spot_img
Home Blog Page 6408

ସୁପ୍ରିମକୋର୍ଟରୁ କେନ୍ଦ୍ରକୁ ଝଟକା: ସଂପୃକ୍ତ ରାଜ୍ୟ ଅନୁମତି ନଦେଲେ ତଦନ୍ତ କରିପାରିବ ନାହିଁ CBI

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ବିନା ସହମତିରେ ସମ୍ପୃକ୍ତ ରାଜ୍ୟରେ ତଦନ୍ତ କରି ପାରିବ ନାହିଁ ସିବିଆଇ । ସିବିଆଇର ଅଧିକାର ଓ ତଦନ୍ତ ପରିସର ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଡିଏସପିଇ ଆକ୍ଟର ଧାରା ୬ ଅନୁସାରେ ସଂଘୀୟ ବ୍ୟବସ୍ଥାରେ ସିବିଆଇ କୌଣସି ରାଜ୍ୟରେ ତଦନ୍ତ କରିବାକୁ ଚାହୁଁଥିଲେ ସେହି ରାଜ୍ୟରେ ଅନୁମତି ନିହାତି ଆବଶ୍ୟକ ।

ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥାନ୍ତି । ତାସତ୍ତ୍ୱେ ବି ସିବିଆଇକୁ ସାଧାରଣ ଅନୁମତିର ଆବଶ୍ୟକ ରହିଛି । ପୂର୍ବରୁ କଂଗ୍ରେସ ଶାସିତ ତଥା ବିଜେପି ବିରୋଧୀ ରାଜ୍ୟରେ ବିନା ଅନୁମତିରେ ସିବିଆଇ ତଦନ୍ତ କରିବପାରିବ ନାହିଁ ବୋଲି ନିୟମ କରାଯାଇଛି ।

ଏବେ ସୁପ୍ରିମକୋର୍ଟ ଏନେଇ ନିର୍ଦ୍ଦେଶ ଦେବା ପରେ ସିବିଆଇ ପାଇଁ କୌଣସି ରାଜ୍ୟରେ ପଶି ମନଇଚ୍ଛା ତଦନ୍ତ କରିବା ଉପରେ କଟକଣା ଲାଗିଛି । ଧାରା ୫ ଅନୁସାରେ କେନ୍ଦ୍ର ସରକାର ନିଜ ଅଧିକାର କେନ୍ଦ୍ର ଶାସିତ ଅଞ୍ଚଳ ବା ରାଜ୍ୟରେ ବିସ୍ତାର କଲେ ମଧ୍ୟ ସମ୍ପୃକ୍ତ ରାଜ୍ୟର ଅନୁମତି ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଏ.ଏମ ଖାନୱିଲକର ଓ ବି.ଆର ଗାଭାଇଙ୍କ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ମାସେ ତଳେ କେରଳ ସରକାର ମଧ୍ୟ ସିବିଆଇ ତଦନ୍ତ ପାଇଁ ରାଜ୍ୟର ଅନୁମତି ଦରକାର ବୋଲି ନୋଟିସ ଜାରି କରିଛନ୍ତି ।

ଆମେରିକା ସାଂସଦଙ୍କ ଦାବି, Facebookରେ ଆକାଉଣ୍ଟ ନଥିଲେ ମଧ୍ୟ କମ୍ପାନୀ ଆପଣଙ୍କୁ କରୁଛି ଟ୍ରାକ୍

ନୂଆଦିଲ୍ଲୀ: Facebook CEO Mark Zuckerberg ଏବଂ Twitter CEO Jack Dorsey ଙ୍କୁ ୟୁଏସ ସେନେଟ ହିୟରିଂ ବେଳେ ଅନେକ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି । ଦୁହିଁଙ୍କ ଉପରେ ଅନେକ ସାଙ୍ଘାତିକ ଅଭିଯୋଗ ମଧ୍ୟ ରହିଛି । ଫେସବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ଆମେରିକା ସାଂସଦ ଏମିତି ଅନେକ ପ୍ରଂଶ୍ନ ପଚାରିଛନ୍ତି ଯାହାର ଉତ୍ତର ଦେବାରେ ମାର୍କ ଅସହଯ ଅନୁଭବ କରିଥିଲେ ।

