spot_img
Home Blog Page 6608

ବନ୍ୟା ରିଲିଫ୍‌ ଦେଇ ଫେରିବା ବାଟରେ ଡ଼ଙ୍ଗାର ଦୁର୍ଘଟଣା, ଜଣେ ନିଖୋଜ

ମାଲକାନାଗିରି: ମୋଟୁ ସୀମାସ୍ଥିତ ଆନ୍ଧ୍ରର ଚିନ୍ତୁରରେ ଡ଼ଙ୍ଗା ଦୁର୍ଘଟଣା । ପୋଲର ପିଲର ସହ ଧକ୍କା ହୋଇ ଡ଼ଙ୍ଗା ବୁଡ଼ିଗଲା । ଡ଼ଙ୍ଗାରେ ଥିବା ୩ଜଣ ମଧ୍ୟରୁ ୨ ଜଣ ଉଦ୍ଧାର ଜଣେ ନିଖୋଜ ରହିଛନ୍ତି । ବନ୍ୟା ପୀଡ଼ିତଙ୍କ ପାଇଁ ରାସନ ପହଞ୍ଚାଇ ଫେରିବା ବେଳେ ଦୁର୍ଘଟଣା ହୋଇଥିଲା । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିସମ ବାହିନି ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ସନ୍ଧ୍ୟା ୭ ୪୦ ସମୟରେ ଏଭଳିଘଟଣା ଘଟିଛି । ବନ୍ୟା ପାଣିର ବେଗ ଏତେ ଥିଲାଯେ ଡଙ୍ଗାଟି ପୁରା ଦୁଇ ଖଣ୍ଡ ହୋଇଯାଇଛି । ତେବେ ପ୍ରବଳ ସୁଅ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି । ଅନ୍ଧାର କାରଣରୁ ପୋଲର ପିଲର ଦେଖିପାରି ନଥିଲେ ଡଙ୍ଗା ଚାଳକ । ଯାହାଫଳରେ ଡ଼ଙ୍ଗଟି ଯାଇ ପିଲରରେ ମାଡ଼ ହୋଇଥିଲା । ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପଲିଟିକ୍ସକୁ ଆସିବେ ପାଇଲଟ୍, ସୁରଙ୍କ ଉତ୍ତରାଧିକାରୀ ଏଥିପାଇଁ ରେଡ୍ଡି

ଭୁବନେଶ୍ୱର: ରାଜୀବ ଗାନ୍ଧୀଙ୍କ ଜୟନ୍ତିରେ କଂଗ୍ରେସର ପୁରୁଖା ନେତା ସୁର ରାଉତରାୟଙ୍କ ବଡ଼ ଘୋଷଣା । ସାନପୁଅ ମନ୍ମଥ ହେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ । କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କ ଉପସ୍ଥିତ ଏହାକୁ ଜାହିର କରୁଥିଲା । ଏନେଇ ବିଧାୟକ ସୁର କହିଛନ୍ତି ଯେ, ସାନପୁଅ ସଂଗଠନ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ  ପୁଅ ଯଦି ରାଜନୀତିକୁ  ଆସିବାକୁ ଇଚ୍ଛା କରିବେ, ମୋର ଆପତ୍ତି ନାହିଁ ।

ସେପଟେ ମନ୍ମଥ ବି ଦେଇଛନ୍ତି ପଲିଟିକ୍ସରେ ଏଣ୍ଟ୍ରି ନେଇ ଇସାରା । ରାଜୀବ ଗାନ୍ଧୀ ଯେଉଁ କମ୍ପାନୀରେ ପାଇଲଟ ଥିଲେ ମୁଁ ସେହି କମ୍ପାନୀରେ ପାଇଲଟ ଅଛି । ରାଜୀବ ପାଇଲଟ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇ ପ୍ରାଧାନମନ୍ତ୍ରୀ ହୋଇଥିଲେ । ଏବେ ମୁଁ  ଚାକିରିରେ ଅଛି । ବାପାଙ୍କୁ ସାହାଯ୍ୟ କରୁଛି ଓ ରାଜନୀତି ଶିଖିୁଛି ।

୨୦୧୯ ସାଧାରଣ ନର୍ବାଚନ ପରେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ବିଧାୟକ ସୁର ରାଉତରାୟ ପୂର୍ବରୁ ଘୋଷଣା କରିଛନ୍ତି । ତେଣୁ ତାଙ୍କୁ ଉତ୍ତରାଧିକାରୀ କିଏ ହେବ ସେନେଇ ବଡ଼ପୁଅ ଓ ସାନପୁଅଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା । ହେଲେ ଆଜିର ମିଶ୍ରଣ ପର୍ବରେ ସାନପୁଅଙ୍କୁ ପ୍ରୋଜେକ୍ଟ କରିବା ଏବେ ଜଟଣୀର ସେ ହିଁ ଉତ୍ତରାଧିକାରୀ ହେବେ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ଜୋର ଧରିଛି ।

ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଥିଲେ ଡାଇଟରେ ସାମିଲ କରନ୍ତୁ ଏହି ଖାଦ୍ୟ

କରୋନା ମହାମାରୀ କାରଣରୁ ଖାଦ୍ୟପେୟକୁ ନେଇ ଲୋକମାନେ ଅଧିକ ସଚେତନ ହୋଇ ଯାଇଛନ୍ତି । ତେଣୁ କରୋନାରୁ ରକ୍ଷା ପାଇବା ପାଇଁ କେଉଁ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଆସନ୍ତୁ ଆଲୋଚନା କରିବା ।

ଲାଲ କ୍ୟାପସିକମ: ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ । ଆମେରିକା କୃଷି ବିଭାଗର ସୂଚନା ଅନୁସାରେ ଏକ କପ କଟା ହୋଇଥିବା କ୍ୟାପସିକମରେ ପ୍ରାୟ ୨୧୧ ପ୍ରତିଶତ ଭିଟାମିନ ସି ରହିଥାଏ । ଏହା କମଳାରେ ଥିବା ଭିଟାମିନର ଦୁଇ ଗୁଣ ।

 

ବ୍ରୋକଲି- ଏହା ଭିଟାମିନ ସିରେ ଭରପୂର । ଅଧ କପ ବ୍ରୋକଲିରେ ୪୩ ପ୍ରତିଶତ ଭିଟାମିନ ରହିଥାଏ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଅନୁସାରେ ଶରୀରରେ ଏହି ପରିମାଣର ଭିଟାମିନ ସି ଆବଶ୍ୟକ ଅଛି । ବ୍ରୋକଲି ଫାଇଟୋକେମିକଲ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

 

ଚଣା- ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।

ଷ୍ଟ୍ରବେରୀ-ଡାଇଟିସିଆାନଙ୍କ କହିବା ଅନୁସାରେ ଗୋଟିଏ ଦିନର ଭିଟାମିନ ସି ପୂରଣ କରିବା ପାଇଁ ଅଧ କପ ଷ୍ଟ୍ରବେରୀ ଯଥେଷ୍ଟ । ଅଧ କପ ଷ୍ଟ୍ରବେରୀରେ ୫୦ ପ୍ରତିଶତ ଭିଟାମିନ ସି ରହିଥାଏ ।

 

 


ରସୁଣ- ଏହା ଶରୀର ପାଇଁ ଖୁବ ଉପକାରୀ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହା ସଂକ୍ରମଣରୁ ଲଢିବା ପାଇଁ ସାହାଯ୍ୟ କରିଥାଏ ।

ପାଳଙ୍ଗ- ଏହା ଭିଟାମିନ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର । ଏତିରେ ବିଟା କ୍ୟାରୋଟିନ ରହିଥାଏ । ଏହା ଭିଟାମିନ ଚଏର ମୁଖ୍ୟ ସ୍ରୋତ । ଭିଟାମିନ ଏ ଇମ୍ୟୁନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ ।

