spot_img
Home Blog Page 6406

ଗଣଦୁଷ୍କର୍ମ ପରେ ଜିଭ କାଟିଲେ,ମେରୁଦଣ୍ଡ ଭାଙ୍ଗିଲେ..ବର୍ବରତାର ଏମିତି କାହାଣୀ ଯାହା କେବେ ଶୁଣିନଥିବେ

ନୂଆଦିଲ୍ଲୀ : ଦି’ ସପ୍ତାହ ତଳେ ଉତ୍ତରପ୍ରଦେଶର ହାଥରସ ଅଞ୍ଚଳର ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ଗ୍ରାମର ୩ ଜଣ ଯୁବକ ଏଭଳି କରିଥିଲେ । ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଏହାପରେ ଦୁଷ୍କର୍ମକାରୀମାନେ ତାଙ୍କର ଜିଭ କାଟିବା ସହ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ।

ଗୁରୁତର ଅବସ୍ଥାରେ ମହିଳାଜଣଙ୍କୁ ଦିଲ୍ଲୀର ସଫଦରଗଞ୍ଜ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହେବା ପରଠାରୁ ପ୍ରାୟ ୧୫ ଦିନ ଶାରିରୀକ କଷ୍ଟ ସହ ସଂଘର୍ଷ କରି ଯୁବତୀ ଜୀବନ ଛାଡ଼ିଛନ୍ତି । ଯେତିକି ସମୟ ଡ଼ାକ୍ତରଖାନାରେ ଥିଲେ ଦୋଷୀମାନଙ୍କ ସମ୍ପର୍କରେ ଠାରରେ ସୂଚନା ଦେବାକୁ ଚେଷ୍ଟା କରିଥିଲେ । ଘଟଣାର ୯ ଦିନ ପରେ ପିଡୀତାଙ୍କର ଚେତା ଆସିଥିଲା ।

ଚେତା ଆସିବା ପରେ ହିଁ ତାଙ୍କରଠାରୁ ପୋଲିସ ବୟାନ ରେକର୍ଡ କରିଥିଲା । ଏହାପରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି  । ପୀଡିତା ଜଣକ ଦଳିତ ସମାଜର ହୋଇଥିବା ବେଳେ ଦଳିତ ସମାଜ ନ୍ୟାୟ ଦାବିରେ ଆନ୍ଦୋଳନ ଆରମ୍ଭ କରିସାରିଛି । ଆଜି ତାଙ୍କ ଶବକୁ ତାଙ୍କ ଗାଁ ନିଆଯିବ । ଏଭଳି ସ୍ଥଳରେ ସେଠାରେ ପରିସ୍ଥିତି ସଙ୍ଗିନ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ପୀଡିତା ଜଣକ ବାଲ୍ମୀକି ସମାଜରୁ ହୋଇଥିବା ହେତୁ ବାଲ୍ମୀକି ସମାଜର ଲୋକେ ଆନ୍ଦୋଳନ କରିବାର ସମ୍ଭାବନା ରହିଛି ।

ବାଲେଶ୍ୱର ଉପନିର୍ବାଚନ: କ’ଣ କହୁଛି ଇତିହାସ, ସର୍ବାଧିକ ଥର କେଉଁ ଦଳ ଜିତିଛି ଏହି ଆସନ…ଜାଣନ୍ତୁ

ବାଲେଶ୍ୱର: ବାଲେଶ୍ୱର ସଦର ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଜେପି ନେତା ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି । ଏହା ପରେ ଉକ୍ତ ଆସନ ଖାଲି ପଡିଥିଲା । ଯାହାର ଉପନିର୍ବାତନ ନେଇ ମଙ୍ଗଳବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୩ରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେହିପରି ସେହି ମାସ ୧୦ରେ ଭୋଟ ଗଣତି ମଧ୍ୟ କରାଯିବ । ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ବାଲେଶ୍ୱର ସମେତ ତିର୍ତ୍ତୋଲରେ ମଧ୍ୟ ଆଚରଣ ବିଧି ଲାଗୁ ହୋଇଛି ।

ତିର୍ତ୍ତୋଲ ଅପେକ୍ଷା ବାଲେଶ୍ୱର ଆସନକୁ ନେଇ ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚା ଅଧିକ ରହିଛି । ବିଗତ କିଛିବର୍ଷର ରାଜନୀତିକୁ ଯଦି ଅନୁଶୀଳନ କରାଯାଏ, ତେବେ ଉପନିର୍ବାଚନରେ ବିଜେଡି ହାରିନାହିଁ । ହେଲେ ଏହି ଆସନଟି ଭାଜପା ନିକଟରେ ରହିଛି । ଏହି ଆସନ ଥିବା ଲୋକସଭା ଆସନରୁ ଜିତି ପ୍ରତାପ ଷଡଙ୍ଗୀ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ତେଣୁ ବାଲେଶ୍ୱର ଲଢେଇ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସେହିପରି ବାଲେଶ୍ୱର ଲୋକସଭା ଏବଂ ବିଧାନସଭାରେ ୨୦୧୯ରେ ପରାଜୟ ଗ୍ରହଣ କରିଥିବା ବିଜେଡି ଏହାକୁ ଜିତି ନିଜ ଆସନ ସଂଖ୍ୟା ଆଉ ଗୋଟିଏ ବୃଦ୍ଧି କରିବାକୁ ଚାହିଁବ । ଏକଦା ସମଗ୍ର ବାଲେଶ୍ୱର ଜିଲାକୁ କଂଗ୍ରେସର ଗଡ଼ ବୋଲି କୁହାଯାଉଥିଲା । ହେଲେ ଗତ ଲୋକ ସଭା ନିର୍ବାଚନରେ ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନଭଜ୍ୟୋତି ପଟ୍ଟନାୟକ ଅମାନତ ରକ୍ଷା କରିପାରି ନ ଥିଲେ । ବାଲେଶ୍ୱର ବିଧାନସଭା ଆସନରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା । ତେଣୁ ଆଗାମୀ ନିର୍ବାଚନ ଦ୍ୱିମୁଖୀ ଲଢେଇ(ବିଜେଡି-ବିଜେପି) ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି ।

ତେବେ କଣ କହୁଛି ବାଲେଶ୍ୱର ଆସନର ଇତିହାସ । ୧୯୫୧ରୁ ୨୦୧୯ ମଧ୍ୟରେ ୧୬ ଥର ନିର୍ବାଚନ ହୋଇଛି । ଏଥିରେ କଂଗ୍ରେସ ୪, ଭାଜପା ୨ ଥର , ଓଡ଼ିଶା ଗଣପରିଷଦ ଏବଂ ସ୍ୱାଧୀନପ୍ରାର୍ଥୀ ଥରେ ଥରେ  ବିଜୟୀ ହୋଇଛନ୍ତି । ସେହପରି ସିପିଆଇ ୩ ଥର ବିଜୟୀ ହୋଇଥିବା ବେଳେ ପ୍ରଜାସୋସିଆଲିଷ୍ଟ ପାର୍ଟି ୨ ଥର ବିଜୟୀ ହୋଇଛି । ସେହିପରି ବିଜେଡି ୨ ଥର ଏବଂ ଜନତା ପାର୍ଟି ଥରେ ବିଜୟୀ ଲାଭ କରିଛି । ୧୯୯୭ରେ ବିଜେଡି ଗଠନ ହେବା ପରେ ୨୦୦୦ରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ଏବଂ ୨୦୦୪ରେ ବିରୋଧୀ ମେଣ୍ଟ ଓଜିପିର ପ୍ରାର୍ଥୀ ଅରୁଣ ଦେ ବିଜୟୀ ହୋଇଛନ୍ତି । ସେହିପରି ୨୦୦୯ ଏବଂ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ବିଜୟୀ ହୋଇଥିଲେ । ଶେଷଥର ୨୦୧୯ରେ ଏହି ଆସନରୁ ବିଜେପିର ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ ।

ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଦତ୍ତ ପ୍ରାୟ ୪୭.୨୬ ପ୍ରତିଶତ ଭୋଟ ସହ ୭୪,୮୧୫ ଭୋଟ ପାଇଥିଲେ । ସେହିପରି ବିଜେଡି ପ୍ରାର୍ଥୀ ୩୮.୭୯ ପ୍ରତିଶତ ଭୋଟ ସହ ୬୧,୪୦୯ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ଦାସପଟ୍ଟନାୟକ ୧୨.୪୫ ପ୍ରତିଶତ ଭୋଟ ସହ ୧୯୭୦୪ ଖଣ୍ଡ ଭୋଟ ପାଇଥିଲେ । ଉପନିର୍ବାଚନରେ ଦ୍ୱିମୁଖୀ ଲଢେଇ ହେଲେ କଂଗ୍ରେସ ଭୋଟ ଅନ୍ୟ ଦଳକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି ।  ଏହା ପୂର୍ବ ଅର୍ଥାତ ୨୦୧୪ରେ ଏହି ଆସନ ପାଇଁ ଚର୍ତୁକୋଣୀୟ ପ୍ରତିଯୋଗିତା ହୋଇଥିଲା । କଂଗ୍ରେସରୁ ଅରୁଣ ଦେ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ବିଦ୍ରୋହୀ ଭାବେ ମାନସ ଦାସ ପଟ୍ଟନାୟକ ନିର୍ବାଚନ ଲଢିଥିଲେ ।

ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ ରିୟା, ସିଣ୍ଡିକେଟର ଥିଲେ ସକ୍ରିୟ ସଦସ୍ୟ: NCB

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯୋଡ଼ି ହୋଇଥିବା ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନକୁ ନେଇ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି । ଇତି ମଧ୍ୟରେ ମାମଲାର ଯାଞ୍ଚ କରୁଥିବା NCB ( Narcotic Control Bureau ) ହାଇକୋର୍ଟରେ ନିଜ ସତ୍ୟପାଠ ଦାଖଲ କରିଛି । ଏଥିରେ NCB ସ୍ପଷ୍ଟ ଭାବରେ କହିଛି ଯେ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ । ସୁଶାନ୍ତଙ୍କ ଔଷଧ ଖାଇବା ଅଭ୍ୟାସକୁ ଛଡ଼ାଇବା ପାଇଁ ରିୟା ତାଙ୍କୁ ଡ୍ରଗ୍ସ ଦେଉଥିବା NCB ସତ୍ୟପାଠରେ ଉଲ୍ଲେଖ କରିଛି ।

ରିୟା ଚକ୍ରବର୍ତ୍ତୀ ଏବଂ ସୌଭିକ ଚକ୍ରବର୍ତ୍ତୀଙ୍କୁ ଜାମିନ ଦେବା ବିପକ୍ଷରେ ଏନସିବି ନିଜ ସତ୍ୟପାଠରେ କହିଛି ଯେ, ଦୁହେଁ ଡ୍ରଗ ସିଣ୍ଡିକେଟର ସକ୍ରିୟ ସଦସ୍ୟ ଥିଲେ । ଏନସିବିର ଜୋନଲ ଡାଇରେକ୍ଟର ସମୀର ୱାନଖେଡେ ତରଫରୁ ଦାଖଲ କରାଯାଇଥିବା ଜବାବରେ କୁହାଯାଇଛି ଯେ, ରିୟା ଡ୍ରଗ୍ସ କଳାବଜାରୀରୁ ଫାଇନାନ୍ସ କରିଛନ୍ତି । ସତ୍ୟପାଠରେ କୁହାଯାଇଛି ଯେ, ହ୍ୱାଟସଆପ ଚାଟ୍, ମୋବାଇଲ, ଲାପଟପ୍ ଏବଂ ହାର୍ଡ ଡିସ୍କରୁ ସଂଗ୍ରହ କରାଯାଇଥିବା ତଥ୍ୟ ମୁତାବକ ରିୟା ଚକ୍ରବର୍ତ୍ତୀ ଲଗାତାର ଭାବେ ଡ୍ରଗ୍ସ କିଣୁଥିଲେ । ଏହା ସହିତ ଏହି ଅବୈଧ କାରବାରକୁ ଫାଇନାନ୍ସ ମଧ୍ୟ କରୁଥିଲେ ।

ଏନସିବି ସତ୍ୟପାଠରେ କହିଛି ଯେ, ଯଦି ପୂରା ମାମଲାକୁ ଦେଖିବା ତେବେ ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ ନେଉଥିବା ଜାଣି ମଧ୍ୟ ରିୟା ଟକ୍ରବର୍ତ୍ତୀ  ଏହାକୁ ଲୁଚାଇ ରଖିଥିଲେ। ରିୟା ଚକ୍ରବର୍ତ୍ତୀ ତାଙ୍କ ଘରେ ଡ୍ରଗ୍ସ ଗଚ୍ଛିତ କରି ରଖୁଥିଲେ ଏବଂ ପରେ ଏହାକୁ ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଦେଉଥିଲେ । ଏନସିବି ଏହା ମଧ୍ୟ କହିଛି ଯେ ରିୟା ହାଇ ସୋସାଇଟି ପର୍ସନାଲିଟି ସହିତ ଜଡିତ ଡ୍ରଗ୍ ସିଣ୍ଡିକେଟ୍ ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି। ସେ ଡ୍ରଗ୍ସ ଚୋରା କାରବାରରେ ସମ୍ପୃକ୍ତ ଥିବା ପର୍ଯ୍ୟାପ୍ତ ପ୍ରମାଣ ଥିବା ଏନସିବି ଦାବି କରିଛି । ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ଡିଲିଭରୀ କରୁଥିଲେ ଏବଂ କ୍ରେଡିଟ୍ କାର୍ଡ, ନଗଦ ଏବଂ ପେମେଣ୍ଟ ଗେଟୱେ ମାଧ୍ୟମରେ ପେମେଣ୍ଟ କରୁଥିଲେ ।

