ଆମ ଆସନ ଟଳମଳ, ଯୁବପିଢିଙ୍କ ପ୍ରତିଭା ଦେଖି ଡ଼ର ଲାଗିଲାଣି : ଅଭିଜିତ୍ ମଜୁମଦାର

1 min read

‘ରାତି ଛୋଟକୁ ଏଠି ସପନ ବେଶୀ, ହୃଦୟ ବଡ଼ ହେଲେ ଅଳପ ଖୁସି । ରାଗ ଭୁଲି ଦେ ତୁ ହସି । ତୁ ଥା ମୁଁ ଯାଉଛି ରୁଷି’ ଅଭିନେତା ଅରିନ୍ଦମଙ୍କ ଅଭିନୀତ ଏହି ଗୀତଟିକୁ ଗାଇଥିଲେ ବାବୁଲ ସୁପ୍ରିୟୋ । ଆଉ ଏହାକୁ ସ୍ୱର ଦେଇଥିବା ସଂଗୀତ ନିର୍ଦ୍ଦେଶକ ପରବର୍ତ୍ତୀ ସମୟରେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲେ । କେବଳ ଏହି ଗୀତ ନୁହେଁ । ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ରହିଛି ଏମିତି ଢେର ସାରା ଗୀତ । ପ୍ରାଥମିକ ଭାବେ ‘ମାନନୀୟ ଜଗନ୍ନାଥ’, ‘ନନ୍ଦଲାଲାର ଟିକିପିଲା’ ଭଳି ଭଜନକୁ ସ୍ୱର ଦେଇଥିବା ବ୍ୟକ୍ତିଜଣଙ୍କ ପରବର୍ତ୍ତୀ ସମୟରେ ମେଲୋଡ଼ି, ଡ୍ରାମା ଏବଂ ସିଜିନି ଅନୁଯାୟୀ ଚାଲୁଥିବା ଗୀତରେ ନିଜକୁ ବ୍ୟସ୍ତ ରଖିଥିବା ମଣିଷ । ସେ ହେଉଛନ୍ତି ସଭିଙ୍କ ଅଭିଜିତ ଦା ଓରଫ ଅଭିଜିତ ମଜୁମଦାର । ଶାରଦୀୟ ପର୍ବ ଅବ୍ୟବହତି ମଧ୍ୟରେ ନନ୍ଦିଘୋଷ ଡିଜିଟାଲ ପକ୍ଷରୁ ତାଙ୍କ ସହ ହୋଇଥିବା ସାକ୍ଷାତକାରର କିଛି ଅଂଶ ନିମ୍ନରେ ପ୍ରଦାନ କରାଗଲା ।

୧. ସବୁ ବର୍ଷ ପୂଜାରେ ଅଭିଜିତ ଷ୍ଟେଜ୍ ପ୍ରୋଗ୍ରାମରେ ବ୍ୟସ୍ତ ଥାଆନ୍ତି । ହେଲେ ଏଥର କରୋନା ସମୟ । ଅଭିଜିତ ଏବେ କରୁଛନ୍ତି କ’ଣ?

ଉତ୍ତର- ବର୍ତ୍ତମାନ ତ କରୋନା ସମୟ । ତେଣୁ କୌଣସି ଶୋ ନାହିଁ । ସମ୍ବଲପୁର ମୋ ନିଜ ଘର । ଘରେ ବାପା, ମାଆ ସମସ୍ତେ ଅଛନ୍ତି । ତେଣୁ ସେମାନଙ୍କ ସହ ସମୟ ବିତାଇବା ପାଇଁ ଆସିଯାଇଛି । ଏଥିସହିତ ମୋ ଗୁରୁ ଜ୍ଞାନ ମହାପାତ୍ର ସାର, ମୋ ବନ୍ଧୁ ମାନଙ୍କୁ ଭେଟିବି । ଦାଦା ଯୋଉଠି ଯାଏ, ସେଠି ରୋଳା ହୁଏ । ମୁଁ ସମ୍ବଲପୁର ଆସିଥିବା ଖବର ଜାଣି କେତେକ ସାଙ୍ଗ ଛୋଟ ଧରଣର କାର୍ଯ୍ୟକ୍ରମ ଆୟୋଜନରେ ଲାଗି ଗଲେଣି । କୋଭିଡ଼ କଟକଣା ସହ ଆମେ ମଜା କରିବୁ ।

