ଭୁବନେଶ୍ୱର : ସାରୁଅ ଜମି ଜାଲିଆତିରେ ଗିରଫ ଓଡ଼ିଶା ଇନଫ୍ରାଟେକର ପୂର୍ବତନ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ଖୋର୍ଦ୍ଧା ସେସନ୍ସ କୋର୍ଟରୁ ଜାମିନ ପ୍ରଦାନ କରାଯାଇଛି । ତେବେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଏଜେଣ୍ଟ ଶିବପ୍ରସାଦଙ୍କ ଜାମିନ ଖାରଜ କରାଯାଇଛି । ଏହି ମାମଲାକୁ ନେଇ ହୋଇଥିବା ଶୁଣାଣିର ଦ୍ୱିତୀୟ ଦିନରେ ଗତକାଲି କ୍ରାଇମବ୍ରାଞ୍ଚର ଓକିଲ ପକ୍ଷ ରଖିଥିଲେ । ଏହା ସହିତ ଜମି ହରାଇଥିବା ଆଉ ୭ ଜଣ ମଧ୍ୟ ନିଜ ନିଜର ପକ୍ଷ ରଖିଥିଲେ । ଏମାନଙ୍କୁ ମିଶାଇ ଜମି ହରାଇଥିବା ମୋଟ ୨୨ ଜଣଙ୍କ ମଧ୍ୟରୁ ୨୧ ଜଣ ପକ୍ଷ ରଖିଥିଲେ । ଅନୁସୂଚିତ ଜାତି(ଏସସି) ବ୍ୟକ୍ତିବିଶେଷଙ୍କର ଜମି ହଡ଼ପ କରାଯାଇଥିବାରୁ ଉଭୟ ମନୋରଞ୍ଜନ ଓ ଶିବପ୍ରସାଦଙ୍କ ଜାମିନକୁ ଆବେଦନକାରୀଙ୍କ ଓକିଲ ବିରୋଧ କରିଥିଲେ । ଜଣେ ଜାମିନଦାର ଓ ୫୦ ହଜାର ଟଙ୍କା ବେଲ ବଣ୍ଡରେ ମନୋରଞ୍ଜନ ଙ୍କୁ ଜାମିନ ମିଳିଥିବା ଜଣାପଡିଛି । ଜାମିନରେ ରହିଥିବା ସମୟରେ ମନୋରଞ୍ଜନ ଯେପରି ରାଜ୍ୟ ବାହାରକୁ ନ ଯାଆନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ ମଧ୍ୟ କରିବେନି । ଏଥିସହିତ କ୍ରାଇମବ୍ରାଞ୍ଚ ଯେଉଁ ସମୟରେ ଚାହିଁବ, ତାଙ୍କୁ ଜେରା କରିପାରିବ ବୋଲି କୁହାଯାଇଛି ।
କଟକରେ ITAT କମ୍ପ୍ଲେକ୍ସ ଉଦଘାଟିତ୍, ଉପକୃତ ହେବ ଉତ୍ତର-ପୂର୍ବ ଭାରତ
କଟକ: କଟକରେ ଉଦଘାଟିତ ହୋଇଛି ଆୟକର ଅପିଲେଟ୍ ପ୍ରାଧିକରଣ (ITAT) । ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଏହି ଅବସରରେ ଭିଡିଓ କନଫରେନ୍ସିଂରେ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହା ଆୟକର ବିବାଦ ସମ୍ପର୍କରେ ଓଡ଼ିଶାର ସର୍ବୋଚ୍ଚ ପ୍ରାଧିକରଣ ଭାବେ କାମ କରିବ । ଏହା ଦ୍ୱାରା ସହଜରେ ଆୟକର ନେଇ ରାଜ୍ୟ ଭିତରେ ଉପୁଜୁ ଥିବା ବିବାଦର ଶୀଘ୍ର ସମାଧାନ ହୋଇପାରିବ ।

ITATର ଉଦଘାଟନୀ ଅବସରରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାର ତ୍ୱରିତ୍ୱ ଗତିରେ ଜମି ପ୍ରଦାନ କରିଥିଲେ । ୨୦୧୭ରେ ଭବନର ଶିଳାନ୍ୟାସ କଟକରେ ହୋଇଥିବା ବେଳେ ଆଜି ଉଦଘାଟିତ୍ ହୋଇଛି । ଏତେ ଶୀଘ୍ର କାମ ସାରିବା ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।

କଟକରେ ଭାରତର ତୃତୀୟ ଓ ପୂର୍ବ ଭାରତରେ ITATର ପ୍ରଥମ ବିଲ୍ଡିଂ ଉଦଘାଟନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ଏଠାରେ କେବଳ ଓଡ଼ିଶା ନୁହଁ ରାଞ୍ଚି, ପାଟଣା ଓ ଗୌହାଟି ବେଞ୍ଚର କେସ୍ ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କଟକରେ ୧୯୭୦ ମସିହାରେ ବିଜୁ ବାବୁଙ୍କ ଉଦ୍ୟମରେ ITAT ପ୍ରତିଷ୍ଠା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି- ଜଗନ୍ନାଥଙ୍କ ଆଶୀର୍ବାଦରୁ ITAT କଟକ ବେଞ୍ଚ ଉଦଘାଟିତ୍ ହୋଇଛି । କଟକର ଏହି ବେଞ୍ଚ କେବଳ ଓଡ଼ିଶା ନୁହେଁ ବରଂ ଉତ୍ତର-ପୂର୍ବ ଭାରତର କରଦାତାଙ୍କୁ ସୁବିଧା ଦେବ । ଏହାଦ୍ୱାରା କୋଲକାତା ଜୋନର କରଦାତା ଉପକୃତ ହେବେ ବୋଲି ପିଏମ୍ କହିଛନ୍ତି । ଓଡ଼ିଶା ପାଇଁ, ଓଡ଼ିଶା ଲୋକଙ୍କ ସେବା ପାଇଁ ସମର୍ପିତ ଥିବା ବିଜୁ ବାବୁଙ୍କୁ ଉଦ୍ୟମରେ ITAT ପ୍ରତିଷ୍ଠା ହୋଇଥିଲା । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କଥା ରଖିଲେ ମୁଖ୍ୟମନ୍ତ୍ରୀ, କୋଭିଡ୍ରେ ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କା
ଭୁବନେଶ୍ୱର: ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକଙ୍କୁ ମିଳିଲା ସହାୟତା । କରୋନା ଆକ୍ରାନ୍ତ ହେବା ପରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କରୋନାରେ ସମ୍ବାଦିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୯ରେ କନ୍ଧମାଳ ଜିଲ୍ଲାରେ ‘ପ୍ରମେୟ’ ଖବର କାଗଜର ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ିଙ୍କ ମୃତ୍ୟୁ ହୋଇଥିଲା । ସେ ପ୍ରଥମେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ତାଙ୍କ ପତ୍ନୀ ସବିିତା ପାଢ଼ିଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି ।
ଲୁଟେରା ସାବଧାନ୍ ! ଛକ ଛକରେ ଗାଡ଼ିକୁ ଟ୍ରାକ୍ କରିବ ଏନପିଆର୍
ଭୁବନେଶ୍ୱର: ରାଜଧାନୀରେ ବଢ଼ି ଚାଲିଛି ଛିନତାଇ ଅପରାଧ । ନାକେଦମ୍ ହେଲାଣି କମିଶନରେଟ ପୋଲିସ । ମୋବାଇଲ ହେଉକି ସୁନା ଚେନ୍, ଝାମ୍ପି ନେଉଛନ୍ତି ଲୁଟେରା । ଦୀପାବଳି ଓ ଧନତରେସରେ ଛିନତାଇ ରୋକିବାକୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ । ଛିନତାଇ ଗ୍ୟାଙ୍ଗକୁ ସାବାଡ୍ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱର ଡିସିପି । ଲୁଟେରାଙ୍କୁ ପ୍ରମୁଖ ଛକରେ ଚେକ୍ ଦେବ ପାଇଁ ଅପରାଧୀଙ୍କ ଉପରେ ତୀକ୍ଷଣ ନଜର ରଖିବ ପୋଲିସ । ଗତ ୫ ବର୍ଷର ହୋଇଥିବା ଛିନତାଇ ଅପରାଧୀଙ୍କ ତାଲିକ ପ୍ରସ୍ତୁତ କରି ପୋଲିସ ଆରମ୍ଭ କରିଛି ଅପରେସନ୍ ।

ଭୁବନେଶ୍ୱରରେ ବଢୁଛି ଛିନତାଇ ଗ୍ରାଫ୍ । ଛିନତାଇ ଲୁଟେରା ଗ୍ୟାଙ୍କକୁ ଚେକ୍ ଦେବ ପୋଲିସ୍ । ପ୍ରମୁଖ ଛକରେ ଲାଗିବ ଏନପିଆର ବା ଆଣ୍ଟି ନମ୍ବର ପ୍ଳେଟ ରିଡର । ଛକ ଛକରେ ଲୁଟେରାଙ୍କୁ ଗାଡ଼ିକୁ ଟ୍ରାକ୍ କରିବ ଏନପିଆର । ବାଇକର ନମ୍ବରକୁ ରିଡ କରିବ ସହ ଗାଡିଟି କେଉଁ ରୁଟ୍ ଦେଇ ଚଳପ୍ରଚଳ କଲା କଣ୍ଟ୍ରୋଲରୁମ୍ ପାଖରେ ରହିବ ଡାଟା ବେସ୍ । ଗତ ୫ ବର୍ଷରେ ହୋଇଥିବା ଛିନାତଇର ଅପରାଧ ପୃଷ୍ଠାକୁ ଓଲଟାଇବା ସହ ୩୫୦ ଜଣ ଲୁଟେରାଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ଏହି ଲୁଟେରା ମାନଙ୍କର ଷ୍ଟାଟସ ରିପୋର୍ଟ ଦେବାକୁ ପ୍ରତି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି । ସିସିଟିଭି କ୍ୟାମେରା ଉପରେ ସ୍ମାର୍ଟସିଟି ସହ ଆଲୋଚନା କରିଛି କମିଶନରେଟ ପୋଲିସ । କେବଳ ସେତିକି ନୁହେଁ ପେଶାଦାର ଅପରାଧୀଙ୍କୁ ଏନଏସଏରେ ବୁକ୍ କରିବାକୁ ଯୋଜନା କରାଯାଉଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ଦୀପାବଳି ଓ ଧନତରେସରେ ଛିନତାଇ ରୋକିବାକୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ୍ । ଗହଣା ଦୋକାନୀ ଓ ପୋଲିସ ମଧ୍ୟରେ ହୋଇଛି ବୈଠକ । କୋଭିଡ୍ କଟକଣା ଅନୁସାରେ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛି ପୋଲିସ । ନିୟମ ଉଲ୍ଲଂଘନ କଲେ ଦୋକାନ ସିଲ୍ କରିବାକୁ ପୋଲିସ କହିଛି । ସୁନା ଦୋକାନ ଆଗରେ ପୋଲିସ ଫୋର୍ସ ମୁତୟନ ରହିବା ସହ ପାଟ୍ରୋଲିଂ କରିବ ପିସିଆର । ଦ୍ରୁତ ଗତିରେ ବାଇକ ଚଲାଇବା ଓ ଅପରାଧ ଘଟିଲେ ପୋଲିସ କଣ୍ଟ୍ରୋଲ ରୁମ ଜଣାଇବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ।
ଅର୍ଣ୍ଣବଙ୍କୁ ମିଳିଲା ଜାମିନ, ଆତ୍ମହତ୍ୟା ପାଇଁ ଉସ୍କାଇଥିବା ମାମଲାରେ ଯାଇଥିଲେ ଜେଲ୍
ନୂଆଦିଲ୍ଲୀ: ଅର୍ଣ୍ଣବଙ୍କୁ ମିଳିଲା ଜାମିନ୍ । ସୁପ୍ରିମ୍କୋର୍ଟ ବୁଧବାର ଅର୍ଣ୍ଣବଙ୍କ ଜାମିନ ଆବେଦନର ଶୁଣାଣି କରି ଅନ୍ତରୀଜ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ. ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଏକ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କାର ବେଲ୍ ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଛି ଏବଂ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ରହିଛି । ୨୦୧୮ରେ ଆତ୍ମହତ୍ୟା ପାଇଁ ଉସ୍କାଇଥିବା ଏକ ମାମଲାରେ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା ।
ତେବେ ଏହି ଜାମିନ ଆବେଦନର ଶୁଣାଣି ବେଳେ ମାହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ କରିଥିଲେ ସୁପ୍ରିମ୍କୋର୍ଟ । ସେ କହିଥିଲେ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇବା ନ୍ୟାୟକୁ ଉପହାସ କରିବ ସହ ସମାନ । ଏଭଳି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିବାର କ’ଣ ନିହାତି ଆବଶ୍ୟକତା ରହିଛି ? କାରଣ ଏହା ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ମାମଲା । ଖଣ୍ଡପୀଠ ଆହୁରି କହିଥିଲେ ଯେ, ଭାରତୀୟ ଗଣତନ୍ତ୍ରରେ ଅସାଧାରଣ ସହନଶକ୍ତି ରହିଛି ତେଣୁ ମହାରାଷ୍ଟ୍ର ସରକାର ଏସବୁକୁ ଅଣଦେଖା କରିବା ଉଚିତ୍ ।

