ ବିରୋଧୀ ଓ ଶାସକ ସଜବାଜ ହେଉଛନ୍ତି, ସେପଟେ ବିଧାନସଭାର ନିଷ୍ପତ୍ତି ନବୁଝି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ସୁରେଶ ରାଉତରାୟ ।
ସୁରଙ୍କ ଅବୁଝା ଚିଠି । ବିଧାନସଭା ବର୍ଜନ କରିବାକୁ ଚେତାବନୀ । ନିଷ୍ପତ୍ତି ନଜାଣି ଉଠାଇଲେ ପ୍ରଶ୍ନ । ବାଚସ୍ପତି କହିଲେ ବିଧାୟକଙ୍କ ଉପରେ କଟକଣା ନାହିଁ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଜଟଣୀର ବିଧାୟକ । ବିଧାନସଭାରେ ବଡ଼ପାଟି କରୁଥିବା ଏହି ବିଧାୟକ ଏବେ ଅବୁଝା । କରୋନା ପାଇଁ ୬୦ବର୍ଷରୁ ଅଧିକ ବୟସର ବିଧାୟକଙ୍କ ପାଇଁ କଟକଣା ଲାଗୁ ହୋଇଥିବାରୁ ସୁର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ସୁରଙ୍କ ଚିଠି ପାଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ୬୦ବର୍ଷରୁ ଅଧିକ ବୟସର ବିଧାୟକ ଯଦି ଚାହିଁବେ ତେବେ ଭିଡିଓ କନଫରେନ୍ସିଂ ଜରିଆରେ ବିଧାନସଭା ଅଧିବେଶନରେ ସାମିଲ ହୋଇପାରିବ । ହେଲେ ଏକଥା ଠିକ୍ ଭାବେ ବୁଝି ନାହାନ୍ତି ସୁର ରାଉତରାୟ ।
ସେପଟେ ଆସନ୍ତା ୨୯ତାରିଖରେ ବିଧାନସଭା ଅଧିବେଶନ ପୂର୍ବରୁ ୨୮ରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ, ସେନେଇ ଆଲୋଚନା କରାଯିବ । ସେହିପରି ୨୬ କିମ୍ବା ୨୭ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ନିୟମ ଅନୁସାରେ ବିଧାନସଭା ଚାଲିବ ବୋଲି ଶାସକ ବିଜେଡି କହିଛି । ଆସନ୍ତା ୨୬ ତାରିଖରେ ସବୁ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ । ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ପାଇଁ ବିରୋଧୀ ଦାବି କରିଛନ୍ତି ।
ପ୍ରବାସୀ ଆସିବା କମିଲା: ଏବେ ସବୁ ଟିଏମ୍ସି ଖାଁ ଖାଁ
ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର – ଟିଏମ୍ସି। ପ୍ରାରମ୍ଭିକ ପର୍ଯ୍ୟାୟରେ ଟିମ୍ସି ହିଁ କରୋନା ସଂକ୍ରମଣକୁ ଦେଇଥିଲା ଚେକ୍ । କୋଭିଡ କେୟାର ହୋମ ବି କରୋନା ମୁକାବିଲାରେ ନେଇଥିଲା ବଳିଷ୍ଠ ଭୂମିକା । ଏବେ କିନ୍ତୁ ଆଉ ନାହାନ୍ତି ପ୍ରବାସୀ, ଫଳରେ ଖାଲି ପଡୁଛି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଥିପାଇଁ ବ୍ୟବହାର ହେଉନଥିବା ଟିଏମ୍ସିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ବଢୁଛି ସୁସ୍ଥତା, କମୁଛି ସଂକ୍ରମଣ । ପ୍ରବାସୀ ଆସିବା କମିଲାଣି । ଏବେ ପ୍ରାୟ ସବୁ ଟିଏମ୍ସି ଖାଁ ଖାଁ । ଏକଥା ଆମେ କହୁନୁ । ଏ ଚିତ୍ର ବଖାଣୁଛି ସ୍ଥିତି । ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଗୋଟିଏ ଜିଲ୍ଲାର ସ୍ଥିତି ଉପରେ ଟିକେ ନଜର ପକାଇବା । ଏ ହେଉଛି ବାଲେଶ୍ବର ଜିଲ୍ଲା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ଟିଏମସି । ଜିଲ୍ଲାର ୧୨ଟି ବ୍ଲକ ଓ ୪ଟି ପୌର ପରିଷଦରେ ମୋଟ ୧୦୧୭ଟି ଟିଏମସି ଖୋଲିଥିଲା । ଏବେ ବହାନାଗା, ବସ୍ତା, ବାଲିଆପାଳ, ଭୋଗରାଇ, ଖଇରା, ନୀଳଗିରି, ରେମୁଣା, ସିମୁଳିଆ ଓ ସୋର ବ୍ଲକ୍ର ୧୨୧୫ଟି ଟିଏମସିରେ ଜଣେ ହେଲେ ନାହାନ୍ତି ।
ଜିଲ୍ଲାକୁ ବିଭିନ୍ନ ଟିଏମ୍ସିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୧ ହଜାର ୧୨୦ ଜଣ । ଏବେ ପ୍ରବାସୀ ଆସିବା ବନ୍ଦ ହୋଇଥିବା ବେଳେ ଅଳ୍ପ ଲକ୍ଷଣ ଓ ଲକ୍ଷଣହୀନ ଲୋକ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ପସନ୍ଦ କରୁଛନ୍ତି । କେବଳ ବାଲେଶ୍ୱର ନୁହେଁ, ଶିଳ୍ପନଗରୀ ରାଉରକେଲା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଚିତ୍ର ସମାନ । ଗଞ୍ଜାମରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାରୁ ଅକାମୀ ହୋଇଗଲାଣି ଏହି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର । ରାଉରକେଲାରେ ମଧ୍ୟ ୧୫ଟି କୋଭିଡ କେୟାର ହୋମ ମଧ୍ୟରୁ ୧୪ଟି ଓ ୬ଟି ଯାକ ଟିଏମ୍ସିକୁ ବନ୍ଦ କରାଯାଇଛି । ଗୋଟେପଟେ ପ୍ରବାସୀ ଆସିବା କମିଛି, ଅନ୍ୟପଟେ ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି ।
କୋଭିଡ ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ସରକାର ୬ ଲକ୍ଷ ୩୬ ହଜାର ୬୯ ଶଯ୍ୟା ବିଶିଷ୍ଟ ୧୩ ହଜାର ୯୯୨ ଟିଏମ୍ସି ଏବଂ ୬୭ ହଜାର ୮୮୮ ଶଯ୍ୟାବିଶିଷ୍ଟ ୬, ୭୯୮ଟି କୋଭିଡ୍ କେୟାର ହୋମ୍ ପ୍ରତିଷ୍ଠା କରିଥିଲେ ।
କିଶୋରୀଙ୍କ ବଳାତ୍କାର, ହତ୍ୟା ମାମଲାରେ ୬ ଜଣ ଜେଲ ଯାଇଥିଲେ,୧୨ ବର୍ଷ ପରେ ମୃତ ଜୀବିତ ହେଲେ !
ନୂଆଦିଲ୍ଲୀ: ତ୍ତରପ୍ରଦେଶର ଜାଲୌନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ । ସୂଚନା ଅନୁସାରେ ଏକ ଯୁବତୀକୁ ଅପହରଣ ଏବଂ ହତ୍ୟା ମାମଲାରେ ୬ ଜଣଙ୍କୁ ଜେଲ ହୋଇଥିଲା । କିନ୍ତୁ ସେ ବଞ୍ଚିଥିବା ଖବର ୧୨ ବର୍ଷ ପରେ ସାମ୍ନାକୁ ଆସିଛି । ଘଟଣା ସମୟରେ ୧୪ ବର୍ଷର ଯୁବତୀ ଏବେ ୨୬ ବର୍ଷୀୟ ବିବାହିତା । ଉକ୍ତ ଯୁବତୀଙ୍କୁ ଏବେ ଅଲ୍ଲିଗଡ଼ରୁ ଜାଲୌନ ଆଣି ପଚରାଉଚରା ଜାରି ରହିଛି ।
ବାସ୍ତବରେ ପୂରା ମାମଲା ଜାଲୌନ ଜିଲ୍ଲାର କାଳପି କସ୍ୱେରେ ପର୍ଦ୍ଦାଫାଶ ହୋଇଛି । ଉକ୍ତ କିଶୋରୀ ଅପହରଣ ଏବଂ ହତ୍ୟା କରିଥିବା ଅଭିଯୋଗରେ ଛଅ ଜଣ ଜେଲ ଦଣ୍ଡ ଭୋଗୁଥିଲେ । କିନ୍ତୁ କିଶୋରୀ ଜୀବିତ ଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସିଓ ଆରପି ସିଂ କହିଛନ୍ତି ଯେ ୨୦୦୮ରେ କାଳପି କସ୍ୱେରେ ରହୁଥିବା ଏକ ଗରିବ ପରିବାରର ୧୪ ବର୍ଷୀୟ କିଶୋରୀ ଅପହରଣ ହୋଇଥିଲା । କିଶୋରୀଙ୍କ ମା ନଗରପାଳିକା ଅଧିକାରୀ, ଏକ ସଭାପତିଙ୍କ ସମେତ ୬ ଲୋକଙ୍କ ନାମରେ ଅଭିଯୋଗ ଦାଖଲ କରିଥିଲେ । ଜଣେ ବିଧାୟକଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ ଯୁବତୀଙ୍କ ମା । ସେହି ସମୟରେ ଘାଟମପୁରରେ ଜଣେ ଅଜ୍ଞାତ ଝିଅର ଶବ ମିଳିଥିଲା, ତାକୁ ନିଜ ଝିଅ କହି ହଙ୍ଗାମା କରି ଦେଇଥିଲେ ଉକ୍ତ ମହିଳା । ଯଦିଓ ବିଧାୟକଙ୍କୁ କ୍ଲିନ ଚିଟ୍ ମିଳିଗଲା କିନ୍ତୁ ଅନ୍ୟ ୬ ଜଣଙ୍କୁ ଜେଲ ହୋଇଗଲା । କିନ୍ତୁ ଜେଲରେ ଜଣେ ମହିଳା ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଗଲା ଏବଂ ଅଢେଇ ବର୍ଷ ପରେ ଅନ୍ୟମାନେ ଜାମିନରେ ବାହାରକୁ ଆସିଗଲେ ।
ଚୀନର ଏହି ଓ୍ୱେବସାଇଟକୁ ବ୍ଲକ କଲା ଭାରତ, ଜାଣନ୍ତୁ କାରଣ କ’ଣ ?
ନୂଆଦିଲ୍ଲୀ: ଟେଲିକମ ବିଭାଗ ଚୀନର ନ୍ୟାସନାଲ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସର ଇଂରାଜୀ ଓ୍ୱେବସାଇଟକୁ ବ୍ୟାନ୍ କରି ଦେଇଛନ୍ତି । ପୂର୍ବ ଲଦାଖରେ ସୀମାରେ ଚାଲୁଥିବା ବିବାଦକୁ ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତଥାପି ଏବେ ମଧ୍ୟ ଗ୍ଲୋବାଲ ଟାଇମ୍ସ ଏବଂ ସରକାରୀ ଏଜେନ୍ସି ସିହ୍ନୁଆକୁ ଏବେ ମଧ୍ୟ ବ୍ୟବହାର କରି ହେଉଛି । ତେବେ ଏହି ଓ୍ୱେବସାଇଟକୁ କ୍ଲିକ କରିବା ପରେ ସ୍କ୍ରିନ ଉପରେ ଏକ ମେସେଜ ନଜର ଆସୁଛି । ମେସେଜଟି ହେଉଛି, ଆପଣଙ୍କ ଦ୍ୱାରା ଅନୁରୋଧ କରାଯାଇଥିବା ୟୁଆରଏଲକୁ ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ ଡିପାର୍ଟମେଣ୍ଟର ନିର୍ଦ୍ଦେଶ ଅନୁସାରେ ବ୍ଲକ କରିଦିଆଯାଇଛି । ଅଧିକ ସୂଚନା ପାଇଁ ଆଡମିନଷ୍ଟ୍ରେଟରଙ୍କ ସହିତ ଯୋଗାଯୋଗ କରନ୍ତୁ ।