ଘରୋଇ କ୍ରିକେଟ୍ ଚିନ୍ତା କାହାର? ଆଇପିଏଲ ତ ହେଲା, ଜୁନିୟର ମ୍ୟାଚ୍ ଓ କଳାହାଣ୍ଡି କପ୍ କେବେ?

ଭୁବନେଶ୍ୱର,କଟକ: ବିଳମ୍ୱରେ ହେଉ ପଛେ ଆଇପିଏଲ ଆରମ୍ଭ ହେଲା । ହେଲେ ଘରୋଇ କ୍ରିକେଟର ଭବିଷ୍ୟତ କ’ଣ ? ପ୍ରତି ବର୍ଷ ରାଜ୍ୟସ୍ତରରେ ହେଉଥିବା ଘରୋଇ କ୍ରିକେଟ ଏବର୍ଷ ଆରମ୍ଭ ହୋଇପାରିନି । କରୋନା କଟକଣା ଯୋଗୁଁ ଏସବୁ ଟୁର୍ଣ୍ଣାମେଣ୍ଟ ବନ୍ଦ ହୋଇପଡ଼ିଛି । ସେପ୍ଟେମ୍ୱର ମାସ ବେଳକୁ ଅନ୍ତଜିଲ୍ଲା ଜୁନିୟର ମ୍ୟାଚ ଓ କଳାହାଣ୍ଡି କପ ସରିଯିବା କଥା ।

ହେଲେ ଏଯାବତ୍ ଏସବୁ ଆରମ୍ଭ ବି ହୋଇନି । ରାଜ୍ୟସ୍ତରୀୟ ଟିମ୍ ବଛା ଜୁନିୟର ମ୍ୟାଚ ଓ କଳାହାଣ୍ଡି ମ୍ୟାଚ ଆଧାରରେ ହୁଏ । ଏଣୁ ଏସବୁ ମ୍ୟାଚ୍ ନହେବା ହେତୁ ନୂଆ ଟିମ୍ ବି ତିଆରି ହୋଇପାରୁନି । ପ୍ରତିଭାବାନ କ୍ରିକେଟରମାନେ ଏସବୁକୁ ନେଇ ଏବେ ଚିନ୍ତାରେ । ଖେଳ ଅଭ୍ୟାସ କରିବା ପାଇଁ ମଧ୍ୟ ସୁଯୋଗ ମିଳୁନଥିବା ହେତୁ ଭବିଷ୍ୟତରେ ଖେଳ ପ୍ରଭାବିତ ହେବାର ସମ୍ଭାବନା ରହୁଛି ବୋଲି କିଛି କ୍ରିକେଟର ମତ ରଖିଛନ୍ତି ।

ଅନ୍ୟପକ୍ଷରେ ବିସିସିଆଇ  ରାଜ୍ୟସ୍ତରରେ କ୍ରିକେଟ୍ ଆୟୋଜନ ନେଇ ଚିନ୍ତା କରୁନି । ନୂଆ ଗାଇଡଲାଇନ ଆଣି ଆଇପିଏଲ ହୋଷ୍ଟ କରୁଛି, ହେଲେ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ କଥା ମୁଣ୍ଡରେ ପୁରାଉନି । ଯାହା ଫଳରେ ରାଜ୍ୟ ସ୍ତରରେ କ୍ରିକେଟରମାନଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳୁଛି । କୋଚ୍ ଓ ଖେଳାଳୀ ମାନେ ଘରୋଇ ମ୍ୟାଚ ଯଥାଶୀଘ୍ର କରିବା ପାଇଁ ଦାବି କରୁଛନ୍ତି । ବିଭିନ୍ନ କ୍ରିକେଟ କ୍ଲବ୍ ଓ କ୍ରିକେଟରଙ୍କ କହିବା କଥା ଯେ, ନୂଆ ଏସଓପି ଆଧାରରେ ଖେଳିବାକୁ ଅନୁମତି ମିଳୁ । ଘରୋଇ ମ୍ୟାଚ ଯଥାଶୀଘ୍ର ଆରମ୍ଭ ହେଉ । ବିସିସିଆଇ ଓ ଓସିଏର ମିଳିତ ଉଦ୍ୟମରେ ସମସ୍ୟାର ସମାଧାନ ହେଉ ।

ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? ଜାଣନ୍ତୁ, କ’ଣ କରିବେ…

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଅଧିକାଂଶ ରୋଗୀ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅମ୍ଳଜାନର ସ୍ତର ହ୍ରାସ ପାଉଥିବାରୁ ଡାକ୍ତରଖାନାଗୁଡ଼ିକରେ ଭେଣ୍ଟିଲେଟର ଉପଲବ୍ଧ ହେଉ ନାହିଁ । ଏମିତି ରୋଗୀଙ୍କ ପାଇଁ ପ୍ରୋନ ପୋଜିସନ ଅକ୍ସିଜେନେସନ୍ ପାଖାପାଖି ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ । ପ୍ରତ୍ୟେକ ଚିକିତ୍ସା ପ୍ରଣାଳୀର ବିଶେଷଜ୍ଞ ଡାକ୍ତରମାନେ ଡାକ୍ତରଖାନାରେ ଭର୍ତ୍ତି କରୋନା ରୋଗୀଙ୍କ ପାଇଁ ଏହାକୁ ‘ସଞ୍ଜିବନୀ’ ବୋଲି ବର୍ଣ୍ଣନା କରିଛନ୍ତି।

 

ନିଶ୍ୱାସ ନେବାରେ ଅସୁବିଧା ହେଲେ, ଏହି ଅବସ୍ଥାରେ, ଯେତେବେଳେ ୪୦ ମିନିଟ୍ ପର୍ଯ୍ୟନ୍ତ ଶୋଇଲେ, ଅମ୍ଳଜାନ ପ୍ରବାହ ଶରୀରକୁ ବଢିଥାଏ । ପେଟରେ ଭରା ଦେଇ ଶୋଇବା ଦ୍ୱାରା ଭେଣ୍ଟିଲେସନ୍ ଉନ୍ନତ ହୁଏ । ନିଶ୍ୱାସ ନେବାରେ ଅସୁବିଧା ହେଲେ କୋଭିଡ ରୋଗୀଙ୍କୁ ଏହି ପ୍ରକ୍ରିୟା ଚେଷ୍ଟା କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏହି ପୋଜିସନ୍ କୁ ଏକ୍ୟୁଟ୍ ରେସ୍ପିରେଟରୀ ଡିସଟ୍ରେସ୍ ଅବସ୍ଥାରେ କରାଯାଏ । ଏହି ସ୍ଥିତିରେ ଫୁସ୍ ଫୁସ୍ ର ତଳ ଅଂଶକୁ ପାଣି ଆସେ ।

ଶରୀରକୁ ଏଭଳି ପୋଜିସନକୁ ଆଣିବା ବେଳେ ବେକ ଓ ପେଟ ପାଖରେ ତକିଆ ରଖିବା ନିହାତି ଆବଶ୍ୟକ । ପ୍ରତି ୬ରୁ ୭ ଘଣ୍ଟା ବ୍ୟବଧାନରେ ୪୦ରୁ ୪୫ ମିନିଟ ଏଭଳି କରାଯିବା ଉଚିତ୍ । ଏହାବ୍ୟତୀତ ପେଟ ମାଡ଼ି ଶୋଇବା ବେଳେ ହାତକୁ ଅଣ୍ଟା ପାଖରେ ରଖନ୍ତୁ ।  ରକ୍ତ ସଞ୍ଚାଳନକୁ ସ୍ୱାଭାବିକ କରିବା ପାଇଁ ଏଭଳି କରାଯାଇଥାଏ । ସଙ୍ଗୀନ କରୋନା ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଫଳପ୍ରଦ ହୁଏ  । ଡ଼ାକ୍ତରଖାନାରେ ଭେଣ୍ଟିଲେଟର ନମିଳିବା ପର୍ଯ୍ୟନ୍ତ ଏଭଳି ପଦ୍ଧତିରେ ଚିକିତ୍ସା କରାଯାଇପାରିବ । ଏହାକୁ ପ୍ରୋନ୍ ପୋଜିସନ କୁହାଯାଇଥାଏ । ପ୍ରାୟତଃ ୮୦ ପ୍ରତିଶତ କ୍ଷେତ୍ରରେ ଏଭଳି କରିବା ଦ୍ୱାରା ସଫଳତା ମିଳିଥାଏ ।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ୍

ଭୁବନେଶ୍ୱର: କରୋନା କବଳରେ ନେତା । ସାଧାରଣ ଲୋକଙ୍କ ଠାରୁ ସାଂସଦ ମହାମାରୀ କରୋନା କାହାକୁ ବି ଛାଡ଼ୁନି । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସାଂସଦ ସସ୍ମିତ ପାତ୍ର ସୋସିଆଲ୍ ମିଡିଆରେ ନିଜେ ସୂଚନା ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । କୋଭିଡ୍ ଗାଇଡଲାଇନ୍ ମାନି ସେ ହୋମ୍ ଆଇସୋଲେସନରେ ଅଛନ୍ତି ।

ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବା ସହ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ ପାତ୍ର । ଏହା ପୂର୍ବରୁ ସଂସଦ ମୌସୁମୀ ଅଧିବେଶନ କାଳରେ ଏକାଧିକ ସାଂସଦ ଓ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

୬ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ସ୍ପିରିଟ ଜବତ, ନକଲି ମଦରେ ହୋଇଥାନ୍ତା ବ୍ୟବହାର

ରାଉରକେଲା: ବେଆଇନ ଭାବେ ସ୍ପିରିଟ ମହଜୁଦ ରଖିଥିବା ଅଭିଯୋଗରେ ରେଡ୍‌ । ବିନା ଲାଇସେନ୍ସରେ ରଖାଯାଇଥିଲା ହଜାର ହଜାର ଲିଟର ସ୍ପିରିଟ । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚିକଟମାଟି ଗାଁରେ ଚଢାଉ କରାଯାଇଛି । ରେଡ ସମୟରେ ୪ହଜାର ଲିଟର ସ୍ପିରିଟ ଜବତ କରାଯାଇଛି । ଜବତ ସ୍ପିରିଟର ଆନୁମାନିକ ମୁଲ୍ୟ ୬ ଲଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ବିନା ଲାଇସେନ୍ସରେ ସ୍ପିରିଟର ବ୍ୟବସାୟ କରୁଥିବା ଅଭିଯୋଗରେ ରାଉରକେଲା ସହରର ଓରାମପଡା ଅଞ୍ଚଳର  ସୁବାଶ ଗୁପ୍ତା ଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ପଚରା ଉଚରା କରାଯାଇଛି ।

ଏହି ସ୍ପିରିଟକୁ ବେଆଇନ ମଦ ତିଆରିରେ ବ୍ୟବହାର କରାଯାଇଥାଏ । ଯାହାକୁ ପିଇ ଲୋକଙ୍କର ମୃତ୍ୟୁ ହୋଇଥାନ୍ତା ବୋଲି ରାଉରକେଲା ଅବକାରୀ ଵିଭାଗ ଡିଏସପି ସୂଚନା ଦେଇଛନ୍ତି । ଗିରଫ ବ୍ୟବସାୟୀ ସ୍ପିରିଟ କେଉଁ ଠାରୁ ଆଣିଥିଲେ ଓ ଏହି ବେଆଇନ କାରବାରରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଓଟିଭିର ଜମି ଜବରଦଖଲ ଘଟଣା: ସାରୁଅ ବାସିନ୍ଦାଙ୍କୁ ପୋଖରୀ ମନା !

ଭୁବନେଶ୍ୱର: ଓଟିଭି ପାଇଁ ବଢିଲା ଅଡୁଆ । ଗ୍ରାମବାସୀଙ୍କ ଅଭିଯୋଗ ପରେ ଓଟିଭିର ବେଆଇନ୍ ଜମି ଜବର ଦଖଲ ମାମଲାରେ ସକ୍ରିୟ ହୋଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ସାରୁଅ ଗାଁରେ ପହଞ୍ଚି ଗତକାଲିଠାରୁ ତଦନ୍ତ ଆରମ୍ଭ କରିଥିଲେ । ଆଜି ହେଉଛି ତଦନ୍ତର ଦ୍ୱିତୀୟ ଦିନ । ସାରୁଅର ନକ୍ସା ସହ ଓଟିଭି ଅକ୍ତିଆର କରିଥିବା ଜମିକୁ ଅନୁଧ୍ୟାନ କରିଛି ତଦନ୍ତକାରୀ ଟିମ ।

ଖୋର୍ଦ୍ଧା ସାରୁଅରେ ଓଟିଭି ମାଲିକାଣୀ ଜଗି ମଙ୍ଗତ ପଣ୍ଡା ଜମି ଜବରଦାଖଲ କରିଥିବା ଅଭିଯୋଗ ଉପରେ ପ୍ରଶାସନିକ ତଦନ୍ତ ଜାରି ରହିଛି । ଦୁଇ ଜଣ ପ୍ରଶାସନିକ ଅଧିକାରୀ ଆଜି ସାରୁଅ ମଲ୍ଲିକ ସାହିରେ ପହଞ୍ଚି ତଦନ୍ତ କରୁଛନ୍ତି । ସ୍ଥାନୀୟ ଲୋକମାନଙ୍କଠୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି। ଲୋକମାନେ ପୋଖରୀ ଓ ଚାଷଜମି  ବ୍ୟବହାର କରିପାରୁ ନାହାନ୍ତି ବୋଲି ଅଧିକାରୀଙ୍କୁ ଜଣାଇଛନ୍ତି ।

OTV Sarua Land Grabbing Case, Khordha District Administration Started Investigation

ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଏବଂ ଡେପୁଟି କଲେକ୍ଟର ତରୁଣ କାନ୍ତ ମହାପାତ୍ର ଆଜିର ତଦନ୍ତରେ ସାମିଲ ହୋଇଛନ୍ତି । ଓଟିଭି କେତେ ଜମି ହାତେଇଛି ତାର ସ୍ଥିତାବସ୍ଥା କଣ ? ସାରୁଅ ଗାଁରେ ସର୍‌ଜମିନ ଅନୁଧ୍ୟାନ କରୁଛି ପ୍ରଶାସନ । ନକ୍ସା ଦେଖି ଜମି ଅନୁଧ୍ୟାନ କରାଯାଉଛି । ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ଉପଜିଲ୍ଲାପାଳ ରିପୋର୍ଟ ଦେବେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଏଡିଏମ କହିଛନ୍ତି ।

ବାଲେଶ୍ୱର,ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା,ନଭେମ୍ବର ୩ରେ ଭୋଟ୍

ନୂଆଦିଲ୍ଲୀ: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବ । ଏନେଇ ଆଜି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଅକ୍ଟୋବର ୯ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ  । ଅକ୍ଟୋବର ୧୬ ତାରିଖ ହେଉଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ  । ଅକ୍ଟୋବର ୧୭ରେ ପାର୍ଥୀପତ୍ର ଯାଂଚ ହେବ ।

ଅକ୍ଟୋବର ୧୯ ତାରିଖ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ ।  ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୧୨ ପୂର୍ବରୁ ସରିବ ।  ନିର୍ବାଚନ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।  ନଭେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ସରିବା ପରେ ନଭେମ୍ବର ୧୦ ତାରିଖରେ ଫଳାଫଳ ଘୋଷଣା ହେବ ।

ଓଡ଼ିଶା ସମେତ ଗୁଜୁରାଟ,ନାଗାଲ୍ୟାଣ୍ଡ୍,ମଣିପୁର ସମେତ କିଛି ରାଜ୍ୟର ୫୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।  ଏହି ସବୁ ସିଟରେ ନଭେମ୍ବର ୩ ତାରିଖରେ ଭୋଟ୍ ପଡିବ । କରୋନା ଗାଇଡ୍ ଲାଇନ୍ ଅନୁସାରେ ଭୋଟିଂ ହେବ ।  ତେବେ ଆସାମ,କେରଳ,ତାମିଲନାଡୁ ଓ ପ.ବଙ୍ଗର ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ନାହିଁ ।

ଏହି ସବୁ ରାଜ୍ୟରେ ଭୋଟିଂ କରିବାରେ ଅସୁବିଧା ହେବାର ସମ୍ଭାବନା ଥିବାରୁ ନିର୍ବାଚନ ନକରିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି । ପରେ ଏହି ସବୁ ରାଜ୍ୟରେ ଉପ-ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କମିଶନ କହିଛନ୍ତି ।

ହାଏରେ ଦୁନିଆ ! ବାପାଙ୍କଠାରୁ ଲୁଡୋରେ ହାରିଲେ ଝିଅ, ଅଲଗା ହେବାକୁ କୋର୍ଟ ଗଲେ

ଭୋପାଲ: ପବଜୀ ପାଇଁ ଜୀବନ ଯାଉଛି ଶୁଣୁଥିଲେ । ଏବେ ଶୁଣନ୍ତୁ ଲୁଡୁ ପାଇଁ ବାପା ଝିଅ ସଂପର୍କରେ ଫାଟ ସୃଷ୍ଟି ହେଲାଣି ।  ଲୁଡୋ ଖେଳ ବାପ ଝିଅ ସମ୍ପର୍କ ଭାଙ୍ଗିବାର କାରଣ ପାଲଟିଛି । ଖେଳରେ ହାରିବା ଯୋଗୁଁ ଝିଅ ତାଙ୍କ ବାପାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାଁନ୍ତି ।  ଏଭଳି ଏକ ତାଜୁବ କଲା ଭଳି ମାମଲା ପାରିବାରିକ କୋର୍ଟରେ ପହଞ୍ଚିଛି ।

