ବିଧାୟକଙ୍କ ଚାଷ ଭିଡିଓକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁ

ନବରଙ୍ଗପୁର: ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା । କେବଳ ରାଜନୀତିରେ ନିଜକୁ ସୀମିତ ରଖିନାହାନ୍ତି ବିଧାୟକ । ନିଜ ବିଲରେ ମୂଲ ଲାଗି ହଳ କରି ଧାନ ଗଛ ଲଗାଇ ମୂଲିଆଙ୍କ ସହିତ ଚାଷ କାମ କରି ଭାରତର ଉପ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବିଧାୟକ ରାନ୍ଧାରୀଙ୍କ ଚାଷ ସମୟର ଭିଡିଓ ସାମାଜିକ ଗଣ ମାଧ୍ୟମରେ ବହୁ ମାତ୍ରାରେ ଭାଇରଲ ହୋଇଥିଲା । ଯାହାଫଳରେ ମନୋହରଙ୍କ ଏହି ଚଷା ପୁଅ ଅବତାର ସମସ୍ତଙ୍କ ମନ ମୋହିଥିଲା ।

ଏହା ସହ ମନୋହରଙ୍କ ଏହି ଚଷା ଅବତାରର ଭିଡିଓ ଭାରତର ଉପରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲା । ତାଙ୍କର ସେହି ଚାଷ କରୁଥିବା ସମୟର ଭିଡିଓ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କ ମନକୁ ବେସ ଆକର୍ଷିତ କରିପାରିଥିଲା । ଏହାପରେ ବିଧାୟକଙ୍କ ଏପରି କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଉପରାଷ୍ଟ୍ରପତି  ଯୁବ ସମାଜକୁ ଆହ୍ୱାନ ଜଣାଇଥିଲେ ।  ବିଧାୟକଙ୍କ ପ୍ରଶଂସନୀୟ  ପ୍ରେରଣାଦାୟୀ କାମ କୁ ନେଇ ଉପରାଷ୍ଟ୍ରପତି ନିଜ ଟ୍ୱିଇଟର ଆକାଉଣ୍ଟରରେ ପ୍ରସଂଶା କରିଛନ୍ତି ।

ବିଧାୟକ ରନ୍ଧାରୀ ନିଜ ପିତାଙ୍କ ଦେହାନ୍ତ ପରେ ଚାଷ କାମ ବୁଝିବା ସହିତ ନିଜେ ମଧ୍ୟ ଚାଷ କାମ କରିବାକୁ ଭଲ ପାଉଥିବା କହିଛନ୍ତି । ରାଜ୍ୟ ସରକାର କୃଷି କ୍ଷେତ୍ରକୁ ନେଇ କୃଷି ଶିଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । ତେବେ ଯୁବ ସମାଜ ଯଦି ଆଗେଇ ଆସନ୍ତି ତେବେ ସରକାରଙ୍କ ଏହି ଯୋଜନା ସଫଳ ହୋଇପାରିବ ଓ କୃଷି କ୍ଷେତ୍ରରେ ବିନିଯୋଗ କରି ଯୁବ ସମାଜ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଥିଲେ ।

Leave a Reply