ଜଷ୍ଟିସ୍ ଚନ୍ଦ୍ରଚୁଡ଼ କହିଥିଲେ, ‘ସେମାନଙ୍କର ଆଦର୍ଶ ଯାହା ବି ହେଉ, ଅନ୍ତତଃ ପକ୍ଷେ ମୁଁ ସେହି ଚ୍ୟାନେଲ୍ ଦେଖେ ନାହିଁ । କିନ୍ତୁ ଯଦି କୋର୍ଟ ଆଜି ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନକରନ୍ତି ତେବେ ଅଜାଣତରେ ଆଗାମୀ ଦିନରେ ଆମେ ଧ୍ୱଂସ ଆଡ଼କୁ ଗତି କରିବା ।’ ଖଣ୍ଡପୀଠ କହିଥିଲେ ଯେ, ଟିଭିରେ ଏଭଳି ଆରୋପ ଯୋଗୁଁ କ’ଣ ମହାରାଷ୍ଟ୍ର ସରକାର ଜଣେ ବ୍ୟକ୍ତିଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରିବା ଉଚିତ୍ କି ?
ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ, ହାଇକୋର୍ଟ ଲୋକମାନଙ୍କୁ ଜାମିନ ପ୍ରଦାନ କରୁନାହାଁନ୍ତି ଏବଂ ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା କରିବାରେ ବିଫଳ ହେଉଛନ୍ତି । ଏଭଳି ଅନେକ ମାମଲା ଏବେ ସାମ୍ନାକୁ ଆସୁଛି । ଅନ୍ୟପଟେ ସୁପ୍ରିମକୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ହରିଶ୍ ସାଲ୍ଭେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।
ବାପା ମୁଣ୍ଡରୁ ଛାତ ଛଡ଼ାଇନେଲା ପୁଅ, ୮୭ ବର୍ଷ ବୟସରେ ନ୍ୟାୟ ମାଗୁଛନ୍ତି ଶିକ୍ଷକ
ପାରଳାଖେମୁଣ୍ଡି: ଶିକ୍ଷକଟିଏ ସବୁବେଳେ ପିଲାଙ୍କୁ ଭଲ ଶିକ୍ଷା ଦିଏ, ବଡ଼ ସହ ଭଲ ମଣିଷ ହେବାର ବାଟ ଦେଖାଏ । ସେ ବି ଦେଖାଇଥିଲେ ଭଲ ମଣିଷ ହେବାର ବାଟ ଅନେକ ପିଲାଙ୍କୁ । ହେଲେ, କିଏ ଜାଣିଥିଲା ପରିଣତ ବୟସରେ ପୁଅ ତାଙ୍କୁ ଏମିତି ହଇରାଣ କରିବ । ଅନେକ ପିଲାଙ୍କୁ ହାତରେ ଭଲ ମଣିଷ କରି ଗଢ଼ିଥିବା ରାମ ସାରଙ୍କ ପୁଅ ଯେ ଖରାପ ହୋଇ ତାଙ୍କୁ ହଇରାଣ ସେ ସ୍ୱପ୍ନରେ ବି ଭାବିନଥିଲେ ।

ବୟସ ୮୭ । ନାମ ରାମ ମୋହନ ପଟ୍ଟନାୟକ । ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ । ସେ ଦିବ୍ୟାଙ୍ଗ ଅଟନ୍ତି । ବୃଦ୍ଧ ବୟସରେ ସେ ଏବେ ସଂଘର୍ଷ କରୁଛନ୍ତି ଛାତ ଖଣ୍ଡିଏ ପାଇଁ ପୁଣି ପୁଅ ସହ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଗୁଜରାଟ ପେଟା ସାହିରେ ରାମ ସାରଙ୍କ ଘର । ସ୍ତ୍ରୀ ଓ ତିନି ଛୁଆଙ୍କୁ ନେଇ ଭଲଭାବେ ସଂସାର ଚାଲିଥିଲା । ପ୍ରାୟ ୨୧ ବର୍ଷ ତଳେ ୧୯୯୯ରେ ଧର୍ମପତ୍ନୀଙ୍କ ବିୟୋଗ ପରେ ରାମ ସାର୍ ବଡ଼ ପୁଅ ପାଖରେ ବାକି ଜୀବନ କାଟିଦେଲେ ବୋଲି ଭାବିଥିଲେ । ହେଲେ ପୁଅ ବାପାଙ୍କୁ ପର କରିଦେଇଛି, ଛଡ଼ାଇ ନେଇଛି ଘର । ଏମିତିକି ସାନ ଭାଇକୁ ବି ଘରେ ରହିବାକୁ ଦେଉନାହିଁ ।

ବଡ଼ ପୁଅ ଘର ଛଡ଼ାଇ ନେବା ପରେ ଏବେ ରାମ ସାର୍ ରାସ୍ତାରେ । ପୁଅଠାରୁ ଘର ଖଣ୍ଡିକ ପାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ୧୯୯୮ ମସିହାର ଡିସେମ୍ବର ୧୪ରୁ ରାମ ସାରଙ୍କ ସଂଘର୍ଷ ଜାରି ରହିଛି । ପୂର୍ବରୁ ରାମ ସାର୍ ପ୍ରଶାସନ ନିକଟରେ ଏନେଇ ଅଭିଯୋଗ କରିଥିଲେ ବି ସୁଫଳ ମିଳିନି । ଘର ଖଣ୍ଡିକ ପାଇବା ଆଶାରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗତ ଅକ୍ଟୋବର ୧୪ ତାରିଖରେ ଆମରଣ ଅନଶନରେ ବସିଥିଲେ । ଡେପୁଟି କଲେକ୍ଟର ଓ ଆଇଆଇସି ଭରସା ଦେଇଥିଲେ ଘର ଖାଲି କରିବାକୁ ।

