୫ ଜିଲ୍ଲାରେ ଇକୋ ରିଟ୍ରିଟ୍, ତମ୍ବୁ ତଳେ ତାରକା ହୋଟେଲର ମଜା ନେବେ ପର୍ଯ୍ୟଟକ

1 min read
Eco Retreat

ଭୁବନେଶ୍ୱର: ୫ ଜିଲ୍ଲାରେ ବୁଧବାର ଉଦଘାଟନ ହେବ ଇକୋ ରିଟ୍ରିଟ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧.୩୦ରେ ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିବେ । ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଯୋଗଦେବା ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ଭାବେ ଯୋଗଦେବେ । ୫ ଜିଲ୍ଲାର ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ଇକୋ-ରିଟ୍ରିଟର ଶୁଭାରମ୍ଭ କରାଯିବ । କଟକ, କନ୍ଧମାଳ, କେନ୍ଦ୍ରାପଡ଼ା, ପୁରୀ ଓ ସମ୍ବଲପୁରରେ ହେବ ଇକୋ ରିଟ୍ରଟ କାର୍ଯ୍ୟକ୍ରମ । ମଙ୍ଗଳବାର ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ସ୍ଥଗିତ ଥିଲା ଏହି କାର୍ଯ୍ୟକ୍ରମ ।

ତେବେ ପୁରୀ ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଇକୋ ରି-ଟ୍ରିଟ୍‌ ସୁବିଧା ଆୟୋଜନ କରାଯାଇଛି । ୩ ମାସ ଧରି ଏହି ଇକୋ-ରିଟ୍ରିଟ୍‌ ଚାଲିବ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଫେଷ୍ଟିଭାଲର ପ୍ରସ୍ତୁତି କାର୍ଯ୍ୟକୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସମୀକ୍ଷା କରୁଥିଲେ । କୋଭିଡ୍‌ ଗାଇଡ୍‌ ଲାଇନ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରି ଫେବୃଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଚାଲିବ ।

ଚଳିତ ବର୍ଷ ୩ ମାସ ପାଇଁ ୫୦ଟି କଟେଜରେ ପର୍ଯ୍ୟଟକ ମାନେ ରହିବାର ବ୍ୟବସ୍ଥା କରାଯାଇଛି । ଦୀର୍ଘ ୮ ମାସ ହେଲା କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ବନ୍ଦ ପଡିଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଚଳଚଂଚଳ ହେବ ବୋଲି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆଶା ରଖିଛି ।

File Photo

ଏହାସହ ରାଜ୍ୟର ଅନ୍ୟ ୪ ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍‌ ସୁବିଧା । ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁତଳେ ତାରକା ହୋଟେଲ ଏବଂ ବାର୍‌ର ସୁବିଧା ପାଇପାରିବେ । ଏଥିସହ ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ରହିଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି ।

ପୂର୍ବରୁ ଚନ୍ଦ୍ରଭାଗାରେ ଆୟୋଜିତ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରିଥିଲେ ତେଣୁ ଏହାକୁ ପୁଣିଥରେ ବିଭିନ୍ନ ସ୍ଥାନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଚଳିତବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗିବାଡ଼ି, ସାତକୋଶିଆ, ଭିତରକନିକାରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Leave a Reply