କୋଭିଡ୍ ମୁକାବିଲାରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ, ଦେଶରେ ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: ଦେଶରେ ଓ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଛି । ତେବେ, ଏସବୁ ଭିତରେ ଓଡ଼ିଶା କରୋନା ମୁକାବିଲାରେ ଭଲ୍ ପ୍ରଦର୍ଶନ କରୁଛି । ରାଜ୍ୟରେ ଏଯାବତ୍ ୭୦ ହଜାର ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୬ ହଜାର ୯୩୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୨୨ ହଜାର ୬୫୧ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ୩୮୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏତେ ସବୁ ପରେ ବି କରୋନା ମୁକାବିଲା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।

ଜାତୀୟ ହାର ତୁଳନାରେ ରାଜ୍ୟରେ ପଜିଟିଭ୍ ହାର୍ କମ୍ ରହିଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛି । ରାଜ୍ୟରେ ଟେଷ୍ଟିଂ ଅନୁସାରେ ପଜିଟିଭ୍ ହାର କମ୍ ରହିଛି । ଓଡ଼ିଶା ଦୈନିକ ୫୦ ହଜାରରୁ ଅଧିକ କରୋନା ପରୀକ୍ଷଣ କରୁଥିବା ବେଳେ ପଜିଟିଭ୍ ରେଟ୍ କମ୍ ଅଛି । ଯାହାକି ଆଶ୍ୱସ୍ତିର ବିଷୟ । ଏବଂ ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭଲ ସଂକେତ ବୋଲି କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ରାଜ୍ୟରେ ପଜିଟିଭ୍ ହାର ୬ ପ୍ରତିଶତ ରହିଛି । ଯେତେବେଳେ କି ଜାତୀୟ ହାର ୮.୬୯ ପ୍ରତିଶତ ।

ଅର୍ଥାତ୍ ସର୍ବଭାରତୀୟ ହାରଠୁ ଓଡ଼ିଶାର ସ୍ଥିତି ବେଶ୍ ଭଲ ରହିଛି । ଏଥିସହ ତାମିଲନାଡ଼ୁ, କେରଳ, ବିହାର, ଆସାମ ଓ ଗୁଜରାଟ ଭଳି ରାଜ୍ୟଠାରୁ ଓଡ଼ିଶା କରୋନା ମୁକାବିଲା କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଓଡ଼ିଶା ସରକାରଙ୍କ କରୋନା ମୁକାବିଲା କୌଶଳ, ପରିଚାଳନାକୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଂଶସା କରିଛି ।

Leave a Reply