 

ଦହି- ଏହା ପ୍ରୋବାୟୋଟିକ୍ସର ସ୍ରୋତ । ଡାକ୍ତରଙ୍କ କହିବା ଅନୁସାରେ ଏହା ଏକ ଭଲ ବ୍ୟାକ୍ଟେରିଆ । ଏହା ଇମ୍ୟୁନ ସିଷ୍ଟମ ଏବଂ ପାଚନ ତନ୍ତ୍ରକୁ ଠିକ ରଖିଥାଏ ।

ରାଜ୍ୟରେ ବଢ଼ୁଛି ସୁସ୍ଥତା ହାର, ଆଜି ପୁଣି ସୁସ୍ଥ ହେଲେ ୧୬୪୧ ଜଣ କରୋନା ରୋଗୀ

ଭୁବନେଶ୍ୱର: କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ପୁଣି ରଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଜି ୧୬୪୧ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ କରି ସୂଚନା ଦେଇଛି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪୮ ହଜାର ୫୭୬ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମରୁ ସର୍ବାରଧିକ ୩୬୫ ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସେହିଭଳି ୩୫୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଦୁଇ ଜିଲ୍ଲା ଉଭୟ ସଂକ୍ରମଣ ଓ ସୁସ୍ଥ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଆଗରେ ରହିଛି ।

ସେପଟେ ସୁନ୍ଦରଗଡ଼ରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, କନ୍ଧମାଳରୁ ୫୦, ରାୟଗଡ଼ାରୁ ୪୨, ନୟାଗଡ଼ରୁ ୪୧, ମାଲକାନାଗିରିରୁ ୩୯, ବଲାଙ୍ଗିରରୁ ୩୫, ଢ଼େଙ୍କାନାଳରୁ ୩୩, ଜଗତସିଂହପୁରରୁ ୩୩, ବାଲେଶ୍ୱରରୁ ୩୧, କେନ୍ଦୁଝରରୁ ୨୯, ବରଗଡ଼ରୁ ୨୫, ଭଦ୍ରକରୁ ୨୫, ଝାରସୁଗୁଡ଼ାରୁ ୨୧, ପୁରୀରୁ ୨୧, ସମ୍ବଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡ଼ାରୁ ୧୬, ନବରଙ୍ଗପୁରରୁ ୧୧, ଦେବଗଡ଼ରୁ ୨, ଅନୁଗୁଳ ଏବଂ ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବିଜୁବାବୁ ବଞ୍ଚିଥିଲେ କରୋନା ସମୟରେ ସରପଞ୍ଚଙ୍କ କାମ ଦେଖି ବହୁତ ଖୁସି ହୋଇଥାନ୍ତେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ କଥା ମନେ ପକାଇଛନ୍ତି ।  ଆଜି ଯଦି ବିଜୁବାବୁ ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଜିଲ୍ଲାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୩୩ ପ୍ରତିଶତ ରହିଛି, ଯାହା କି ସାରା ଦେଶରେ ସର୍ବନିମ୍ନ । ସେହିପରି କେନ୍ଦ୍ରାପଡାରେ ସଂକ୍ରମଣ ହାର ୨.୨୫ ପ୍ରତିଶତ ଅଟେ, ଯାହା କି ରାଜ୍ୟରେ ସବୁଠାରୁ କମ୍‌ । କେନ୍ଦ୍ରାପଡ଼ାକୁ ଏହି ସମୟ ମଧ୍ୟରେ ଅନ୍ୟ ରାଜ୍ୟରୁ ପ୍ରାୟ ୫୫ ହଜାର ଭାଇଭଉଣୀ ଫେରିଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ କରୋନା ପରିଚାଳନା କାର୍ଯ୍ୟ ଯେଭଳି ଜାରି ରହିଛି, ସେଥିରେ କେନ୍ଦ୍ରାପଡ଼ା ଓଡ଼ିଶାରେ ଏକ ଆଦର୍ଶ ଜିଲ୍ଲା ହୋଇପାରିଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତି ବ୍ଲକ୍‌କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଲେଖାଏ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରେସନ୍‌ କାର୍ଡ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଜାରି ରହିଥିବାକୁ କେନ୍ଦ୍ରାପଡା ଜିଲ୍ଲାର ଆବଶ୍ୟକତାକୁ ଭିତ୍ତିକରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କରୋନା ମୃତ୍ୟୁ ସନ୍ଦେହରେ ପାଖ ମାଡ଼ିଲେନି ସମ୍ପର୍କୀୟ, ପିପିଇ କିଟ୍‌ ପିନ୍ଧି ମୃତ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ଜୟପୁର: କରୋନା କାଳରେ କେତେ ସମ୍ପର୍କ ତୁଟିଛି, କେତେ ସମ୍ପର୍କ ଯୋଡ଼ି ହୋଇଛି । ସମ୍ପର୍କର ମୂଲ୍ୟବୋଧ ବୋଧେ କରୋନା ଦେଖାଇଛି । କେତେବେଳେ ନିଜ ରକ୍ତ ପର କରିଦେଇଛି ତ ପୁଣି କେତେବେଳେ ପର, ମୃତ୍ୟୁ ପରେ ନିଜର କରିଛି । ଜୀବନର ଅପରାହ୍ନରେ ଅପସରି ଯାଉଥିବା ସମ୍ପର୍କକୁ ଦେଖାଇଛି ଏ କରୋନା । ଅନେକ କିଛି ହୃଦୟ ବିଦାରକ ଦୃଶ୍ୟ ଏ କରୋନା ଭିଆଇଛି । ମଣିଷ ବଞ୍ଚିଛି ହେଲେ ମାନବିକତାକୁ ଜଳାଞ୍ଜଳୀ ଦେଇଛି । ଏମିଛି କିଛି ଘଟଣା ମାନବ ସମାଜକୁ ଦେଖାଇଛି ରାକ୍ଷସ ଭୂତାଣୁ ।