୨. କିଛିବର୍ଷ ପୂର୍ବରୁ ଆଲବମ୍ ଇଣ୍ଡଷ୍ଟ୍ରି ଭାରି ଡିମାଣ୍ଡରେ ଥିଲା । କାଳକ୍ରମେ ତାହା ଉଣା ହେଲା । ହେଲେ ବର୍ତ୍ତମାନ ୟୁ-ଟ୍ୟୁବ ମନୋରଞ୍ଜନର ଯୁଗ । ଏହି ପରିବର୍ତ୍ତନକୁ କିପରି ଦେଖୁଛନ୍ତି ?

ଉତ୍ତର- ନିଶ୍ଚିତ ରୂପେ ୟୁ-ଟ୍ୟୁବ ଆଉ କ୍ଷୁଦ୍ର ଚଳଚ୍ଚିତ୍ର ଆମକୁ ବଞ୍ଚାଇ ଦେଇଛି । କରୋନା ଯୋଗୁ ସିନେମା ପ୍ରାୟତଃ ବନ୍ଦ ଅଛି । ସିନେମା ଦ୍ୱାରା ଅଧିକ ଅର୍ଥ ମିଳିଥାଏ ସତ ହେଲେ ୟୁ-ଟ୍ୟୁବରେ ପାରଶ୍ରମିକ କମ୍ । ହେଲେ ଏହା ସମସ୍ତ କଳାକାରଙ୍କୁ ଏକ ବିକଳ୍ପ ରାହା ଯୋଗାଇଛି । ତେଣୁ ପୂର୍ବରୁ ୟୁ-ଟ୍ୟୁବକୁ ମନା କରୁଥିଲେ । ଏବେ କିନ୍ତୁ ଭାରି ଜୋରରେ ଏଥିରେ ମାତିଛି । ସେହିଭଳି ସରକାର ସୁଟିଂ ପାଇଁ ଅନୁମତି ଦେଇଥିବା ସକାରତ୍ମକ ଖବର । ବର୍ତ୍ତମାନ ସମୟରେ ୟୁ-ଟ୍ୟୁବ ମନୋରଞ୍ଜନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ।

୩.ଓଡ଼ିଆ ସିନେ ସଂଗୀତର ବର୍ତ୍ତମାନ ସ୍ଥିତି ସମ୍ପର୍କରେ କ’ଣ କହିବେ?

ଉତ୍ତର- ଓଡ଼ିଶା ଗୋଟେ ସଂଗୀତ ସହ ଓତଃପ୍ରୋତ ଭାବେ ଜଡିତ ଥିବା ରାଜ୍ୟଟିଏ । ଏଠି ବାହାଘର ଉତ୍ସବରେ ଗୀତ ହୁଏ । ଭସାଣିରେ ବି ଗୀତ ହୁଏ । ପରିଜନ ମରିଗଲେ ବି କେତେକ ସ୍ଥାନରେ ପାରମ୍ପରିକ ଗୀତ ବୋଲାଯାଏ । କେଉଁଠି ନା କେଉଁଠି ସଂଗୀତ ଆମ ଜନଜୀବନ ସହ ଜଡ଼ିତ ହୋଇ ରହିଯାଇଛି । ଆମ ରାଜ୍ୟରେ ବାଳକୃଷ୍ଣ ଦାଶଙ୍କ ଭଳି ବ୍ୟକ୍ତିତ୍ୱ ଜନ୍ମଗ୍ରହଣ କରିଛନ୍ତି । କୋଉ ପ୍ରାଚୀନ କାଳରୁ ଓଡ଼ିଶୀ ଆମର ସମ୍ପତ୍ତି ହୋଇ ରହିଛି । ସଂଗୀତର ସାଉଣ୍ଡ କ୍ଷେତ୍ରରେ ମଧ୍ୟ ଆମେ ସମୃଦ୍ଧ ହୋଇ ଗଲେଣି । ସାଉଣ୍ଡରେ ଆମେ ପଶ୍ଚିମବଙ୍ଗ ପାଖାପାଖି ପହଞ୍ଚିଗଲେଣି । ଆମ ରାଜ୍ୟରେ ଭଲ ଭଲ ସାଉଣ୍ଡ ଡିଜାଇନରମାନେ ଅଛନ୍ତି । ସେହିଭଳି ପ୍ରାଚୀନ ସଂଗୀତ, ଲୋକ ଗୀତ, କୋରାପୁଟିଆ ଗୀତ, ସମ୍ବଲପୁରୀ ଲୋକଗୀତକୁ ନେଇ ଭଲ ଗୀତ କରାଯାଇଛି ।

