ବାହାଘର ଦିନ ଛାତରୁ ପଡ଼ି ଭାଙ୍ଗିଗଲା କନିଆର ମେରୁଦଣ୍ଡ, ତଥାପି ହାତ ଧରିଲା ବର

ଆଲ୍ଲହାବାଦ: ହାତରେ ମେହେନ୍ଦି ପାଦରେ ଅଳତା ଲାଗି ସାରିଥିଲା। ବାଡ଼ୁଅ ପାଣିରେ ଗାଧୁଆ ବି ସରିଥିଲା। ବର ଆସିବାକୁ ଆଉ ମାତ୍ର କିଛି ସମୟ ବାକି ଥିଲା। ହଠାତ୍ ଘଟିଲା ଏକ ବଡ଼ ଅଘଟଣ, ବେଦିରେ ବସିବା ବଦଳରେ କନିଆ ଶୋଇଲେ ଡାକ୍ତରଖାନା ଶେଜରେ। ବର କିନ୍ତୁ ଫେରିଯାଇନଥିଲା। ଏଭଳି ଅବସ୍ଥାରେ ବି ମଥାରେ ସିନ୍ଦୁର ଦେଇ କନିଆକୁ ନିଜର କଲା।

୨୦୦୬ରେ ଆସିଥିବା ସୁପରହିଟ୍ ବଲିଉଡ ଫିଲ୍ମ ‘ବିବାହ’ ଯଦି ଆପଣ ଦେଖିଥିବେ, ତେବେ ଆପଣଙ୍କୁ ବି ଏହି ଘଟଣା କିଛି କିଛି ସେହିପରି ଲାଗୁଥିବ। ଫିଲ୍ମରେ ହିରୋଇନ୍ ଅମ୍ରିତା ରାଓ ବାହାଘର ଦିନ ନିଜ ଭଉଣୀକୁ ବଞ୍ଚାଇବା ବେଳେ ନିଜେ ନିଆଁରେ ଜଳିଯାଇଥିଲେ। ଏହାପରେ ହିରୋ ଶାହିଦ କପୁର ତାଙ୍କୁ ସେହି ଅବସ୍ଥାରେ ହସ୍ପିଟାଲ ଶେଜରେ ବିବାହ କରିଥିଲେ। ରିୟଲ୍ ଲାଇଫରେ ବି ଠିକ୍ ଏମିତି ଏକ ଘଟଣା ଘଟିଛି ୟୁପିର ପ୍ରୟାଗରାଜରେ।

ଘଟଣାଟି ଡିସେମ୍ବର ୮ତାରିଖର। ପ୍ରତାପଗଡ଼ର  କୁଣ୍ଡାରେ ରହୁଥିବା ଆରତୀଙ୍କ ବିବାହର ସମସ୍ତ ପ୍ରସ୍ତୁତି ସରିଯାଇଥିଲା। ସନ୍ଧ୍ୟାରେ ବର ଆସିବାର ଥିଲା ହେଲେ ଏହା ପୂର୍ବରୁ ଘଟିଲା ଏକ ବଡ଼ ଅଘଟଣ। ଦ୍ୱିପ୍ରହରରେ ଛାତଉପରେ ଖେଳୁଥିବା ୩ ବର୍ଷର ପୁତୁରାକୁ ବଞ୍ଚାଇବାକୁ ଯାଇ ଆରତୀ ନିଜେ ଛାତରୁ ତଳକୁ ପଡ଼ିଯାଇଥିଲେ। ଘଟଣାରେ ତାଙ୍କ ମେରୁଦଣ୍ଡ ଭାଙ୍ଗିବା ସହ ଦୁଇ ଗୋଡ଼ ଅକାମୀ ହୋଇପଡ଼ିଲା। ତାଙ୍କୁ ସଙ୍ଗେ ସଙ୍ଗେ ପ୍ରୟାଗରାଜର ଏକ ଡାକ୍ତରଖାନାରେ ଭର୍ତ୍ତି କରାଗଲା।

ବର ଅବଧେଶ ଓ ତାଙ୍କ ପରିବାରକୁ ଖବର ଦିଆଗଲା। ସେମାନେ ମଧ୍ୟ ତତୁରନ୍ତ ଧାଇଁ ଆସିଥିଲେ ଆରତୀଙ୍କୁ ଦେଖିବାକୁ। ସେଠାରେ ପହଞ୍ଚି ଆରତୀଙ୍କୁ ଦେଖିବା ପରେ ତାଙ୍କର ଗୋଡ଼ ତଳୁ ମାଟି ଖସିଯାଇଥିଲା। ଉଭୟ ପରିବାର ବାହାଘରକୁ ନେଇ ଚିନ୍ତାରେ ପଡ଼ିଗଲେ। ଆରତୀଙ୍କ ଘରଲୋକ ଅବଧେଶଙ୍କୁ ଆରତୀଙ୍କ ସାନ ଭଉଣୀକୁ ବିବାହ କରିବାକୁ ପ୍ରସ୍ତାବ ଦେଲେ। ହେଲେ ଅବଧେଶ କିନ୍ତୁ ରାଜି ହୋଇ ନଥିଲେ। ସେ କେବଳ ଆରତୀଙ୍କୁ ହିଁ ଜୀବନସାଥୀ କରିବାକୁ ଚାହୁଁଥିଲେ। ଆରତୀଙ୍କ ଏଭଳି ଅବସ୍ଥାରେ ସେ ତାଙ୍କ ସାଥ ଛାଡ଼ିଲେ ନାହିଁ ଓ ସାରା ଜୀବନ ସେ ତାଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ।

ଅବଧେଶ ଡାକ୍ତରଖାନାରେ ରହି ଆରତୀଙ୍କର ଦେଖାଶୁଣା କଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ଗୋଟିଏ ଦିନ ପାଇଁ ଆରତୀଙ୍କୁ ଘରକୁ ଅଣାଗଲା ଓ ସେଠାରେ ଉଭୟଙ୍କର ବିବାହ ସମ୍ପନ୍ନ ହେଲା। ପରେ ପୁଣିଥରେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିଦିଆଗଲା। ଏହି ଘଟଣାକୁ ନେଇ ଏବେ ସାରା ୟୁପରିରେ ଚର୍ଚ୍ଚା। ଅବଧେଶଙ୍କର ସମସ୍ତେ ପ୍ରଶଂସା କରୁଥିବାବେଳେ ସମାଜ ପାଇଁ ସେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସମସ୍ତଙ୍କ ମୁହଁରେ ବାସ ଗୋଟିଏ କଥା, ‘ସ୍ୱାମୀ ହେବ ତ ଏମିତି’।

Leave a Reply