ସରକାରଙ୍କ ‘ମୋ ଉପକାରୀ ବଗିଚା’ ଯୋଜନାର ସଫଳ ରୂପାୟନ, ସ୍ୱାବଲମ୍ବି ହେଉଛନ୍ତି ମହିଳା

ଜଗତସିଂହପୁର: ଓଡ଼ିଶା ସରକାରଙ୍କ ମୋ ଉପକାରୀ ବଗିଚା ଯୋଜନାରେ ଉପକୃତ ହୋଇଛନ୍ତି ହଜାର ହଜାର ମହିଳା । ଏନେଇ ସେମାନେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜଗତସିଂହପୁର ଜିଲ୍ଲାର ଅନେକ ମହିଳା ଗୋଷ୍ଠି ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି । ସେମାନେ ନିଜକୁ ସ୍ୱାବଲମ୍ବି କରିବା ସହ ଅନ୍ୟକୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି । ଖାଲି ସେତିକି ନୁହେଁ ସେମାନେ ଜିଲ୍ଲାରୁ ପୁଷ୍ଟିହୀନତା ଓ ରକ୍ତହୀନତା ଦୁର କରିବା ପାଇଁ ମଧ୍ୟ ଅନେକ ସହାୟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ ଓ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସହଯୋଗାରେ ମୋ ଉପକାରୀ ବଗିଚା ଯୋଜନା କାର୍ଯ୍ୟକାରୀ କରାଯାଉଛି । ଜଗତସିଂହପୁର ବ୍ଲକ ତରତଙ୍ଗ ପଞ୍ଚାୟତରେ କରାଯାଇଥିବା ମୋ ଉପକାରୀ ବଗିଚା ଯୋଜନାରେ ଚାଷ କରି ବେଶ ଲାଭବାନ ହୋଇପାରିଛନ୍ତି ବିଭିନ୍ନ ଗ୍ରୁପର ମହିଳା ।

ବର୍ଷା, ଶୀତ ଓ ଗ୍ରୀଷ୍ମ ତିନି ଋତୁରେ ହେଉଛି ଫସଲ । ୫୨ ଫୁଟ ଲମ୍ବ ଓ ୨୬ ଫୁଟ ପ୍ରସ୍ତରେ ୧୨ ପ୍ରକାର ଫସଲ କରିଛନ୍ତି ମହିଳା । ଭେଣ୍ଡି, ବାଇଗଣ, ଝୁଡଙ୍ଗ, ଛଚିନ୍ଦ୍ରା, ଜହ୍ନି, ଧନିଆ, ଶାଗ, ପାଳଙ୍ଗ, ମୂଳା, ବିଲାତି, କାକୁଡି, କଲରା ଆଦି ଗଛ ଲାଗିଛି । ଏଥିରୁ ଭଲ ଫସଲ ମଧ୍ୟ ଅମଳ ହେଉଛି । ସରକାରୀ ସ୍ତରରେ ଏଭଳି ଚାଷ କରିବା ପାଇଁ ସହଯୋଗ ଦିଆଯାଇଥିବାରୁ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜଗତସିଂହପୁର ଜିଲ୍ଲାର ପ୍ରାୟ ୬,୫୦୫ଜଣ ଏବେ ଏହି ଯୋଜନା ମାଧ୍ୟମରେ ବେଶ ଉପକୃତ ହୋଇଛନ୍ତି । ବଗିଚାରେ ଭଲ ଅମଳ ପାଇଁ ଏଥିରେ କୌଣସି ରସାୟନିକ ସାର ପ୍ରୟୋଗ କରାଯାଉ ନାହିଁ ବରଂ ହାତ ତିଆରି ଜୈବିକ ଖତ ବ୍ୟବହାରରେ ଉପରେ ଗୁରୁତ୍ୱ ଦିଆଯାଉଛି । ଯାହାଦ୍ୱାରା ଖୁବ ସୁନ୍ଦର ପନିପରିବା ଉତ୍ପାଦନ ହୋଇ ପାରୁଛି । ଗ୍ରାମଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାଙ୍କ ପାଇଁ ଏହି ମୋ ଉପକାରୀ ବଗିଚା ଯୋଜନା କରିଛନ୍ତି । ଯାହାଦ୍ୱାରା ଗ୍ରାମାଞ୍ଚଳର ମହିଳାଙ୍କ ପାଇଁ ପନିପରିବା ଚାଷ କରିବାକୁ ପ୍ରୋତ୍ସାହନ ମିଳିବ ।

Leave a Reply