୪. କମ୍ପ୍ୟୁଟର ଆସିବା ପରେ ସଂଗୀତ ପାଇଁ ଅଧିକ ପରିମାଣରେ ଭିଏସଟି ବ୍ୟବହାର କରାଯାଉଛି । ମୋଟ ଉପରେ କହିବାକୁ ଗଲେ ଆକ୍ୱାଷ୍ଟିକକୁ କେହି ପଚାରୁ ନାହାନ୍ତି । ଏହା ଦ୍ୱାରା ସଂଗୀତର ଗୁଣାତ୍ମକ ହ୍ରାସ ହେଉନି କି?

ଉତ୍ତର- ଏହା ଅତି ସୁନ୍ଦର ପ୍ରଶ୍ନଟିଏ । ଏବେ ଭିଏସଟିକୁ ଅଧିକ ମାତ୍ରାରେ ରଖି ଆକ୍ୱାଷ୍ଟିକ୍ କମି ଯାଉଛି । ଅତୀତରେ ଭଉଁରୀ ବୋଲି ଗୋଟିଏ ସିନେମା କରିଥିଲି । ଏଥିରେ କେବଳ ଆକ୍ୱାଷ୍ଟିକ ହିଁ ବ୍ୟବହାର କରାଯାଇଥିଲା । ଆମେ ଏଥିରେ ଧୂମସା, ହେମସା, ଚଡ଼ଚଡି, ବଂଶୀ, ମେଣ୍ଡୋଲି, ମଣ୍ଡଲା ବ୍ୟବହାର କରିଥିଲୁ । ବିଷୟକୁ ନେଇ ଆମେ କାମ କରିଥାଉ । ଆଗାମୀ ଦିନରେ ଗୋଟିଏ ସିନେମାରେ ମାନ୍ଦଲ, ଢୋଲର ସ୍ୱରକୁ ନେଇ ସଂଗୀତ ପ୍ରସ୍ତୁତ କରୁଛୁ ।

୫. କେବଳ ପ୍ଲଟ ନା ଆଉ କୌଣସି ବିଷୟ ପାଇଁ ଏମିତି ଆଶ୍ରୟ ନିଅନ୍ତି?

ଉତ୍ତର- କାହାଣୀ ହିଁ ନିର୍ଦ୍ଧାରଣ କରିଥାଏ । ବାଳୁଙ୍ଗା ଟୋକା ସିନେମାରେ ଅନୁଭବଙ୍କ ପାଇଁ କ୍ଲାସିକାଲ ବ୍ୟବହାର କରାଯାଇ ପାରି ନ ଥାନ୍ତା । ଆଗରୁ ପ୍ରତି ସିନେମାରେ ଭଜନଟିଏ ରହୁଥିଲା । ଏବେ ତାହା ସମ୍ପୂର୍ଣ୍ଣ ମିସ୍ ହେଉଛି । ଇସ୍କ ହେ ମୌଲା ମୌଲା ଗୀତରେ ସୁଫିଆନା ସଂଗୀତ ଦିଆଗଲା , ତବଲା ବ୍ୟବହାର କଲା । ରେ ମନ ତୁ ଭଲ ପାଉଚୁରେ ଗୀଟାରକୁ ଗୁରୁତ୍ୱ ଦିଆଗଲା ।

୬. ନୂଆ ଗାୟକ ମାନେ ଆସୁଛନ୍ତି  । ସେମାନେ ସଫଳତା, ଲୋକପ୍ରିୟତା ପାଇବା ପରେ ଅଧ୍ୟବସାୟରେ ହେଳା କରୁଛନ୍ତି କି ?

