ଘରୋଇ କ୍ରିକେଟ୍ ଚିନ୍ତା କାହାର? ଆଇପିଏଲ ତ ହେଲା, ଜୁନିୟର ମ୍ୟାଚ୍ ଓ କଳାହାଣ୍ଡି କପ୍ କେବେ?

ଭୁବନେଶ୍ୱର,କଟକ: ବିଳମ୍ୱରେ ହେଉ ପଛେ ଆଇପିଏଲ ଆରମ୍ଭ ହେଲା । ହେଲେ ଘରୋଇ କ୍ରିକେଟର ଭବିଷ୍ୟତ କ’ଣ ? ପ୍ରତି ବର୍ଷ ରାଜ୍ୟସ୍ତରରେ ହେଉଥିବା ଘରୋଇ କ୍ରିକେଟ ଏବର୍ଷ ଆରମ୍ଭ ହୋଇପାରିନି । କରୋନା କଟକଣା ଯୋଗୁଁ ଏସବୁ ଟୁର୍ଣ୍ଣାମେଣ୍ଟ ବନ୍ଦ ହୋଇପଡ଼ିଛି । ସେପ୍ଟେମ୍ୱର ମାସ ବେଳକୁ ଅନ୍ତଜିଲ୍ଲା ଜୁନିୟର ମ୍ୟାଚ ଓ କଳାହାଣ୍ଡି କପ ସରିଯିବା କଥା ।

ହେଲେ ଏଯାବତ୍ ଏସବୁ ଆରମ୍ଭ ବି ହୋଇନି । ରାଜ୍ୟସ୍ତରୀୟ ଟିମ୍ ବଛା ଜୁନିୟର ମ୍ୟାଚ ଓ କଳାହାଣ୍ଡି ମ୍ୟାଚ ଆଧାରରେ ହୁଏ । ଏଣୁ ଏସବୁ ମ୍ୟାଚ୍ ନହେବା ହେତୁ ନୂଆ ଟିମ୍ ବି ତିଆରି ହୋଇପାରୁନି । ପ୍ରତିଭାବାନ କ୍ରିକେଟରମାନେ ଏସବୁକୁ ନେଇ ଏବେ ଚିନ୍ତାରେ । ଖେଳ ଅଭ୍ୟାସ କରିବା ପାଇଁ ମଧ୍ୟ ସୁଯୋଗ ମିଳୁନଥିବା ହେତୁ ଭବିଷ୍ୟତରେ ଖେଳ ପ୍ରଭାବିତ ହେବାର ସମ୍ଭାବନା ରହୁଛି ବୋଲି କିଛି କ୍ରିକେଟର ମତ ରଖିଛନ୍ତି ।

ଅନ୍ୟପକ୍ଷରେ ବିସିସିଆଇ  ରାଜ୍ୟସ୍ତରରେ କ୍ରିକେଟ୍ ଆୟୋଜନ ନେଇ ଚିନ୍ତା କରୁନି । ନୂଆ ଗାଇଡଲାଇନ ଆଣି ଆଇପିଏଲ ହୋଷ୍ଟ କରୁଛି, ହେଲେ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ କଥା ମୁଣ୍ଡରେ ପୁରାଉନି । ଯାହା ଫଳରେ ରାଜ୍ୟ ସ୍ତରରେ କ୍ରିକେଟରମାନଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳୁଛି । କୋଚ୍ ଓ ଖେଳାଳୀ ମାନେ ଘରୋଇ ମ୍ୟାଚ ଯଥାଶୀଘ୍ର କରିବା ପାଇଁ ଦାବି କରୁଛନ୍ତି । ବିଭିନ୍ନ କ୍ରିକେଟ କ୍ଲବ୍ ଓ କ୍ରିକେଟରଙ୍କ କହିବା କଥା ଯେ, ନୂଆ ଏସଓପି ଆଧାରରେ ଖେଳିବାକୁ ଅନୁମତି ମିଳୁ । ଘରୋଇ ମ୍ୟାଚ ଯଥାଶୀଘ୍ର ଆରମ୍ଭ ହେଉ । ବିସିସିଆଇ ଓ ଓସିଏର ମିଳିତ ଉଦ୍ୟମରେ ସମସ୍ୟାର ସମାଧାନ ହେଉ ।

Leave a Reply