spot_img
Home Blog Page 6617

ସାବଧାନ! ଏହି ରାଶିର ଲୋକଙ୍କର ଆଜି ହୋଇପାରେ ଦୁର୍ଘଟଣା

ଆଜିର ପଞ୍ଚାଙ୍ଗ:

୧୯/୦୮/୨୦୨୦ ବୁଧବାର,

୧୪୨୭ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,

ଭାଦ୍ରବ ଅମାବାସ୍ୟା ଦିବା ୦୮:୧୧ଗତେ ଶୁକ୍ଲପକ୍ଷ ପ୍ରତିପଦା, ସିଂହ ୪ଦିନ

– ସିଂହଚନ୍ଦ୍ର ଅହୋରାତ୍ର

– ମଘା ନକ୍ଷତ୍ର ରାତ୍ର ୦୨:୦୬ ଗତେ ପୂର୍ବାଫାଲଗୁନି ନକ୍ଷତ୍ର

– ଘାତ ଚନ୍ଦ୍ର – କକଟ ଓ ମକର ରାଶିର ଅହୋରାତ୍ର

– ଘାତ ବାର – କର୍କଟ ରାଶିର

– ଯୋଗିନି – ଐଶାନ୍ୟେ ଦିବା ୦୮:୧୧ ଗତେ ପୂର୍ବେ

– ପୁଷ୍କର ଦୋଷ – ନିଶାନ୍ତ ୦୫:୧୯ ଗତେ ୧ପାଦ

– ଶୁଭ ସମୟ –

ଦିବା ୧୦:୧୬ ରୁ ୧୧:୨୪

ଦିବା ୦୧:୫୬ ରୁ ୦୫:୧୮

ସଂଧ୍ୟା ୦୬:୫୪ ରୁ ୦୯:୧୦

– ଅଶୁଭ ସମୟ –

ଦିବା ୦୮:୪୦ ରୁ ୧୦:୧୬

ଦିବା ୧୧:୫୦ ରୁ ୦୧:୨୫

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ସମସ୍ତ କ୍ଷେତ୍ରରେ ଶୁଭ ,ମାତ୍ର କିଛି ବାଦବିବାଦରେ ଫଶି ପାରନ୍ତି ସତର୍କ ରହିବେ ।

ଦ୍ୱିଜା ନକ୍ଷତ୍ର – ଅର୍ଥ, ଲୋକପ୍ରିୟତା ଏବଂ ପାରିବାରିକ ସୁଖରେ କମି ରହିବ, ମନ ଅଶାନ୍ତ ରହିବ ।

କୃତ୍ତିକା ନକ୍ଷତ୍ର – ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏବଂ ବିରୋଧର ସାମନା କରିବେ, ଅର୍ଥଚିନ୍ତା ଦ୍ୱୀଗୁଣିତ ହେବ।

ଶୁଭ ରଙ୍ଗ – ମୟୁର ରଙ୍ଗ

ତ୍ରିଶାଖା ବେଲପତ୍ର ୫୪ଟି ଶିବ ଭଗବାନଙ୍କୁ ଚଢାନ୍ତୁ ରିଷ୍ଟ ଖଣ୍ଡନ ହେବ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ପ୍ରତି କାମରେ ମନମୁତାବକ ଲାଭ ପ୍ରାପ୍ତି, ସରକାରୀ ସହାୟତା କିମ୍ବା ଯୋଜନାରେ ସଫଳ, ରାଜନୀତିରେ ଲୋକସଂପର୍କ ବଢିବ ।

ରୋହିଣି ନକ୍ଷତ୍ର – ଭବିଷ୍ୟତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଶରେ ମନ ଆନନ୍ଦ ରହିବ ।

ମୃଗଶିରା ନକ୍ଷତ୍ର – ବ୍ୟବସାୟରେ ଲାଭ ବୃଦ୍ଧି ହେବ, ଛୋଟମୋଟ ଦୁର୍ଘଟଣା କିମ୍ବା ଚୋରିର ସମ୍ଭାବନା ରହିବ ।

ଶୁଭ ରଙ୍ଗ – ଧଳା

ହନୁମାନ ଭଗବାନଙ୍କୁ ଆରାଧନା ସହିତ ବୃଷଭଙ୍କୁ ଗୋଟା ଫଳ ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର -କର୍ମକ୍ଷେତ୍ର ଏବଂ ନିଜର ସ୍ବାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, କୌଣସି ନିଷ୍ପତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ଆଲୋଚନା କରିବେ ।

ଆର୍ଦ୍ରା ନକ୍ଷତ୍ର – ଉତ୍ସାହ ଉଦ୍ଦିପନା ବୃଦ୍ଧି, ପ୍ରତି ଉଦ୍ୟମରେ ସଫଳ ହେବେ, କିଛି ଠିକାଦାରି କାମରେ ଲାଭ ପାଇବେ ।

ପୁନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ଉତ୍ତରାଧିକାରୀ ସୁତ୍ରେ ସମ୍ପତ୍ତି ଲାଭର ସୂଚନା ।

କୌଣସି କିନ୍ନରଙ୍କୁ ଦୈନଦିନ ଜରୁରୀ ଖାଦ୍ୟସାମଗ୍ରୀ ଦାନ ଦିଅନ୍ତୁ  ।

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର -ଶୁଭକାର୍ଯ୍ୟରେ ଯୋଗଦାନ କରିବେ, କିଛି ଭବିଷ୍ୟତର ଯୋଜନା କରି ସଫଳ ହେବେ ।

ପୂଷ୍ୟା ନକ୍ଷତ୍ର -ବହୁଦିନରୁ ଅଟକିଥିବା କାର୍ଯ୍ୟ ପୁରଣ ହେବ, ନିଜ କର୍ମକ୍ଷେତ୍ରରେ ଆତ୍ମତୃପ୍ତି ମିଳିବ ।

ଅଶ୍ଲେଷା ନକ୍ଷତ୍ର –  କୌଣସି ପ୍ରକାରର କ୍ଷେତ୍ରରୁ ଧନଲାଭ, ଧାର୍ମିକ କ୍ଷେତ୍ର ସହିତ ଜଡିତ ରହି ମାନସିକ ଶାନ୍ତି ପାଇବେ ।