ସମ୍ପର୍କୀୟ ହାତ ଛାଡ଼ିଦେଲେ କଣ ହେଲା । ସିନ୍ଦୁର ପିନ୍ଧାଇ ସାତ ଜନ୍ମର ସାଥି ବାଛିଥିଲ । କଣ ମଶାଣି ପର୍ଯ୍ୟନ୍ତ ସାଥି ହୋଇପାରିବିନି । କରୋନା ଆକ୍ରାନ୍ତ ନ ଥିଲେ ବି ପାଖ ମାଡ଼ିଲେନି ଆତ୍ମୀୟ । ଏମିତି କିଛି ଭାବନା ସହ ସ୍ୱାମୀଙ୍କୁ କାନ୍ଧରେ କାନ୍ଧେଇ ନେଇ ପିପିଇ କିଟ୍‌ ପିନ୍ଧି ମୃତ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ । କୋଭିଡ-୧୯ ଗାଇଡଲାଇନ୍‌ ପାଳନ କରି ପ୍ରଶାସନିକ ଅଧିକାରୀଙ୍କୁ ଉପସ୍ଥିତିରେ ସ୍ୱାମୀଙ୍କୁ ହରାଇଥିବା ସ୍ତ୍ରୀ ପୁଷ୍ପା ନାୟକ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗାଁରେ ।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନ୍ଦାପାଲ୍ଲୀ ଗାଁର କୃଷ୍ଣ ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା । ସେଠାରେ କରୋନା ଟେଷ୍ଟ କରାଯିବାରୁ ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ କୃଷ୍ଣ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଡାକ୍ତର ତାଙ୍କୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ । ମାତ୍ର ଏକ ଆମ୍ବୁଲାନ୍‌ସରେ ବିଶାଖାପାଟଣା ଯିବା ସମୟରେ ଅଧରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଫଳରେ କୃଷ୍ଣଙ୍କ ମରଶରୀରକୁ ଘରକୁ ଫେରାଇ ଅଣାଯାଇଥିଲା ।

ହେଲେ କରୋନା ଭୟରେ କୌଣସି ଆତ୍ମୀୟ ମରଶରୀରକୁ ମଶାଣିକୁ ନେବା ପାଇଁ ରାଜି ହୋଇନଥିଲେ । ଫଳରେ ପ୍ରଶାସନ ଉପସ୍ଥିତିରେ ପିପିଇ କିଟ ପିନ୍ଧି ସ୍ୱାମୀଙ୍କୁ ମୁଖାଗ୍ନି ଦେଇଥିଲେ ସ୍ତ୍ରୀ ପୁଷ୍ପା । କୃଷ୍ଣ ନାୟକ କୋରାପୁଟ ଜିଲ୍ଲା ଜୟପୁରରେ ରହୁଥିଲେ। ସେ ବୋରିଗୁମା ଓ ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ସୂଚନା ମିଳିଛି। ନିକଟରେ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୪ଜଣ ଝିଅ ଅଛନ୍ତି ।

୭୧ ବର୍ଷୀୟ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେଲେ ୭୬ ବର୍ଷୀୟ ପ୍ରେମିକ

ୟୁଏସ: କୁହାଯାଏ ପ୍ରେମ ପାଇଁ କୌଣସି ବୟସ ସୀମା ନାହିଁ । ନା ଏହା କେବେ ଶେଷ ହୁଏ ନା ପୁରୁଣା । କୌଣସି ବୟସରେ ମଧ୍ୟ ପ୍ରେମ ହୋଇପାରେ । ଭଗବାନଙ୍କ ସୃଷ୍ଟିର ଏହା ହେଉଛି ଏକ ପବିତ୍ର ଅନୁଭବ । ଏବେ ଏହାକୁ ନେଇ ନିକଟରେ ୟୁଏସର ଏକ ଘଟଣା ସାମ୍ନାକୁ ଆସିଛି । ୟୁଏସର ଜଣେ ୭୬ ବର୍ଷୀୟ ବ୍ୟକ୍ତି ତାଙ୍କ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପରେ ଏହି ଘଟଣା ଭାଇରାଲ ହେଉଛି ।
ପ୍ରପୋଜ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଜେଫ୍ରୀ । ସେ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । କିନ୍ତୁ ଜେଫ୍ରୀଙ୍କ ଗର୍ଲଫ୍ରେଣ୍ଡ ଗ୍ଲାରିୟା ଜଣେ ବିଧବା । ଦୁଇଜଣଙ୍କ ସାକ୍ଷାତ ଏକ କେୟାର ସେଣ୍ଟରରେ ହୋଇଥିଲା । ଯେଉଁଠାରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। କେବଳ ସେତିକି ନୁହେଁ ତିନି ବର୍ଷ ପର୍ଯ୍ୟନ୍ତ ଦୁଇଜଣ ପରସ୍ପରକୁ ଡେଟ୍ ମଧ୍ୟ କଲେ । ୩ ବର୍ଷ ପରେ ପ୍ରପୋଜ କରିବାରୁ ନିଜକୁ ଅଟକାଇ ପାରିଲେନି ଜେଫ୍ରୀ । ଶେଷରେ ଗ୍ଲୋରିୟାଙ୍କୁ ପ୍ରେମ ନିବେଦନ କରି କହିଲେ, କ’ଣ ତୁମେ ମୋତ ବିବାହ କରିବ? ତା ପରେ ଦୁଇଜଣଙ୍କ ବିବାହ ହୋଇଗଲା ।


ଖବର ଅନୁସାରେ କରୋନା ମହାମାରୀ ପରିସ୍ଥିତିରେ ଗ୍ଲୋରିୟାଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଥିଲା । ଯାହା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ସମୟରେ ଗ୍ଲୋରିୟାଙ୍କୁ ବିବାହ କରିବା ପାଇଁ ପ୍ରପୋଜ କରିବାକୁ ଠାଣି ନେଲେ ଜେଫ୍ରୀ । ଗ୍ଲୋରିୟାଙ୍କୁ ଖୁବ ମନେ ପକାଉଥିଲେ ଜେଫ୍ରୀ । ଗ୍ଲୋରିୟା ହସ୍ପିଟାଲରେ ଥିବା ସମୟରେ ତାଙ୍କୁ ପ୍ରପୋଜ କରିବା ପାଇଁ ଚିନ୍ତା କରୁଥିଲେ ଏହି ୭୬ ବର୍ଷୀୟ ପ୍ରେମିକ । କେୟର ସେଣ୍ଟରର ସହାୟତାରେ ଖୁବ ସାଜସଜ୍ଜା ସହିତ ସେ ଗ୍ଲୋରିୟାଙ୍କୁ ମୁଦି ପିନ୍ଧାଇ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ । ଶେଷରେ ଜେଫ୍ରୀ ଏବଂ ଗ୍ଲୋରିୟା ପରସ୍ପରକୁ ପାଇ ପାରିଲେ ।

ଭାରତକୁ ପାକିସ୍ତାନ ରେଳ ମନ୍ତ୍ରୀଙ୍କ ପରମାଣୁ ଆକ୍ରମଣ ଧମକ, କହିଲେ ମୁସଲମାନଙ୍କର ହେବନି କ୍ଷତି

ନୂଆଦିଲ୍ଲୀ: ବାଚଳାମୀ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପୁଣି ପାଗଳାମୀ ଆରମ୍ଭ କରିଛି । ଏବେ ଏବେ ପାକ୍ ବୈଦେଶିକ ମନ୍ତ୍ରା ଶାହ ମହମ୍ମଦ କ୍ୟୁରେସି କାଶ୍ମୀରକୁ ନେଇ ସାଉଦି ଆରବକୁ ଘେରିଥିଲେ । ଯାହାର ଫଳ ଭୋଗିଲେ ପାକ୍ ସେନା ମୁଖ୍ୟ ବାଜୱା । ଅପମାନକୁ ୪୮ ଘଣ୍ଟା ବିତିନି ପୁଣି ପାକିସ୍ତାନ ରେଳ ମନ୍ତ୍ରୀ ଭାରତକୁ ପରମାଣୁ ବୋମା ଫିଙ୍ଗିବା ନେଇ ବାହାସ୍ଫୋଟ ମାରିଛନ୍ତି । ସେ ଧମକ ଦେଇ କହିଛନ୍ତି ପାକିସ୍ତାନ ପାଖେ ଥିବା ପରମାଣୁ ବୋମା ଆସାମ ଯାଏଁ ପହଞ୍ଚି ପାରିବ । ଏତିକି ନୁହେଁ ଶେଖ ରସିଦ ଆହୁରି କହିଛନ୍ତି ଏହି ପରମାଣୁ ଆକ୍ରମଣରେ ମୁସଲମାନଙ୍କର କୌଣସି କ୍ଷତି ହେବନାହିଁ ।

ଯଦି ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ହୁଏ ତେବେ, ତାହା ରକ୍ତାକ୍ତ ଓ ଅନ୍ତିମ ଯୁଦ୍ଧ ହେବ । ପାକିସ୍ତାନ ରେଳ ମନ୍ତ୍ରୀଙ୍କ ଅନୁସାରେ ଭାରତ, ପାକିସ୍ତାନ ଉପରେ ଆକ୍ରମଣ କଲେ ଯୁଦ୍ଧର କୌଣସି ପରିସୀମା ରହିବ ନାହିଁ । ଆମ ପାଖେ ଥିବା ଅସ୍ତ୍ର ମୁସଲମାନଙ୍କ ଜୀବନକୁ ବଞ୍ଚାଇ ଆସମ ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ ବୋଲି କହିଛନ୍ତି ଶେଖ୍ ରସିଦ ।

ପ୍ରଥମଥର ଶେଖ୍ ରସିଦ୍ ଏଭଳି ଧମକ ଦେଇନାହାଁନ୍ତି । ପୂର୍ବରୁ ଏମିତି ଅନେକ ଥର ଧମକ ଭରା ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ସେ ଭାରତ ନାଁ ନନେଇ ପରମାଣୁ ଯୁଦ୍ଧ ଧମକ ଦେଇଥିଲେ । କହିଥିଲେ- ଏବେ ଯୁଦ୍ଧ ପାରମ୍ପରିକ ଭାବେ ହେବ ନାହିଁ ବରଂ ପରମାଣୁ ଯୁଦ୍ଧ ହେବ । ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ- ଏବେ ଏମିତି ଯୁଦ୍ଧ ହେବ ନାହିଁ ଯେଉଁଥିରେ ୪ରୁ ୬ ଦିନ ଯାଏଁ ଟ୍ୟାଙ୍କ, ତୋପ ଚାଲିବ । ସିଧା ସିଧା ପରମାଣୁ ଯୁଦ୍ଧ ହେବ ।

ଶେଖ୍ ରସିଦ କହିଥିଲେ ପାକିସ୍ତାନ ପାଖରେ ୧୨୫ ଗ୍ରାମ ଓ ୨୫୦ ଗ୍ରାମର ପରମାଣୁ ବୋମା ରହିଛି । ଯାହା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ମାରି ପାରିବ । ଏତିକି ନୁହେଁ ଭାରତ ଜାଣିବା ଦରକାର ଯେ ପାକିସ୍ତାନ ପାଖେ ଥିବା ବୋମା କାହାକୁ ବି ଟାର୍ଗେଟ୍ କରିପାରେ । ଶେଖ୍ ରସିଦଙ୍କ ଏହି ବୟାନ ସେତେବେଳେ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ବାରମ୍ବାର ସେ ଏଭଳି ବୟାନ ଦେଇ ନିଜର ହିଁ ବେଇଜିତ୍ କରୁଛନ୍ତି ।

ରାମ ମନ୍ଦିରକୁ ନେଇ କଣ କହିଥିଲେ ?

ବିଭିନ୍ନ ସମୟରେ ନିଜ ବୟାନକୁ ଚର୍ଚ୍ଚାରେ ରହୁଥିବା ଶେଖ୍ ରସିଦ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନକୁ ନେଇ ବୟନା ଦେଇଥିଲେ । ସେ କହିଥିଲେ ଭାରତ ଏବେ ଧର୍ମ ନିରପେକ୍ଷ ଦେଶ ହୋଇନାହିଁ । ବରଂ ଭାରତ ଏକ ଧର୍ମର ଦେଶ ହୋଇଯାଇଛି । ଯାହାର କଡ଼ା ଜବାବ ଦେଇଥିଲା ଭାରତ । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା- ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେ ଏହି ପ୍ରକାର ଧାର୍ମିକ ବୟାନ ଦେଇ ସାମ୍ପ୍ରଦାୟିକତା ସୃଷ୍ଟି କରିପାରେ ।

