ଆସନ୍ତା ସପ୍ତାହରେ କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ, ୫୦ ଲକ୍ଷ କୋଭିଡ ଯୋଦ୍ଧା ଯୁଦ୍ଧକୁ କରିଛନ୍ତି ମଜଭୁତ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରଣନୀତି । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଫୋକସ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ୪ ଜିଲ୍ଲାରେ ଅଞ୍ଚଳ ଭିତ୍ତିକ ରଣକୌଶଳ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଆସନ୍ତା ସପ୍ତାହରେ କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ । ତାଲିମପ୍ରାପ୍ତ ୫୦ ଲକ୍ଷ କୋଭିଡ ଯୋଦ୍ଧା ଯୁଦ୍ଧକୁ କରିଛନ୍ତି ମଜଭୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଏବେ ଦୈନିକ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବା ବେଳେ, ପ୍ରତି ୧୦ ଲକ୍ଷରେ ୧ହଜାର ୯୬ ଟେଷ୍ଟ କରାଯାଉଛି । କୋଭିଡ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଟ୍ରେନିଂ ମିଳିଛି । ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗ୍ରୁପ,କୋଭିଡ କମିଟି ସଦସ୍ୟଙ୍କୁ ବି ତାଲିମ ମିଳିଛି । ରାଜ୍ୟରେ ଲକ୍ଷଣବିହୀନ କରୋନା ରୋଗୀଙ୍କ ସଂଖ୍ୟା ଅଧିକ । ଏଣୁ ଗୃହ ସଙ୍ଗରୋଧକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପ୍ରଚାର ସହ ପଞ୍ଚାୟତ ପ୍ରତିନିଧିଙ୍କ ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି ।

କୋଭିଡ କେୟାର କମିଟିଗୁଡ଼ିକର ମଧ୍ୟ ସହାୟତା ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କୋଭିଡ ମୃତ୍ୟୁହାର କମ କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ପ୍ଲାଜମାଦାତାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଶଂସାପତ୍ର ସହ ସ୍ୱୀକୃତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହିପରି ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀର ଉନ୍ନତିକୁ ଗୁରୁତ୍ୱ ଦେବା ସହ କୋଭିଡ ଯୋଦ୍ଧା ଓ ରୋଗୀଙ୍କ ଫିଡବେକ୍ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

Leave a Reply