ଦୁର୍ଗାକବଚ ପାଠ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ସନ୍ତାନ ମାନଙ୍କ ଲାଗି କୌଣସି ପ୍ରକାରର ମନସ୍ତାପ ହେବ, ଅଚାନକ ଋଣ କରିବାକୁ ପଡିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ବୈବାହିକ କିମ୍ବା ପ୍ରେମ ଜୀବନରେ ମତାନ୍ତର ହେବ, ବୃଥା କଥାରେ ଝଗଡା ଷୃଷ୍ଟି ହେବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଇନ ଅଦାଲତର କିମ୍ବା କୌଣସି ପ୍ରକାରର ବିଶୃଙ୍ଖଳା ହେବ, କର୍ମଚାପ ରହିବ ।

ଓଁ ଅଙ୍ଗାରକାୟ ନମଃ ୧୧ଥର ଜପ କରନ୍ତୁ ଏବଂ ତ୍ରିଶାଖା ବେଲପତ୍ର ୩ଟି ଖାଇକି ଦିନ ଆରମ୍ଭ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ପ୍ରତ୍ୟେକ କାର୍ଯ୍ୟରେ ଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଶ ଭଲ ରହିବ ।

ହସ୍ତା ନକ୍ଷତ୍ର – ବନ୍ଧୁମିଳନ ଓ ଜନସମ୍ପର୍କ ବୃଦ୍ଧିହେବ, କିଛି ଶୁଭ ଖବର କୌଣସି କ୍ଷେତ୍ରରୁ ମିଳିବ ।

ଚିତ୍ରା ନକ୍ଷତ୍ର – ମନୋବଳ ଦୃଢ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ, ବ୍ୟବସାୟରେ ଲାଭ ବଢିବ, ହଜିଥିବା ଦ୍ରବ୍ୟ ମିଳିବ ।

ଶୁଭ ରଙ୍ଗ – ଧଳା

ତାରିଣି ମା’ଙ୍କୁ ଦର୍ଶନ କରନ୍ତୁ କିଛି ମିଠାଫଳ ଦାନ କରନ୍ତୁ॥

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଲୋକ ସମ୍ପର୍କ ଏବଂ ଆର୍ଥିକ ପରିସ୍ଥିତି ଭଲ ରହିବ, ରାଜନୀତିରେ ପତିଆରା ବୃଦ୍ଧିହେବ

ସ୍ୱାତୀ ନକ୍ଷତ୍ର – ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ, ନୂତନ ଦ୍ରବ୍ୟ ପ୍ରାପ୍ତ ହେବ ।

ବିଶାଖା ନକ୍ଷତ୍ର – ଭ୍ରମଣ ସୁଖ ମିଳିବ,ଆର୍ଥିକ ସ୍ଥିତି ସ୍ୱଛଳ ରହିବ,ଚାକିରି ବ୍ୟବସାୟରେ ଉନ୍ନତି ହେବ ।

ଶୁଭ ରଙ୍ଗ – ଧଳା

ତୁଳସି ମଲାଙ୍ଗ ଧାରଣ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର – ସ୍ଥାବର ସମ୍ପତ୍ତି ବୃଦ୍ଧି ହେବ, ଆର୍ଥିକ ବିକାଶ ସହିତ କର୍ମକ୍ଷେତ୍ରରେ ଶୁଭ ଅନୁଭୁତ ହେବ  ।

ଅନୁରାଧା ନକ୍ଷତ୍ର – ମାଲିମକୋଦ୍ଦମାରେ ସଫଳ ହେବେ, ଭାତୃବର୍ଗରେ ସୁ-ସଂପର୍କ ବଢିବ ।

ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ ।

ଶୁଭ ରଙ୍ଗ – ଜାମୁକୋଳି ରଙ୍ଗ

“ଓଁ ନମଃ ଶିବାୟ” ୨୭ଥର ଜପ କରନ୍ତୁ, ଦହି ଖାଇ ଦିନ ଆରମ୍ଭ କରିବେ ।

ଧନୁ ରାଶି

ମୂଳା ନକ୍ଷତ୍ର – ଚର୍ମରୋଗ, ଅଗ୍ନିଭୟ କିମ୍ବା ବିଦ୍ୟୁତ ଜନିତ ଭୟ ରହିଛି, ବ୍ୟବସାୟରେ ଅବନତି ବା କ୍ଷତି ହେବ।

ପୂର୍ବଷାଢା ନକ୍ଷତ୍ର – ବନ୍ଧୁପରିଜନଙ୍କର ଅସହଯୋଗ ମିଳିବ ଓ ଭବିଷ୍ୟତର ଶୁଭକର୍ମରେ ବାଧାବିଘ୍ନର ସୁଚନା ପ୍ରାପ୍ତ ହେବ ।

ଉତ୍ତରାଷାଢା ନକ୍ଷତ୍ର – ଜୀବନସାଥି ସହିତ ମତାନ୍ତର କିମ୍ବା ମନାନ୍ତର ହେବ, ଦେହମନ ଦୁର୍ବଳ ଅନୁଭୁତ ହେବ।

ଶୁଭ ରଙ୍ଗ – ପାଉଁସିଆ ଧଳା

କଳା ଜୀବ କିମ୍ବା ଅନ୍ଧବ୍ୟକ୍ତିଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ବ୍ୟବସାୟରେ ବିକ୍ରି ବୃଦ୍ଧି ହେବ, ଚାକିରିଆ ମାନେ ମାନସମ୍ମାନ ପାଇବେ, ମହିଳାମାନେ ନିଜର ମନମୁତାବକ ପରିବେଶରେ ସମୟ କାଟିବେ ।

ଶ୍ରବଣା ନକ୍ଷତ୍ର – ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସଫଳ ହେବ, କର୍ମ କ୍ଷେତ୍ରରେ ସହଯୋଗ ମିଳିବ ।

ଧନିଷ୍ଠା ନକ୍ଷତ୍ର – ଅଧୟନ ରତ ପିଲାଙ୍କର ବିଦ୍ୟା ଅଧ୍ୟୟନରେ ସଫଳତା ମିଳିବ, ଲେଖକ ପ୍ରକାଶକ ସମ୍ମାନିତ ହେବେ, ଶୁଭରେ ଶୁଭରେ ଦିନଟି କଟିବ  ।

ଶୁଭ ରଙ୍ଗ – ସବୁଜ

କଳା କୁକୁରକୁ ରୁଟିରେ ସୋରିଷ ତେଲ ମାରି ଖାଇବାକୁ ଦିଅନ୍ତୁ ଏବଂ ଓଁ ଶଂ ଶନିଶ୍ଚରାୟ ନମଃ ୨୭ଥର ଜପ କରନ୍ତୁ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ,  ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି ହେବ ।

