spot_img
Home Blog Page 6376

ଜୀବନ ନେଉଛି ଅଜଣା ରୋଗ, ଦୁଇ ଜଣଙ୍କ ପରେ ପରିବାରର ଆଉ ଜଣେ ଆକ୍ରାନ୍ତ

ଗଞ୍ଜାମ: ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଅଜଣା ରୋଗ । ପ୍ରଥମେ ଦୁଇ ପୁଅଙ୍କ ଅଜଣା ରୋଗରେ ମୃତ୍ୟୁ ହେବା ପରେ ଏବେ ଝିଅ ରଶ୍ମିତାଙ୍କୁ ମଧ୍ୟ ହୋଇଛି ସମାନ ରୋଗ । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ରଶ୍ମିତାଙ୍କ ଚିକିତ୍ସା କରିପାରୁ ନାହାଁନ୍ତି ବାପା, ମାଆ । ସବୁ ଆଡୁ ନିରାଶ ହେବା ପରେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଗରିବ ପରିବାର ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖାରିପାଲ୍ଲୀର ଧୋବା ପ୍ରଧାନଙ୍କ ଝିଅ ରଶ୍ମିତା, ବୟସ ମାତ୍ର ୨୫ ବର୍ଷ । ପାଠ ପଢିବା ବୟସରେ ସେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ଉଠି ପାରୁନାହାଁନ୍ତି କି ଚଲାବୁଲା କରି ପାରୁନାହାଁନ୍ତି । ସପ୍ତମ ଶ୍ରେଣୀରୁ ସେ ଏହି ରୋଗର ଶିକାର ହୋଇଥିବା ପରିବାର ଲୋକ କହିଛନ୍ତି । କେବଳ ରଶ୍ମିତା ନୁହଁନ୍ତି ଏହି ସମାନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି ପରିବାର ଦୁଇ ଭେଣ୍ଡିଆ ପୁଅ । ଆଉ ଏବେ ଝିଅ ରଶ୍ମିତାଙ୍କ ଅବସ୍ଥା ଦେଖି ଦୁଃଖରେ ଭାଂଗି ପଡ଼ିଛନ୍ତି ବାପା, ମା’ ।

ଚିକିତ୍ସା ପାଇଁ ରଶ୍ମିତାଙ୍କୁ ବ୍ରହ୍ମପୁର, କଟକ, ହାଇଦ୍ରାବାଦ ଓ ମୁମ୍ବାଇର ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ରୋଗ ନିରୂପଣ କରିପାରୁନଥିବାରୁ ଚିକିତ୍ସା ଆଗେଇ ପାରୁନାହିଁ । ଫଳରେ ବାରମ୍ବାର ରାଜ୍ୟ ଓ ରାଜ୍ୟ ବାହାର ହସ୍ପିଟାଲକୁ ନେଇ ସର୍ବସ୍ୱାନ୍ତ ହୋଇଛନ୍ତି ପରିବାର । ଏଭଳି ପରିସ୍ଥିତିରେ ରଶ୍ମିତାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ନାଗ୍ରୋଟା ଏନକାଉଣ୍ଟରର ପାକିସ୍ତାନକୁ ଭାରତ ହସ୍ତାନ୍ତର କଲା ପ୍ରମାଣ, ମରିଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ସଦସ୍ୟ

ନୂଆଦିଲ୍ଲୀ: ନାଗରୋଟାରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରରେ ପାକିସ୍ତାନର ହାତ ଥିବା ଜଣାପଡ଼ିଛି । ଏହା ପରେ ପାକିସ୍ତାନ ପୁଣି ଥରେ ବିଶ୍ୱ ସାମ୍ନାରେ ତାର ଏଭଳି ଦୋଷୁ ଏଡାଇବାକୁ ଚେଷ୍ଟା କରିଛି । ଗୋଟିଏ ପଟେ ଇସଲାମାବାଦ ନିଜର ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛି, ଅନ୍ୟ ପଟେ ଭାରତ ଆଜି ନାଗରୋଟା ଏନକାଉଣ୍ଟର ସମ୍ବନ୍ଧୀୟ ଦସ୍ତାବିଜକୁ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ହସ୍ତାନ୍ତର କରିଛି ।

ଏହା ସହିତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ମଧ୍ୟ ଭାରତରୁ କୁହାଯାଇଛି ଯେ, ନାଗରୋଟାରେ ନିହତ ହୋଇଥିବା ସମସ୍ତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ବୋଲି ।

ନାଗରୋଟାରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନରେ ନିର୍ମିତ Q କମ୍ପାନୀର ମୋବାଇଲ୍ ସେଟ୍, ସ୍ଥାନୀୟ ଜିପିଏସ୍ ଏବଂ ଓୟାରଲେସ ଫୋନ ମିଳିଛି । ଯାହା ଖୋଲାଖୋଲି ଭାବେ ଏହି ଷଡଯନ୍ତ୍ରରେ ପାକିସ୍ତାନର ସମ୍ପୃକ୍ତି ଥିବା ଦର୍ଶାଇଛି । ଏହି ପରିପ୍ରେକ୍ଷୀରେ, ନୂଆଦିଲ୍ଲୀରେ ପାକିସ୍ତାନ କୂଟନୀତିଜ୍ଞଙ୍କୁ ଡାକି ଭାରତ ତାଗିଦ୍ କରିଛି । କିନ୍ତୁ ପାକିସ୍ତାନ ପୁଣି ଥରେ ନିଜର ପୁରୁଣା ଆଚରଣକୁ ବଜାୟ ରଖିଛି ।

ଏହି ପ୍ରମାଣକୁ ପ୍ରତ୍ୟାଖ୍ୟାନ କରିବାବେଳେ ପାକିସ୍ତାନ ଇସଲାମାବାଦରେ ଉପସ୍ଥିତ ଥିବା ଭାରତୀୟ କୂଟନୀତିଜ୍ଞ ଗୌରବ ଅହଲୁୱାଲିଆଙ୍କୁ ଡକାଇଥିଲା । ପୂର୍ବଭଳି ପାକିସ୍ତାନ ଭାରତର ଅଭିଯୋଗକୁ ଅସ୍ୱୀକାର କରି କହିଛି ଯେ ଭାରତ ଭିତ୍ତିହୀନ ଅଭିଯୋଗ କରୁଛି ।

ଶନିବାର ଦିନ ଭାରତ ଏହି ମାମଲାରେ ନୂଆଦିଲ୍ଲୀରେ ଅବସ୍ଥାପିତ ଜଣେ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଡକାଇ ଭାରତ ପକ୍ଷରୁ ପ୍ରମାଣ ସହ ତାଗିଦ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ନାଗରୋଟାରେ ହତ୍ୟା କରାଯାଇଥିବା ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦର ସଦସ୍ୟ । ଭାରତ କହିଛି ଯେ ପାକିସ୍ତାନ ଏହି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥାଏ ବୋଲି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିବା ଏକ ବଡ଼ ଆକ୍ରମଣ ଯୋଜନା କରୁଥିବା ଦର୍ଶାଉଛି । ଭାରତ ଖୋଲାଖୋଲି ଭାବେ ପାକିସ୍ତାନକୁ କହିଛି ଯେ ପାକିସ୍ତାନ ଆତଙ୍କବାଦୀ ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରିବା ନୀତିରୁ ନିବୃତ୍ତ ହେବା ଉଚିତ ଏବଂ ସେଠାରେ ଥିବା ଶିବିରକୁ ଧ୍ୱଂସ କରିବା ଉଚିତ । ଯେଉଁଠାରେ ଅନ୍ୟ ଦେଶ ଉପରେ ଆକ୍ରମଣ କରିବାର ରଣନୀତି ଯୋଜନା କରାଯାଇଛି ଏବଂ ତାଲିମ ଦିଆଯାଉଛି ।

 

ପରାଜୟର କାରଣ ଖୋଜିବେ, କର୍ମୀଙ୍କ ସହ ଫେସ୍‌ ଟୁ ଫେସ୍‌ ଆଲୋଚନା କରିବେ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀରେ ଓଡ଼ିଶା ଆସି ପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଡିସେମ୍ବରରେ ନଡ୍ଡା ସାରାଦେଶକୁ ୧୨୦ଦିନିଆ ମାରାଥନ ଗସ୍ତ କରିବେ । ଓଡ଼ିଶାରେ ଅମିତ ଶାହଙ୍କ ଅଧୁରା ମିଶନ-୧୨୦କୁ ତ୍ୱରାନ୍ୱିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ନଡ୍ଡାଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି କହୁଥିବା ବେଳେ ମିଶନ- ୧୨୦ର ଅସ୍ତିତ୍ୱକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି ।

ସାରା ଭାରତ ବୁଲିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଦଳୀୟ କାର୍ଯ୍ୟକ୍ରମ ଭିତରେ ଫୋକସ୍‌ରେ ରହିବ ପଶ୍ଚିମବଙ୍ଗ ନିର୍ବାଚନ । ଏହାସହ ବିଭିନ୍ନ ରାଜ୍ୟରେ ପୌର, ପଞ୍ଚାୟତ ଓ ୨୦୨୪ ସାଧାରଣ ନିର୍ବାଚନ । ନଡ୍ଡାଙ୍କ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତ ହେଉଛି । ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁଆରୀ ମାସରେ ନଡ୍ଡା ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଓଡ଼ିଶାରେ ଏପରି କିଛି ଦିଗ ନେଇ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା ହୋଇପାରେ ।

୧୨୦ ମିଶନ ଫେଲ୍ ମାରିବାର କାରଣ ? ଉପନିର୍ବାଚନ ହାରିବାର କାରଣ ? ବାଲେଶ୍ୱର ହାତରୁ ଖସିବାର ଖଳନାୟକ କିଏ ? ସାଧାରଣ ନିର୍ବାଚନ ତୁଳନାରେ ଉପନିର୍ବାଚନ ଭୋଟ୍‌ କମିବା ଆଦି ପ୍ରସଙ୍ଗରେ ନଡ୍ଡା ଚର୍ଚ୍ଚା କରିପାରନ୍ତି ।

୨୦୧୪ ଓ ୨୦୧୯ରେ ସାରା ଦେଶରେ ମୋଦି ଲହର ଥିଲା । ହେଲେ ଓଡ଼ିଶାରେ ତାହା କାମ କଲା ନାହିଁ । ନବୀନ ପଟ୍ଟନାୟକଙ୍କ କଲ୍ୟାଣକାରୀ ଯୋଜନା ଯୋଗୁ ବିଜେଡିର ଲୋକପ୍ରିୟତା ବଢ଼ିଛି । ତେଣୁ ନଡ୍ଡାଙ୍କ ଗସ୍ତ ପ୍ରଭାବହୀନ ହେବ ବୋଲି ବିଜେଡି ଯୁକ୍ତି ବାଢିଛି । ଅନ୍ୟପଟେ ୨୦୧୭ରେ ଓଡ଼ିଶା ଆସି ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଜେପିର ମିଶନ- ୧୨୦ ପ୍ଲସ୍‌ ନେଇ ଦମ୍ଭୋକ୍ତି କରିଥିଲେ । ଯାହାକୁ ନେଇ ନଡ୍ଡାଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

JP Nadda

୨୦୧୯ ନିର୍ବାଚନରେ ତର୍ତ୍ତୋଲରେ ପରାଜିତ ହେବା ସତ୍ତ୍ୱେ ବିଜେପି ୫୩ ହଜାର ୫୮୧ ଭୋଟ୍‌ ପାଇଥିଲା । ୨୦୨୦ ଉପନିର୍ବାଚନରେ ଏହା ୪୬ ହଜାର ୬୯୭କୁ ଖସିଲା । ବିଜେପି ପାଇଁ ବଡ଼ ବିଡ଼ମ୍ବନା ହେଲା ବାଲେଶ୍ୱର । ୨୦୧୯ରେ ବିଜେପି ଏଠାରେ ୭୪ ହଜାର ୮୧୫ ଭୋଟ୍‌ ପାଇ ଜିତିଥିଲା । କିନ୍ତୁ ଗତ ଉପନିର୍ବାଚନରେ ଦିବଂଗତ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରିବା ସତ୍ତ୍ୱେ ୭୦ ହଜାର ୭୪୬ ଭୋଟ ପାଇ ବିଜେପି ପରାଜିତ ହୋଇଛି । ମୁଖ୍ୟତଃ ଏହି ପରାଜୟର ସମୀକ୍ଷା ପାଇଁ ରାଜ୍ୟ ବିଜେପି ନେତାଙ୍କ ସହ ଜେ.ପି. ନଡ୍ଡା ଫେସ୍ ଟୁ ଫେସ୍ ଆଲୋଚନା କରିବାର ସମ୍ଭାବନା ଅଛି ।

୬ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ, ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ଦାୟିତ୍ୱ

ଭୁବନେଶ୍ୱର: ନିଯୁକ୍ତ ହେଲେ ୬ ବିଶ୍ୱବିଦ୍ୟାଳୟର କୁଳପତି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ କୁଳପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ଅପରଜିତା ଚୌଧୂରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ହୋଇଥିବା ବେଳେ ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ପ୍ରଫେସର ଦୀନବନ୍ଧୁ ସାହୁ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ହୋଇଥିବା ବେଳେ ପ୍ରଫେସର ଏନ୍. ନାଗରାଜଙ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ପ୍ରଫେସର କିଶୋର କୁମାର ବାଶାଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଏବଂ ପ୍ରଫେସର ପ୍ରଫୁଲ କୁମାର ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜଭବନ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ପତ୍ନୀଙ୍କ ବିୟୋଗ ସତ୍ତ୍ୱେ ଚୟନ ପ୍ରକ୍ରିୟା ଶେଷ କରିଛନ୍ତି ରାଜ୍ୟପାଳ ।

ରବିବାର ବିଳମ୍ବିତ ରାତିରେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗ ହୋଇଥିଲା । ସୋମବାର ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବିଧାନସଭାରେ ତାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବା ସହ ଗୃହ ମୁଲତବି କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ସୁଶୀଳା ଦେବୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଆଗକୁ ହ୍ୱାଟସ୍‌ଆପ୍‌‌ରେ ଆସିବ ଏମିତି କିଛି ମଜାଦାର ଫିଚର…