ପୂର୍ବ ଲଦାଖର ଗଲଓ୍ୱାନ ଘାଟୀରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ଉତ୍ତେଜନାରେ ଭାରତର ୨୦ ଜଣ ଯବାନ ସହୀଦ ହୋଇଯାଇଥିଲେ । ଯାହାପରେ ଉକ୍ତ ମାମଲାକୁ ନଜରରେ ରଖି ଚୀନର ଶତାଧିକ ଆପ୍ଲିକେସନକୁ ବ୍ୟାନ କରିଛି ଭାରତ । ଏଥିରେ ଲୋକପ୍ରିୟ ଓ୍ୱେବସାଇଟ TIKTOK ଏବଂ PUBG ମଧ୍ୟ ସାମିଲ ରହିଛି ।
ସୂଚନାଯୋଗ୍ୟ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୀନକୁ ନେଇ ଗୁରୁବାରକୁ ରାଜ୍ୟସଭାରେ ବୟାନ ଦେଇଛନ୍ତି । ଯଦି ଆବଶ୍ୟକ ପଡ଼େ ଭାରତ ନଇଁବ ନାହିଁ ବୋଲି ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।
ବଜାରରେ ହଠାତ୍ ସେଓ ଦାମ ପାଖାପାଖି ଅଧା କାହିଁକି ହେଲା ? ଜାଣନ୍ତୁ କାରଣ…
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ନିହାତି ଭାବରେ ଏହା ଏକ ଖୁସି ଖବର । ଭାରତୀୟ ବଜାରରେ ଚାଲିଛି ସେଓର ଅଭାବୀ ବିକ୍ରି । ଏହାର ଦାମ ପ୍ରକୃତ ମୂଲ୍ୟରୁ ହ୍ରାସ ହୋଇ ଅଧା ହୋଇ ଯାଇଛି । ଉତ୍ତମ ଗୁଣବତ୍ତା ଥିବା ସେଓର ଦାମ୍ ହ୍ରାସ ହୋଇ ୫୦ରୁ ୪୦ ଟଙ୍କାରେ ପହଞ୍ଚିଛି । ଗଣମାଧ୍ୟମକୁ All India Apple Growers Associationର ଅଧ୍ୟକ୍ଷ ରବିନ୍ଦ୍ର ଚୌହାନ କହିଛନ୍ତି କି ବର୍ତ୍ତମାନର ମୂଲ୍ୟ ୨୦୧୭ ଭଳି ରହିଛି । ଅବଶ୍ୟ ନିବେଶ ଏବଂ ଶ୍ରମିକ ମୂଲ୍ୟ ଦୁଇ ଗୁଣା ହୋଇ ଯାଇଛି । ଚଳିତ ବର୍ଷ ଫସଲ କମ ହୋଇଛି ଏବଂ ପୋକ କାରଣରୁ ଗୁଣବତ୍ତାରେ ହ୍ରାସ ଘଟିଛି । ନେପାଳଠାରୁ ଶ୍ରମିକଙ୍କ ସଂଖ୍ୟା କମ୍ ହେତୁ ଆମର ସଙ୍କଟ ବଢିଯାଇଛି ।

ବ୍ୟବସାୟୀଙ୍କ କହିବା ଅନୁସାରେ ହିମାଚଳ ପ୍ରଦେଶର ପ୍ରାୟ ୪ରୁ ୫ ଲକ୍ଷ ଟନରୁ ପ୍ରାୟ ଅଧା ଏବଂ କାଶ୍ମୀର ଉପତ୍ୟକାରୁ ଆସିବାକୁ ଥିବା ଆନୁମାନିକ୨୦ ଟନ ସେଓରୁ ୧୫ ପ୍ରତିଶତ ଦେଶର ବିଭିନ୍ନ ବଜାରରେ ପହଂଚି ପାରିଛି । ଦିଲ୍ଲୀର ଆଜାଦପୁର ଫଳ ବଜାରରେ ସେଓ ମୂଲ୍ୟ କିଲୋଗ୍ରାମ ପ୍ରତି ପ୍ରାୟ ୪୦ରୁ ୫୦ ଟଙ୍କା ରହିଛି । ଅଧିକ ଯୋଗାଣ ଏବଂ ଚାହିଦା କମ ଥିବାରୁ ଏହାର ମୂଲ୍ୟ ପ୍ରାୟ ୫୦ପ୍ରତିଶତ କମ ହୋଇଯାଇଛି ।