ଆମେରିକା ସାଂସଦ ଜନ ହଲେ ଏବଂ ଓକିଲ ଜଶ ହଲେ ସିଧାସଳଖ ଫେସବୁକ ଉପରେ ଅନେକ ସାଙ୍ଘାତିକ ଅଭିଯୋଗ ଆଣଇଛନ୍ତି ଏବଂ ସେ ବାବଦରେ କମ୍ପାନୀ ଠାରୁ ଲିଖିତ ଭାବରେ ଉତ୍ତର ମାଗିଛନ୍ତି । ସାଂସଦ ଜନ ହଲେ ମାର୍କ ଜୁକରବର୍ଗଙ୍କୁ ପଟାରିଥିଲେ ଯେ, ସେ ସେଣ୍ଟ୍ରା ପ୍ରୋଗ୍ରାମ ବିଷୟରେ କିଛି ଜାଣଇଛନ୍ତି କି ଯାହା ୟୁଜର୍ସଙ୍କୁ ଟ୍ରାକ୍ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହାର ଉତ୍ତରରେ ମାର୍କ ଜୁକରବର୍ଗ କହିଥିଲେ ଯେ, ତାଙ୍କୁ ଏ ବିଷୟରେ କୌଣସି ଜ୍ଞାନ ନାହିଁ ।

ଜଶ ହଲେଙ୍କ ମୁତାବକ ନିକଟରେ ଫେସବୁକର ଜଣେ କର୍ମଚାରୀ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଏହା ଦାବି କରିଥିଲେ ଯେ, ଫେସବୁକ Task ନାମକ ଏକ ପ୍ରୋଗ୍ରାମ ବ୍ୟବହାର କରୁଛି, ଯାହା ସେଂସରସିପ ଭଳି ପ୍ରୋଜେକ୍ଟରେ କାମ କରିଥାଏ ।

ସୂଚନା ଅନୁଯାୟୀ ହଲେ ଅଭିଯୋଗ କରିଛନ୍ତି ଯେ, ଫେସବୁକ ସେଣ୍ଟ୍ରା ନାମକ ଏକ ଇଣ୍ଟରନାଲ ଟୁଲ ଜରିଆରେ ନା କେବଳ କମ୍ପାନୀ ୟୁଜର୍ସଙ୍କୁ ଟ୍ରାକ କରୁଛି ବରଂ ପୁରା ଇଣ୍ଟରନେଟ ଉପରେ ନଜର ରଖିଛି । ଜଶ ହଲେ କହିଛନ୍ତି ଯେ, ଫେସବୁକ ଏହି ସେଣ୍ଟ୍ରା ଟୁଲ ଜରିଆରେ ଅଲଗା ଅଲଗା ପ୍ରୋଫାଇଲକୁ ତାଙ୍କ ୱେବସାଇଟ ଭିଜିଟ୍, ମେସେଜ ରେସିପିଏଣ୍ଟ ଏବଂ ତାଙ୍କ ଲିଙ୍କଡ ଆକାଉଣ୍ଟକୁ ଟ୍ରାକ କରିଥାଏ ।

ସୂଚନା ଅନୁଯାୟୀ ଏହି ପ୍ରଶ୍ନ ପୂର୍ବରୁ ମଧ୍ୟ ଉଠିଥିଲା ଏବଂ ଫେସବୁକ ଉପରେ ଅଭିଯୋଗ ଥିଲା ଯେ, ଯେଉଁ ୱେବସାଇଟରେ ଫେସବୁକ ବଟନ ଦିଆଯାଇଛି ସେଇଠୁ କମ୍ପାନୀ ୟୁଜରର ଡାଟା ଟ୍ରାକ କରୁଛି । ଆପଣଙ୍କ ଫେସବୁକ ଆକାଉଣ୍ଟ ଥାଉ କି ନଥାଉ, ଯଦି ଆପଣ ସେହି ୱେବସାଇଟକୁ ଭିଜିଟ କରିବେ, ତେବେ ଆପଣଙ୍କ କିଛି ଡାଟା ଫେସବୁକ ପାଖକୁ ଚାଲିଯିବ  ।