ନୂଆଦିଲ୍ଲୀ: ଭାରତରେ ହ୍ୱାଟସ୍‌ଆପ୍‌ର ଚାହିଦା ବହୁତ ଅଧିକା ରହିଛି । ଚାହିଦାକୁ ଦେଖି ହ୍ୱାଟସ୍‌ଆପ୍‌ ବିଭିନ୍ନ ସମୟରେ ତାର ଫିଚରକୁ ପରିବର୍ତ୍ତନ କରିଚାଲିଛି । ଫିଚର ପରିବର୍ତ୍ତନ ହେବା ଦ୍ୱାରା ହ୍ୱାଟସ୍‌ଆପ୍‌ ବ୍ୟବହାରିକାରୀ ବିଭିନ୍ନ ପ୍ରକାରର ସୁବିଧା ପାଇପାରୁଛନ୍ତି । ଯାହା ମଧ୍ୟରୁ ଅନେକ ବହୁତ ଉପଯୋଗୀ ମଧ୍ୟ । ଏହି ନୂତନ ଫିଚର ଗୁଡିକର ଆସିବା ପରେ, ଆପଣ ହ୍ୱାଟସ୍‌ଆପରେ ଚାଟିଂକୁ ଆହୁରି ମଜାଦାର କରିପାରିବେ । ନୂଆ ଫିଚର ଗୁଡିକ ହ୍ୱାଟସ୍‌ଆପ୍‌ ମେସେଜ୍ ବିତରଣ, ସପିଂ ଭଳି ଅନ୍ୟାନ୍ୟ ଫିଚର ଅନ୍ତର୍ଭୁକ୍ତ ରହିଛି । ଆଜି ଆମେ ଆପଣଙ୍କୁ ହ୍ୱାଟସ୍‌ଆପ୍‌ର ୫ ଟି ନୂଆ ଫିଚର ବିଷୟରେ କହିବୁ । ଯାହାଫଳରେ ହ୍ୱାଟସ୍‌ଆପ୍‌ରେ ଆପଣଙ୍କର ଚାଟିଂ ଅଭିଜ୍ଞତା ପୂର୍ବ ଅପେକ୍ଷା ଭଲ ହେବ ।

୧- ମଲ୍ଟି-ଡିଭାଇସ୍ ସପୋର୍ଟ

ଖୁବ୍ ଶୀଘ୍ର ଉପଭୋକ୍ତାମାନେ ମଲ୍ଟି-ଡିଭାଇସ୍ ସପୋର୍ଟ ଫିଚର ପାଇବେ । ଏହି ଫିଚରକୁ ହ୍ୱାଟସ୍‌ଆପ୍‌ କମ୍ପାନୀ ଦ୍ୱାରା ପରୀକ୍ଷଣ କରାଯାଉଛି । ଏହା ଆସିବା ପରେ  ଆପଣ ହ୍ୱାଟସ୍‌ଆପ୍‌କୁ ଅନେକ ଡିଭାଇସ୍ ସହିତ ସଂଯୋଗ କରିପାରିବେ । ଏହି ସମୟରେ, ଘରୁ କାମ କରିବାବେଳେ, ଆପଣଙ୍କର ବନ୍ଧୁ ଏବଂ ଅଫିସ୍ ଲୋକଙ୍କ ସହିତ ହ୍ୱାଟସ୍‌ଆପ୍‌ ଅପଡେଟ୍ ରଖିବା ଅତ୍ୟନ୍ତ ଭଲ ଏବଂ ସହଜ ହୋଇପାରିବ ।

୨-ଆଡଭାନ୍ସଡ ୱାଲପେପର

ଆଡଭାନ୍ସଡ ୱାଲପେପର ଫିଚର ଉପରେ ମଧ୍ୟ ହ୍ୱାଟସ୍‌ଆପ୍ ଏକେ ପରୀକ୍ଷା ଚଲାଇଛି । ଏହି ଫିଚର ଆସିବା ପରେ ଆପଣ ୱାଲପେପର ପରିବର୍ତ୍ତନ କରିପାରିବେ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ସବୁ କଣ୍ଟାକ୍ଟ ପାଇଁ ବ୍ୟବହାର କରିପାରିବେ । ଉନ୍ନତ ୱାଲପେପର ବିକଳ୍ପ ସହିତ ଆପଣଙ୍କ ସମ୍ପର୍କିୟଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ୱାଲପେପର ମଧ୍ୟ ରଖିପାରିବେ ।

୩- ଲେଟର ପଢ଼ିବା

ହ୍ୱାଟସ୍‌ଆପ୍‌ ଆର୍କାଇଭ୍ ଚାଟ୍ ଫିଚରକୁ ବଦଳାଇବା ପାଇଁ ରିଡ୍ ଲେଟର ଫିଚର ଆଣିଛି । ଏହା ଆସିବା ପରେ, ଆପଣ ସିଲେକ୍ଟ କରିଥିବା କଣ୍ଟାକ୍ଟରୁ ମେସେଜ କିମ୍ବା କଲର ନୋଟିଫକେସନ ଆସିବ ନାହିଁ । ଯେତେବେଳେ ଆପଣ ଆବଶ୍ୟକ କରନ୍ତି ଚାଟ୍ ପାଇଁ ବିକଳ୍ପରୁ ଆପଣ ଏନାବଲ କିମ୍ବା ଡିସାବଲ କରିପାରିବେ ।

୪- ପଠାଇବା ପୂର୍ବରୁ ମ୍ୟୁଟ୍ ଭିଡିଓ

ଏହା ମଧ୍ୟ ହ୍ୱାଟସ୍‌ଆପ୍‌ର ଆଉଏକ ଫିର ।  ଯାହା ଉପରେ ହ୍ୱାଟସ୍‌ଆପ୍‌ ଏବେ କାମ କରୁଛି । ଏହି ଫିଚର ଇନଷ୍ଟାଗ୍ରାମ ଏବଂ ଟ୍ୱିଟର, ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ପରି ଭିଡିଓ ପଠାଇବା ପୂର୍ବରୁ ଆପଣ ଭିଡିଓକୁ ମ୍ୟୁଟ୍ କରିବାର ବିକଳ୍ପ ପାଇବେ । ଏହି ଫିଚରକୁ ଏବେ ପରୀକ୍ଷା କରାଯାଉଛି ଯାହା ଶୀଘ୍ର ହ୍ୱାଟସ୍‌ଆପ୍‌ରେ ଆସିବ ।

୫- ରିପୋର୍ଟ ଟୁ ହ୍ୱାଟସ୍‌ଆପ୍‌

ହ୍ୱାଟସ୍‌ଆପ୍‌ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଫିଚର ଉପରେ କାମ କରୁଛି ।  ଉପଭୋକ୍ତାମାନେ ଖରାପ ମେସେଜ କିମ୍ବା ଖରାପ ଭିଡିଓ ଛାଡ଼ୁଥିବା ଲୋକ ବିରୁଦ୍ଧାରେ ରିପୋର୍ଟ କରିପାରିବେ । ଏହାଦ୍ୱାରା ବ୍ୟବହାରକାରୀ ମାନଙ୍କୁ ବହୁତ ଆରାମ ମିଳିବ ।

 

ଛତ୍ରପୁର କୋର୍ଟରେ ହାଜର ହେଲେ ଅର୍ଥତତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଛତ୍ରପୁର କୋର୍ଟରେ ହାଜର ହେଲେ ଅର୍ଥତତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ । ତାଙ୍କ ସହ ଶ୍ରୀକୃଷ୍ଣ ପାଢ଼ୀ ଓ ମନୋଜ ପଟ୍ଟନାୟକ ମଧ୍ୟ ହାଜର ହୋଇଛନ୍ତି । ଏକ ଠକେଇ ମାମଲାରେ ଛତ୍ରପୁର ପୋଲିସ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ଏହି ୩ ଜଣ ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି ।

ଛତ୍ରପୁର ବ୍ଲକ କଣମଣା ଗ୍ରାମର ଦେବରାଜ ସାହୁ ଛତ୍ରପୁର ସ୍ଥିତ ଅର୍ଥତତ୍ୱ ବ୍ରାଞ୍ଚରେ ୧ ଡିସେମ୍ବର ୨୦୧୦ରେ ଏକ ଲକ୍ଷ ଟଙ୍କା ଜମା କରିଥିଲେ । ପରେ ଉକ୍ତ ସଂସ୍ଥା ନଭେମ୍ବର ୨୦୧୨ରୁ ବନ୍ଦ ହୋଇଯାଇଥିଲା । ଏହା ଜାଣିବା ପରେ ଜମାକାରୀ ଦେବରାଜ ସାହୁ ଏହି ସଂସ୍ଥା ବିରୋଧରେ ୧୦ ମେ ୨୦୧୩ରେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ ।

ପୋଲିସ ୬୮/୧୩ରେ ମାମଲା ରୁଜୁ କରିବା ସହ ୧୨୦ବି, ୪୨୦ ଆଦି ବିଭିନ୍ନ ଧାରାରେ ମାମଲା‌ ରୁଜୁ ହୋଇଥିଲା । ଏନେଇ ଛତ୍ରପୁର ପୋଲିସ ପୂର୍ବରୁ ଏହି ୩ ଜଣକୁ ରିମାଣ୍ଡରେ ଆଣିବା ପାଇଁ ଏପପିଙ୍କ ଜରିଆରେ ଛତ୍ରପୁର ଏସଡିଜେଏମଙ୍କ ନିକଟରେ ଆବେଦନ କରିଥିଲା ।