ଶତଭିଷା ନକ୍ଷତ୍ର – ବିଦ୍ୟାଶିକ୍ଷାରେ ସଫଳ ହେବେ, ସୁଖାଦ୍ୟ ପ୍ରାପ୍ତି ହେବ, କୌଣସି ଯୋଜନା ମୁତାବକ କାର୍ଯ୍ୟ ହାସଲ ହେବ ।

ପୂର୍ବଭାଦ୍ର ନକ୍ଷତ୍ର – ପ୍ରତିକ୍ଷେତ୍ରରେ ଯୋଗ୍ୟତା ଅନୁଯାୟୀ ଫଳ ମିଳିବ, ଗୁରୁଜନ ମାନଙ୍କର ସ୍ନେହଶ୍ରଦ୍ଧା ମିଳିବ, ମନ ଶାନ୍ତ ରହିବ ।

ଶୁଭ ରଙ୍ଗ – ହଳଦିଆ ରଙ୍ଗ

ହନୁମାନଙ୍କୁ ଅତିପ୍ରିୟ ତୁଳସି ଚଢାନ୍ତୁ ଏବଂ ଜୟ ଶ୍ରୀରାମ ୧୦୮ଥର ଜପ କରନ୍ତୁ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – କର୍ମକ୍ଷେତ୍ରରେ ଲାଭ ଓ ପ୍ରତିଷ୍ଠା ମିଳିବ, କୌଣସି ମନମୁତାବକ ଇଛା ପୂରଣ ହେବ ।

ଉତ୍ତରଭାଦ୍ର ନକ୍ଷତ୍ର – କୌଣସି ଶୁଭକର୍ମରେ ଯୋଗଦେବେ, ପିଲା ମାନେ ବିଦ୍ୟାରେ ଭଲ କରିବେ, ଆର୍ଥିକ ଲାଭ ହେବ

ରେବତୀ ନକ୍ଷତ୍ର – ନିଜର କଥାରେ ଆଜି ସମସ୍ତେ ତୃପ୍ତ ରହିବେ, ସବୁକ୍ଷେତ୍ରରେ ସାହାଯ୍ୟ ସହଯୋଗ ଭଲପାଇବା ମିଳିବ ।

ଶୁଭ ରଙ୍ଗ – ଧଳା ରଙ୍ଗ

ଅସହାୟଙ୍କୁ ମସାରି ଦାନ କରନ୍ତୁ ଏବଂ ମା ଦୁର୍ଗାଙ୍କର ସ୍ତୁତି ପାଠ କରନ୍ତୁ।

 

ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ

ରାଉରକେଲାରେ ପୁଣିଥରେ ନକଲି ମହିଳା ଆଇପିଏସ୍ ଅଫିସର ଗିରଫ

ରାଉରକେଲା: ରାଉରକେଲାରେ ଗିରଫ ହେଲେ ନକଲି ଆଇପିଏସ୍ । ସହରର ବାସନ୍ତୀ କଲୋନୀରେ ଥିବା ଏକ ବାଇକ ସୋରୁମରେ ନିଜକୁ ଆଇପିଏସ୍ ପରିଚୟ ଦେଇ ଵୁଲେଟ ବାଇକ ନେଇଥିବା ଜଣେ ନକଲି ମହିଳା ଆଇପିଏସ୍ ଅଫିସର ଗିରଫ ହୋଇଛନ୍ତି । ଗିରଫ ମହିଳା ହେଉଛନ୍ତି ଶର୍ମିଷ୍ଠା ଵେହେରା । ସେ ବାଇକ୍ ସୋରୁମକୁ ଯାଇ ନିଜକୁ ଆଇପିଏସ୍ ଅଫିସର ପରିଚୟ ଦେଇ ମାସିକିଆ କିସ୍ତିରେ ଗୋଟିଏ ବୁଲେଟ ନେଇଥିବା ଉଦିତନଗର ଥାନାରେ ଗତକାଲି ସନ୍ଧ୍ୟାରେ ଅଭିଯୋଗ ହୋଇଥିଲା। । ତେବେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶର୍ମିଷ୍ଠା ବେହେରାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗିରଫ ମହିଳାଙ୍କ ନିକଟରୁ ନକଲି ଡ୍ରେସ, ଆଇପିଏସ୍ ପରିଚୟ ପତ୍ର,  ଟ୍ରେନିଂ ନେଇଥିବା ନକଲି ପ୍ରମାଣପତ୍ର ଜବତ କରାଯାଇଛି। ସୂଚନା ଅନୁସାରେ ଗିରଫ ମହିଳା ଗତ ୧୧ ତାରିଖ ଦିନ ବାଇକ ସୋରୁମକୁ ଯାଇ ନକଲି ପରିଚୟ ପତ୍ର ଦାଖଲ କରି ଫାଇନାନସରେ ଗୋଟିଏ ବୁଲେଟ ନେଇଥିବା ବାଇକ ସୋରୁମ ମାଲିକ ଓ ଫାଇନାନସ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୋଲିସ ନକଲି ମହିଳା  ଆଇପିଏସ୍ ଅଫିସରଙ୍କୁ ଗିରଫ କରି ଉଦିତନଗର ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଉଦିତନଗର ଥାନା ପୋଲିସ ବିଭିନ୍ନ  ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ବିଧାୟକଙ୍କ ଚାଷ ଭିଡିଓକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁ

ନବରଙ୍ଗପୁର: ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା । କେବଳ ରାଜନୀତିରେ ନିଜକୁ ସୀମିତ ରଖିନାହାନ୍ତି ବିଧାୟକ । ନିଜ ବିଲରେ ମୂଲ ଲାଗି ହଳ କରି ଧାନ ଗଛ ଲଗାଇ ମୂଲିଆଙ୍କ ସହିତ ଚାଷ କାମ କରି ଭାରତର ଉପ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବିଧାୟକ ରାନ୍ଧାରୀଙ୍କ ଚାଷ ସମୟର ଭିଡିଓ ସାମାଜିକ ଗଣ ମାଧ୍ୟମରେ ବହୁ ମାତ୍ରାରେ ଭାଇରଲ ହୋଇଥିଲା । ଯାହାଫଳରେ ମନୋହରଙ୍କ ଏହି ଚଷା ପୁଅ ଅବତାର ସମସ୍ତଙ୍କ ମନ ମୋହିଥିଲା ।

