ହାଏରେ ଦୁନିଆ ! ବାପାଙ୍କଠାରୁ ଲୁଡୋରେ ହାରିଲେ ଝିଅ, ଅଲଗା ହେବାକୁ କୋର୍ଟ ଗଲେ

ଭୋପାଲ: ପବଜୀ ପାଇଁ ଜୀବନ ଯାଉଛି ଶୁଣୁଥିଲେ । ଏବେ ଶୁଣନ୍ତୁ ଲୁଡୁ ପାଇଁ ବାପା ଝିଅ ସଂପର୍କରେ ଫାଟ ସୃଷ୍ଟି ହେଲାଣି ।  ଲୁଡୋ ଖେଳ ବାପ ଝିଅ ସମ୍ପର୍କ ଭାଙ୍ଗିବାର କାରଣ ପାଲଟିଛି । ଖେଳରେ ହାରିବା ଯୋଗୁଁ ଝିଅ ତାଙ୍କ ବାପାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାଁନ୍ତି ।  ଏଭଳି ଏକ ତାଜୁବ କଲା ଭଳି ମାମଲା ପାରିବାରିକ କୋର୍ଟରେ ପହଞ୍ଚିଛି ।

ଖେଳକୁ ଲୋକଙ୍କ ସହ ମିଶିବା, ମଜା ମସ୍ତି କରିବା ପାଇଁ ଏକ ମାଧ୍ୟମ ବୋଲି କୁହାଯାଏ । କିନ୍ତୁ ଆଜିକାଲି ପରାଜୟ ସମ୍ପର୍କରେ ଫାଟ ସୃଷ୍ଟି କରିବାର କାରଣ ହେବାରେ ଲାଗିଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ୨୪ ବର୍ଷୀୟ ଝିଅ ଲୁଡୋରେ ନିଜ ବାପାଙ୍କଠୁ ହାରିଥିବାରୁ ତାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି।

ଭୋପାଲର ଜଣେ ଯୁବତୀ ତାଙ୍କ ପିତା ଏବଂ ଭାଇଭଉଣୀଙ୍କ ସହ ଲୁଡୋ ଖେଳୁଥିଲେ । ଖେଳରେ, ବାପା ଜିତିଥିବାରୁ ତାଙ୍କ ଝିଅ ଏତେ ମାତ୍ରାରେ ଆଘାତ ପାଇଛନ୍ତି ଯେ,ସେ ନିଜ ବାପାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ବି ପଛେଇଲେନି । ଖେଳରେ ହାରିଥିବାରୁ ସେ ତାଙ୍କ ବାପାଙ୍କୁ ଘୃଣା କରୁଛନ୍ତି । ସେଥିପାଇଁ ସେ ପରିବାର ପରାମର୍ଶ କେନ୍ଦ୍ରରେ ଯାଇ ପହଞ୍ଚିଥିଲେ ।

ପରିବାର କୋର୍ଟର କାଉନ୍ସିଲର ସରିତା ରଜନୀଙ୍କ କହିବା ଅନୁସାରେ, ଜଣେ ୨୪ ବର୍ଷୀୟ ଯୁବତୀ ଏଭଳି ମାମଲା ନେଇ ତାଙ୍କ ପାଖକୁ ଯାଇଥିଲେ ଯାହା ତାଙ୍କୁ ଆଚମ୍ବିତ କରିଥିଲା ।  ସେ ନିଜ ପିତାଙ୍କଠୁ ଲୁଡୋ ଖେଳରେ ହାରିବା ଯୋଗୁଁ ତାଙ୍କ ସହ ସମ୍ପର୍କ ସମାପ୍ତ କରିବାକୁ ଚାହାନ୍ତି । ଯୁବତୀଙ୍କ କହିବା ଅନୁସାରେ, ତାଙ୍କ ପିତା ସେମାନଙ୍କ ପାଇଁ ସବୁକିଛି କରୁଥିଲେ । ହଠାତ୍ ସେହି ମଣିଷ କିପରି ତାଙ୍କ ପିଲାଙ୍କୁ ଖେଳରେ ହରାଇବେ । ଏହା ସହ ସେ କହିଛନ୍ତି ଯେ, “ମୁଁ ମୋ ବାପାଙ୍କୁ ବାପା ବୋଲି କହିବାକୁ ମଧ୍ୟ ପସନ୍ଦ କରୁ ନାହିଁ”। ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସରିତା ପ୍ରଥମ ଥର ଦେଖିବାକୁ ପାଇଛନ୍ତି । ସେହି ଯୁବତୀଙ୍କୁ ଚାରିଥର କାଉନ୍ସିଲିଂ କରିବା ପରେ ତାଙ୍କ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ଓ ସେ ନିଜ ବାପାଙ୍କ ପାଇଁ ଘୃଣା ଭାବ କମ କରିଛନ୍ତି ।

ପରିବାର କୋର୍ଟର କାଉନ୍ସିଲର ସରିତା କହିଛନ୍ତି ଯେ, ଆଜିକାଲି ପିଲାମାନଙ୍କ ମଧ୍ୟରେ ଜିତିବାର ଏଭଳି ଅଭ୍ୟାସ ରହିଛି ଯେ, ସେମାନେ ନିଜର ହାର କୁ ସ୍ୱୀକାର କରିପାରୁ ନାହାଁନ୍ତି । ସେମାନେ ଜାଣିବା ଆବଶ୍ୟକ ଯେ, ଖେଳରେ ହାର ଜିତ୍ ଲାଗି ରହିଥାଏ ।

Leave a Reply