ମାଛ ଉତ୍ପାଦନରେ ଓଡ଼ିଶା ଦେଶରେ ୫ ନମ୍ବର, ୫ ବର୍ଷରେ ୭୮ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶା ଦେଶର ପଞ୍ଚମ ମାଛ ଉତ୍ପାଦନକାରୀ ରାଜ୍ୟ । ୨୦୧୯/୨୦ ଅର୍ଥିକ ବର୍ଷରେ, ମାଛ ଉତ୍ପାଦନ ୮.୧୬ ଲକ୍ଷ ମେଟ୍ରିକ୍‌ ଟନରେ ପହଞ୍ଚିଛି । ରାଜ୍ୟରେ ମାଛ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଗତ ୫ ବର୍ଷ ମଧ୍ୟରେ ୧୪ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ଗତ ୫ ବର୍ଷରେ ୭୮ ପ୍ରତିଶତ ବୃଦ୍ଧି ହୋଇଛି ।

Bio Flock Fish

୨୦୧୪-୧୫ ଆର୍ଥିକ ବର୍ଷରେ ରପ୍ତାନୀ ୧୮୩୭ କୋଟି ଟଙ୍କା ଥିବା ବେଳେ ଗତ ଅର୍ଥିକ ବର୍ଷରେ ୩୨୪୩ କୋଟି ଟଙ୍କା ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସରେ ଓଡିଶାକୁ ସମ୍ମାନିତ କରାଯାଇଛି । ସାମୁଦ୍ରିକ ମତ୍ସ୍ୟ ଚାଷ ଲାଗି ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଓ ମଧୁର ମାଛ ଚାଷ ଲାଗି କଳାହାଣ୍ଡି ଜିଲ୍ଲାକୁ ଦେଶର ଆଭ୍ୟନ୍ତରୀଣ ଶ୍ରେଷ୍ଠ ମତ୍ସ୍ୟ ଜିଲ୍ଲା ଭାବେ ସମ୍ମାନିତ କରାଯାଇଛି ।

Bio Flock Fish

ଗତ ୨୦ ବର୍ଷ ଭିତରେ ମଧୁର ମାଛ ଉତ୍ପାଦନ ହାର ହେକ୍ଟର ପିଛା ୧.୮୫ ମେଟ୍ରିକ୍‌ ଟନରୁ ୩.୯୪ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି ପାଇଛି । ଏହାକୁ ୫ ମେଟ୍ରିକ ଟନ୍‌ରେ ପହଞ୍ଚାଇବା ଲାଗି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା କରୁଛି । ସେହିପରି ଖାରି ପାଣି ଚିଙ୍ଗୁଡ଼ି ଉତ୍ପାଦନ ଗତ ୨୦ ବର୍ଷରେ ୧୫ ଗୁଣା ବୃଦ୍ଧି ପାଇଛି । ସାମୁଦ୍ରିକ ମତ୍ସ୍ୟଦ୍ରବ୍ୟ ରପ୍ତାନୀ ଏହି ସମୟରେ ୧୦ ଗୁଣା ବୃଦ୍ଧି ପାଇଛି ।

ସ୍କୁଲ ମିଶ୍ରଣ ନିଷ୍ପତ୍ତିରେ ପରିବର୍ତ୍ତନ, କେବିକେ ଅଞ୍ଚଳରେ ବି ହେବ ମିଶ୍ରଣ..

ଭୁବନେଶ୍ୱର: ସ୍କୁଲ ମିଶ୍ରଣ ନିଷ୍ପତ୍ତିରେ ପରିବର୍ତ୍ତନ । ସିଡ୍ୟୁଲ୍‌ଡ ଏରିଆରେ ୧୫ରୁ କମ୍ ଓ ନନ୍‌ସିଡ୍ୟୁଲ୍‌ଡ ଏରିଆରେ ୨୦ରୁ କମ୍‌ ପିଲାଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ ବୋଲି ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ । କିନ୍ତୁ କେବିକେ ଜିଲ୍ଲାରେ ଉଭୟ ସିଡ୍ୟୁଲ୍‌ଡ ଓ ନନ୍‌ସିଡ୍ୟୁଲ୍‌ ଏରିଆ ଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।

ତେବେ ବିଧାସସଭାରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । କେବିକେ ଅଞ୍ଚଳରେ ୧୫ରୁ କମ ଛାତ୍ରଛାତ୍ରୀ ଥିଲେ ସ୍କୁଲଗୁଡିକର ମିଶ୍ରଣ ହେବ ବୋଲି ସେ କହିଛନ୍ତି । ରାଜ୍ୟରେ କେବିକେ ଅନ୍ତର୍ଗତ ୮ ଜିଲ୍ଲାର ୮-ଟି ବ୍ଳକ ଅଛି । ସେସବୁ ଅଞ୍ଚଳରେ ଏହି ନିୟମ ଲାଗୁ ହେବ ।