ଉତ୍ତର- ସାମ୍ପ୍ରତିକ ସମୟରେ ବହୁ ପ୍ରତିଭାବାନ ଗାୟକ ସୃଷ୍ଟି ହୋଇଛନ୍ତି । ମାର୍କେଟକୁ ନୂଆ ନୂଆ ଗାୟକ ଆସୁଛନ୍ତି । ତେଣୁ ଏବେକାର ଗାୟକମାନେ ନିଜକୁ ପ୍ରସ୍ତୁତ କରି ରଖୁଛନ୍ତି ।ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିଛି । ଆଗରୁ ଗାୟକମାନେ ଢିଲା ମାରୁଥିଲେ । ଏବେ ଆଉ ନାହିଁ । ସେ ଅଧିକ ଫୋକସ୍ କରୁଛନ୍ତି । କେବଳ ସିଙ୍ଗର ନୁହେଁ, ନୂଆ ନୂଆ ସଂଗୀତ ନିର୍ଦ୍ଦେଶକ ମଧ୍ୟ ଆସିଲେଣି । ଦିନ ଥିଲା କଳାକାର ମାନେ ଲୋକ ଗରିବ ବୋଲି ଭାବୁଥିଲେ । ଏବେ ସମୟ ବଦଳିଛି, ସିନେମାର ହିରୋ, ହିରୋଇନଙ୍କ ପରି ସେମାନେ ମଧ୍ୟ ଭଲ ପାରିଶ୍ରମିକ ପାଇଲେଣି ।

୭. ଯୁବ ଗାୟକ,ଗାୟିକାଙ୍କ ପରି ଯୁବ ସଂଗୀତ ନିର୍ଦ୍ଦେଶକ ଆସୁଛନ୍ତି କି? ଏହା ଉପରେ ଆପଣଙ୍କ ରାୟ କ’ଣ?

ଉତ୍ତର- ବହୁତ ନୂଆନୂଆ ସଂଗୀତ ନିର୍ଦ୍ଦେଶକ ମାର୍କେଟକୁ ଆସିଲେଣି । ମୁଁ ତ ଡରି ଗଲେଣି । ଅସଦ ନିଜାମ, ସୋମେଶ, ବିରଜା,ଜାପାନୀ ଭଲ ସଂଗୀତ କରୁଛନ୍ତି । ସେମାନେ ବହୁତ ଅପଡେଟ୍ ରହୁଛନ୍ତି । ସେମାନଙ୍କ ସାଉଣ୍ଡ ସମ୍ବଦ୍ଧୀୟ ଜ୍ଞାନ ପକ୍କା ରହୁଛି ।

 

୮. ସେହିସବୁ ଯୁବ ସଂଗୀତ ନିର୍ଦ୍ଦେଶକଙ୍କ ପାଇଁ ଆପଣଙ୍କ କ’ଣ ବାର୍ତ୍ତା ରହିବ ?

ଉତ୍ତର- ଗୋଟିଏ ଟେଷ୍ଟରେ ଶହେ ମାରିବା ଏବଂ ପରବର୍ତ୍ତୀ ସମୟରେ ସଚିନ ତେନ୍ଦୁଲକର ହେବା ୨ଟି ଭିନ୍ନ କଥା । ବର୍ତ୍ତମାନର ସମସ୍ତ ଯୁବ ସଂଗୀତ ନିର୍ଦ୍ଦେଶକ ଶହେ ମାରିଛନ୍ତି । ହେଲେ ଏତିକିରେ କାମ ସରେନି । ସେମାନଙ୍କୁ ସଚିନ ତେନ୍ଦୁଲକର ହେବାକୁ ପଡ଼ିବ । ଲମ୍ବା ରେସ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । କିନ୍ତୁ ସେମାନେ ଆମ ପିଢିଠାରୁ ଅଧିକ ଜାଣିଛନ୍ତି ଏବଂ ଅଧିକ ଜ୍ଞାନ ଆହରଣ କରିବା ସହ ଅପ-ଟୁ-ଡେଟ୍ ରହୁଛନ୍ତି ।

 

୯. ଅଭିଜିତଙ୍କ ବିରୋଧରେ ସବୁଠୁ ବଡ଼ ଅଭିଯୋଗ ଲୋକପ୍ରିୟତା ପାଇଁ ଅନେକ ସମୟରେ ଶସ୍ତା ତଥା ଚାଲୁ ସଂଗୀତ ପରିବେଷଣ କରିଥାଆନ୍ତି?

ଉତ୍ତର- ଏକଥା ର ଉତ୍ତରରେ ଅଧିକ କହିବି । ସବୁଠାରୁ ଭଲ ଗୀତଗୁଡିକର ତାଲିକା ମୋ ନାଁରେ ଅଛି । ଆପଣମାନେ କହୁଥିବା ଶସ୍ତା ଗୀତର ତାଲିକା ବି ଅଛି । ହାଏରେ ହାଏ ତୋର ଚେହେରା, ତୋର ନୂଆ ସାୟରୀ, ତୁଥା ମୁଁ ଯାଉଛି ଋଷି କରିଛି । ହେଲେ ପପୁ ଅଭିନୟ କରୁଥିବା ରଙ୍ଗୀଲା ଟୋକା ସିନେମାରେ ଲିପଷ୍ଟିକ୍ ବାଲି ପାର କରେଗା କରିଛି । ହେଲେ ପରବର୍ତ୍ତୀ ସମୟରେ ପପୁ ପାଇଁ ଭଲ ପାଇଁ ଗଲି ସିନେ..ଜାଣେନା ନା ତୁ ମୋ କିଏ.. ଧାତ୍ ଗୀତ କରିଛି । ତେଣୁ ତାହା କାହାଣୀ ଏବଂ ଚରିତ୍ର ଉପରେ ଅଧିକ ନିର୍ଭର କରିଥାଏ ।

୧୦. ବେଳେ ଅନ୍ୟ ସଂଗୀତରୁ ପ୍ରେରଣା ନାଁ ଅନୁକରଣ ହୋଇଯାଏ । ଆଉ ଏହି ଅନୁକରଣ ହନୁକରଣରେ ପରିଣତ ହୋଇଯାଏ । ଏହାକୁ ନେଇ କ’ଣ କହିବେ?

ଉତ୍ତର- ଏହା ଠିକ୍ କଥା । ବେଳେ ବେଳେ ସଂଗୀତ ମିଶି ଯାଏ । କେତେକ ସମୟରେ ସ୍ୱର କରିବା ପରେ ପ୍ରଯୋଜକ ମାନେ ଖୁସି ହୋଇ ଯାଆନ୍ତି । ପରିବର୍ତ୍ତନ କରିବାକୁ ଚାହିଁଲେ ମନା କରନ୍ତି । ତେଣୁ ସେହି ଏକା ଗୀତ ରହିଯାଏ । କିନ୍ତୁ କେତେ ଗୀତ ଅବିକଳ କରାହୋଇଛି । ଏହା ଅନେକ ସମୟରେ ବାହାର ଲୋକ ଜାଣି ଆମକୁ ସମାଲୋଚନା କରନ୍ତି । ଆମକୁ ବି ଖରାପ ଲାଗେ । ହେଲେ ଆମ ଗୀତକୁ ନେଇ ବି ଭୋଜପୁରୀ, ଆସାମୀରେ କପି ହେଉଛି । ହେଲେ ତାହା ଅନେକଙ୍କୁ ଅଜଣା । ପ୍ରେରଣା ଯଦି ନ ହୋଇ ଥାଆନ୍ତା , ତେବେ ଏସ୍.ଡି ବର୍ମନ ଓଡ଼ିଆ ଗୀତ ‘ମଲ୍ଲୀ ମାଳ ଶ୍ୟାମକୁ ଦେବି’’ ଗୀତରୁ ହିନ୍ଦୀ ଗୀତ ‘ପିୟା ତୋସେ ନୈନା ଲଗେରେ’ ବନେଇ ନ ଥାନ୍ତେ ।

୧୧. ଜଣେ ଗାୟକ, ସଂଗୀତ ନିର୍ଦ୍ଦେଶକ, ମଞ୍ଚ ଗାୟକ କେଉଁ ପରିଚୟ ଆପଣଙ୍କୁ ଭଲ ଲାଗେ ?

ଉତ୍ତର-ଓଡ଼ିଆ ସିନେ ଜଗତ ମୋତେ ଦାଦା ବୋଲି ଡାକିଥାଏ । ଏହି ‘ଦାଦା’ ଡାକ ହିଁ ମୋତେ ସବୁଠୁ ଅଧିକ ଭଲ ଲାଗେ ।

Leave a Reply