ଏହା ସହ ମନୋହରଙ୍କ ଏହି ଚଷା ଅବତାରର ଭିଡିଓ ଭାରତର ଉପରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲା । ତାଙ୍କର ସେହି ଚାଷ କରୁଥିବା ସମୟର ଭିଡିଓ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କ ମନକୁ ବେସ ଆକର୍ଷିତ କରିପାରିଥିଲା । ଏହାପରେ ବିଧାୟକଙ୍କ ଏପରି କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଉପରାଷ୍ଟ୍ରପତି  ଯୁବ ସମାଜକୁ ଆହ୍ୱାନ ଜଣାଇଥିଲେ ।  ବିଧାୟକଙ୍କ ପ୍ରଶଂସନୀୟ  ପ୍ରେରଣାଦାୟୀ କାମ କୁ ନେଇ ଉପରାଷ୍ଟ୍ରପତି ନିଜ ଟ୍ୱିଇଟର ଆକାଉଣ୍ଟରରେ ପ୍ରସଂଶା କରିଛନ୍ତି ।

ବିଧାୟକ ରନ୍ଧାରୀ ନିଜ ପିତାଙ୍କ ଦେହାନ୍ତ ପରେ ଚାଷ କାମ ବୁଝିବା ସହିତ ନିଜେ ମଧ୍ୟ ଚାଷ କାମ କରିବାକୁ ଭଲ ପାଉଥିବା କହିଛନ୍ତି । ରାଜ୍ୟ ସରକାର କୃଷି କ୍ଷେତ୍ରକୁ ନେଇ କୃଷି ଶିଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । ତେବେ ଯୁବ ସମାଜ ଯଦି ଆଗେଇ ଆସନ୍ତି ତେବେ ସରକାରଙ୍କ ଏହି ଯୋଜନା ସଫଳ ହୋଇପାରିବ ଓ କୃଷି କ୍ଷେତ୍ରରେ ବିନିଯୋଗ କରି ଯୁବ ସମାଜ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଥିଲେ ।

ଆସନ୍ତା ସପ୍ତାହରେ କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ, ୫୦ ଲକ୍ଷ କୋଭିଡ ଯୋଦ୍ଧା ଯୁଦ୍ଧକୁ କରିଛନ୍ତି ମଜଭୁତ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରଣନୀତି । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଫୋକସ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ୪ ଜିଲ୍ଲାରେ ଅଞ୍ଚଳ ଭିତ୍ତିକ ରଣକୌଶଳ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଆସନ୍ତା ସପ୍ତାହରେ କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ । ତାଲିମପ୍ରାପ୍ତ ୫୦ ଲକ୍ଷ କୋଭିଡ ଯୋଦ୍ଧା ଯୁଦ୍ଧକୁ କରିଛନ୍ତି ମଜଭୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଏବେ ଦୈନିକ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବା ବେଳେ, ପ୍ରତି ୧୦ ଲକ୍ଷରେ ୧ହଜାର ୯୬ ଟେଷ୍ଟ କରାଯାଉଛି । କୋଭିଡ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଟ୍ରେନିଂ ମିଳିଛି । ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗ୍ରୁପ,କୋଭିଡ କମିଟି ସଦସ୍ୟଙ୍କୁ ବି ତାଲିମ ମିଳିଛି । ରାଜ୍ୟରେ ଲକ୍ଷଣବିହୀନ କରୋନା ରୋଗୀଙ୍କ ସଂଖ୍ୟା ଅଧିକ । ଏଣୁ ଗୃହ ସଙ୍ଗରୋଧକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପ୍ରଚାର ସହ ପଞ୍ଚାୟତ ପ୍ରତିନିଧିଙ୍କ ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି ।

କୋଭିଡ କେୟାର କମିଟିଗୁଡ଼ିକର ମଧ୍ୟ ସହାୟତା ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କୋଭିଡ ମୃତ୍ୟୁହାର କମ କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ପ୍ଲାଜମାଦାତାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଶଂସାପତ୍ର ସହ ସ୍ୱୀକୃତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହିପରି ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀର ଉନ୍ନତିକୁ ଗୁରୁତ୍ୱ ଦେବା ସହ କୋଭିଡ ଯୋଦ୍ଧା ଓ ରୋଗୀଙ୍କ ଫିଡବେକ୍ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ବିଧାନସଭା ନିର୍ବାଚନ ପୂର୍ବରୁ ଗୋଟି ଚଳାଇଲେ ନୀତିଶ, ୨୨ ପ୍ରତିଶତ ବଢ଼ିଲା ଶିକ୍ଷକଙ୍କ ଦରମା

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ ସରକାର ବଡ଼ ଘୋଷଣା କରିଛନ୍ତି । ନୀତିଶ କ୍ୟାବିନେଟରେ ନିୟୋଜିତ ଶିକ୍ଷକଙ୍କ ଦରମା ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ଏହା ଉପରେ ମୋହର ମାରିଛି । ନିୟୋଜତ ଶିକ୍ଷକଙ୍କ ଦରମା ୨୨ ପ୍ରତିଶତ ବୃଦ୍ଧି କରିବାକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ ।

ନିୟୋଜିତ ଶିକ୍ଷକଙ୍କୁ ୨୦୨୧ ଏପ୍ରିଲ୍ ୧ରୁ ବର୍ଦ୍ଧିତ ବେତନ ମିଳିବ । ଏହି ନିଷ୍ପତ୍ତି ପରେ ସରକାର ରାଜକୋଷରୁ ଅତିରିକ୍ତ ୨୭୬୫ କୋଟି ଟଙ୍କା ବ୍ୟୟ କରିବେ । କ୍ୟାବିନେଟରେ ନିୟୋଜିତ ଶିକ୍ଷକଙ୍କ ସେବା ସର୍ତ୍ତ ଓ ନିୟମାବଳି ଉପରେ ମଧ୍ୟ ରାଜ୍ୟ ସରକାର ମୋହର ମାରିଛନ୍ତି ।

ନୂଆ ସେବା ସର୍ତ୍ତ ନିୟମାବଳି ଲାଗୁ ହେବା ପରେ ନିୟୋଜିତ ଶିକ୍ଷକ ପ୍ରମୋସନ ପାଇବା ସହ ଅନ୍ୟତ୍ର ବଦଳି ସୁବିଧା ପାଇବେ । କୁହାଯାଉଛି ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକ ଦିବସ ଅବସରରରେ ନୂଆ ସେବା ସର୍ତ୍ତ ନିୟମାବଳିର ନିୟମର ଅଧିସୂଚନା ଜାରି ହେବ । ବିହାର କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ପାଖାପାଖି ୩.୫ ଲକ୍ଷ ନିୟୋଜିତ ଶିକ୍ଷକ ଉପକୃତ ହେବେ ।

ବିହାର ନିର୍ବାଚନର ଠିକ୍ ପୂର୍ବରୁ ନିୟୋଜିତ ଶିକ୍ଷକଙ୍କ ପୁରୁଣା ଦାବିକୁ ନୀତିଶ କୁମାର ମାନି ନେଇ ନିର୍ବାଚନୀ ଗୋଟି ଚାଳନା କରିଛନ୍ତି । କୁହଯାଉଛି ନୀତିଶଙ୍କ ଏହି ନିଷ୍ପତ୍ତି ନିର୍ବାଚନରେ ଭଲ ଫଳ ଦେବ ।

୩ ଦିନରେ ଜାରି ହେବ ଗାଇଡଲାଇନ୍

ମହାମାରୀ କରୋନା ସଂକଟ ଭିତରେ ଆସନ୍ତା କିଛି ମାସ ଭିତରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗ ବିହାର ଭୋଟ୍ ପାଇଁ ଆସନ୍ତା ୩ ଦିନ ଭିତରେ ଗାଇଡଲାଇନ୍ ପ୍ରସ୍ତୁତ କରିବେ । ୩ ଦିନ ମଧ୍ୟରେ ନିର୍ବାଚନ ଗାଇଡଲାଇନ୍ ନେଇ ବିସ୍ତୃତ ସୂଚନା ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ବୈଠକ ବସିଥିଲା । ଯେଉଁଥିରେ ବିଭିନ୍ନ ରାଜନୈତିକ ଦଳର ପରାମର୍ଶ ଉପରେ ଆଲୋଚନା ହୋଇଥିଲା ।

ଫିଲ୍ମ ଷ୍ଟାଇଲରେ ଓଡ଼ିଶାକୁ ଆସୁଛି ଧଳା ଜହର, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବାଲେଶ୍ୱର: ବ୍ରାଉନସୁଗାର ବେପାରରେ ବାଲେଶ୍ୱର ହବ ପାଲଟିଥିବାବେଳେ କେମିତି ଏହା ବାଂଲାଦେଶ ସୀମା ଡେଇଁ ଭାରତକୁ ଆସିଥାଏ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ମାଲ ପହଞ୍ଚିବାପରେ ସେଠାରୁ କେମିତି କୋଲକାତା ଓ ଖଡଗପୁର ଆସେ ? ସେଠାରୁ କେମିତି ଜଳେଶ୍ୱର ଓ ବାଲେଶ୍ୱରକୁ ବଣ୍ଟାଯାଏ ନିଶା ପାର୍ସଲ ।

ଏ ସବୁର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ପ୍ରଥମେ ବୁଝିବାକୁ ପଡ଼ିବ ଏହି ମ୍ୟାପକୁ । ବାଂଲାଦେଶରୁ ଆସି ମାଲ ପହଞ୍ଚିଥାଏ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ । ମୁର୍ଶିଦାବାଦରୁ ଭାୟା କୋଲକାତା ଦେଇ ବ୍ରାଉନସୁଗାର ଆସିଥାଏ ଓଡ଼ିଶାର ଜଳେଶ୍ୱରକୁ । ସେଠାରୁ ବାଲେଶ୍ୱର । ଏହା ପରେ ରାଜ୍ୟର ଅନ୍ୟାନ୍ୟ ହବକୁ ଚାଲାଣ ହୋଇଥାଏ ଧଳା ଜହର । ତେବେ ମୁର୍ଶିଦାବାଦ୍‌ ହେଉଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ । ରାସାୟନିକ ଉପାଦାନ ମିଶାଇ ଏଠାରେ ପ୍ରଥମେ ବ୍ରାଉନସୁଗାର ପ୍ରସ୍ତୁତ କରାଯାଏ  ।

ପରେ ମହିଳା ଓ ଗରିବ ଲୋକଙ୍କ ମାଧ୍ୟମରେ ବ୍ରାଉନସୁଗାରକୁ ଭାରତ ସୀମାକୁ ଡିଆଁଇ ଦିଆଯାଏ । ସେଠାରୁ ଏହି ଧଳା ଜହର ପଶ୍ଚିମବଙ୍ଗର କୋଲକାତା ଓ ଖଡ଼ଗପୁରରେ ପହଞ୍ଚେ । କୋଲକାତା ଓ ଖଡଗପୁରରୁ ପରିବା ଗାଡ଼ି କିମ୍ବା ବାଲେଶ୍ୱରରୁ ମାଛ ନେଇ କୋଲକାତା ଯାଉଥିବା ପିକ୍‌ଅପ୍‌ ଭ୍ୟାନ ଓ ଟ୍ରେନ୍‌ ମାଧ୍ୟମରେ ଏହା ବାଲେଶ୍ୱର ଓ ଜଳେଶ୍ୱରରେ ହୁଏ ଡେଲିଭରି ।

ତେବେ ପୋଲିସକୁ ଚେକ୍ ଦେବା ପାଇଁ ନୂଆ ନୂଆ ପାଠ ପଢୁଆ ଛାତ୍ରଙ୍କୁ ବେପାର ପାଇଁ ମାଷ୍ଟରମାଇଣ୍ଡ ସବୁବେଳେ ଟାର୍ଗେଟ କରିଥାନ୍ତି । କେବଳ ସେତିକି ନୁହେଁ ଖୁଚୁରା ବ୍ୟବସାୟୀଙ୍କ ପାଇଁ ସ୍କିମ ମଧ୍ୟ ଖୁବ ଲୋଭନୀୟ  । ନନ୍ଦିଘୋଷ ଟିଭି ଅନୁସନ୍ଧାନରୁ ଜଣାପଡିଛି ଲକଡାଉନ କଟକଣା ପରେ ପ୍ରବାସୀ ବାହନାରେ ଲୋକ ମାନଙ୍କୁ ଟଙ୍କା ଦେଇ ସାଇକେଲ ଦ୍ୱାରା ଓଡିଶାକୁ ବ୍ରାଉନସୁଗାର ପଠାଉଛନ୍ତି ବ୍ୟବସାୟୀ । ଖୁଚୁରା ବ୍ୟବସାୟୀ ମାନଙ୍କୁ ଢାଲ କରି ବ୍ୟବସାୟ କରୁଛନ୍ତି ବଡ ବଡ ଏଜେଣ୍ଟ  । ସେମାନଙ୍କ ବ୍ୟାଗ୍‌ରେ ଅନାୟସରେ ୩ କିଲୋଗ୍ରାମ ପର୍ଯ୍ୟନ୍ତ ବ୍ରାଉନସୁଗାର ଚାଲାଣ କରାଯାଇଥାଏ ।