ସୋମବାର ବିଧାନସଭା ଅଧିବେଶନର ଦ୍ୱିତୀୟର୍ଦ୍ଧାରେ ସ୍କୁଲ ବନ୍ଦକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ ବିରୋଧୀ । ସିଡୁଲ୍‌ଡ ଭଳି କେବିକେ ଅଞ୍ଚଳରେ ୧୫ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ଅନୁମତି ଦିଆଯାଉ ବୋଲି ବିରୋଧୀ ଦାବି କରିଥିଲେ । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବିରୋଧୀ ଦଳ ନେତା ପ୍ରମୁଖ ଏହି ଦାବି ରଖିଥିଲେ । ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ତିନି ଦିନ ଧରି ଲଗାତାର ଗୃହରେ ସରଗରମ ଆଲୋଚନା ହୋଇଥିଲା । ଏହାପରେ ସରକାର ନିଜ ନିଷ୍ପତ୍ତି ବଦଳାଇଛନ୍ତି ।

ଏହି ଖାଦ୍ୟ ଖାଇଲେ କରୋନା ସଂକ୍ରମଣର ବିପଦ ବହୁ ପରିମାଣରେ ହ୍ରାସ ହୋଇଥାଏ: ଅଧ୍ୟୟନ

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଦିନରାତି କାର୍ଯ୍ୟ କରୁଛନ୍ତି । କୋଭିଡ -19 କୁ ନିୟନ୍ତ୍ରଣ କରିବା ପାଇଁ ବାରମ୍ବାର ପରୀକ୍ଷଣ ମଧ୍ୟ କରାଯଉଛି । ନିକଟରେ ହୋଇଥିବା ଏକ ଅଧ୍ୟୟନ ପରେ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ SARS-CoV-2 ର ମାରାତ୍ମକ ରୋଗ ଦୂର କରିବାରେ ଗ୍ରୀନ୍ ଟି, କ୍ରାନବେରୀ ଏବଂ ଡାଳିମ୍ବ ରସ ପ୍ରଭାବଶାଳୀ ହୋଇପାରେ ।

ଇନଷ୍ଟିଚ୍ୟୁଟ୍ ଅଫ୍ ମଲିକୁଲାର ଭାଇରୋଲୋଜି, ULM ୟୁନିଭରସିଟି ମେଡିକାଲ୍ ସେଣ୍ଟର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଜର୍ମାନୀ) ଦ୍ୱାରା ଏକ ଅଂଶୀଦାରିତ ପରୀକ୍ଷଣ ପରେ କରୋନା ଭାରସର ସହ ଲଢ଼ିବାରେ ଭଲ ଫଳାଫଳର ଦାଦି କରିଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ତିନୋଟି ଜିନିଷ କୋଷରେ ସଂକ୍ରମଣକୁ ବଢ଼ିବାରୁ ରୋକିଥାଏ ।

ଏହି ଅଧ୍ୟୟନ ପାଇଁ ବୈଜ୍ଞାନିକମାନେ ହର୍ବାଲ ପଦାର୍ଥ ଯେପରିକି ଇନ୍‌ଫ୍ଲୁଏଞ୍ଜା ଏ ଭାଇରସ, ଆଡେନୋ ଭାଇରସ୍ ଟାଇପ -୫ ଏବଂ SARS-CoV-2କୁ ଏକ ରୁମରେ ସମାନ  ତାପମାତ୍ରାରେ ଏକାଠି ରଖାଯାଇଥିଲା । ଅନୁସନ୍ଧାନକାରୀମାନେ ଏହି ପରୀକ୍ଷଣ ପରେ ଆଶ୍ଚର୍ଯ୍ୟଜନକ ଫଳାଫଳ ପାଇଥିଲେ ।

ରିପୋର୍ଟ ଅନୁଯାୟୀ, ଚୋକବେରୀ ରସ ଭାଇରସ ସଂକ୍ରମଣକୁ ୩ ହଜାର ଗୁଣ ହ୍ରାସ କରିବାରେ ସକ୍ଷମ ହୋଇଛି । ଯେଉଁଠାରେ ଡାଳିମ୍ବ ରସ, ଆଲଡେରି ରସ ଏବଂ ଗ୍ରୀନ୍ ଟି ଭାଇରସ୍ ସଂକ୍ରମଣକୁ ୧୦ ଗୁଣ ହ୍ରାସ କରିପାରିଛି ।

ଘୁଷୁରି ଫ୍ଲୁ ଭାଇରସ ଉପରେ ଏହି ଜିନିଷଗୁଡିକର ପ୍ରଭାବ ଦେଖିବାକୁ ଅନୁସନ୍ଧାନକାରୀମାନେ ମଧ୍ୟ ଏକ ପରୀକ୍ଷଣ କରିଥିଲେ । ଏହି ପରୀକ୍ଷଣରେ ସେ ଜାଣିବାକୁ ପାଇଲେ ଯେ ଏହି ଚାରିଟି ଜିନିଷ ୫ ମିନିଟରେ ୯୯ ପ୍ରତିଶତ ଭାଇରସ ସଂକ୍ରମଣକୁ ଦୂର କରିପାରିବ ।

ରିପୋର୍ଟ ଅନୁଯାୟୀ, ଚକୋବେରୀ ରସ SARS-CoV-2 ର ସଂକ୍ରମଣକୁ ୫ ମିନିଟରେ ୯୭% ପର୍ଯ୍ୟନ୍ତ ହ୍ରାସ କରିପାରେ  । ଡାଳିମ୍ବ ରସ ଏବଂ ଗ୍ରୀନ୍ ଟି ଏହାର ପ୍ରଭାବକୁ ୮୦% ହ୍ରାସ କରିପାରେ । ତଥାପି, ଏଲଡବେରୀ ରସ SARS-CoV-2 ଉପରେ କୌଣସି ପ୍ରଭାବ ପକାଇ ନଥିଲା ।

ଅନୁସନ୍ଧାନକାରୀମାନେ ଏହି ସବୁ ଜିନିଷକୁ କୋଭିଡ -୧୯ ରୋଗରେ ଉପକାରୀ ବୋଲି ବର୍ଣ୍ଣନା କରିଛନ୍ତି । ସେମାନେ କହିଛନ୍ତି ଯେ ଅଧିକ ବିପଦ ଥିବା ରୋଗୀମାନେ ଏହାକୁ ବ୍ୟବହାର କରିବା ଜରୁରୀ । ହର୍ବାଲ ଚା କିମ୍ବା ରସ ସହିତ ଗାର୍ଲିଂ କରିବା ଦ୍ୱାରା ମଧ୍ୟ ଏହାର ଲାଭ ଅଛି ବୋଲି କୁହାଯାଇଛି ।

ଧର୍ମଘଟରେ ଲାଗିଲା ଅଙ୍କୁଶ, ହୋଇପାରେ ଜେଲ୍‌ ଦଣ୍ଡ ସହ ଜୋରିମାନା

ଭୁବନେଶ୍ୱର: ଧର୍ମଘଟ ଉପରେ ଲାଗିଲା ଅଙ୍କୁଶ । ଯଦି କୌଣସି ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ, ତାହାହେଲେ ଆଇନ ଅନୁସାରେ ଦଣ୍ଡ ବ୍ୟବସ୍ଥା ହେବ । ଯଦି ବେଆଇନ ଧର୍ମଘଟକୁ କେହି ପ୍ରୋତ୍ସାହିତ କରେ କିମ୍ଵା ତାକୁ ସମର୍ଥନ କରି ଆର୍ଥିକ ସହଯୋଗ କରେ, ସେହି ବ୍ୟକ୍ତିଙ୍କୁ ଏକବର୍ଷ ଜେଲ ଦଣ୍ଡ କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବାର ସମ୍ଭାବନା ମଧ୍ୟ ରହିଛି ।

ତେବେ ରିପୋର୍ଟ ଅନୁଯାୟୀ ଉଭୟ ଆର୍ଥିକ ଓ ଜେଲ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇ ପାରିବ । ଧର୍ମଘଟରେ କୌଣସି ସରକାରୀ କର୍ମଚାରୀ ଅଂଶଗ୍ରହଣ କରିବା ବେଆଇନ୍‌ ବୋଲି କୁହାଯାଇଛି । ଅନ୍ୟକୁ ଧର୍ମଘଟ କରିବା ପାଇଁ ପ୍ରବର୍ତ୍ତାଇଲେ ତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ହୋଇଛି ।

ବିଧାନସଭାରେ ପାରିତ ହୋଇଥିବା ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ ୨୦୨୦ରେ ଏହି ବ୍ୟବସ୍ଥା ରହିଛି । ୧୯୮୮ର ଅଧିନିୟମକୁ ସଂଶୋଧନ କରାଯାଇଛି । ନୂଆ ଅଧିନିୟମ ଅନୁସାରେ କିଛି ସେବାକୁ ଅତ୍ୟାବଶ୍ୟକୀୟ ସେବା ଭାବେ ସାମିଲ କରାଯାଇଛି । ଅଗ୍ନି ନିରାପତ୍ତା, ଅବକାରୀ, ଜଙ୍ଗଲ, କାରାଗାର ସଂସ୍କାର, ଇଲେକ୍ଟ୍ରୋନିକସ ଏବଂ ସୂଚନା ଓ ଯୋଗାଯୋଗ ସହ ଜଡିତ ସେବାରେ ବ୍ୟାଘାତ ହେଲେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ ।