ଫିଲ୍ମ ଷ୍ଟାଇଲରେ ଓଡ଼ିଶାକୁ ଆସୁଛି ଧଳା ଜହର, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବାଲେଶ୍ୱର: ବ୍ରାଉନସୁଗାର ବେପାରରେ ବାଲେଶ୍ୱର ହବ ପାଲଟିଥିବାବେଳେ କେମିତି ଏହା ବାଂଲାଦେଶ ସୀମା ଡେଇଁ ଭାରତକୁ ଆସିଥାଏ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ମାଲ ପହଞ୍ଚିବାପରେ ସେଠାରୁ କେମିତି କୋଲକାତା ଓ ଖଡଗପୁର ଆସେ ? ସେଠାରୁ କେମିତି ଜଳେଶ୍ୱର ଓ ବାଲେଶ୍ୱରକୁ ବଣ୍ଟାଯାଏ ନିଶା ପାର୍ସଲ ।

ଏ ସବୁର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ପ୍ରଥମେ ବୁଝିବାକୁ ପଡ଼ିବ ଏହି ମ୍ୟାପକୁ । ବାଂଲାଦେଶରୁ ଆସି ମାଲ ପହଞ୍ଚିଥାଏ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ । ମୁର୍ଶିଦାବାଦରୁ ଭାୟା କୋଲକାତା ଦେଇ ବ୍ରାଉନସୁଗାର ଆସିଥାଏ ଓଡ଼ିଶାର ଜଳେଶ୍ୱରକୁ । ସେଠାରୁ ବାଲେଶ୍ୱର । ଏହା ପରେ ରାଜ୍ୟର ଅନ୍ୟାନ୍ୟ ହବକୁ ଚାଲାଣ ହୋଇଥାଏ ଧଳା ଜହର । ତେବେ ମୁର୍ଶିଦାବାଦ୍‌ ହେଉଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ । ରାସାୟନିକ ଉପାଦାନ ମିଶାଇ ଏଠାରେ ପ୍ରଥମେ ବ୍ରାଉନସୁଗାର ପ୍ରସ୍ତୁତ କରାଯାଏ  ।

ପରେ ମହିଳା ଓ ଗରିବ ଲୋକଙ୍କ ମାଧ୍ୟମରେ ବ୍ରାଉନସୁଗାରକୁ ଭାରତ ସୀମାକୁ ଡିଆଁଇ ଦିଆଯାଏ । ସେଠାରୁ ଏହି ଧଳା ଜହର ପଶ୍ଚିମବଙ୍ଗର କୋଲକାତା ଓ ଖଡ଼ଗପୁରରେ ପହଞ୍ଚେ । କୋଲକାତା ଓ ଖଡଗପୁରରୁ ପରିବା ଗାଡ଼ି କିମ୍ବା ବାଲେଶ୍ୱରରୁ ମାଛ ନେଇ କୋଲକାତା ଯାଉଥିବା ପିକ୍‌ଅପ୍‌ ଭ୍ୟାନ ଓ ଟ୍ରେନ୍‌ ମାଧ୍ୟମରେ ଏହା ବାଲେଶ୍ୱର ଓ ଜଳେଶ୍ୱରରେ ହୁଏ ଡେଲିଭରି ।

ତେବେ ପୋଲିସକୁ ଚେକ୍ ଦେବା ପାଇଁ ନୂଆ ନୂଆ ପାଠ ପଢୁଆ ଛାତ୍ରଙ୍କୁ ବେପାର ପାଇଁ ମାଷ୍ଟରମାଇଣ୍ଡ ସବୁବେଳେ ଟାର୍ଗେଟ କରିଥାନ୍ତି । କେବଳ ସେତିକି ନୁହେଁ ଖୁଚୁରା ବ୍ୟବସାୟୀଙ୍କ ପାଇଁ ସ୍କିମ ମଧ୍ୟ ଖୁବ ଲୋଭନୀୟ  । ନନ୍ଦିଘୋଷ ଟିଭି ଅନୁସନ୍ଧାନରୁ ଜଣାପଡିଛି ଲକଡାଉନ କଟକଣା ପରେ ପ୍ରବାସୀ ବାହନାରେ ଲୋକ ମାନଙ୍କୁ ଟଙ୍କା ଦେଇ ସାଇକେଲ ଦ୍ୱାରା ଓଡିଶାକୁ ବ୍ରାଉନସୁଗାର ପଠାଉଛନ୍ତି ବ୍ୟବସାୟୀ । ଖୁଚୁରା ବ୍ୟବସାୟୀ ମାନଙ୍କୁ ଢାଲ କରି ବ୍ୟବସାୟ କରୁଛନ୍ତି ବଡ ବଡ ଏଜେଣ୍ଟ  । ସେମାନଙ୍କ ବ୍ୟାଗ୍‌ରେ ଅନାୟସରେ ୩ କିଲୋଗ୍ରାମ ପର୍ଯ୍ୟନ୍ତ ବ୍ରାଉନସୁଗାର ଚାଲାଣ କରାଯାଇଥାଏ ।

ପୋଲିସ ହାତରେ ଧରା ପଡିଲେ ଜାମିନ  ଓ ମକଦ୍ଦମା ବାବଦକୁ ନିଜେ ଖର୍ଚ୍ଚ ବହନ କରନ୍ତି ଖୁଚୁରା ବ୍ୟବସାୟୀ । ଯଦି ସଂପର୍କୀୟଙ୍କ ଦ୍ୱାରା ବ୍ୟବସାୟ କରିବାକୁ ଚାହାନ୍ତି, ଜବତ ହୋଇଥିବା ବ୍ରାଉନସୁଗାରର ସମାନ ପରିମାଣ ମୁଖ୍ୟ ବ୍ୟବସାୟୀ ଅଧା ଦରରେ ଯୋଗାଇ ଦିଅନ୍ତି । ଏହି ବ୍ରାଉନସୁଗାର ବିକ୍ରି କରି ଖୁଚୁରା ବ୍ୟବସାୟୀ ବାକି ଟଙ୍କା ପୈଠ କରନ୍ତି  ।

Leave a Reply