ଜଶ ହଲେ ଟ୍ୱିଟ କରି କହିଛନ୍ତି ଯେ, ‘ ମାର୍କ ଜୁକରବର୍ଗ ଶପଥ ଅନ୍ତର୍ଗତ ଏହା ମାନନ୍ତି ଯେ, ଫେସବୁକ ପାଖରେ ଟୁଲ୍ସ ଅଛି ଯାହା ବିନା ଅନୁମତିରେ ଇଣ୍ଟରନେଟ ୟୁଜର୍ସଙ୍କୁ ଟ୍ରାକ କରିଥାଏ ।

ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଠିକା କର୍ମଚାରୀ ଏବଂ ଓଟିଭି ପ୍ରତିନିଧିଙ୍କୁ ନେଇ ଆଲୋଚନା

ଭୁବନେଶ୍ୱର: ସରୁନି ସାରୁଅ ସମର । ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଉଭୟ ପକ୍ଷର ପ୍ରତିନିଧିଙ୍କୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଓଟିଭି ପକ୍ଷରୁ ଦୁଇଜଣ ଓ ଠିକା କର୍ମଚାରୀଙ୍କ ପକ୍ଷରୁ ୪ ଜଣ ଏହି ଆଲୋଚନାରେ ଉପସ୍ଥିତ ଅଛନ୍ତି । ଡିଭିଜନାଲ ଶ୍ରମ ଆୟୁକ୍ତ ଡ଼ଃ ପ୍ରଶାନ୍ତ କୁମାର ତ୍ରିପାଠୀ ଆଲୋଚନାରେ ମଧ୍ୟସ୍ଥତା କରୁଛନ୍ତି ।

ଏଥର ଓଟିଭି ଏମ୍ ଡି ଜଗି ପଣ୍ଡାଙ୍କୁ ପ୍ରିନ୍ସପାଲ ଏମ୍ପଲୟର ଭାବେ ନୋଟିସ୍ ହୋଇଥିଲା । ଅଗଷ୍ଟ ଓ ସେପ୍ଟେମ୍ବର ମାସର ଉପସ୍ଥାନ ଓ ମଜୁରୀ ସଂକ୍ରାନ୍ତୀୟ ମାଷ୍ଟର ରୋଲ ସାଙ୍ଗରେ ଆଣିବାକୁ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ କର୍ମଚାରୀଙ୍କ ମଧ୍ୟରୁ ୪ଜଣ ଓ otv ର ୨ଜଣଙ୍କୁ ଆଲୋଚନାରେ ଅଂଶଗ୍ରହଣ ପାଇଁ ଅନୁମତି ଦେଇଛନ୍ତି ଶ୍ରମ ଅଧିକାରୀ । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ଜାରି ରହିଛି ଆଲୋଚନା

ଆଜି ବି ଠକି ଦେଲେ ମାଡାମ ପଣ୍ଡା, ନିଜେ ହାଜର ନହୋଇ ପ୍ରତିନିଧି ଓ ଓକିଲଙ୍କୁ ପଠାଇଲେ

ଭୁବନେଶ୍ୱର: ରାଜଧାନୀ ଇନ୍ଫୋସିଟି ନାବାଳିକା ଗଣ ଦୁଷ୍କର୍ମ ଘଟଣା । ତଦନ୍ତକୁ ବାଧିତ କରିବାର ସବୁ ଉଦ୍ୟମ ଜାରି ରଖିଛନ୍ତି ଓଟିଭି କର୍ତ୍ତୁପକ୍ଷ । କମିଶନଙ୍କ ପାଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଡରୁଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଯାହାର ଉଦାହରଣ ଆଜି ମଧ୍ୟ ଦେଖିବାକୁ ମିଳିଛି । ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସମ୍ମୁଖରେ ଜଗିଙ୍କ ହାଜର ହେବାର ଥିଲା । କିନ୍ତୁ ମ୍ୟାଡମ୍ ନିଜେ ଆସିନଥିଲେ । ନିଜ ଓକିଲ ଓ ପ୍ରତିନିଧିଙ୍କୁ ଆୟୋଗଙ୍କ ଆଗରେ ହାଜିର ପକାଇବାକୁ ପଠାଇଥିଲେ ।   ବାରମ୍ବାର ହାଜିରା ପାଇଁ ନୋଟିସ ଯାଇଥିଲେ ମଧ୍ୟ ତିଳେମାତ୍ର ଖାତିର କରୁନାହାନ୍ତି । ଅହଂକାର ଏବଂ ନିଜ ଯିଦରୁ ଓହରୁନାହାନ୍ତି ଏମ୍‌ଡି ମାଡାମ ।

ପ୍ରତିନିଧି ଏବଂ ଓକିଲଙ୍କୁ ପଠାଇ ବାରମ୍ବାର କେସ ଦବାଇବାକୁ ଚେଷ୍ଟା କରିଚାଲିଛନ୍ତି । ତେବେ ଗତ ୧୦ ତାରିଖରେ ହାଜର ହେବାକୁ ନୋଟିସ ହୋଇଥିଲେ ମଧ୍ୟ ଆଜି ଓଟିଭି ଏମ୍‌ଡିଙ୍କ ପ୍ରତିନିଧି ଓ ଓକିଲଙ୍କୁ ପଠାଇ କାମ ସାରିଦେଇଛନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜଗିଙ୍କୁ ବ୍ୟକ୍ତିଗତ ଭାବରେ ହାଜିର ହୋଇ ଉତ୍ତର ରଖିବା ପାଇଁ କହିଥିଲେ । କିନ୍ତୁ ସେ ଏଥର ମଧ୍ୟ ବେଖାତିର କରି ଆସିନାହାନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପାଖରେ ହାଜିର ହୋଇଛନ୍ତି ଓଟିଭି ଏମ୍‌ଡିଙ୍କ ପ୍ରତିନିଧି ଓ ଓକିଲ । ଅଭିଯୋଗ କାରିଣୀଙ୍କ ମା’ ବି ହାଜର ହୋଇଛନ୍ତି ।

ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି

ଭୁବନେଶ୍ୱର: ଉପନିର୍ବାଚନରେ ବିଜୟୀ ହୋଇଥିବା ଦୁଇ ନୂଆ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ।  ବାଲେଶ୍ୱର ସ୍ୱରୂପ ଦାସ ଏବଂ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ ଶପଥ ଗ୍ରହଣ କରିଛନ୍ତି । ନବନିର୍ବାଚିତ ହୋଇଥିବା ଦୁଇ ବିଧାୟକଙ୍କୁ ଆଜି ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଥିଲା । ପୂର୍ବ ନିର୍ଧାରିତ ସମୟରେ ହିଁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶପଥପାଠ ପରେ ବାଚସ୍ପତିଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ଦୁଇ ନବନିର୍ବାଚିତ ବିଧାୟକ ।

ଶପଥପାଠ ସମୟରେ ଯାହା ପ୍ରମାଣପତ୍ର ଦେବାକଥା ସେସବୁକୁ ବାଚସ୍ପତିଙ୍କୁ ଦେଇଛନ୍ତି ଦୁଇ ବିଧାୟକ । ତେବେ ଆଗକୁ ବିଧାନସଭାର ଶୀତକାଳୀନ ଅଧିବେଶନ ରହିଛି ସେଥିପାଇଁ ଶପଥ ନେଲା ପରେ ଦୁଇ ବିଧାୟକ ଅଧିବେଶନକୁ ଯାଇପାରିବେ । ଦୁଇ ବିଧାୟକ ଶୀତକାଳିନ ଅଧିବେଶନରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିବେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ନିଜର ପତିଆରା ସାବ୍ୟସ୍ତ କରିସାରିଛି ବିଜୁ ଜନତା ଦଳ । ସେ କଂଗ୍ରେସ ହେଉକି ବିଜେପି ହେଉ, ଉପନିର୍ବାଚନରେ ବିଜେଡିର ସମକକ୍ଷ ହୋଇପାରିନାହିଁ କୌଣସି ଦଳ । ମୁଖ୍ୟମନ୍ତ୍ରୀଙ୍କ ଉନ୍ନତିମୂଳକ କାର୍ଯ୍ୟ ଏବଂ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରଖିବା ଆଚରଣ ଆଜି ଲୋକଙ୍କର ଭରସାକୁ ଜିତିପାରିଛି ।

 

 

 

ମାଟି ଭର୍ତ୍ତି ଟ୍ରାକ୍ଟର ଖାଲି କଲାବେଳେ ହଠାତ ଖସିଲା ସୁନା ରୂପାର ମୁଦ୍ରା, ଲୁଟିନେଲେ ଗାଁ ଲୋକ

