କରୋନା ମୃତ୍ୟୁ ସନ୍ଦେହରେ ପାଖ ମାଡ଼ିଲେନି ସମ୍ପର୍କୀୟ, ପିପିଇ କିଟ୍‌ ପିନ୍ଧି ମୃତ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

1 min read

ଜୟପୁର: କରୋନା କାଳରେ କେତେ ସମ୍ପର୍କ ତୁଟିଛି, କେତେ ସମ୍ପର୍କ ଯୋଡ଼ି ହୋଇଛି । ସମ୍ପର୍କର ମୂଲ୍ୟବୋଧ ବୋଧେ କରୋନା ଦେଖାଇଛି । କେତେବେଳେ ନିଜ ରକ୍ତ ପର କରିଦେଇଛି ତ ପୁଣି କେତେବେଳେ ପର, ମୃତ୍ୟୁ ପରେ ନିଜର କରିଛି । ଜୀବନର ଅପରାହ୍ନରେ ଅପସରି ଯାଉଥିବା ସମ୍ପର୍କକୁ ଦେଖାଇଛି ଏ କରୋନା । ଅନେକ କିଛି ହୃଦୟ ବିଦାରକ ଦୃଶ୍ୟ ଏ କରୋନା ଭିଆଇଛି । ମଣିଷ ବଞ୍ଚିଛି ହେଲେ ମାନବିକତାକୁ ଜଳାଞ୍ଜଳୀ ଦେଇଛି । ଏମିଛି କିଛି ଘଟଣା ମାନବ ସମାଜକୁ ଦେଖାଇଛି ରାକ୍ଷସ ଭୂତାଣୁ ।

ସମ୍ପର୍କୀୟ ହାତ ଛାଡ଼ିଦେଲେ କଣ ହେଲା । ସିନ୍ଦୁର ପିନ୍ଧାଇ ସାତ ଜନ୍ମର ସାଥି ବାଛିଥିଲ । କଣ ମଶାଣି ପର୍ଯ୍ୟନ୍ତ ସାଥି ହୋଇପାରିବିନି । କରୋନା ଆକ୍ରାନ୍ତ ନ ଥିଲେ ବି ପାଖ ମାଡ଼ିଲେନି ଆତ୍ମୀୟ । ଏମିତି କିଛି ଭାବନା ସହ ସ୍ୱାମୀଙ୍କୁ କାନ୍ଧରେ କାନ୍ଧେଇ ନେଇ ପିପିଇ କିଟ୍‌ ପିନ୍ଧି ମୃତ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ । କୋଭିଡ-୧୯ ଗାଇଡଲାଇନ୍‌ ପାଳନ କରି ପ୍ରଶାସନିକ ଅଧିକାରୀଙ୍କୁ ଉପସ୍ଥିତିରେ ସ୍ୱାମୀଙ୍କୁ ହରାଇଥିବା ସ୍ତ୍ରୀ ପୁଷ୍ପା ନାୟକ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗାଁରେ ।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନ୍ଦାପାଲ୍ଲୀ ଗାଁର କୃଷ୍ଣ ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା । ସେଠାରେ କରୋନା ଟେଷ୍ଟ କରାଯିବାରୁ ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ କୃଷ୍ଣ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଡାକ୍ତର ତାଙ୍କୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ । ମାତ୍ର ଏକ ଆମ୍ବୁଲାନ୍‌ସରେ ବିଶାଖାପାଟଣା ଯିବା ସମୟରେ ଅଧରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଫଳରେ କୃଷ୍ଣଙ୍କ ମରଶରୀରକୁ ଘରକୁ ଫେରାଇ ଅଣାଯାଇଥିଲା ।

ହେଲେ କରୋନା ଭୟରେ କୌଣସି ଆତ୍ମୀୟ ମରଶରୀରକୁ ମଶାଣିକୁ ନେବା ପାଇଁ ରାଜି ହୋଇନଥିଲେ । ଫଳରେ ପ୍ରଶାସନ ଉପସ୍ଥିତିରେ ପିପିଇ କିଟ ପିନ୍ଧି ସ୍ୱାମୀଙ୍କୁ ମୁଖାଗ୍ନି ଦେଇଥିଲେ ସ୍ତ୍ରୀ ପୁଷ୍ପା । କୃଷ୍ଣ ନାୟକ କୋରାପୁଟ ଜିଲ୍ଲା ଜୟପୁରରେ ରହୁଥିଲେ। ସେ ବୋରିଗୁମା ଓ ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ସୂଚନା ମିଳିଛି। ନିକଟରେ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୪ଜଣ ଝିଅ ଅଛନ୍ତି ।

Leave a Reply