ଭୁବନେଶ୍ୱରରେ ଦିନକରେ ୩୧୯ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୧୧୩

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା କବଳରେ ପୁରା ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱର ମଧ୍ୟ ଆସିଛି । ଆଜି ପୁଣି ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରୁ ଆଜି ୨୮୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଖୋର୍ଦ୍ଧାରୁ କେବଳ ସର୍ବାଧିକ ୫୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ୫୨୪ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩୧୯ ଜଣ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ ୧୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚହ୍ନଟ ହୋଇଥିବା ବେଳେ ୧୪୭ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜଧାନୀର ବିଭିନ୍ନ ସ୍ଥାରୁ ଲୋକାଲ କଣ୍ଟାକ୍ଟ ଥିବା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ଏବେ ରାଜଧାନୀରେ ୬୩୯୬ ମୋଟ କରୋନା ସଂଖ୍ୟା ରହିଛି । ଏମାନଙ୍କ ମଧ୍ୟରୁ ୨୪୦୫ ଜଣ ଏବେ ସକ୍ରିୟ ରହିଛନ୍ତି । ତେବେ ସେପଟେ କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ହାର । ଆଜି ୧୧୩ ଜଣ ସଂକ୍ରମିତ ଭୁବନେଶ୍ୱରରୁ ସୁସ୍ଥ ହୋଇଛନ୍ତି । ଯାହାଫଳରେ  ୩୯୫୩ ଜଣ ସୁସ୍ଥ ହୋଇଛନ୍ତି । ତେବେ କରୋନାର ବୃଦ୍ଧ କେବଳ ମେଗା ସିଟି ପାଇଁ ହେଉଥିବା ସୂଚନା ରହିଛି ।

କୋଭିଡ୍ ମୁକାବିଲାରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ, ଦେଶରେ ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: ଦେଶରେ ଓ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଛି । ତେବେ, ଏସବୁ ଭିତରେ ଓଡ଼ିଶା କରୋନା ମୁକାବିଲାରେ ଭଲ୍ ପ୍ରଦର୍ଶନ କରୁଛି । ରାଜ୍ୟରେ ଏଯାବତ୍ ୭୦ ହଜାର ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୬ ହଜାର ୯୩୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୨୨ ହଜାର ୬୫୧ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ୩୮୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏତେ ସବୁ ପରେ ବି କରୋନା ମୁକାବିଲା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।

ଜାତୀୟ ହାର ତୁଳନାରେ ରାଜ୍ୟରେ ପଜିଟିଭ୍ ହାର୍ କମ୍ ରହିଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛି । ରାଜ୍ୟରେ ଟେଷ୍ଟିଂ ଅନୁସାରେ ପଜିଟିଭ୍ ହାର କମ୍ ରହିଛି । ଓଡ଼ିଶା ଦୈନିକ ୫୦ ହଜାରରୁ ଅଧିକ କରୋନା ପରୀକ୍ଷଣ କରୁଥିବା ବେଳେ ପଜିଟିଭ୍ ରେଟ୍ କମ୍ ଅଛି । ଯାହାକି ଆଶ୍ୱସ୍ତିର ବିଷୟ । ଏବଂ ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭଲ ସଂକେତ ବୋଲି କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ରାଜ୍ୟରେ ପଜିଟିଭ୍ ହାର ୬ ପ୍ରତିଶତ ରହିଛି । ଯେତେବେଳେ କି ଜାତୀୟ ହାର ୮.୬୯ ପ୍ରତିଶତ ।

ଅର୍ଥାତ୍ ସର୍ବଭାରତୀୟ ହାରଠୁ ଓଡ଼ିଶାର ସ୍ଥିତି ବେଶ୍ ଭଲ ରହିଛି । ଏଥିସହ ତାମିଲନାଡ଼ୁ, କେରଳ, ବିହାର, ଆସାମ ଓ ଗୁଜରାଟ ଭଳି ରାଜ୍ୟଠାରୁ ଓଡ଼ିଶା କରୋନା ମୁକାବିଲା କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଓଡ଼ିଶା ସରକାରଙ୍କ କରୋନା ମୁକାବିଲା କୌଶଳ, ପରିଚାଳନାକୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଂଶସା କରିଛି ।