0

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ଶାମଲୀ ଜନପଦରେ ଜଣେ କୃଷକଙ୍କ ଜମିରେ ମାଟି ଖୋଳା ଚାଲିଥିବାବେଳେ ମାଟି ଭିତରୁ ସୁନା ଓ ରୁପାର ମୁଦ୍ରା ବାହାରୁଥିବା ଖବର ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ସୁନା ରୂପାର ମୁଦ୍ରା ଗୁଡ଼ିକ ପ୍ରାଚୀନ କାଳର ବୋଲି କୁହାଯାଉଛି । ରବିବାର ଦିନ ଏକ ଜମିରେ ମାଟି ଖୋଳା ଚାଲିଥିବାବେଳେ ମାଟିରେ ଭର୍ତ୍ତି ଏକ ଟ୍ରାକ୍ଟରରୁ ମୁଦ୍ରା ଖସୁଥିବା ଘଟଣା ଗାଁଲୋକ ଜାଣିବାକୁ ପାଇଲେ ।

ମାଟି ତଳୁ ସୁନା ରୂପା ବାହାରୁଥିବା କଥା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଜମିଯାଇଥିଲା । ଯିଏ ଯାହା ପାଇଲା ଗୋଟାଇ ନେବାକୁ ଲାଗିଲେ । ଖବର ପାଇ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲା । କିନ୍ତୁ ଗାଁ ଲୋକ ମୁଦ୍ରା ବାହାରୁଥିବା କଥାକୁ ଅସ୍ୱୀକାର କରିଥିଲେ । କିନ୍ତୁ ତିନୋଟି ମୁଦ୍ରାର ଫଟୋ ଗଣମାଧ୍ୟମ ହାତରେ ଲାଗିଥିଲା, ଯେଉଁଥିରେ ଦୁଇଟି ସୁନା ମୁଦ୍ରା ହୋଇଥିବାବେଳେ ଗୋଟିଏ ରୂପା ମୁଦ୍ରା ଥିଲା । ରୂପା ମୁଦ୍ରା ଉପରେ ଆରବୀ ଭାଷାରେ ରହମୁତୁଲ୍ଲା ଇବ୍ ମହମ୍ମଦ ଏବଂ ଅନ୍ୟ ସୁନା ମୁଦ୍ରାରେ ଆଉ ଏକ କଲମା ଲେଖାହୋଇଛି ।

ଜମିର ମାଲିକ ଓମ ସିଂହଙ୍କ କହିବା ଅନୁଯାଯୀ ଜମିରୁ କିଛି ମୁଦ୍ରା ମିଳିଛି । ସେଥି ମଧ୍ୟରୁ କେତୋଟି ସୁନା ଏବଂ କୋତୋଟି ରୂପା ତାର ସୂଚନା ମିଳିପାରିନାହିଁ ।

ଏସଡିଏମ ଅରବିନ୍ଦ ସିଂହଙ୍କ ସୂଚନା ଅନୁଯାୟୀ ଜମି ଖୋଳାବେଳେ କିଛି ଧାତୁ ବାହାରିଥିବା ସୂଚନା ରହିଛି । ଏସଡିଏମଙ୍କୁ ଯାଞ୍ଚ ପାଇଁ କୁହାଯାଇଛି ଏବଂ ପୁରୁଣା ମୁଦ୍ରା ହୋଇଥିବାରୁ ପ୍ରତ୍ନତତ୍ତ୍ୱ ବିଭାଗକୁ ମଧ୍ୟ ସୂଚନା ଦିଆଯିବ ।

ଗୁଜୁରାଟ ଭଦୋଦରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୧ ମୃତ, ୧୫ରୁ ଅଧିକ ଗୁରୁତର

ଭଦୋଦରା: ଗୁଜରାଟର ଭଦୋଦରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୱାଘୋଡିଆ କ୍ରସିଂ ହାଇୱେ ନିକଟରେ ଦୁଇ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି । ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଭୋର ସମୟରେ ଗୋଟିଏ ଟ୍ରକରେ ବହୁ ସଂଖ୍ୟାରେ ଯାତ୍ରୀ ଯାଉଥିଲେ ।

ୱାଘୋଡିଆ କ୍ରସିଂ ହାଇୱେ ନିକଟରେ ବିପରୀତ ଦିଗରୁ ଆସୁଥିବା ଆଉ ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୧୧ଜଣଙ୍କର ମୃତ୍ୟୁ ହେବା ସହିତ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୁର୍ଘଟଣାପରେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହୋଇଥିଲା । ଦୁର୍ଘଟଣାରେ ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଶୋକ ପ୍ରକାଶ କରିବା ସହିତ ଆହାତଙ୍କ ଆରୋଗ୍ୟ କାମନା କରିଛନ୍ତି ।

ରାଜ୍ୟରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ, କିନ୍ତୁ ବିଳମ୍ବରେ ହୋଇପାରେ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟରେ ପାଠପଢ଼ାରେ ବାଧା ଆସିଛି । ସ୍କୁଲ ବନ୍ଦ ଥିବାରୁ ଏବେ ଛାତ୍ରଛାତ୍ରୀ ସେମାନଙ୍କର ପରୀକ୍ଷା ନେଇ ଚିନ୍ତାରେ ରହିଛନ୍ତି । ତେବେ ଚଳିତ ବର୍ଷ ପରୀକ୍ଷା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା ହେବ କିନ୍ତୁ ବିଳମ୍ବରେ ।

ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏଥିପାଇଁ ସର୍ବନିମ୍ନ ୩ ମାସ ପାଠପଢ଼ା ହେବ । ତା ପରେ ପରୀକ୍ଷା ଵ୍ୟଵସ୍ଥା କରାଯିବ । ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ, ତାହାହେଲେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ ବୋଲି କହିଛନ୍ତି ମନ୍ତ୍ରୀ । ରାଜ୍ୟ ସରକାର ନିଜଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ ।

ଯଦି ପରୀକ୍ଷା ବନ୍ଦ ହୁଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ । ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଵ୍ୟଵସ୍ଥା ଉପରେ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଜବର ଦଖଲକୁ ନେଇ ତହସିଲଦାରଙ୍କ ଅଜବ ଉତ୍ତର, ଅଭିଯୋଗ କଲେ କହୁଛନ୍ତି ଓପିଏଲ୍‌ ଆକ୍ଟ ପଢ଼

0

ନିଆଳି: ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ସରକାର କରିଛନ୍ତି କଠୋର ନିୟମ । ଏପରି ଘଟଣା ଦୃଷ୍ଟିକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ହେଲେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ସରକାରଙ୍କର ଏଭଳି ନିୟମ ମାନିବାକୁ ନାରାଜ । ଏଭଳି କିଛି ନିୟମ ରହିଛି ବୋଲି ସେ ଜାଣନ୍ତି ନାହିଁ ବୋଧ ହୁଏ । କାରଣ ଲୋକେ ଅଭିଯୋଗ ଆଣିଲେ ଅଭିଯୋଗ କରିବାକୁ ସେ କିଏ ବୋଲି ଯୁକ୍ତି ବାଢ଼ନ୍ତି । ଯଦି ଏ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନ କରେ ତେବେ ଓପିଏଲ୍ ଆକ୍ଟ ପଢ଼ିବାକୁ ପରାମର୍ଶ ଦିଅନ୍ତି ତହସିଲଦାର ମହାଶୟ ।

ଯେଉଁଥିପାଇଁ ପ୍ରଶାସକଙ୍କ ଭୁଲ୍ ନିଷ୍ପତ୍ତି ସରକାରୀ ଯୋଜନାକୁ ବାଟମଣା କରୁଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା କଣ୍ଟାପଡ଼ା ତହସିଲରୁ । ଜବରଦଖଲ ଉଚ୍ଛେଦ ପାଇଁ ସାଧାରଣ ଲୋକ ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ ନିର୍ବିକାର । ବରଂ ଉତ୍ତରରେ କହୁଛନ୍ତି ଅଭିଯୋଗ କରିବାକୁ ସେ କିଏ ? ଏପରି କଥା ପୁଣି କହୁଛନ୍ତି ଖୋଦ୍ ତହସିଲଦାର ମହାଶୟ ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଖାଲ ଗାଁ ଅଞ୍ଚଳରେ ଗୋଚର ଜମିକୁ ଦଖଲ କରିଛନ୍ତି ବଡ଼ବଡ଼ିଆ । ଗୁଣ୍ଠେ ନୁହେଁ କି ଦୁଇ ଗୁଣ୍ଠ ନୁହେଁ । ପ୍ରାୟ ତିରିଶ ଏକରରୁ ଉର୍ଦ୍ଧ୍ୱ ଗୋଚର ଜମି ଏବେ ଜବର ଦଖଲରେ ରହିଛି । ଏ ସମ୍ପର୍କରେ ଉକ୍ତ ଗାଁର ମହିଳା ଜିଲ୍ଲାପାଳଙ୍କ ଠୁ ତହସିଲ ପର୍ଯ୍ୟନ୍ତ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କଲାପରେ ବି ସମସ୍ତେ ନିଦାବିଷ୍ଣୁ ପାଲଟିଛନ୍ତି ।

ଅନ୍ୟପଟେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନକଲେ ଓପିଏଲ୍ ଆକ୍ଟ ପଢ଼ିବା ପାଇଁ କହୁଛନ୍ତି ତହସିଲଦାର ମହାଶୟ । ଗୋଟିଏ ପଟେ ତହସିଲଦାରଙ୍କ ଏପରି ଉତ୍ତର ପଛରେ କି କାରଣ ରହିଛି ତାହା ପରିସ୍କାର ଜଣା ପଡୁନଥିଲେ ମଧ୍ୟ, ଏପରି ଉତ୍ତର କେତେ ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠୁଛି।

ଦେଶରେ ୮୯ ଲକ୍ଷ ଟପିଲା କରୋନା ସଂକ୍ରମଣ… ଦିଲ୍ଲୀରେ କରୋନା ଆତଙ୍କ, ନୋଏଡା ସୀମାରେ ଟେଷ୍ଟ୍

ନୂଆଦିଲ୍ଲୀ: ଦେଶରେ ଦିନକରେ ୩୮ହଜାର ୬୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୭୪ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୩୦ହଜାର ୯୯୩ରେ ପହଞ୍ଚିଛି । ମୋଟ୍ ଆକ୍ଟିଭ କେସ୍ ୪ଲକ୍ଷ ୪୬ହଜାର ୮୦୫ ଥିବା ବେଲେ କରୋନାରୁ ସୁସ୍ଥ ହୋଇଛନ୍ତି ୮୩ଲକ୍ଷ ୩୫ହଜାର ୧୧୦ଜଣ ଆକ୍ରାନ୍ତ ।

ମହାରାଷ୍ଟ୍ରରେ ୧୭ଲକ୍ଷ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁସଂଖ୍ୟା ୪୬ହଜରା ପାର । ଦୈନିକ ସଂକ୍ରମଣରେ ଦିଲ୍ଲୀ ଆଗରେ ରହିଛି । ଦିନକରେ କେରଳରୁ ୫ହଜଦାର ୭୯୨ଜଣ ସଂକ୍ରମିତ ହୋଇଛନ୍ତି । ସେପଟେ ଦିଲ୍ଲୀକୁ ଡରାଉଛି କରୋନା ସଂକ୍ରମଣ । ଦିନକରେ ୬ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ୪୨ ହଜାର ଉପରେ ରହିଛି ଆକ୍ଟିଭ୍ କେସ୍ ।

ଟେଷ୍ଟିଂ ବଢାଇବା ସହ କଣ୍ଟେନମେଣ୍ଟ ଜୋନ୍‌ରେ ହେବ ଡୋର୍‌ ଟୁ ଡୋର୍‌ ସର୍ଭେ କରାଯିବ । ସେହିପରି ଲକ୍ଷଣ ନଥିବା ଆକ୍ରାନ୍ତଙ୍କର ପ୍ରତି ୫ ଦିନରେ ଥରେ ଟେଷ୍ଟ କରାଯିବ । ପ୍ରଭାବିତ ଅଞ୍ଚଳକୁ ଅସ୍ଥାୟୀ ଭାବେ ସିଲ୍ କରିବା ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ସରକାର । ଆଜିଠୁ ଦିଲ୍ଲୀରୁ ନୋଏଡା ଆସୁଥିବା ଲୋକଙ୍କ ପରୀକ୍ଷା କରାଯାଉଛି ।