ବିଜୁବାବୁ ବଞ୍ଚିଥିଲେ କରୋନା ସମୟରେ ସରପଞ୍ଚଙ୍କ କାମ ଦେଖି ବହୁତ ଖୁସି ହୋଇଥାନ୍ତେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ କଥା ମନେ ପକାଇଛନ୍ତି ।  ଆଜି ଯଦି ବିଜୁବାବୁ ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଜିଲ୍ଲାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୩୩ ପ୍ରତିଶତ ରହିଛି, ଯାହା କି ସାରା ଦେଶରେ ସର୍ବନିମ୍ନ । ସେହିପରି କେନ୍ଦ୍ରାପଡାରେ ସଂକ୍ରମଣ ହାର ୨.୨୫ ପ୍ରତିଶତ ଅଟେ, ଯାହା କି ରାଜ୍ୟରେ ସବୁଠାରୁ କମ୍‌ । କେନ୍ଦ୍ରାପଡ଼ାକୁ ଏହି ସମୟ ମଧ୍ୟରେ ଅନ୍ୟ ରାଜ୍ୟରୁ ପ୍ରାୟ ୫୫ ହଜାର ଭାଇଭଉଣୀ ଫେରିଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ କରୋନା ପରିଚାଳନା କାର୍ଯ୍ୟ ଯେଭଳି ଜାରି ରହିଛି, ସେଥିରେ କେନ୍ଦ୍ରାପଡ଼ା ଓଡ଼ିଶାରେ ଏକ ଆଦର୍ଶ ଜିଲ୍ଲା ହୋଇପାରିଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତି ବ୍ଲକ୍‌କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଲେଖାଏ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରେସନ୍‌ କାର୍ଡ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଜାରି ରହିଥିବାକୁ କେନ୍ଦ୍ରାପଡା ଜିଲ୍ଲାର ଆବଶ୍ୟକତାକୁ ଭିତ୍ତିକରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply