ବିନା ଅନୁମତିରେ ଇଫକୋର କାରସାଦି, ମହାନଦୀ ପୋତି ନିର୍ମାଣ କରୁଛି ବର୍ଥ

ଭୁବନେଶ୍ୱର: ମହାନଦୀରେ ବେଆଇନ ବର୍ଥ ନିର୍ମାଣ କରୁଛି ଇଫକୋ । ବିନା ପ୍ରଶାସନିକ ଅନୁମତିରେ ମହାନଦୀ ପୋତି ଇଫକୋ ଚଲାଇଛି ଏ କାରସାଦି । ସରକାରଙ୍କୁ ଅନ୍ଧକାରରେ ରଖି ପୋର୍ଟକୁ ଜିପସମ୍ ପରିବହନ ପାଇଁ ଇଫକୋ କାରାଖାନା ପଛପଟ ଦେଇ ପ୍ରବାହିତ ମହାନଦୀରେ କରୁଛି ବେଆଇନ ନିର୍ମାଣ । ୫ଶହ ମିଟର ପର୍ଯ୍ୟନ୍ତ ଜଙ୍ଗଲକୁ କାଟି ସଫା କରିବା ସହ ମହାନଦୀର କିଛି ଅଂଶ ପୋତିଦେଇଛି ଇଫକୋ ।

ବିସ୍ତୃତ ଅଞ୍ଚଳକୁ ସମତଳ କରିବା ସହ ଜେସିବି ଓ ଅନ୍ୟାନ ଯନ୍ତ୍ରପାତି ଠୁଳ କରିଛି କଂପାନୀ । ମହାନଦୀ ଦେଇ ପୋର୍ଟକୁ ଜିପସମ ପରିବହନ ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମହାନଦୀ ଦେଇ ଜିପସମ୍ ପରିବହନ ହେଲେ ଜଳଦୂଷିତ ହେବା ସହ ଜଳଜୀବ ଓ ପରିବେଶ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା ରହିଛି ।

ସବୁଠୁ ବଡ଼ କଥା ହେଲା ଯେ, ଇଫକୋ କର୍ତ୍ତୃପକ୍ଷ ଏନେଇ ମହାନଦୀ ସାଉଥ ଡିଭିଜନ, ଜଳସଂପଦ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଇ ନାହାନ୍ତି । ଏପରକି ସରକାରୀସ୍ତରରେ ମଧ୍ୟ ବର୍ଥ ନିର୍ମାଣ ପାଇଁ ଅନୁମତି ମିଳିନି । ଏନେଇ ଖବର ପ୍ରଘଟ ପରେ ମହାନଦୀ ସାଉଥ ଡିଭିଜନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟ ବନ୍ଦ ରଖିବାକୁ ଇଫକୋ ଓ ନିର୍ମାଣକାରୀ ସଂସ୍ଥା ଓସିଏଲକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply