ପିଆଜ ଦର ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ

ଭୁବନେଶ୍ୱର: ପିଆଜ ଦର ରାଜ୍ୟରେ ଆକାଶ ଛୁଆଁ । ବନ୍ୟା ପରେ ଏଭଳି ସ୍ଥିତି ୨ୟ ଥର ପାଇଁ ଦେଖିବାକୁ ମିଳୁଛି । ଦର ବେକାବୁ ହେବା ପଛରେ ସବୁଠାରୁ ବଡ କାରଣ ହେଉଛି ଲଗାଣ ବର୍ଷା । ଆମଦାନୀ ନହେବା କେବଳ ସମସ୍ୟା ନୁହେଁ ବୋଲି ଯୋଗାଣ ବିଭାଗ ମନେ କରୁଛି । ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳମାନେ  ପିଆଜ ଦରକୁ ଜିଲ୍ଲାରେ ନିୟନ୍ତ୍ରଣରେ ରଖିବା ଉପରେ ଜୋର ଦିଅନ୍ତୁ । ଜିଲ୍ଲାରେ କିପରି କଳାବଜାରୀକୁ ସମୂଳେ ନାଶ କରି ହେବ ସେନେଇ ସମସ୍ତ ସମୟ ଉପଯୋଗୀ ପଦକ୍ଷେପ ନିଅନ୍ତୁ ।

ସରକାରଙ୍କ ଏହି ପଦକ୍ଷେପ ପରେ ବ୍ୟବୟାସୀ ସଂଘ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି । ତେବେ ସରକାରଙ୍କ ଏହି ପଦକ୍ଷେପକୁ ଉପଯୁକ୍ତ କହିବା ସହ ପିଆଜର କଳାବଜାରୀ ରୋକିବାକୁ ଏହା କାମ କରିବ ବୋଲି କହିଛନ୍ତି ବ୍ୟବସାୟୀ ସଂଘ  । ହେଲେ ପାଇକରୀ ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ରାଜ୍ୟ ସରକାର ସମନ୍ୱୟ ରଖିବାକୁ ଏକ ବୈଠକ ଡକାନ୍ତୁ । କାହିଁକି ପାଇକରୀ ଓ ଖୁଚୁରା ଦର ଅଧିକ ଫରକ ରହୁଛି, ଆଲୋଚନା କରାଯାଇପାରିବ ବୋଲି ବ୍ୟବସାୟୀ ସଂଘ କହିଛି  । ଦିନେ ଦୁଇ ଦିନ ଭିତରେ ପାଇକରୀ ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ପିଆଜ ଦର ଉପରେ ବୈଠକ ବସିବ  ବୋଲି କହିଛନ୍ତି ଯୋଗାଣ ବିଭାଗ ମାର୍କେଟ ଇଣ୍ଟେଲିଜେନ୍ସ ଅଫିସର ।

କ୍ୱିଣ୍ଟାଲ୍ ପିଛା ପରିବହନ ଖର୍ଚ୍ଚ ୫ରୁ ୫ଟା ୩୦ ପଡ଼ୁଛି । ଯାହା ନାସିକ, ଅହମଦନଗରରୁ ଆସୁଛି । ଟ୍ରକ ପିଛା ୨୨ରୁ ୨୫ ଟନ୍ ପିଆଜ ଆସୁଛି । ଏହି ହିସାବରେ ୫୫୦ ଟଙ୍କା ପରିବହନ ଖର୍ଚ୍ଚ ପଡୁଛି ପାଇକରୀଙ୍କୁ। ତେଣୁ ୭୫ରୁ ୭୮ ଟଙ୍କାରେ କିଣି ସେମାନେ ୮୫ରେ ବିକି ପାରନ୍ତି। ହେଲେ ଏହାକୁ ଆମେ କଳା ବଜାରୀ କହି ପାରିବା ନାହିଁ। ଯିଏ ୫୦ରେ କିଣି ୭୦ରେ ବିକୁଛି, ସେ କଳା ବଜାରୀ କରୁଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରବଳ ବର୍ଷା ହୋଇଛି। ଦୀପାବଳି ପରେ ଭଲ ପିଆଜ ଆସିବ। ସେ ସମୟରେ ହୁଏତ ଦର କମିବ ବୋଲି କହିଛନ୍ତି ଯୋଗାଣ ବିଭାଗ ମାର୍କେଟ ଇଣ୍ଟେଲିଜେନ୍ସ ଅଫିସର ।

Leave a Reply