ପ୍ରଶାସନର ପ୍ରତିଶ୍ରୁତି ପାଇ ରାମ ସାର୍ ଆମରଣ ଅନଶନରୁ ଉଠିଥିଲେ ସିନା ଖାଦ୍ୟ ଗ୍ରହଣ କରିନଥିଲେ । ନଭେମ୍ବର ୧୦ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନନେଲେ ସେ ଆତ୍ମହତ୍ୟା କରିବେ କିମ୍ବା ପ୍ୟାଲେସ ଆଗରେ ଆମରଣ ଅନଶନରେ ବସିବେ ବୋଲି କହିଥିଲେ । ତେବେ, ରାଜସ୍ୱ ବିଭାଗରେ ପିଅନ୍ ଭାବେ କାର୍ଯ୍ୟ କରୁଥିବା ପୁଅ ରାମ ଗୋପାଳ ପଟ୍ଟନାୟକ ଏଯାବତ୍ ଘର ଛାଡ଼ିନାହାଁନ୍ତି । ଫଳରେ ରାମ୍ ସାର୍ ପାରଳା ପ୍ୟାଲେସ ଆଗରେ ଆମରଣ ଅନଶନରେ ବସିଛନ୍ତି ।

ହକ୍ ପାଇଁ ଜାରି ରହିଛି ରାମ୍ ସାରଙ୍କ ଲଢ଼େଇ । ବରିଷ୍ଠ ନାଗରିକଙ୍କ ଲାଗି ପ୍ରଶାସନ ସମ୍ବେଦନଶୀଳ ରହିଛି । ଏମିତିକି ସୁରକ୍ଷା ଲାଗି ସ୍ୱତନ୍ତ୍ର ଆଇନ୍ ରହିଛି । ହେଲେ ନ୍ୟାୟ ପାଇଁ ୨୨ ବର୍ଷ ବିତିଗଲାଣି । ଜଣେ ଶିକ୍ଷକଙ୍କୁ ନ୍ୟାୟ ମିଳୁନାହିଁ । ପରିଣତ ବୟସରେ ପୁଅ ସହ ଲଢ଼େଇରେ ରାମ ସାରଙ୍କୁ ପ୍ରଶାସନ କେବେ ନ୍ୟାୟ ଦେଉଛି ତା’କୁ ସମସ୍ତଙ୍କ ଅପେକ୍ଷା ।
ସାରୁଅ ଷ୍ଟୁଡିଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ସମୟ ମାଗିଲେ ଓଟିଭି କର୍ତ୍ତୃପକ୍ଷ
ଭୁବନେଶ୍ୱର: ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲାରେ ଶୁଣାଣି ନୋହିଲା । ଶ୍ରମ ବିଭାଗ ନିକଟରେ ଓଟିଭି କର୍ତ୍ତୃପକ୍ଷଙ୍କ ଟାଇମ ପିଟିସନ ଦାଖଲ କରିବା ସହ ୧୦ ଦିନ ସମୟ ମାଗିଛନ୍ତି । ଆଜି ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ନୋଟିସ କରାଯାଇଥିଲା । ହେଲେ ନିଜ ପ୍ରତିନିଧିଙ୍କ ଜରିଆରେ ଓଟିଭି କର୍ତ୍ତୃପକ୍ଷ ଟାଇମ ପିଟିସନ ଦାଖଲ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଶ୍ରମ କାର୍ଯ୍ୟାଳୟରେ ପହଁଚିଲେ ସାରୁଅ ଷ୍ଟୁଡ଼ିଓର ୮ ଜଣ ଠିକା କର୍ମଚାରୀ ପହଞ୍ଚିଥିବା ଜଣାପଡିଛି । ତେଣୁ ଏହି ମାମଲାର ଆଲୋଚନା ପାଇଁ ପରବର୍ତ୍ତୀ ପଦକ୍ଷେପ କ’ଣ କରାଯିବ । ସେ ନିଷ୍ପତ୍ତି ଶ୍ରମ ଆୟୁକ୍ତ ନେବେ ବୋଲି ଜଣାପଡିଛି ।