ଖେଳକୁ ଲୋକଙ୍କ ସହ ମିଶିବା, ମଜା ମସ୍ତି କରିବା ପାଇଁ ଏକ ମାଧ୍ୟମ ବୋଲି କୁହାଯାଏ । କିନ୍ତୁ ଆଜିକାଲି ପରାଜୟ ସମ୍ପର୍କରେ ଫାଟ ସୃଷ୍ଟି କରିବାର କାରଣ ହେବାରେ ଲାଗିଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ୨୪ ବର୍ଷୀୟ ଝିଅ ଲୁଡୋରେ ନିଜ ବାପାଙ୍କଠୁ ହାରିଥିବାରୁ ତାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି।

ଭୋପାଲର ଜଣେ ଯୁବତୀ ତାଙ୍କ ପିତା ଏବଂ ଭାଇଭଉଣୀଙ୍କ ସହ ଲୁଡୋ ଖେଳୁଥିଲେ । ଖେଳରେ, ବାପା ଜିତିଥିବାରୁ ତାଙ୍କ ଝିଅ ଏତେ ମାତ୍ରାରେ ଆଘାତ ପାଇଛନ୍ତି ଯେ,ସେ ନିଜ ବାପାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ବି ପଛେଇଲେନି । ଖେଳରେ ହାରିଥିବାରୁ ସେ ତାଙ୍କ ବାପାଙ୍କୁ ଘୃଣା କରୁଛନ୍ତି । ସେଥିପାଇଁ ସେ ପରିବାର ପରାମର୍ଶ କେନ୍ଦ୍ରରେ ଯାଇ ପହଞ୍ଚିଥିଲେ ।

ପରିବାର କୋର୍ଟର କାଉନ୍ସିଲର ସରିତା ରଜନୀଙ୍କ କହିବା ଅନୁସାରେ, ଜଣେ ୨୪ ବର୍ଷୀୟ ଯୁବତୀ ଏଭଳି ମାମଲା ନେଇ ତାଙ୍କ ପାଖକୁ ଯାଇଥିଲେ ଯାହା ତାଙ୍କୁ ଆଚମ୍ବିତ କରିଥିଲା ।  ସେ ନିଜ ପିତାଙ୍କଠୁ ଲୁଡୋ ଖେଳରେ ହାରିବା ଯୋଗୁଁ ତାଙ୍କ ସହ ସମ୍ପର୍କ ସମାପ୍ତ କରିବାକୁ ଚାହାନ୍ତି । ଯୁବତୀଙ୍କ କହିବା ଅନୁସାରେ, ତାଙ୍କ ପିତା ସେମାନଙ୍କ ପାଇଁ ସବୁକିଛି କରୁଥିଲେ । ହଠାତ୍ ସେହି ମଣିଷ କିପରି ତାଙ୍କ ପିଲାଙ୍କୁ ଖେଳରେ ହରାଇବେ । ଏହା ସହ ସେ କହିଛନ୍ତି ଯେ, “ମୁଁ ମୋ ବାପାଙ୍କୁ ବାପା ବୋଲି କହିବାକୁ ମଧ୍ୟ ପସନ୍ଦ କରୁ ନାହିଁ”। ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସରିତା ପ୍ରଥମ ଥର ଦେଖିବାକୁ ପାଇଛନ୍ତି । ସେହି ଯୁବତୀଙ୍କୁ ଚାରିଥର କାଉନ୍ସିଲିଂ କରିବା ପରେ ତାଙ୍କ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ଓ ସେ ନିଜ ବାପାଙ୍କ ପାଇଁ ଘୃଣା ଭାବ କମ କରିଛନ୍ତି ।

ପରିବାର କୋର୍ଟର କାଉନ୍ସିଲର ସରିତା କହିଛନ୍ତି ଯେ, ଆଜିକାଲି ପିଲାମାନଙ୍କ ମଧ୍ୟରେ ଜିତିବାର ଏଭଳି ଅଭ୍ୟାସ ରହିଛି ଯେ, ସେମାନେ ନିଜର ହାର କୁ ସ୍ୱୀକାର କରିପାରୁ ନାହାଁନ୍ତି । ସେମାନେ ଜାଣିବା ଆବଶ୍ୟକ ଯେ, ଖେଳରେ ହାର ଜିତ୍ ଲାଗି ରହିଥାଏ ।