ପୋଲିସ ହାତରେ ଧରା ପଡିଲେ ଜାମିନ  ଓ ମକଦ୍ଦମା ବାବଦକୁ ନିଜେ ଖର୍ଚ୍ଚ ବହନ କରନ୍ତି ଖୁଚୁରା ବ୍ୟବସାୟୀ । ଯଦି ସଂପର୍କୀୟଙ୍କ ଦ୍ୱାରା ବ୍ୟବସାୟ କରିବାକୁ ଚାହାନ୍ତି, ଜବତ ହୋଇଥିବା ବ୍ରାଉନସୁଗାରର ସମାନ ପରିମାଣ ମୁଖ୍ୟ ବ୍ୟବସାୟୀ ଅଧା ଦରରେ ଯୋଗାଇ ଦିଅନ୍ତି । ଏହି ବ୍ରାଉନସୁଗାର ବିକ୍ରି କରି ଖୁଚୁରା ବ୍ୟବସାୟୀ ବାକି ଟଙ୍କା ପୈଠ କରନ୍ତି  ।

ଇଶାନ୍ତ ଶର୍ମାଙ୍କ ସହ ୨୯ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ ବୋଲର ଇଶାନ୍ତ ଶର୍ମାଙ୍କ ସମେତ ୨୯ ଖେଳାଳିଙ୍କ ନାମକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି । ମଙ୍ଗଳବାର ଖେଳ ମନ୍ତ୍ରାଳୟର ପୁରସ୍କାର ଚୟନ ସମିତି ଏନେଇ ସୁପାରିସ୍ କରିଥିବା ଜଣାପଡ଼ିଛି । ପୁରୁଷ ରିକର୍ଭ ତୀରନ୍ଦାଜ ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କ୍ରିକେଟର ଦୀପକ ହୁଡ୍ଡା ଓ ଟେନିସ୍ ଖେଳାଳି ଦିବିଜ୍ ସରଣଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି । ଚୟନ ସମିତି ବୈଠକ ପରେ ଅଧିକାରୀଙ୍କୁ ସୂତ୍ରରୁ ଏହା ଜଣାପଡ଼ିଛି ।

Ishant Sharma

୩୧ ବର୍ଷୀୟ ଇଶାନ୍ତ ଶର୍ମା ଏବେ ଯାଏଁ ଭାରତ ପକ୍ଷରୁ ୯୭ଟି ଟେଷ୍ଟ ଓ ୮୦ଟି ଦିନିକିଆ ଖେଳି ସାରିଛନ୍ତି । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୪୦୦ରୁ ଅଧିକ ୱିକେଟ୍ ଅକ୍ତିଆର କରିଛନ୍ତି ।

 Sakshi Malik
Sakshi Malik

ଅଲମ୍ପିକରେ କାଂସ୍ୟ ପଦକ ଜିତିଥିବା ସାକ୍ଷୀ ମଲିକ ଓ ଭାରତ୍ତୋଳନରେ ପୂର୍ବରୁ ବିଶ୍ୱ ଚାମ୍ପିଅନ୍ ହୋଇଥିବା ମୀରାବାଇ ଚାନୁଙ୍କ ନାଁକୁ ମଧ୍ୟ ସମିତି ସମର୍ଥନ କରିଥିବା ଜଣାପଡ଼ିଛି । ତେବେ, ଶେଷ ନିଷ୍ପତ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କ ଉପରେ ଛାଡ଼ି ଦିଆଯାଇଛି । କାରଣ ଦୁଇ ମହିଳା ଖେଳାଳିଙ୍କୁ ପୂର୍ବରୁ ଖେଳ ରତ୍ନ ପୁରସ୍କାର ମିଳି ସାରିଛି ।

 Saikhom Mirabai Chanu
Saikhom Mirabai Chanu

୨୦୧୬ରେ ସାକ୍ଷୀ ରିୟୋ ଅଲମ୍ପିକରେ କାଂସ୍ୟ ପଦକ ଜିତିଥିଲେ । ତାପରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିଭଳି ବିଶ୍ୱ ଚାମ୍ପିଅନରେ ସ୍ୱର୍ଣ୍ଣ ପଦକ ହାସଲ ପରେ ମୀରାବାଇ ଓ ୨୦୧୮ର ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଉଭୟଙ୍କୁ ଏହି ପୁରସ୍କାର ମିଳିଥିଲା ।

ଫିଲିପିନ୍ସରେ ଭୂମିକମ୍ପ, ଲକ୍ଷାଧିକ କ୍ଷତି

ମଙ୍ଗଳବାରକୁ ଫିଲିପିନ୍ସରେ ତୀବ୍ର ଭୂମିକମ୍ପ ଅନୁଭବ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ ଅନୁସାରେ ୬.୬ ରହିଥିଲା । ଭୂମିକମ୍ପ ସମୟରେ କେତେକ ଘର ଭଙ୍ଗାରୁଜା ହୋଇଥିବା ବେଳେ କିଛି ଲୋକ ଏହି ମଧ୍ୟରେ ଫସି ରହିଥିଲେ । ଏହି ଭୂମିକମ୍ପରୁ ବଂଚିବା ପାଇଁ ହଜାର ହଜାର ଲୋକ ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ । ଭୂମିକମ୍ପର ଏପିସେଣ୍ଟର ସ୍ଥିତ କାତାଇନଗନ ସହରରେ ସଡ଼କ ଏବଂ ପୁଲ ଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି । ସେଠାର ଜଣେ ଅଧିବାସୀଙ୍କ କହିବା ଅନୁସାରେ ସେ ତାଙ୍କ ବନ୍ଧୁଙ୍କ ଘରକୁ ଯିବା ସମୟରେ ମୋଟର ସାଇକେଲ ଖସିବାକୁ ଲାଗିଲା । ସଡ଼କ ଥରୁଥିଲା । ବ୍ୟକ୍ତି ଜଣକ ଭାବୁଥିଲେଯ ତାଙ୍କ ଗାଡ଼ି ପଙ୍କଚର ହୋଇ ଯାଇଛି । କିନ୍ତୁ ସେହି ସମୟରେ ହଠାତ୍ ଘର ବାହାରକୁ ଦୌଡ଼ି ଆସିବାକୁ ଲାଗିଲେ ସେଠାକାର ଲୋକ । ଏହାପରେ ବିଜୁଳି କଟିଗଲା ।

କାତାଇନଗନର ପ୍ରଶାସନର କହିବା ଅନୁସାରେ ଭୂମିକମ୍ପ କାରଣରୁ ଏକ ତିନି ମହଲା ଘର ଭାଙ୍ଗି ତଳକୁ ପଡ଼ିଯାଇଛି । ଦୁର୍ଭାଗ୍ୟବଶତଃ ଅବସରପ୍ରାପ୍ତ ପୋଲିସ ଅଫିସର ଓ ତାଙ୍କ ପରିବାର ସେହି ଭୂମିକମ୍ପରେ ଫସି ଯାଇଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଦୁର୍ଘଟଣା ଘଟିଥିବା ସେହି ଘରକୁ ପୁଣିଥରେ ନଯିବାକୁ ପ୍ରଶାସନ ଲୋକଙ୍କୁ ଅନୁରୋଧ କରିଛି ।

ଏହା ପ୍ରଥମ ଥର ନୁହେଁ । ଫିଲିପିନ୍ସରେ ପ୍ରତିବର୍ଷ ଭୂମିକମ୍ପ ହୋଇଥାଏ । ପ୍ରାୟ ୨୦ ଥର ଝଡ଼ ତୁଫାନ ଆସିଥାଏ । ୧୯୯୦ ସେଠାରେ ୭.୭ ତୀବ୍ରର ଭୂମିକମ୍ପ ଦେଖିବାକୁ ମିଳିଥିଲା । ଯେଉଁଥିରେ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଘରୋଇ ନ୍ୟୁଜ୍ ଚ୍ୟାନେଲ ଓଟିଭି ପାଇଁ ବଢିଲା ଅଡୁଆ, ବୁମେରାଂ ହେଲା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ

ଭୁବନେଶ୍ୱର: କୋଭିଡ୍‌ ହସ୍‌ପିଟାଲ ସମ୍ପର୍କିତ ମିଛ ଅଡିଓ ପ୍ରସାରଣ ମାମଲାରେ ଓଟିଭିକୁ ହାଇକୋର୍ଟଙ୍କ ଝଟ୍‌କା । ପୋଲିସକୁ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସହଯୋଗ ନକଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ହାଇକୋର୍ଟ । ସେପଟେ ବାରମ୍ବାର ସମନ୍ ପରେ ମଧ୍ୟ ଥାନାରେ ହାଜର ନହୋଇ କର୍ତ୍ତୃପକ୍ଷ ନିଜ ପିଆର୍‌ଓଙ୍କ ଜରିଆରେ ସମୟ ଗଡ଼େଇ ଚାଲିଛନ୍ତି । ଅନ୍ୟପକ୍ଷରେ ତିନି ତିନିଟି କୋଭିଡ୍ ହସପିଟାଲ୍ ଚ୍ୟାନେଲ୍‌ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ।

ଥାନାରେ ହାଜର ନହୋଇ ହାଇକୋର୍ଟଙ୍କ ଶରଣ ପଶିଥିଲା ଓଟିଭି । ହେଲେ କୋର୍ଟ ସଫା ସଫା କହିଲେ ତଦନ୍ତରେ ସହଯୋଗ କର । ନହେଲେ କାର୍ଯ୍ୟାନୁଷ୍ଠାନ ବି ହୋଇ ପାରେ । ମାମଲାଟି ଥାନାରେ କେସ୍ ଡାଏରୀ ସ୍ତରରେ ଥିବାରୁ ଓଟିଭି କର୍ତ୍ତୃପକ୍ଷଙ୍କ ଆଗୁଆ ଜାମିନ୍ ଆବେଦନକୁ ଗ୍ରହଣ କରି ନାହାଁନ୍ତି କୋର୍ଟ । ତେଣୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବାକୁ କୋର୍ଟ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ଏବେ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ପାଇଁ ବଢିଛି ଅଡୁଆ । ପକ୍ଷ ନରଖି ସମୟ ଗଡ଼େଇବାକୁ କରିଥିବା ଚାଲ୍‌ର ହୋଇଛି ଦି ଏଣ୍ଡ୍‌ ।

ଭୁବନେଶ୍ୱରର ଦୁଇ ଯୁବକଙ୍କ ବ୍ୟକ୍ତିଗତ ଫୋନ୍ ବାର୍ତ୍ତାଳାପକୁ ଖବର ଆକାରରେ ନିଜ ଡିଜିଟାଲ୍ ପ୍ଲାଟଫର୍ମରେ ପୋଷ୍ଟ କରିଥିଲା ଓଟିଭି । ଯାହାକୁ ନେଇ ବିଏମ୍‌ସି ଦେଇଥିଲା କାରଣ ଦର୍ଶାଅ ନୋଟିସ୍ । କେବଳ ସେତିକି ନୁହେଁ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଦେଇଥିଲା ଏତଲା । ମହାମାରୀ ସମୟରେ ଲୋକଙ୍କୁ ଆତଙ୍କିତ କଲା ଭଳି ଖବର ପ୍ରସାରଣ ପଛର ସତ୍ୟତା ଜାଣିବାକୁ ପୋଲିସ୍ ତନାଘନା ଆରମ୍ଭ କରିଥିଲା । ପକ୍ଷ ରଖିବାକୁ ବାର୍ତ୍ତା ସଂପାଦକଙ୍କ ସମେତ ଚ୍ୟାନେଲର ଅନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଜାରି କରିଥିଲା ସମନ୍ । ହେଲେ ସମନ୍‌କୁ ସମ୍ମାନ ନଦେଇ କର୍ତ୍ତୃପକ୍ଷ ପଠାଇ ଦେଇଥିଲେ ନିଜ ଲୋକ ସଂପର୍କ ଅଧିକାରୀଙ୍କୁ । ସେପଟେ ଏହି ମାମଲାରେ ବିଭ୍ରାନ୍ତିକର ଅଡିଓ ପ୍ରସ୍ତୁତ କରିଥିବା ଦୁଇ ଯୁବକଙ୍କୁ ପୋଲିସ୍ ଗିରଫ କରିଥିଲା । ରିମାଣ୍ଡରେ ନେଇ ପଚରାଉଚୁରା ପରେ ଜାମିନରେ ଛାଡ଼ି ଦେଇଛି ।

କଥା ଏତିକିରେ ସରିନି । ଏବେ ମାନହାନି ମୋକଦ୍ଦମାରେ ଘାଣ୍ଟି ହେଉଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ। ସମ୍‌, କିମ୍‌ସ ଓ ହାଇଟେକ କୋଭିଡ୍ ହସପିଟାଲ କର୍ତ୍ତୃପକ୍ଷ ଚ୍ୟାନେଲ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।

ଆସନ୍ତା ମାସରେ ମହଙ୍ଗା ହୋଇପାରେ ଚା’ ଦର

କରୋନା ମହାମାରୀ କାରଣରୁ ଚଳିତ ବର୍ଷ ୨୦୨୦ରେ ଚା ପତି ଉତ୍ପାଦନରେ ପ୍ରାୟ ୩୭ ପ୍ରତିଶତର କ୍ଷତି ସହିବାକୁ ପଡ଼ିପାରେ । ଏହି କାରଣରୁ ଲୋକଙ୍କୁ ଚା ପତି କିଣିବା ମହଙ୍ଗା ପଡ଼ିପାରେ । ଏହି ମହା ବିପତ୍ତି ସମୟରେ ଦୀର୍ଘ ଦିନ ଧରି ଲକଡାଉନ ଏବଂ ପୂର୍ବ-ଉତ୍ତର ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଚା ପତି ଉତ୍ପାଦନ ୩୭ ପ୍ରତିଶତ ହ୍ରାସ ହୋଇପାରେ । ଯାହା ପ୍ରାୟ ୮୭୮ ହଜାର ଟନ ହୋଇପାରେ ।ଲକଡାଉନ ସମୟରେ ୨୦୨୦ ମାର୍ଚ୍ଚରୁ ମଇ ମାସ ମଧ୍ୟରେ ଚା ପତି ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିଛି । ଏହା ଦ୍ୱାରା ସାରା ଦେଶରେ ଟି ଗାର୍ଡ଼ନ ଏବଂ ମେନୁଫ୍ୟାକଚରିଙ୍ଗରେ ହ୍ରାସ ଘଟିଛି । ମାର୍ଚ୍ଚ ମାସରେ ୪୧.୪ ପ୍ରତିଶତ ଉତ୍ପାଦନ ହ୍ରାସ ପାଇଛି । ଅପ୍ରେଲରେ ୫୩.୮ ପ୍ରତିଶତର ଭାରି ହ୍ରାସ ହୋଇଛି । ମଇ ମାସରେ ୨୮.୩ ପ୍ରତିଶତ ଜୁନରେ ୮ ପ୍ରତିଶତ ହ୍ରାସ ହୋଇଛି ।

ସୂଚନା ମୁତାବକ ମଇ ମାସରେ ଗୌହାଟିରେ ଚା ପତି ମୂଲ୍ୟ ୫୨ ପ୍ରତିଶତ ବଢି କିଲୋପ୍ରତି ୨୧୭ ଟଙ୍କା ହୋଇ ଯାଇଥିଲା । ଅଗଷ୍ଟ ମାସରେ ୪୦ରୁ ୬୦ ପ୍ରତିଶତ ବଢିଥିଲା । ଏଥିରୁ ଅନୁମାନ କରାଯାଉଛିଯେ ଆସନ୍ତା ମାସରେ ଏହାର ଦରଦାମ ବଢିପାରେ । ଯାହା ଖୁବ ମହଙ୍ଗାର ରୂପ ନେବ ।ଜାନୁୟାରୀରୁ ଜୁନ ମାସ ମଧ୍ୟରେ ଉତ୍ପାଦନ ୨୬ ପ୍ରତିଶତକୁ କମ ପ୍ରାୟ ୩୪୮.୨ ହଜାର ଟନ ହୋଇଛି । ଲକଡାଉନ ଖୋଲିବା ପରେ ଟି ଇଣ୍ଡଷ୍ଟ୍ରି ଏହି ସଙ୍କଟରୁ ବଞ୍ଚିବାକୁ ଚେଷ୍ଟା କରୁଥିଲା । ସେହି ସମୟରେ କାଳ ସାଜିଲା ବର୍ଷା । ଚା ଉତ୍ପାଦନ କରୁଥିବା ପ୍ରମୁଖ ରାଜ୍ୟ ଯେପରି ଆସାମ ଆଦି ରାଜ୍ୟରେ ପ୍ରଚୁର ବର୍ଷା ଏବଂ ବାତ୍ୟା ସମସ୍ୟା ସୃଷ୍ଟି କଲା । ଆସାମରେ ମଇ, ଜୁନ ଏବଂ ଜୁଲାଇରେ ଖୁବ ବର୍ଷା ହୋଇଥିଲା । ଅଧିକ ଚା ଉତ୍ପାଦନ ଜୁଲାଇ ମାସରେ ହୋଇଥାଏ । ଚା’ର ଗୁଣବତ୍ତା ମଧ୍ୟ ଖୁବ ଭଲ ରହିଥାଏ । ଚଳିତ ମାସରେ ବର୍ଷା ଯୋଗୁଁ ଡିବ୍ରୁଗଡ଼,ଜୋରହଟ ଓ ଗୋଲାଘାଟ ଜିଲ୍ଲାରେ ଖୁବ ବର୍ଷା ହୋଇ ଚା ଗଛ ନଷ୍ଟ ହୋଇଯାଇଛି । ଭାରତର ୫୦ ପ୍ରତିଶତ ଚା ପତି ଉତ୍ପାଦନ ଆସାମରୁ ହୋଇଥାଏ । କିନ୍ତୁ ଆସାମରେ ୪୦ ପ୍ରତିଶତ ଉତ୍ପାଦନ କମିଛି ।