ଘରୋଇ ନ୍ୟୁଜ୍ ଚ୍ୟାନେଲ ଓଟିଭି ପାଇଁ ବଢିଲା ଅଡୁଆ, ବୁମେରାଂ ହେଲା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ

ଭୁବନେଶ୍ୱର: କୋଭିଡ୍‌ ହସ୍‌ପିଟାଲ ସମ୍ପର୍କିତ ମିଛ ଅଡିଓ ପ୍ରସାରଣ ମାମଲାରେ ଓଟିଭିକୁ ହାଇକୋର୍ଟଙ୍କ ଝଟ୍‌କା । ପୋଲିସକୁ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସହଯୋଗ ନକଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ହାଇକୋର୍ଟ । ସେପଟେ ବାରମ୍ବାର ସମନ୍ ପରେ ମଧ୍ୟ ଥାନାରେ ହାଜର ନହୋଇ କର୍ତ୍ତୃପକ୍ଷ ନିଜ ପିଆର୍‌ଓଙ୍କ ଜରିଆରେ ସମୟ ଗଡ଼େଇ ଚାଲିଛନ୍ତି । ଅନ୍ୟପକ୍ଷରେ ତିନି ତିନିଟି କୋଭିଡ୍ ହସପିଟାଲ୍ ଚ୍ୟାନେଲ୍‌ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ।

ଥାନାରେ ହାଜର ନହୋଇ ହାଇକୋର୍ଟଙ୍କ ଶରଣ ପଶିଥିଲା ଓଟିଭି । ହେଲେ କୋର୍ଟ ସଫା ସଫା କହିଲେ ତଦନ୍ତରେ ସହଯୋଗ କର । ନହେଲେ କାର୍ଯ୍ୟାନୁଷ୍ଠାନ ବି ହୋଇ ପାରେ । ମାମଲାଟି ଥାନାରେ କେସ୍ ଡାଏରୀ ସ୍ତରରେ ଥିବାରୁ ଓଟିଭି କର୍ତ୍ତୃପକ୍ଷଙ୍କ ଆଗୁଆ ଜାମିନ୍ ଆବେଦନକୁ ଗ୍ରହଣ କରି ନାହାଁନ୍ତି କୋର୍ଟ । ତେଣୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବାକୁ କୋର୍ଟ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ଏବେ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ପାଇଁ ବଢିଛି ଅଡୁଆ । ପକ୍ଷ ନରଖି ସମୟ ଗଡ଼େଇବାକୁ କରିଥିବା ଚାଲ୍‌ର ହୋଇଛି ଦି ଏଣ୍ଡ୍‌ ।

ଭୁବନେଶ୍ୱରର ଦୁଇ ଯୁବକଙ୍କ ବ୍ୟକ୍ତିଗତ ଫୋନ୍ ବାର୍ତ୍ତାଳାପକୁ ଖବର ଆକାରରେ ନିଜ ଡିଜିଟାଲ୍ ପ୍ଲାଟଫର୍ମରେ ପୋଷ୍ଟ କରିଥିଲା ଓଟିଭି । ଯାହାକୁ ନେଇ ବିଏମ୍‌ସି ଦେଇଥିଲା କାରଣ ଦର୍ଶାଅ ନୋଟିସ୍ । କେବଳ ସେତିକି ନୁହେଁ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଦେଇଥିଲା ଏତଲା । ମହାମାରୀ ସମୟରେ ଲୋକଙ୍କୁ ଆତଙ୍କିତ କଲା ଭଳି ଖବର ପ୍ରସାରଣ ପଛର ସତ୍ୟତା ଜାଣିବାକୁ ପୋଲିସ୍ ତନାଘନା ଆରମ୍ଭ କରିଥିଲା । ପକ୍ଷ ରଖିବାକୁ ବାର୍ତ୍ତା ସଂପାଦକଙ୍କ ସମେତ ଚ୍ୟାନେଲର ଅନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଜାରି କରିଥିଲା ସମନ୍ । ହେଲେ ସମନ୍‌କୁ ସମ୍ମାନ ନଦେଇ କର୍ତ୍ତୃପକ୍ଷ ପଠାଇ ଦେଇଥିଲେ ନିଜ ଲୋକ ସଂପର୍କ ଅଧିକାରୀଙ୍କୁ । ସେପଟେ ଏହି ମାମଲାରେ ବିଭ୍ରାନ୍ତିକର ଅଡିଓ ପ୍ରସ୍ତୁତ କରିଥିବା ଦୁଇ ଯୁବକଙ୍କୁ ପୋଲିସ୍ ଗିରଫ କରିଥିଲା । ରିମାଣ୍ଡରେ ନେଇ ପଚରାଉଚୁରା ପରେ ଜାମିନରେ ଛାଡ଼ି ଦେଇଛି ।

କଥା ଏତିକିରେ ସରିନି । ଏବେ ମାନହାନି ମୋକଦ୍ଦମାରେ ଘାଣ୍ଟି ହେଉଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ। ସମ୍‌, କିମ୍‌ସ ଓ ହାଇଟେକ କୋଭିଡ୍ ହସପିଟାଲ କର୍ତ୍ତୃପକ୍ଷ ଚ୍ୟାନେଲ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।

Leave a Reply