ଆଜି ଦିନ ତିନିଟାରେ ହାଜର ହେବାକୁ ଉଭୟ ପକ୍ଷଙ୍କୁ ନୋଟିସ କରିଥିଲେ ଶ୍ରମ ବିଭାଗ । ଠିକା ଶ୍ରମିକଙ୍କ ନିଯୁକ୍ତି ସର୍ତ୍ତାବଳୀ ଓ ମଜୁରୀ ସଂପର୍କୀତ ଦାବି ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବାକୁ ବିଭାଗ ନୋଟିସ୍ କରାଯାଇଥଇଲା । ପୂର୍ବରୁ ଶ୍ରମିକଙ୍କ ଦାବିକୁ ଆଧାର କରି ଓଟିଭି କର୍ତ୍ତୃପକ୍ଷଙ୍କୁ ଶ୍ରମ ବିଭାଗ ନୋଟିସ କରିଥିଲା । ନୋଟିସର ଜବାବ ଓଟିଭି କର୍ତ୍ତୃପକ୍ଷ ରଖିଥିଲେ ମଧ୍ୟ ତାହା ଆଦୌ ସନ୍ତୋଷଜନକ ନଥିଲା ବୋଲି କହିଛନ୍ତି ଡିଭିଜିନାଲ ଲେବର କମିଶନର ।

ଅର୍ଣ୍ଣବଙ୍କ ଜାମିନ ଶୁଣାଣି: ମହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ କଲେ ସୁପ୍ରିମ୍କୋର୍ଟ..
ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ବେଳେ ମହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇବା ନ୍ୟାୟକୁ ଉପହାସ କରିବ ସହ ସମାନ ।
୨୦୧୮ରେ ଆତ୍ମହତ୍ୟା ପାଇଁ ଉସ୍କାଇଥିବା ଏକ ମାମଲାରେ ଗିରଫ ଅର୍ଣ୍ଣବଙ୍କ ଜାମିନ୍ ଆବେଦନର ଆଜି ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ବେଳେ ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ. ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଏକ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଏଭଳି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିବାର କ’ଣ ନିହାତି ଆବଶ୍ୟକତା ରହିଛି କି ? କାରଣ ଏହା ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ମାମଲା । ଖଣ୍ଡପୀଠ କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ରରେ ଅସାଧାରଣ ସହନଶକ୍ତି ରହିଛି ତେଣୁ ମହାରାଷ୍ଟ୍ର ସରକାର ଏସବୁକୁ ଅଣଦେଖା କରିବା ଉଚିତ୍ ।

ଜଷ୍ଟିସ୍ ଚନ୍ଦ୍ରଚୁଡ଼ କହିଛନ୍ତି, ‘ସେମାନଙ୍କର ଆଦର୍ଶ ଯାହା ବି ହେଉ, ଅନ୍ତତଃ ପକ୍ଷେ ମୁଁ ସେହି ଚ୍ୟାନେଲ୍ ଦେଖେ ନାହିଁ । କିନ୍ତୁ ଯଦି କୋର୍ଟ ଆଜି ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନକରନ୍ତି ତେବେ ଅଜାଣତରେ ଆଗାମୀ ଦିନରେ ଆମେ ଧ୍ୱଂସ ଆଡ଼କୁ ଗତି କରିବା ।’ ଖଣ୍ଡପୀଠ କହିଛନ୍ତି ଯେ, ଟିଭିରେ ଏଭଳି ଆରୋପ ଯୋଗୁଁ କ’ଣ ମହାରାଷ୍ଟ୍ର ସରକାର ଜଣେ ବ୍ୟକ୍ତିଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରିବା ଉଚିତ୍ କି ?

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ହାଇକୋର୍ଟ ଲୋକମାନଙ୍କୁ ଜାମିନ ପ୍ରଦାନ କରୁନାହାଁନ୍ତି ଏବଂ ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା କରିବାରେ ବିଫଳ ହେଉଛନ୍ତି । ଏଭଳି ଅନେକ ମାମଲା ଏବେ ସାମ୍ନାକୁ ଆସୁଛି । ଅନ୍ୟପଟେ ସୁପ୍ରିମକୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ହରିଶ୍ ସାଲ୍ଭେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।
ନୀତିଶଙ୍କ ପାଇଁ ବିହାର ଛୋଟ, ହେଲେ ଦେଶ ବିରାଟ: କାହିଁକି ଏପରି କହିଲେ ଦିଗବିଜୟ!
ନୂଆଦିଲ୍ଲୀ: ‘ନୀତିଶ ବାବୁ । ଆପଣଙ୍କ ପାଇଁ ବିହାର ଛୋଟ ହୋଇ ଯାଉଛି । ଆପଣ ଜାତୀୟ ରାଜନୀତିକୁ ଆସନ୍ତୁ । ସମାଜବାଦୀ ଏବଂ ଧର୍ମନିରପକ୍ଷ ବିଚାର ରଖୁଥିବା ଲୋକମାନଙ୍କୁ ଏକାଠି କରନ୍ତୁ । ଭାଜପା ଏବଂ ସଂଘ(ଆରଏସଏସ) କବଳରୁ ନିଜକୁ ମୁକ୍ତ କରନ୍ତୁ । ବିଜେପି ଏକ ନିର୍ମୂଳି ଲତା, ଯାହା ସହ ରହିଛି । ସେହି ଦଳକୁ ସର୍ବନାଶ କରି ଦେଇଛି । ଆପଣଙ୍କ ପାଖରେ ବହୁତ ସମୟ ରହିଛି । ଆପଣ ଏହି କଥା ଉପରେ ଟିକେ ବିଚାର କରନ୍ତୁ ।‘ ଏହିପରି କେତେକ ଭାବ ଗମ୍ଭୀର କଥା ଟୁଇଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।

ସେହିପରି ନୀତିଶ କୁମାରଙ୍କୁ ସେ ତେଜସ୍ୱୀ ଯାଦବଙ୍କୁ ଆର୍ଶୀବାଦ କରିବା ପାଇଁ ଅନୁରୋଧ କରିଛନ୍ତି । ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ଦିଗବିଜୟଙ୍କ ଏପରି ଟୁଇଟ୍ ରାଜନୈତିକ ଭିନ୍ନ ଦିଗକୁ ପ୍ରଦର୍ଶିତ କରୁଛି । କାରଣ ଅଧିକ ଆସନ ସହ ବଡ଼ ଭାଇ ପଣିଆ ଜାହିର କରିଆସୁଥିବା ଜେଡିୟୁ ଆଜି ଜନିୟର ପାର୍ଟନର । ବିଜେପି ଆଖି ଦେଖାଇବା ପାଇଁ ଆସନର ଦମ୍ଭ ନାହିଁ । ଏହି ପରିସ୍ଥିତିରେ ଅନେକ ନିଷ୍ପତ୍ତିରେ ତାଙ୍କୁ ବିଜେପି ଉପରେ ନିର୍ଭର କରିବାକୁ ପଡିବ । ଏମିତି ବି ଜେଡିୟୁ କାର୍ଯ୍ୟକର୍ତ୍ତାଙ୍କୁ ତୃଣମୂଳରେ ଭାଜପା କାର୍ଯ୍ୟକର୍ତ୍ତା ସମାଲୋଚନା କରିବା ଆରମ୍ଭ କଲେଣି ।

ଏହି ନିର୍ବାଚନ ଏନଡିଏ ସପକ୍ଷରେ ଯାଇଥିଲେ ବି ନୀତିଶଙ୍କ ବିପକ୍ଷରେ ରହିଥିଲା । ତାହା ପ୍ରମାଣିତ ହୋଇଯାଇଛି । ତେଣୁ ନିଜର ରାଜନୈତିକ ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ନୀତିଶ ନିଜର ଅନ୍ତରାତ୍ମା କଥା ଶୁଣନ୍ତୁ ବୋଲି ଦିଗବିଜୟ କହିଛନ୍ତି ।
मैं संघ की विचारधारा का घोर विरोधी हूँ क्योंकि वह भारत की सनातनी परंपराओं व सनातन धर्म की मूल भावना के विपरीत है।यह देश सबका है।
लेकिन फिर भी मैं उनकी इस बात की प्रशंसा भी करता हूँ कि वे अपने लक्ष्य और अपनी विचारधारा के साथ समझौता नहीं करते। केवल समाज को बॉंट कर राजनीति करते हैं।— Digvijaya Singh (@digvijaya_28) November 11, 2020
ସେହିପରି ଜେପି, ମଣ୍ଡଳ ଆନ୍ଦୋଳନ ସମୟରେ ଲାଲୁ ଯାଦବଙ୍କ ସହ କଟିଥିବା ତାଙ୍କ ଅତୀତର ମଧ୍ୟ ସ୍ମୃତିଚାରଣ କରାଇଛନ୍ତି ଦିଗବିଜୟ । ହେଲେ ଦିଗବିଜୟଙ୍କ ଏପରି ମନ୍ତବ୍ୟ ପରେ ଭାଜପା ନେତା ରବିଶଙ୍କର ପ୍ରସାଦ ଏହାକୁ ପରାଜୟର ପୀଡା ବୋଲି ଅଭିହିତ କରିଛନ୍ତି ।

Dhanteras 2020: ଧନତେରାସରେ ଏହି ସବୁ ଜିନିଷ କିଣିବା ଅତ୍ୟନ୍ତ ଶୁଭ
ନୂଆଦିଲ୍ଲୀ: ବର୍ଷ ସାରା ଭିତରେ ଧନତେରାସ ଦିନକୁ କୁଣାକିଣି ପାଇଁ ଶୁଭ ମନେ କରାଯାଏ । ଧନତେରାସକୁ ଧନତ୍ରୟୋଦଶୀ ବୋଲି ମଧ୍ୟ କୁହାଯାଏ । ଏହି ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ଆର୍ଥିକ ସ୍ଥିତି ଅନୁଯାୟୀ କିଛି ନା କିଛି ଜିନିଷ କିଣିଥାଏ । ଅଧିକାଂଶ ଲୋକ ଏହି ଦିନରେ ବାସନକୁସନ କିଣିଥାନ୍ତି ଆଉ କିଛି ଲୋକ ନୂଆ ପୋଷାକ କିଣିଥାନ୍ତି । ଧନତେରାସର ଦିନ ଜିନିଷ କିଣାକିଣିରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

ଘରର ବାସ୍ତୁ ଏହା ସ୍ଥିର କରିଥାଏ ଯେ, ଧନତେରାସ ଦିନ କେଉଁ ଜିନିଷ କିଣିବା ଉଚିତ ଏବଂ କେଉଁ ଜିନିଷ କିଣିବା ଅନୁଚିତ । ଏହି ଦିନ ବାସ୍ତୁ ଅନୁସାରେ ଜିନିଷ କିଣିଲେ ଆସନ୍ତା ଦିପାବଳୀ ପର୍ଯ୍ୟନ୍ତ ସମୟ ସର୍ବୋତ୍ତମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଧନତେରାସ ଦିନ ବାସ୍ତୁ ଅନୁଯାୟୀ କେଉଁ ଜିନିଷ ସବୁ କିଣିବା ଉଚିତ ।

ଆପଣଙ୍କ ଘର ଏବଂ ଏହାର ମୁଖ୍ୟ ଦ୍ୱାର ଯେଉଁ ଦିଗରେ ଅବସ୍ଥିତ ସେହି ଅନୁଯାୟୀ କିଣାକିଣି କରିବାକୁ ଚେଷ୍ଟା କରନ୍ତୁ । ଅର୍ଥାତ ଯଦି ଆପଣଙ୍କ ଘର ଆଗ୍ନେୟ କୋଣରେ ଅବସ୍ଥିତ ତେବେ ଆପଣଙ୍କୁ ଧନତେରାସ ଦିନ ରୂପାର ଜିନିଷ କିଣିବା ଉଚିତ । ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗରେ ରହିଛି ତେବେ ଆପଣଙ୍କୁ ସୁନା କୁମ୍ବା ତମ୍ବାର ଜିନିଷ କିଣିବା ଉଚିତ । ସେହିଭଳି ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ନୈରୁତ୍ୱ କୋଣରେ ତଥା ଦକ୍ଷିଣ- ପଶ୍ଚିମ ଦିଗକୁ ରହିଛି ତେବେ ଆପଣଙ୍କୁ ରୁପା ବା ତମ୍ବାରେ ତିଆରି ଜିନିଷ କିଣିବା ଉଚିତ ।

ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗରେ ରହିଛି ତେବେ ଆପଣଙ୍କୁ ରୁପାର ଜିନିଷ କିଣିବା ଉଚିତ, ଏହା ଆପଣଙ୍କ ପାଇଁ ଖୁବ ଲାଭବାନ ହେବ । ଯଦି ଆପଙ୍କ ଧର ଭାୟଭ୍ୟ କୋଣରେ ତଥା ଉତ୍ତର- ଦକ୍ଷିଣ ଦିଗରେ ଅବସ୍ଥିତ ତେବେ ଧନତେରାସ ଦିନ ଆପଣଙ୍କ ମୋତି ବା ରୁପା କିଣିଲେ ତାହା ଆପଣଙ୍କ ପାଇଁ ଶୁଭ ରହିବ ।

ସେହିଭଳି ଯେଉଁ ବ୍ୟକ୍ତିମାନଙ୍କ ଘରର ମୁଖ୍ୟ ଦ୍ୱାର ଉତ୍ତର ଦିଗକୁ ମୁହଁ କରି ରହିଛି ସେହିମାନେ ଧନତେରାସରେ କଂସା, ପିତ୍ତଳର ଜିନିଷ କିଣିବା ଶୁଭ ରହିବ । ଯଦି ଆପଣଙ୍କ ଧରର ମୁଖ୍ୟ ଦ୍ୱାର ଇଶାନ କୋଣରେ ରହିଛି ତେବେ ଆପଣ ଧନତେରାସରେ ସୁନା ବା ପିତ୍ତଳ କିଣିବା ଉଚିତ । ସୁନା କିଣଇବା ଅଧିକ ଲାଭଦାୟକ ରହିବ ।

ଏହା ବ୍ୟତୀତ ଧନତେରାସ ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ନୂଆ ଝାଡ଼ୁ କିଣି ତାକୁ ପୂଜା ନିଶ୍ଚୟ କରିବା ଉଚିତ । ଧନତେରାସ ଦିନ ସୁନା, ରଜତ, ପିତ୍ତଳ, କଂସା ଏବଂ ତମ୍ବା ବ୍ୟତୀତ ଆଫ କୌଣସି ଧାତୁ କିଣିବା ଉଚିତ ନୁହେଁ ।

